ସ୍ତ୍ରୀ ସାଜିଲା ସ୍ୱାମୀ ହତ୍ୟାକାରୀ!
ମହାକାଳପଡା, (ଓଏନ୍ଏସ୍): ଜଣେ ଯୁବକକୁ ତା’ର ପତ୍ନୀ ହତ୍ୟା କରିଥବା ନେଇ ଟାଉନ୍ ଥାନାରେ ମାମଲା ହୋଇଛି । ସଦର ଥାନା ଅଧିନସ୍ଥ ପୁରୁଷୋତମ ପଂଚାୟତ ଅନ୍ତର୍ଗତ ଏରା ଗ୍ରାମର ଶଙ୍କର୍ଷଣ ପରିଡାଙ୍କ ପୁଅ ତ୍ରିଲୋଚନ ପରିଡାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସାନଭାଇ ଚିତରଞ୍ଜନ ପରିଡା(୩୪)ଙ୍କୁ ହତ୍ୟା କରାଯାଇଛି । ମିଳିଥିବା ସୂଚନାନୁଯାୟୀ ଟାଉନ୍ ଥାନା ଅନ୍ତର୍ଗତ ମନକରପୁରର ହରେକୃଷ୍ଣ ସ୍ୱାଇଁଙ୍କ ଝିଅ ମୋନାଲିସା ସ୍ୱାଇଁ ଓରଫ ମାମାଙ୍କୁ ଗତ ୨୦୧୬ ମସିହା ଜୁଲାଇ ମାସରେ ବିବାହ କରିଥିଲେ । ବିବାହ ପରେ ଉଭୟ ପତିପତ୍ନୀ ଟାଉନ୍ ଥାନା ଅନ୍ତର୍ଗତ ଏକଣାଖଣ୍ଡୀ ଗାମର ବାଦଲ ମିସ୍ତ୍ରୀଙ୍କ ଘରେ ଭଡାରେ ରହିଆସୁଥିଲେ । ହେଲେ ଗତ କିଛିମାସ ପୂର୍ବେ କୌଣସି କାରଣ ବଶତ ଚିତରଞ୍ଜନଙ୍କ ସହିତ ତାଙ୍କ ଶ୍ୱଶୁରଘରର ମନମାଳିନ୍ୟ ହେଲା, ତେବେ ବାପଘରକୁ ସମର୍ଥନ ଜଣାଇ ପତ୍ନୀ ମାମା ବାରମ୍ବାର ସ୍ୱାମୀଙ୍କ ସହ ଝଗଡା କରିଆସୁଥିଲେ । ତେବେ ତ୍ରିଲୋଚନ ହଠାତ୍ ଫୋନ୍ କଲ୍ ପାଇ ଉକ୍ତ ଭଡାଘରେ ପହଂଚି ଦେଖନ୍ତି ଯେ- ସାନଭାଈ ଚିତର ମୁଣ୍ଡ, ନାକ ଓ କାନରୁ ରକ୍ତ ବାହାରିବା ସହ ବେକରେ ଦଉଡି ବନ୍ଧା ହୋଇ ତଳେ ପଡିଛି । ତତସହିତ ଉକ୍ତ ଭଡାଘର ତଥା କାନ୍ଥକୁ ପାଣି ପକାଇ ସଫା କରାଯାଇଛି ଏବଂ ଚିତକୁ ତା’ର ପତ୍ନୀ ବା ଶ୍ୱଶୁର ଘର ଲୋକେ ହତ୍ୟା କରିଛନ୍ତି ବୋଲି ତ୍ରିଲୋଚନ ଦର୍ଶାଇଛନ୍ତି । ତେବେ ଏହାକୁ ଭିତିକରି ଟାଉନ୍ ଥାନା ଅଧିକାରୀ କେସ୍ ନଂ-୧୬୮/୧୮ରେ ଏକ ହତ୍ୟା ମାମଲା ରୁଜୁକରିବା ସହ ଶବ ବ୍ୟବଛେଦ କରାଇ ଘଟଣାର ତଦନ୍ତ ଚଳାଇଛନ୍ତି ।