ପ୍ରାଥମିକ ସ୍ୱାସ୍ଥ୍ୟସେବା ଚାଲିଛି କିପରି?

ସୁବାସ ଷଡଙ୍ଗୀ
ଆମ ରାଜ୍ୟରେ ଯୋଗାଇ ଦିଆଯାଉଥିବା ପ୍ରାଥମିକ ସ୍ୱାସ୍ଥ୍ୟସେବା ଅନ୍ୟାନ୍ୟ ରାଜ୍ୟମାନଙ୍କଠାରୁ ବହୁତ ଉନ୍ନତ । ଏହାର କାରଣ ହେଉଛି, ସ୍ୱାସ୍ଥ୍ୟସେବା ଯୋଗାଉଥିବା ସଂସ୍ଥା ତାହା ସରକାରି ହେଉ ବା ବେସରକାରି ହେଉ ଏକ ନୀତି ନିୟମରେ ବନ୍ଧା । ତେବେ ବଜେଟ୍ ପାଇଁ ଗଠିତ ସବ କମିଟ ରାଜ୍ୟର ପ୍ରାଥମିକ ସ୍ୱାସ୍ଥ୍ୟ ସେବା ନେଇ କ୍ଷୋଭ ପ୍ରକାଶ କରିଛି । ଡାକ୍ତରଖାନାଗୁଡିକରେ ଡାକ୍ତରଙ୍କ ଅଭାବ ବୋଲି ଦର୍ଶାଯାଉଛି । ଏହା ତ ମୁଖ୍ୟକାରଣ ଏଥିରେ କାହାର ଦ୍ୱିମତ ହେବାର ନାହି । କିନ୍ତୁ କେବଳ ଡାକ୍ତର ଅଭାବ ଛାଡିଦେଲେ, ଅନ୍ୟାନ୍ୟ ସେବା ଠିକ ଅଛି କି?
ପଂଚମ ପଂଚବାର୍ଷିକ ଯୋଜନା ଆରମ୍ଭ ହେବା ପରେ ଲୋକଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରତି ଅଧିକ ଗୁରୁତ୍ୱ ଦିଆଗଲା । ଲୋକଙ୍କୁ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ପ୍ରତି ପାଂଚ ହଜାର ଲୋକ ସଂଖ୍ୟା ବିଶିଷ୍ଟ ଗାଁକୁ ଏକ ଉପକେନ୍ଦ୍ରରେ ପରିଣତ କରାଯାଇଛି ।
ପଂଚମ ପଂଚ ବାର୍ଷିକ ଯୋଜନା (୧୯୭୪-୧୯୭୮) ଅନୁଯାୟି ପ୍ରତି ୫ ହଜାର ଲୋକ ବିଶିଷ୍ଟ ଗାଁରେ ଏକ ସ୍ୱାସ୍ଥ୍ୟ ଉପକେନ୍ଦ୍ର ପ୍ରତିଷ୍ଠା କରାଯିବ । ରିମୋଟ ବା ପାର୍ବତ୍ୟାଂଚଳ ଇଲାକା ପାଇଁ ପ୍ରତି ୩୦ଜାର ଲୋକଙ୍କ ପାଇଁ ଉପକେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହାର କାମ କଣ ହେବ? ପ୍ରାଥମିକ ବା ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ହେବ ମୁଖ୍ୟ କାମ । ଯାହାକୁ କୁହାଯାଏ ମିନିମମ୍ ନିଡ୍ ପ୍ରୋଗ୍ରାମ ।
ଯେତେବେଳେ ଉପକେନ୍ଦ୍ର ପ୍ରତିଷ୍ଠା କରାଯିବାର ପରିକଳ୍ପନା କରାଗଲା, ସେତେବେଳେ ବହୁମୁଖି ରୋଗ ନିରୁପଣ କଥା ଚିନ୍ତା କରାଯାଇ ନଥିଲା । ପରବର୍ତି ସମୟରେ ଏହାକୁ ବଦଳାଯାଇ କେବଳ ମାଁ ମାନଙ୍କ ସେଫ୍ ଡେଲିଭରି ଦାଇତ୍ୱ ଦିଆଗଲା । ପରବର୍ତିି ସମୟରେ ଏକ ସ୍ୱତନ୍ତ୍ର ତାଲିମ ମାଧ୍ୟମରେ ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ ପ୍ରଚଳନ କରାଗଲା । ଏମାନଙ୍କୁ ରୋଗୀ ସେବା ସହ ନିରାପଦ ମାତୃତ୍ୱର ତାଲିମ ଦିଆଗଲା । ଟୀକାକରଣ, କିଶେରୀ ବାଳିକାଙ୍କ ଯତ୍ନ ଭଳି ଅନେକ କଥା ଏଥିରେ ପରବର୍ତି ସମୟରେ ଯୋଡା ଯାଇଛି ।
୨୦୧୨ ମସିହାରେ ଇଣ୍ଡିଆନ୍ ପବ୍ଲିକ ହେଲ୍ଥ ଷ୍ଟାଣ୍ଡାର୍ଡର ପରିବର୍ତନ କରାଯାଇ ସମୁଦାୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ନବୀକରଣ କରାଗଲା । ସେଇ ବ୍ୟବସ୍ଥା ଅନୁଯାୟି ପ୍ରାଥମିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସ୍ୱାସ୍ଥ୍ୟ ଉପକେନ୍ଦ୍ରଗୁଡିକର କାମ ବଢିଗଲା । ଏହାକୁ ମୌଳିକ ସ୍ୱାସ୍ଥ୍ୟସେବାର ପ୍ରଥମ ୟୁନିଟ ଭାବରେ ଗ୍ରହଣ କରାଗଲା । କିନ୍ତୁ ଦେଖାଯାଉଛି ଯେଉଁ ଉଦେ୍ଦଶ୍ୟ ନେଇ ଉପକେନ୍ଦ୍ରର ପରିକଳ୍ପନା କରାଯାଇଥିଲା, ତାହା ସଫଳ ହୋଇ ନାହିଁ ।
ଦୁଇପ୍ରକାରର ଉପକେନ୍ଦ୍ର ପ୍ରତିଷ୍ଠା କରାଯିବା କଥା କୁହାଯାଇଛି । ଟାଇପ -ଏ ଏବଂ ଟାଇପ -ବି । ଟାଇପ- ଏ ରେ କେବଳ ଡେଲିଭରିକୁ ଛାଡି ଆଉ ସବୁ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ପ୍ରତି ଉପକେନ୍ଦ୍ରରେ ଦୁଇଜଣ ଏଏନଏମ ଏବଂ ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ରହିବେ । ପ୍ରଥମ ଏଏନ୍ଏମ୍ ଜଣକ ଉପକେନ୍ଦ୍ରରେ ରହି ଦିନକୁ ଅତି କମରେ ଛଅଘଂଟା ଓପିଡି କରିବାକୁ କୁହାଯାଇଥିଲା ବେଳେ ଅନ୍ୟ ଜଣକ ବିଭିନ୍ନ ଜାଗାକୁ ଯାଇ ସେବା ଯୋଗାଇ ଦେବାକଥା ବୋଲି କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶାବଳୀରେ ଦର୍ଶାଯାଇଛି । ଏଏନଏମ ଜଣକ ସବୁ କାମ ଅର୍ଥାତ କିଶୋରୀ ବାଳିକାର ସ୍ୱାସ୍ଥ୍ୟ ସଂପର୍କରେ ଉପଦେଶ ଦେବା ସହିତ ମ୍ୟାଲେରିଆ ନିରାକରଣ, କୁଷ୍ଠ, ଅନ୍ଧତ୍ୱ ନିରାକରଣ, ଏମିତିକି ପରିବେଶ ସୁସ୍ଥ ରଖିବାର କାର୍ଯ୍ୟ ଦେଖିବେ ବୋଲି କୁୁହାଯାଇଛି ।
ଅପରପକ୍ଷରେ ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ନିର୍ଦ୍ଦିଷ୍ଟ ଭାବେ କଣ କରିବେ ତାହା ଦର୍ଶାଯାଇ ନାହିଁ । ସବୁ କାମ ମିଳିତ ଭାବେ କରିବେ ବୋଲି କୁହାଯାଇଛି । କିନ୍ତୁ ଏହା କଣ ସମ୍ଭବ? କିଶୋଣୀ ବାଳିକାଙ୍କ ସ୍ୱାସ୍ଥ୍ୟ, ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ କଥା କେବଳ ଜଣେ ମହିଳା କର୍ମଚାରୀ ବୁଝିପାରିବେ । ସେମାନଙ୍କ ଆଗରେ ମହିଳା ଜଣକ ନିଜର ସମସ୍ୟା ସମ୍ପର୍କରେ ଖୋଲାଖୋଲି ଭାବେ ଆଲୋଚନା କରିପାରିବେ । କରୁଛନ୍ତି ମଧ୍ୟ । ଏଠାରେ ପୁରୁଷ ସ୍ୱାସ୍ଥ୍ୟ କର୍ମୀର କୌଣସି ଆବଶ୍ୟକତା ୍ନାହିଁ ।
ଆଜିକାଲି ମ୍ୟାଲେରିଆ ପରୀକ୍ଷା କିଟ୍ ଆଶା ଓ ଅଙ୍ଗନବାଡି କର୍ମୀଙ୍କ ପାଖରେ । ସେମାନେ ପରୀକ୍ଷା କରୁଛନ୍ତି । ଯକ୍ଷ୍ମା ଔଷଧ ମଧ୍ୟ ସେମାନେ ବିତରଣ କରୁଛନ୍ତି । କୁଷ୍ଠ ରୋଗର ଚିହ୍ନଟ ସେମାନଙ୍କ ଦ୍ୱାରା କରାଯାଉଛି । ତେବେ ଏମାନେ କଣ କରୁଛନ୍ତି?
ଗାଁ ଗହଳରେ ଥିବା କୁଅ ପୋଖରି ଗୁଡିକର ପାଣିକୁ ବର୍ଷକୁ ଦୁଇଥର ବିଶୋଧନ କରାଯାଏ । ଏ କାମ ପୁରୁଷ ସ୍ୱାସ୍ଥ୍ୟକର୍ମୀ କରନ୍ତି । ଏହା ମାତ୍ର ବର୍ଷକୁ ଦୁଇଥର କରାଯାଏ । ଏବେ ଆଶାମାନେ ଗାଁର କୁଅ ପୋଖରିର ବିଶୋଧନ କରୁଛନ୍ତି ।
ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀର କାମ କଣ ଜାଣିବା ପାଇଁ ମୁଁ କଟକ, ଖୋରଧା ଜିଲ୍ଲାର ଅଧିକାଂଶ ଉପକେନ୍ଦ୍ର ବୁଲିଛି । ଏମାନେ କେବଳ ଟୀକାକରଣ ଦିନ ଏଏନ୍ଏମ୍କୁ ସହଯୋଗ କରନ୍ତି । ଗାଁରେ ଭିଏଚ୍ଏନ୍ଡି ମାଧ୍ୟମରେ ଦିଆଯାଉଥିବା ସେବା ଦିନ ଉପସ୍ଥିତ ରହନ୍ତି, କିନ୍ତୁ କିଛି କରିପାରନ୍ତି ନାହିଁ । କରଣ ମହିଳାମାନେ ଏମାନଙ୍କ ପାଖରେ ଚିକିତ୍ସିତ ହେବାକୁ ଚାହାନ୍ତି ନାହିଁ । ଅପରପକ୍ଷରେ ଦୁଇଜଣ ଏଏନ୍ଏମ୍ ନଥିବାରୁ ପ୍ରତିଦିନ ଯେଉଁ ଛଅଘଂଟା ଓପିଡି ହେବାକଥା, ତାହା ହୋଇପାରୁ ନାହିଁ । ଟାଇପ – ଏ ଉପକେନ୍ଦ୍ର ଏ ପର୍ଯ୍ୟନ୍ତ ଠିକ ଭାବେ ଚାଲୁ କରାଯାଇ ପାରିଲା ନାହିଁ ।
ଓଡିଶାରେ ପ୍ରାୟ ଆଠ ହଜାର ସ୍ୱାସ୍ଥ୍ୟ ଉୁପକେନ୍ଦ୍ର ରହିଛି । ଏହିସବୁ ଉପକେନ୍ଦ୍ରଗୁଡିକର ଅବସ୍ଥା ନକହିଲେ ଭଲ । ପାଂଚ ହଜାରରୁ ଅଧିକ ଉପକେନ୍ଦ୍ରର ନିଜସ୍ୱ ଘର ନାହିଁ । ଯେଉଁଠି ଉପକେନ୍ଦ୍ର ରହିଛି, ସେଠାରେ ରହିବା ଉପଯୋଗୀ ହୋଇନାହିଁ । ଗାଁଠାରୁ ବହୁଦୂରରେ ନିରୋଳା ଜାଗାରେ ହୋଇଥିବାରୁ ମହିଳା କର୍ମଚାରୀମାନେ ରାତିରେ ରହିବାକୁ ଡରୁଛନ୍ତି । କେନ୍ଦ୍ର ସରକାରଙ୍କ ନିଦେ୍ର୍ଦଶାବଳୀକୁ ଅନୁକରଣ କରି ଏହି ଉପକେନ୍ଦ୍ରଗୁଡିକ ତିଆରି କରାଯାଇନାହିଁ । ଉପକେନ୍ଦ୍ରରେ ଯେଉଁ ଔଷଧଗୁଡିକ ରହିବାକଥା ତାହାର କାଣିଚାଏ ମଧ୍ୟ ନାହିଁ । କେବଳ ଟୀକାକରଣ, ଗର୍ଭବତୀଙ୍କ ପରୀକ୍ଷା ଛଡା ଆଉ କିଛି ହୁଏ ନାହିଁ । ଉପକେନ୍ଦ୍ର ଗୁଡିକରେ ଆଉ କିଛି ହେଉ କି ନ ହେଉ ଟୀକାକରଣ କାମ କିନ୍ତୁ ଠାକ ଭାବେ ହେଉଛି । ଯେଉଁଥିପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ୟୁନିସେଫ ଭଳି ସଂସ୍ଥା ସ୍ୱାସ୍ଥ୍ୟ ବିଭାଗର କାମ କୁ ପ୍ରଶଂସା କରିଛନ୍ତି । କିନ୍ତୁ ଏତିକିରେ କଣ ଆମେ ଲକ୍ଷ୍ୟ ସ୍ଥଳରେ ପହଂଚିଗଲୁ କି? ଏସମ୍ପର୍କରେ ପୁଣି ଥରେ ଆଲୋଚନା କରିବା ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ଭୁବନେଶ୍ୱର,ମୋ-୯୪୩୯୬୫୨୩୨୨

Leave a Reply

Your email address will not be published.