କୁସଂସ୍କାର ଛଡା ଆଉ କଣ ହୋଇପାରେ

ସୁବାସ ଷଡଙ୍ଗୀ
କେତେବେଳେ ମୁସଲମାନ ବା ଦଳିତ ମାନଙ୍କ ଉପରେ ନାରକୀୟ ଅତ୍ୟାଚାର, ଆଉକେତେବେଳେ ଆଧାର କାର୍ଡ ନିଜସ୍ୱ ପରିସରର ଅଧିକାର ଲଂଘନ କରୁଛି କି ନାହିଁ ସେ ନେଇ ପ୍ରଶ୍ନ ଅଥବା ସମକାମିତାର ଅନୁମୋଦନ- ଏମତି ଅନେକ କଥା ନେଇ ଦେଶର ଜନମତ ଭାଗ ଭାଗ ହେବାକୁ ଆରମ୍ଭ କରିଛି । ଏହାକୁ ନେଇ ଭୟାନକ ସଂଘାତ ମଧ୍ୟ ଦେଖାଦେଇଛି । ତିନି ତଲାକ ବା ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଶ୍ନ ନେଇ ବିତର୍କ ଦେଖଦେଉଛି । ଏମିତି ଭାବେ ଭାଗ ହୋଇଯାଏ, ଆମ ଭିତରେ । ଆଉ ସୃଷ୍ଟି ହୁଏ ଏକରକମ ଗୃହଯୁଦ୍ଧ ।
ଶାବରିମାଳା ହେଲା ଏଇ କ୍ରମର ସବୁଠାରୁ ସଦ୍ୟତମ ଦୃଷ୍ଟାନ୍ତ । ଏ ନେଇ ଖବରକାଗଜ ବା ଗଣମାଧ୍ୟମରେ ଆଲୋଚନା ହେଉଛି । କିନ୍ତୁ ପ୍ରକୃତ ମୂଳ ବିଷୟଟି କଣ? ଗୋଟାଏ ପଟେ କିଛି ମହିଳା ଓ ପୁରୁଷ ପବିତ୍ର ମନ୍ଦିର ଭିତରେ ପ୍ରବେଶ କରିବା ପାଇଁ ପିତୃତନ୍ତ୍ର ବିରୋଧରେ ଲଢେଇ କରୁଛନ୍ତି, ସେତେବେଳେ ଆଉ କିଛି ମହିଳା ଓ ପୁରୁଷ ସେଇ ଅଧିକାରର ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି । ସର୍ବୋଚ ଅଦାଲତ ମନ୍ଦିର ମଧ୍ୟରେ ପ୍ରବେଶକୁ ସ୍ୱୀକୃତି ଦେଇଛି । ସବୁଠାରୁ ବଡ କଥା ହେଲା, ମହିଳାଙ୍କ କ୍ଷମତା, ସାକ୍ଷରତା ଏବଂ ଅନ୍ୟାନ୍ୟ ନାନା ବିଷୟରେ କେରଳ ହେଲା ଦେଶର ସବୁଠାରୁ ପ୍ରଗତିଶୀଳ ରାଜ୍ୟ । ରାଜନୈତିକ ଦଳଗୁଡିକ ଏହା ଭିତରକୁ ପଶି ଆସି ପାଣିକୁ ଗୋଳିଆ କରିବାରେ ଲାଗିଛନ୍ତି ।
ପ୍ରସଙ୍ଗତଃ ଶାବରିମାଳା ବା ଶାବରିମାଲା ହେଲା ପାହାଡର ନାମ, କୌଣସି ଦେବତାଙ୍କର ନାମ ନୁହେଁ । ଦେବତା ହେଲେ ଶାସ୍ତା ଆୟାପ୍ପନ । ନାମର ଦୁଇଟି ଅଂଶ ହେଉଛି ଗରୁତ୍ୱପୂର୍ଣ୍ଣ । ଧର୍ମ- ଶାସ୍ତା ହେଲା ମାଲାୟାଲାମରେ ବୁ୍ଦ୍ଧଙ୍କର ଏକ ନାମ । ଗୋଟାଏ ଧାରଣା ବହୁ ପ୍ରଚଳିତ ଯେ ଏଠାରେ ଆଦି ଦେବତା ଥିଲେ ବୁଦ୍ଧ । ଏବେବି ବାଟ ସାରା ତୀର୍ଥଯାତ୍ରୀମାନେ ‘ଶରଣମ’ କହି କହି ଯାଆନ୍ତି । ଅନ୍ୟନାମଟି ଆୟପ୍ପନ ଆସିଛି ସୁପ୍ରାଚୀନ ଦ୍ରାବିଡ ଇଶ୍ୱର ‘ଆଇ’ ରୁ । ଆୟାନର ହେଉଛନ୍ତି ତାମିଲ ଲୋକଦେବତା । ହୁଷ୍ଟପୁଷ୍ଟ ଚେହେରା ସାଙ୍ଗକୁ ମୁହଁରେ ଦାଢି । ପ୍ରତ୍ୟେକ ଗାଁର ମୁଣ୍ଡରେ ସେ ଘୋଡା ଚଢି ଦ୍ୱାରରକ୍ଷୀ ଭାବେ ବିରାଜିତ ଥାଆନ୍ତି । ହାତରେ ତାଙ୍କର ଖୋଲା ତରଓ୍ôାଲ । ଏଇ ଦେବତା ଏତେ ପୁରୁଣା ଯେ ଅଠରଗୋଟି ମହାପୁରାଣରେ ତାଙ୍କ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ । ତେବେ ଭୁତନାଥ ଉପାଖ୍ୟାନମ ନାମକ ଏକ ଉପପୁରାଣରେ ତାଙ୍କ ମହାତ୍ମ୍ୟ ଉଲ୍ଲେଖ ରହିଛି । ଅନେକ କହନ୍ତି ଏହା ହେଉଛି ବ୍ରାହ୍ମଣ ତନ୍ତ୍ର ର ବିଜୟ । ବିଶେଷକରି ନାମ୍ବୃଦି ବ୍ରାହ୍ମଣମାନଙ୍କର ପରାକାଷ୍ଠା ବୃଦ୍ଧି । ଏମାନେ ଅଠର ଶତକରେ କେରଳ ଆସିଥିଲେ । ସେଠାକାର ଭାଷା,ସଂସ୍କୃତିରୁ ଆରମ୍ଭ କରି ମନ୍ଦିର ଓ ଆରାଧନା ସବୁକିଛିରେ ତାଙ୍କ ଛାପ ଛାଡିବାକୁ ପ୍ରୟାସ କରିଥିଲେ । ଶାବରିମାଳାର ଶାସ୍ତାଙ୍କୁ ଏଇ ଉଦେ୍ଦଶ୍ୟରେ ‘ଆଇ’ ମାଧ୍ୟମରେ ଆୟପ୍ପାନ ରେ ପରିଣତ କରାଗଲା ।ଆୟପନ ହେଲେ ପାଣ୍ଡା ରାଜତ୍ୱର ଏକ ଅକୁତୋଭୟ ରାଜକୁମାର । ଶିବଙ୍କ ସହିତ ମୋହିନି ମୁର୍ତିଧାରି ବିିଷ୍ନୁଙ୍କ ମିଳନରେ ତାଙ୍କର ଜନ୍ମ । ଏଠାରେ ଉଲ୍ଲେଖ କରାଯାଇପାରେ କେରଳର ମୋହିନିଅଟମ ନୃତ୍ୟ କଥା । ଏବେ ଏହା ଜାତୀୟ ନୃତ୍ୟ ଭାବେ ସ୍ୱୀକୃତ । ଆୟପନ୍ନ ମହିଷାସୁରି ନାମକ ମହିଷା ରୂପିଣି ଦେବୀଙ୍କୁ ପରାଜିତ କରିଥିଲେ । ଦସ୍ୟୁରାଜ ଉଦୟନମ ମଧ୍ୟ ତାଙ୍କଠାରୁ ପରାଜିତ ହୋଇଥିଲେ । ଏହାପରେ ଶାବରିମାଳା ମନ୍ଦିରରକୁ ନିଜର ସୈନ୍ୟ ସହ ବିଜୟ ଅଭିଯାନ କରିଥିଲେ । ସେଠାରେ ଅଠରଟି ସୋପାନ ଅତିକ୍ରମ କରିଥିଲେ । କିନ୍ତୁ ବିଗ୍ରହଙ୍କ ପାଖକୁ ଆସିବା ମାତ୍ରେ ସେ ଅଲୌକିକଭାବେ ଦେବତା ଶାସ୍ତାଙ୍କ ଦେହରେ ଳିନ ହୋଇଯାଆନ୍ତି । ଏହିପରିଭାବେ ଏକ ଜନପ୍ରିୟ ଲୋକଦେବତାଙ୍କ ପରିଚିତି ହୁଏ ।
ପ୍ରତିବର୍ଷ କେରଳର ବିଭିନ୍ନ ଅଂଚଳରୁ ହଜାର ହଜାର ଭକ୍ତ ଜାତି ଓ ଶ୍ରେଣୀ ନିର୍ବିଶେଷରେ ଶବରିମାଳା ପର୍ବତା ପାଦଦେଶରେ ସମବେତ ହୋଇ ଦୁର୍ଗମ ପଥ ଦେଇ ମନ୍ଦିରକୁ ଯାତ୍ରା କରନ୍ତି । ବର୍ଷର ଖୁବ ସମୟ ମନ୍ଦିର ଖୋଲାଥାଏ । ପେରିଆର ରିଜର୍ଭ ଜଙ୍ଗଲ ଦେଇ ଯିବାକୁ ହୁଏ । ଏଇ ତୀର୍ଥ ଯାତ୍ରାରେ ଉଭୟ ମୁସଲମାନ ଓ ଖ୍ରିଷ୍ଟାନ ଧର୍ମର ଭକ୍ତମାନେ ସାମିଲ ହୋଇଥାନ୍ତି ।
ଏ ଯାବତ ପଚାଶ ବର୍ଷରୁ ଅଧିକ ବୟସର ମହିାମାନେ ମନ୍ଦିର ଭିତରକୁ ଯାଇପାରୁଥିଲେ । ପନ୍ଦରରୁ ପଚାଶବର୍ଷର ମହିଳାମାନେ ମନ୍ଦିର ଭିତରକୁ ଯାଇପାରନ୍ତି ନାହିଁ । ଏମାନଙ୍କୁ ରୁତୁସ୍ରାବର ନାରୀଭାବେ ଗଣନା କରାଯାଏ । ତୀର୍ଥଯାତ୍ରୀମାନଙ୍କୁ କିଛି କଠୋର ନିୟମ ମାନିବାକୁ ପଡିଥାଏ । ଯେପରି ପୁରା ୪୧ ଦିନ ଆମିଷ ଖାଦ୍ୟ ଖାଇବ ନାହିଁ । ମଦ୍ୟପାନ କରିବ ନାହିି । ଏମିତି ଅନେକ ନୀତି ନିୟମ ପାଳନ କରିବାକୁ ହୋଇଥାଏ । ଏପରିକି ସହବାସ କରିବା ମନା ।
ଗତ ସେପ୍ଟେମ୍ବର ୨୮ ତାରିଖରେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଏକ ୫ ଜଣିଆ ଡିଭିଜନ ବେଂଚ ଏଇ ମାମଲାର ବିଚାର କରି ରାୟ ଦେଇଛନ୍ତି । ଏଥିରେ କୁହାଯାଇଛି ଶାବରିମାଳାର ଆୟପନ ମନ୍ଦିରରେ ୧୦-୫୦ ବର୍ଷର ମହିଳାଙ୍କ ପ୍ରବେଶକୁ ମନା କରାଯାଇ ପାରିବ ନାହିଁ । ଏହାଦ୍ୱାରା ସମ୍ବିଧାନର ୨୫ ଅନୁଛେଦରେ ପ୍ରଦତ ମୌଳିକ ଅଧିକାର ଲଂଘିତ ହେବ । ଏଇ ବେଂଚର ଏକମାତ୍ର ମହିଳା ବିଚାରପତି ଇନ୍ଦୁ ମାଲହୋତ୍ର ସଂଖ୍ୟାଗରିଷ୍ଠତା ମତକୁ ବିରୋଧ କରିଥିଲେ । ରାୟ ଜନସାଧାରଣଙ୍କ ସମର୍ଥନ ହାସଲ କରିଥିଲା । କିନ୍ତୁ ଗୁରୁସ୍ୱାମୀ ନାମରେ ପରିଚିତ ଶାବରିମାଳାର ପ୍ରଧାନ ପୁରୋହିତ ଏହାକୁ ବିରୋଧ କରିଥିଲେ । ସେମାନଙ୍କର ଯୁକ୍ତି ହେଲା ଏହାଦ୍ୱାରା ଐତିହ୍ୟ ଲଂଘନ ହେବ । ଅନେକ ମଧ୍ୟ ଏହାକୁ ସମର୍ଥନ କଲେ । ସେମାନଙ୍କର ଯୁକ୍ତି ହେଉଛି, ଆୟପନ ହେଉଛନ୍ତି ନୈଷ୍ଠିକ ବ୍ରହ୍ମଚାରୀ, ଏଣୁ ରୁତୁବତୀ ନାରୀ ମନ୍ଦିରରେ ପ୍ରବେଶ କଲେ ମନ୍ଦିରର ପବିତ୍ରତା ନଷ୍ଟ ହେବ । ଯୁକ୍ତି କରାଯାଉଛି, ଏଇ ପ୍ରଥା ଆବହମାନ କାଳରୁ ପ୍ରଚଳିତ ଅଛି । ୧୯୪୦ ମସିହା ପର୍ଯ୍ୟନ୍ତ ମନ୍ଦିର ଭିତରକୁ ସମସ୍ତେ ଯାଇପାରୁଥିଲେ । ୧୯୫୦ ମସିହାରେ ମନ୍ଦିରରେ ନିଆଁ ଲାଗିଗଲା । ଏହାପରଠାରୁ ବିଭିନ୍ନ କୁସଂସ୍କାରର ଆରମ୍ଭ । ଜଣାଯାଏ, ୧୯୬୫ ମସିହାରେ କେରଳରେ ହିନ୍ଦୁ ଆରାଧନାସ୍ଥଳ ପ୍ରବେଶ ଅନୁମୋଦନ ସଂକା୍ରନ୍ତୀୟ ଏକ ଆଇନ ପାସ ହେଲା । ଏହାପରେ ଖୁବ କମ ସଂଖ୍ୟକ ହେଲେ ବି ତା ଭିତରକୁ ମହିଳାମାନେ ଯାଉଥିଲେ । ୧୯୮୩ ମସିହା ପରେ ସମସ୍ୟା ଦେଖାଦେଲା । ସେଇ ବର୍ଷ ଏଇ ଇଲାକାରେ ଖ୍ୟୀଷ୍ଟିଆନମାନେ ପଥରରେ ଏକ ‘କୃଶ’ ଆବିଷ୍କାର କଲେ ଏବଂ ଏହାପରେ ସେଇ ମନ୍ଦିର ପାଖରେ ଏକ ଗୀର୍ଜା ତିଆରି କଲେ । ମନ୍ଦିରର ପୁରେହିତମାନଙ୍କ ନେତୃତ୍ୱରେ ଏହାର ବିରୋଧ ହେଲା, ସଂଘର୍ଷ ମଧ୍ୟ ହେଲା । ୧୯୯୧ ମସିହାରେ କେରଳ ହାଇକୋର୍ଟ ନିଦେ୍ର୍ଦଶ ଦେଲେଯେ ୧୫-୫୦ ବର୍ଷର ମହିଳାମାନେ ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ । ଏହାପରେ ସୁପ୍ରିମକୋର୍ଟରେ ଅପିଲ । ଦୀର୍ଘ ୨୮ ବର୍ଷ ପରେ ସୁପ୍ରିମ କୋର୍ଟ ତାଙ୍କର ରାୟ ଦେଲେ । ଏମିତିଭାବେ ସେଠାରେ ଏବେ ଅଧିକ ଗଣ୍ଡଗୋଳ ପରିସ୍ଥିତି ଦେଖାଦେଇଛି । ରାଜନୈତିକ ନେତାମାନେ ଏଥିରୁ ଫାଇଦା ନେବାକୁ ଚାହାନ୍ତି ।
ଏଠାରେ ଗୋଟାଏ କଥା କହି ରଖିବା ଦରକାର । ରୁତୁସ୍ରାବ ହେଲା ମହିଳାମାନଙ୍କ ସୃଷ୍ଟିଶକ୍ତିର ପ୍ରତୀକ । ଏହି ପ୍ରତୀକର ବନ୍ଦନା କରିବା ପରିବର୍ତେ ପିତୃତନ୍ତ୍ର ଏହାକୁ ବିରୋଧ କରିବା ଦୁର୍ଭାଗ୍ୟଜନକ ।
ମୋ- ୯୪୩୯୬୫୨୩୨୨

Leave a Reply

Your email address will not be published.