ସ୍ୱାସ୍ଥ୍ୟ ପ୍ରଶାସନରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଭୂମିକା!
ଶରତ କୁମାର ରାଉତ
ସାଧାରଣ ଲୋକେ ରାଜନେତାଙ୍କ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ବାସ୍ତବରେ ନେତାଙ୍କ ମିଥ୍ୟା ପ୍ରଲୋଭନ, ପ୍ରତିଶ୍ରୂତି ଓ ମନଗଢା କଥାରେ ସାଧାରଣ ଲୋକଙ୍କ ସମର୍ଥନ ମିଳେ ନାହିଁ । ଲୋକେ ଆଗରେ କିଛି ପ୍ରତିବାଦ୍ ସିନା କରନ୍ତିନି, ହେଲେ ଭିତରେ ଭିତରେ ନେତାଙ୍କୁ ଅବିଶ୍ୱାସ ଓ ଘୃଣା ଦୃଷ୍ଟିରେ ଦେଖନ୍ତି । ବିକାଶ ମୂଳକ କାର୍ଯ୍ୟ ଏବଂ ସାଧାରଣ ଲୋକ ମାନଙ୍କର ମଙ୍ଗଳ ପାଇଁ ନିଷ୍ଠାପର କାର୍ଯ୍ୟ କରି ଚାଲିଲେ, ଯିଏ କେହି ଲୋକଙ୍କ ବିଶ୍ୱାସଭାଜନ ହୋଇଥାଏ । ସାଧାରଣତଃ କୁହାଯାଇଥାଏ, ଭାରତୀୟ ଗଣତନ୍ତ୍ରର ମନ୍ଦିର ଗୁଡ଼ିକୁ ଆମେ ଗଣତାନ୍ତ୍ରିକ ସଂସ୍କାର ଥିବା ଓ ସଂସଦ ବା ବିଧାନସଭାରେ ଲୋକଙ୍କ ଆଶା-ଆକାଂକ୍ଷା, ସୁଖ-ଦୁଃଖ ଏବଂ ଦୃଷ୍ଟିକୋଣକୁ ଗଣତାନ୍ତ୍ରିକ ଢ଼ଙ୍ଗରେ ଉପସ୍ଥାପିତ କରି ପାରୁଥିବା ବ୍ୟକ୍ତିମାନଙ୍କୁ ନିର୍ବାଚିତ କରି ପଠାଇବା ଉଚିତ । କାରଣ ସେମାନେ ଆମର ପ୍ରତିନିଧି, ପ୍ରବକ୍ତା ଓ ସୁଖ-ଦୁଃଖର ସାଥୀ ମଧ୍ୟ । ଯେତେବେଳେ ସୁଯୋଗ୍ୟ ବ୍ୟକ୍ତି ମାନେ ସଂସଦ ବା ବିଧାନସଭାକୁ ନିର୍ବାଚିତ ହୁଅନ୍ତି, ସେତେବେଳେ ସଂପୃକ୍ତ ଅଂଚଳ ତଥା ସାଧାରଣ ଲୋକଙ୍କ ଉନ୍ନତି ହେବା ସହ ସେହି ନେତା ମାନେ ନିଜ ନିର୍ବାଚନ କ୍ଷେତ୍ରରେ ଅପରାଜେୟ ହୋଇ ଯାଆନ୍ତି । ସମସ୍ତ ରେକର୍ଡ଼ ଭାଙ୍ଗି ରାଜ୍ୟ ଓ ଦେଶରେ ଇତିହାସ ସୃଷ୍ଟି କରନ୍ତି! ଚିରଦିନ ପାଇଁ ଲୋକମାନଙ୍କ ମନରେ ସେମାନେ ସ୍ମରଣୀୟ ହେଇ ରହନ୍ତି । ସେହିଭଳି ଜଣେ ନେତା ହେଲେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆଇନ ମନ୍ତ୍ରୀ ତଥା କଟକ ଜିଲ୍ଲା ମାହାଙ୍ଗା ବିଧାନସଭା କ୍ଷେତ୍ରର ବିଧାୟକ ତଥା ଓଡ଼ିଶାର ଜଣେ ତୁଙ୍ଗ ଯୁବନେତା ପ୍ରତାପ ଜେନା । ଛାତ୍ର ଜୀବନରୁ ରାଜନୀତିରେ ସକି୍ରୟ ଥିବା ପ୍ରତାପ ବାବୁ ବହୁପ୍ରତିଭାର ଅଧିକାରୀ । ସେ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଥିବାବେଳେ ଓଡ଼ିଶା ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ଏପରିକି ଜଣେ ପ୍ରଚଣ୍ଡ ରାଜନୀତିକ ଜ୍ଞାନର ଅଧିକାରୀ ତଥା ଅଭିଜ୍ଞ ମନ୍ତ୍ରୀ ଓ ବିଧାୟକ ଭାବେ ତାଙ୍କର ରାଜନୀତିକ ଓ ବିଧାନସଭା କାର୍ଯ୍ୟଦକ୍ଷତା ତାଙ୍କୁ ଆପେ ରାଜ୍ୟ ରାଜନୀତି ମଂଚରେ ଛିଡ଼ା କରି ଦେଇଛି । ୧୯୮୫-୮୬ରେ ପ୍ରତାପ ବାବୁ ରେଭେନ୍ସା କଲେଜର ସାଇନ୍ସ ସୋସାଇଟୀର ସଂପାଦକ ଥିଲାବେଳେ ୧୯୯୦-୯୧ରେ କଟକ ମଧୁସୁଦନ ଆଇନ କଲେଜର ଛାତ୍ର ସଂସଦ ସଭାପତି, ୧୯୯୨-୯୮ରେ ରାଜ୍ୟ ଛାତ୍ର ଜନତା ଦଳର ସଭାପତି, ୧୯୯୮ରୁ ବିଜୁ ଛାତ୍ର ଜନତା ଦଳ ତଥା ବିଜୁ ପଟ୍ଟନାୟକ ସ୍ମୃତି ସଂସଦ ସଭାପତି ରହି ଆସିଛନ୍ତି । ସେ ନିଜର ରାଜନୀତିକ ଜୀବନରେ ସମସ୍ତ ନିର୍ବାଚନରେ ବିଜୟୀ ହୋଇ ଛନ୍ତି । ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ବିଧାନସଭା ନିର୍ବାଚନରେ ସେ ବିଜେଡ଼ି ଟିକଟରେ ପ୍ରତିଦ୍ୱନ୍ଦିତା କରି ବିଧାନସଭାରୁ ନିର୍ବାଚିତ ହୋଇଥିଲେ । ୨୦୦୦ ଓ ୨୦୦୪ରେ ସେ କଟକ ଜିଲ୍ଲାର କିଶନନଗର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲା ବେଳେ ୨୦୦୯ ଓ ୨୦୧୪ରେ କଟକ ଜିଲ୍ଲାର ମାହାଙ୍ଗା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ । ୨୦୦୯ ନିର୍ବାଚନରେ ପ୍ରତାପ ବାବୁ ମାହାଙ୍ଗା ଆସନରୁ ୮୯,୬୨୮ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ସେକ୍ ମତଲୁବ୍ ଅଲ୍ଲୀଙ୍କୁ ୨୯,୨୨୦ ଭୋଟ ବ୍ୟବଧାନରେ ପରାଜିତ କରିଥିଲା ବେଳେ ୨୦୧୪ ନିର୍ବାଚନରେ ସେ ୮୯,୫୩୧ ଭୋଟ ପାଇ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରଧାନଙ୍କୁ ୨୭,୮୭୪ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ୨୦୦୯ରେ ରେ ସେ ପ୍ରଥମ ଥର ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଭାବେ ୩ବର୍ଷ ୨ମାସ ୩ଦିନ ପାଇଁ ନିଜର ଦାୟିତ୍ୱ ସଫଳତାର ସହ ନିର୍ବାହ କରିଥିଲେ । ସେହିପରି ଏଇ ନିକଟରେ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆଇନ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଭାବେ ନିଜର ଦାୟିତ୍ୱ ସଫଳତାର ସହ ତୁଲାଇ ଆସୁଛନ୍ତି ।
ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗ ସବୁଠୁ ଗୁରୁତ୍ୱପୂର୍ଣ୍ଣ । ହେଲେ ଗତ ୧୭ବର୍ଷ ଭିତରେ କୌଣସି ଜଣେ ଅଭିଜ୍ଞ ମନ୍ତ୍ରୀଙ୍କୁ ବିଭାଗରେ ଦେଖିବାକୁ ମିଳିନାହିଁ । ଯେଉଁ ଜଣେ ଦୁଇଜଣ ଅଭିଜ୍ଞ ବ୍ୟକ୍ତି ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ନେଇଛନ୍ତି, ସେମାନେ ଅଳ୍ପ ସମୟ ଭିତରେ ବିଭାଗରେ ନୂଆ ସଂସ୍କାର ଆଣିବା ବେଳକୁ ତାଙ୍କୁ ପଦରୁ ହଟାଇ ଦିଆଯାଇଛି । ବାସ୍ତବତା ହେଲା, ଆଜି ପର୍ଯ୍ୟନ୍ତ କୌଣସି ଜଣେ ମନ୍ତ୍ରୀ ନିଜ କରିସ୍ମା ବଳରେ ସ୍ୱାସ୍ଥ୍ୟ ବିଭାଗରେ ସାମାନ୍ୟତମ ପରିବର୍ତନ ଆଣି ପାରି ନାହାନ୍ତି କି କୌଣସି ନୂଆ ସଂସ୍କାର । କିନ୍ତୁ ବର୍ତମାନର ମନ୍ତ୍ରୀ ପ୍ରତାପ ଜେନା ଜଣେ ଅଭିଜ୍ଞ ଓ ନିଷ୍ଠାପର ବ୍ୟକ୍ତିତ୍ୱ । ସେ ଦାୟିତ୍ୱ ନେବା ଦିନ ଠାରୁ ରାଜ୍ୟରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଯେପରି ତତ୍ପର ହୋଇ ଉଠିଛନ୍ତି, ଖୁବ୍ ଶୀଘ୍ର ରାଜ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ନୂଆ ସଂସ୍କାର ଆସି ପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବୁଦ୍ଧିଜୀବୀ ମହଲରେ ଆଶା କରାଯାଉଛି । ତାଙ୍କର ନିଷ୍ଠାପର କାର୍ଯ୍ୟଦକ୍ଷତା ଯୋଗୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ମେଡ଼ିକାଲ କଲେଜ ଓ ହସ୍ପିଟାଲ୍ ପ୍ରତିଷ୍ଠା ସମ୍ଭବ ହୋଇଛି । ବିଭିନ୍ନ ଜିଲ୍ଲା ସଦରମହକୁମା ହସ୍ପିଟାଲ୍ ସମେତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଦି ଅନ୍ୟାନ୍ୟ ଚିକିତ୍ସାଳୟ ପ୍ରଶାସନରେ ବ୍ୟାପକ ସଂସ୍କାର ଆଣିବାରେ ମନ୍ତ୍ରୀ ଶ୍ରୀ ଜେନା ରେକର୍ଡ଼ ସୃଷ୍ଟି କରିଛନ୍ତି । ସରକାରୀ ନୀତି କାର୍ଯ୍ୟକାରୀ ଉପରେ ପ୍ରତାପ ବାବୁ ଗୁରୁତ୍ୱ ଦେଉଥିବାବେଳେ ବିଭିନ୍ନ ସ୍ୱାସ୍ଥ୍ୟ ପ୍ରକଳ୍ପ ଓ ତାହାର କାର୍ଯ୍ୟକାରୀ ପ୍ରଣାଳୀର ସମୀକ୍ଷା କରି ଚାଲିଛନ୍ତି । ସ୍ୱାସ୍ଥ୍ୟ ସଚିବାଳୟ ଓ ନିଦେ୍ର୍ଦଶାଳୟରେ ସଂସ୍କାର ଆଣି ଦୁର୍ନୀତିଗ୍ରସ୍ତ ଓ ବେଆଇନ କାର୍ଯ୍ୟଲିପ୍ତ ଅଫିସର ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ସେ ପ୍ରସ୍ତୁତ ହୋଇ ଗଲେଣି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଥିଲାବେଳେ ମଧ୍ୟ ସେ ବିଭାଗରେ ଅନେକ ସଂସ୍କାର ଆଣିଥିଲେ । ଲଗାତାର ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇ ସେ ୨୦୦୩-୦୪ରେ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର ଅଧ୍ୟକ୍ଷ ଓ ବିଧାନସଭାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇଥିଲେ । ଏଥିସହିତ ବିଜେଡ଼ି ଦଳୀୟ ମୁଖପାତ୍ର ଭାବେ କାର୍ଯ୍ୟ କରି ସେ ବିପୁଳ ସଫଳତା ହାସଲ କରିଛନ୍ତି ଓ ଦଳରେ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।
ବିଧାନସଭା ଅଧିବେଶନରେ ପ୍ରତାପ ବାବୁଙ୍କର କାର୍ଯ୍ୟଶୈଳୀ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ ତଥା ବିଧାନସଭା ବାହାରେ, ନିଜ ଜିଲ୍ଲାରେ ଓ ନିଜ ନିର୍ବାଚନ ମଣ୍ଡଳୀରେ ତାଙ୍କର ଲୋକାଭିମୁଖୀ କାର୍ଯ୍ୟ ଉଲ୍ଲେଖନୀୟ । ରାଜ୍ୟରେ ଦାରିଦ୍ର୍ୟ, ଅନାହାର, ପୃଷ୍ଟିହୀନତା, ମାତୃ ଓ ଶିଶୁମୃତୁ୍ୟ, ପ୍ରାକୃତିକ ବିପର୍ଯ୍ୟୟ, ଦାଦନ ଭଳି ବିଭିନ୍ନ ସାମାଜିକ ଓ ପ୍ରଶାସନିକ ସମସ୍ୟା ସମାଧାନ ପାଇଁ ସେ ନିୟମିତ କାର୍ଯ୍ୟ କରି ଆସୁଛନ୍ତି । ରାଜନୀତି, ସଂସ୍କୃତି ଓ ସମାଜସେବାର ମୂର୍ତିମନ୍ତ ପ୍ରତୀକ ପ୍ରତାପ ବାବୁଙ୍କର ବହୁମୁଖୀ ଜନସ୍ୱାର୍ଥ ମୂଳକ କାର୍ଯ୍ୟ ଉଲ୍ଲେଖନୀୟ । ଦୁଇ ଦଶନ୍ଧିର ରାଜନୀତିକ ଜୀବନ ଭିତରେ ତାଙ୍କର ପ୍ରତି ପଦକ୍ଷେପ ଓ ରାଜନୀତିକ କାର୍ଯ୍ୟକଳାପ ସାଧାରଣରେ ପ୍ରଶଂସନୀୟ ହୋଇଛି ।
ଜଣେ ଅଭିଜ୍ଞ ବିଧାୟକ ଭାବେ ନିଜ ନିର୍ବାଚନ କ୍ଷେତ୍ର ସହିତ ଓଡ଼ିଶାର ସାମଗ୍ରୀକ ବିକାଶ ଓ ବିଭିନ୍ନ ସମସ୍ୟା ସମାଧାନ କରି ଅବହେଳିତ ଓଡ଼ିଆ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାର ଲକ୍ଷ୍ୟ ରଖିଛନ୍ତି ପ୍ରତାପ ବାବୁ । ରାଜ୍ୟର ସାମଗ୍ରୀକ ଉନ୍ନତି ତାଙ୍କ ସାମାଜିକ କାର୍ଯ୍ୟର ମୂଳ ଲକ୍ଷ୍ୟ । ନିୟମିତ ସେ ନିଜ ନିର୍ବାଚନ ମଣ୍ଡଳୀର ଲୋକ ମାନଙ୍କ ସୁଖ-ଦୁଃଖରେ ଭାଗୀ ହେଉଛନ୍ତି । ପ୍ରତି ମଣିଷକୁ ଆପଣାର କରିବାର କଳାରେ ସେ ନିପୁଣ । ସମସ୍ତଙ୍କୁ ସେ ସହଯୋଗର ହାତ ବଢାନ୍ତି । ବାସ୍ତବରେ ତାଙ୍କର ଅମାୟିକ ବ୍ୟବହାର, ଆକର୍ଷଣୀୟ ଲୋକପି୍ରୟତା, ଉତ୍ସର୍ଗୀକୃତ ଜନସେବା ଓ ପରୋପକାରୀ ମନୋଭାବ ଆଦି ମାନବୀୟ ଗୁଣ ପାଇଁ ସେ ସମସ୍ତଙ୍କର ପି୍ରୟପାତ୍ର ।