ପ୍ରାଥମିକ ସ୍ୱାସ୍ଥ୍ୟସେବା ଚାଲିଛି କିପରି?

କିଛିମାସ ତଳେ ସିଡିଏମ୍ଓ ମାନଙ୍କର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟରେ କିପରି ପ୍ରାଥମିକ ସ୍ୱାସ୍ଥ୍ୟସେବା ଚାଲିଛି ତାହାର ଏକ ବିସ୍ତୃତ ଆଲୋଚନା ହୋଇଥିଲା । ଯାହା ଜଣା ପଡିଛି, ରାଜ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟସେବାର ହାଲ୍ ବହୁତ ଖରାପ । ମା ଓ ଶିଶୁର ମୃତ୍ୟୁହାର ଯଦିଓ କମିଛି, କିନ୍ତୁ ଲୋକମାନଙ୍କୁ ଯେପରି ମୌଳିକ ସେବା ଯୋଗାଇ ଦିଆଯିବା କଥା ତାହା ଦିଆଯାଇ ପାରୁନାହିଁ । ଅଥଚ ସରକାରଙ୍କ ପକ୍ଷରୁ ତୃଣମୂଳ ସ୍ୱାସ୍ଥ୍ୟସେବା ପାଇଁ ପ୍ରଚୁର ଟଙ୍କା ଖର୍ଚ କରାଯାଉଛି ।
ସରକାର ତୃଣମୁଳ ସ୍ୱାସ୍ଥ୍ୟସେବା ପାଇଁ ଯେଉଁ ଯୋଜନା କରିଛନ୍ତି, ସେଥିରେ ପ୍ରତି ପାଂଚ ହଜାର ଲୋକଙ୍କ ପାଇଁ ଜଣେ ବହୁମୁଖି ମହିଳା ସ୍ୱାସ୍ଥ୍ୟକର୍ମୀ ଏବଂ ଜଣେ ପୁରୁଷ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତ କରିଛନ୍ତି । ଏମାନଙ୍କ କାମ ହେଲା ଗାଁ ଗହଳରେ ଥିବା ଲୋକମାନଙ୍କୁ ମୌଳିକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କଥା । ପ୍ରକୃତରେ କ’ଣ ଏମାନେ ସେଇ ସେବା ଯୋଗାଇ ଦେଇ ପାରୁଛନ୍ତି? ସରକାରି ରିପୋର୍ଟ କହୁଛି ଆମ ରାଜ୍ୟରେ ମାତୃ ମୃତ୍ୟହାର ଆଶାତୀତ ଭାବେ କମିଛି । ଆଗରୁ ଆମ ରାଜ୍ୟରେ ତାହା ସର୍ବଭାରତୀୟ ସ୍ତର ଠାରୁ ଅଧିକ ଥିଲା । ତେବେ ଏଥିପାଇଁ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ସେବା ନୁହେଁ, ବରଂ ଆଶାକର୍ମୀଙ୍କ ସାହାଯ୍ୟ ସହଯୋଗ ଅଧିକ କାମ କରୁଛି ବୋଲି ସରକାର କହୁଛନ୍ତି । ସରକାରୀ ରିପୋର୍ଟକୁ ଯଦି ତର୍ଜମା କରାଯାଏ, ତେବେ ଗୋଟାଏ କଥା ସ୍ପଷ୍ଟ ହୋଇଯିବ ଯେ, ଆଶା କର୍ମୀମାନେ କାମ କରିବା ଯୋଗୁ ମାତୃମୁତୁ୍ୟ ହାର କମିଲା, ମହିଳା କର୍ମୀଙ୍କ ସେବା ଯୋଗୁ ନୁହେଁ । ପ୍ରକୃତରେ ଆଶାମାନଙ୍କ କାମ ହେଲା ପ୍ରସୁତୀମାନଙ୍କୁ ହସପିଟାଲକୁ ନେବା । ଆଶାମାନଙ୍କ ମଧ୍ୟରୁ ଶତକଡା ନବେଭାଗ ହେଉଛନ୍ତି ନିରକ୍ଷର । ଏଣୁ ଏମାନଙ୍କ ଠାରୁ ଚିକିତ୍ସା ସହାୟତା ଆଶା କରିବା ବୃଥା । ମାତ୍ର ସରକାରଙ୍କ ପକ୍ଷରୁ ଯେଉଁ କାଗଜପତ୍ର ଦିଆ ଯାଇଛି, ସେଥିରେ କୁହାଯାଇଛି, ଆଶାମାନେ ଏଇସବୁ କାମ କରିବେ । କିନ୍ତୁ ଦେଖାଯାଉଛି ପ୍ରକୃତରେ ଏଇ କାମ ଅଙ୍ଗନବାଡି କର୍ମୀ ବା ଏଏନଏମ ଦିଦି କରୁଛନ୍ତି, ହେଲେ ଶ୍ରେୟ ଦିଆ ଯାଉଛି ଆଶାମାନଙ୍କୁ ।
ଗାଁ ଗହଳରେ କାମ କରୁଥିବା ଏଏନ୍ଏମ ବା ମହିଳା ସ୍ୱାସ୍ଥ୍ୟକର୍ମୀମାନେ ଗର୍ଭବତୀ ମହିଳା ବା ପ୍ରସୁତୀମାନଙ୍କର ଯତ୍ନ ନେଇଥାନ୍ତି । ଯାହାଫଳରେ ସେମାନଙ୍କର ଡେଲିଭରି ସହଜ ହୋଇଥାଏ । କେବଳ ସେମାନଙ୍କର ସୁସ୍ଥତା ଖବର ଆଶାମାନେ ଏଏନ୍ଏମ୍ ମାନଙ୍କ ପାଖରେ ପହଂଚାଇଥାନ୍ତି ଆଶାମାନେ । ସେଇପରି ଆଉ ଏକ କାମ ହେଲା, ପିଲାମାନଙ୍କୁ ଟୀକାକରଣ କରିବା । ପିଲାଙ୍କୁ ସୁସ୍ଥ ରଖିବା ପାଇଁ ହେଲେ ପିଲାଙ୍କୁ ଟୀକାକରଣ କରାଯିବା ଦରକାର । ଗାଁ ଗହଳର ଶିଶୁଙ୍କୁ ସେମାନଙ୍କ ବାପା ମା’ ମାନେ ବିଭିନ୍ନ କାଣରୁ ଟୀକାକରଣ କେନ୍ଦ୍ରକୁ ଆଣି ନଥାନ୍ତି । ଆଶାମାନଙ୍କୁ ଏଇ କାମରେ ନିୟୋଜିତ କରାଯାଇଛି, ଯେପରି ସେମାନେ ପ୍ରତି ଘରୁ ପିଲାଙ୍କୁ ଡାକି ଆଣି ପାରିବେ । ଯଦ୍ୱାରା ଟୀକାକରଣର ହାର ବହୁତ ବଢିଯାଇଛି, ତଦନୁପାତରେ ଶିଶୁମୃତୁ୍ୟହାର କମିଛି । ମୋଟାମୋଟି ଭାବେ ଦେଖିବାକୁ ଗଲେ ଆଶାମାନେ ସେଇ ଗାଁର ହୋଇ ଥିବାରୁ ଗର୍ଭବତୀ ହେବା ଦିନଠାରୁ ପିଲା ଜନ୍ମ ହୋଇ ସ୍କୁଲ ଯିବା ପର୍ଯ୍ୟନ୍ତ, ତା ଉପରେ ନିଘା ରଖିଥାଏ ଆଶା ଦିଦି । ମୋଟାମୋଟି ଭାବେ କହିବାକୁ ଗଲେ ଆଶା ଦିଦିମାନେ ଏଏନ୍ଏମ୍ ଦିଦଙ୍କ ସହକାରି ଭାବେ କାମ କରନ୍ତି । ଅଥଚ ସରକାର କହୁଛନ୍ତି କେବଳ ଆଶାମାନଙ୍କ ଯୋଗୁ ମାତୃ ମୃତ୍ୟୁହାର କମିଯାଇଛି । ଆଶାମାନଙ୍କ ଅଜ୍ଞାନତା ସଂପର୍କରେ ଗୋଟାଏ ଉଦାହରଣ ଦିଆଯାଇପାରେ, କଟକର ସିଟି ହସପିଟାଲରେ ଜଣେ ଟିବ ିରୋଗିକୁ ଏକ୍ସପାରି ଔଷଧ ଦିଆଯିବାରୁ ତାର ମୃତ୍ୟୁ ଘଟିଲା । କେବଳ ଆଶାଦିଦିଙ୍କ ଅଜ୍ଞାନତା ଯୋଗୁ ଭଲହେବା ପାଇଁ ଔଷଧ ଖାଉଥିବା ଜଣେ ରେଗୀର ମୃତ୍ୟୁ ଘଟିଲା ।
ବହୁବିଧ କାରଣରୁ ଗାଁ ଗହଳର ଗର୍ଭବତୀ ମହିଳା ମାନେ ନିକଟସ୍ଥ ହସ୍ପିଟାଲରେ ପହଂଚିପାରୁ ନଥିଲେ । ମୁଖ୍ୟ କାରଣ ହେଲା ରାସ୍ତାଘାଟର ଅବସ୍ଥା ଶୋଚନୀୟ । ପର୍ଯ୍ୟାପ୍ତ ପରିମାଣର ଆମ୍ବୁଲାନ୍ସ ନଥିବାରୁ ଗର୍ଭବତୀ ମହିାଳା ମାନେ ଠିକ ସମୟରେ ହସ୍ପିଟାଲରେ ପହଂଚି ପାରୁନଥିଲେ । ଏବେବି ଓଡିଶାର ଦୁର୍ଗମ ଅଂଚଳ ଗୁଡିକରେ ଆମ୍ବୁଲାନ୍ସ ଠିକ ସମୟରେ ପହଂଚି ପାରୁନଥିବାରୁ ଗର୍ଭବତୀ ମହିଳାମାନେ ହଇରାଣ ହେଉଛନ୍ତି । ଦୁର୍ଗମ ଅଂଚଳରେ ବାସ କରୁଥିବା ଗର୍ଭବତୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଗର୍ଭବତୀ ହେବାର ଚାରି ମାସରୁ ହସପିଟାଲରେ ରଖି ଚିକିତ୍ସା କରିବାର ବ୍ୟବସ୍ଥା କରାଯାଇ ପାରିଲେ ଏଭଳି ସମସ୍ୟାର ସମାଧାନ ହୋଇ ପାରିବ । ସରକାରଙ୍କ ପକ୍ଷରୁ ବିଭିନ୍ନ ସବସେଂଟର ଗୁଡିକୁ ଡେଲିଭରି ପଏଂଟ କରିବାକୁ ଯୋଜନା କରାଯାଉଛି । ଯଦି ଏହା ସଫଳ ହୁଏ, ତେବେ ଗର୍ଭବତୀ ମାନଙ୍କୁ ଆଉ ଦୂରରେ ଥିବା ହସପିଟାଲକୁ ଡେଲିଭରି ପାଇଁ ଯିବାକୁ ପଡିବ ନାହିଁ ।ଏହା ଏକ ଭଲ ପଦକ୍ଷେପ । ତେବେ ଏହାକୁ ଠିକ ଭାବେ କାର୍ଯ୍ୟକାରି କରିବା ପାଇଁ ନିଷ୍ଠା ଦରକାର ।
ଇଏତ ଗଲା ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ କଥା । ଗୋଟିଏ ସବସେଂଟରରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମଚାରୀଙ୍କ ସହିତ ଜଣେ ପୁରୁଷ ସ୍ୱାସ୍ଥ୍ୟ କର୍ମଚାରୀ ମଧ୍ୟ ଥାଆନ୍ତି ।ଏମାନଙ୍କ ପ୍ରକୃତ କାମ କଣ? ସରକାରୀ ଭାବେ କୁହାଯାଉଛି, ଉଭୟେ ସ୍ୱାସ୍ଥ୍ୟକର୍ମୀ ମିଳିତଭାବେ କାମ କରିବେ । କିନ୍ତୁ ଯାହା ଜଣାଯାଏ, ଏମାନେ ପରିମଳ ପରିଛନତା କଥା ବୁଝିଥାନ୍ତି । ମ୍ୟାଲେରିଆ ପ୍ରବଣ ଅଂଚଳ ଗୁଡିକରେ ଆଗରୁ ଏମାନଙ୍କୁ ନିଯୁକ୍ତି ଦିଆ ଯାଇଥିବାରୁ ଏମାନେ ରକ୍ତ ପରୀକ୍ଷା ସହିତ କୂଅ ପୋଖରୀର ପରିଛନ୍ନତା ଉପରେ ଦୃଷ୍ଟି ରଖିଥାନ୍ତି । ତେବେ ବ୍ଲଡ ସ୍ଲାଇଡ କଲେକ୍ସନ କରିବା ହେଉଛି ଏମାନଙ୍କର ଅନ୍ୟତମ କାମ ।
ବର୍ତମାନର ପରିସ୍ଥିତି ଯାହା, ତାହା ଏମାନଙ୍କ କାମକୁ ସଂକୁଚିତ କରିଦେଇଛି ବୋଲି ମନେହୁଏ । ଗାଁ ଗହଳିରେ ବରିଷ୍ଠ ନାଗରିକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଉତମ ସ୍ୱାସ୍ଥ୍ୟସେବା ଯୋଗୁଁ ଆଉ କମ୍ ବୟସରେ ଲୋକଙ୍କର ମୃତୁ୍ୟ ଘଟୁ ନାହିଁ । ବରିଷ୍ଠ ନାଗରିକଙ୍କ ଯତ୍ନ ଠିକ ଭାବେ ନିଆ ଯାଉନାହିଁ । କେବଳ ସହର ଗୁଡିକୁ ଛାଡିଦେଲେ ଗାଁ ଗହଳିରେ ସେମାନଙ୍କ କଥା ବୁଛିବାକୁ କେହି ନାହାଁନ୍ତି । ସେମାନଙ୍କର ଡାଇବେଟିଜ୍, ରକ୍ତଚାପ, ଆଣ୍ଠଗଣ୍ଠି ରୋଗର ନିରୁପଣ ଓ ଚିକିତ୍ସା ନିୟମିତ କରାଯାଇ ପାରିଲେ, ସେମାନେ ସୁସ୍ଥ ରହିପାରିବେ । ପୁରୁଷ ସ୍ୱାସ୍ଥ୍ୟକର୍ମୀ ମାନେ ପ୍ରତି ସପ୍ତାହରେ ଥରେ ଏମାନଙ୍କ ପାଖକୁ ଯାଇ ଏମାନଙ୍କର ପରୀକ୍ଷା କରିପାରିଲେ, ଏମାନେ ସୁସ୍ଥ ରହିପାରିବେ । କÿିନ୍ତୁ ସରକାର ଏପର୍ଯ୍ୟନ୍ତ ଏହାକୁ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ଅନ୍ତର୍ଭୁକ୍ତ କରି ନାହାନ୍ତି ।
ଯେପରି ଟିବି ରୋଗର ଚିକିତ୍ସା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି ଠିକ ସେଇପରି ବରିଷ୍ଠ ନାଗରିକଙ୍କ ସେବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯିବା ଦରକାର । ତା’ହେଲେ ଯାଇଁ ସରକାରଙ୍କ ପ୍ରାଥମିକ ସ୍ୱାସ୍ଥ୍ୟସେବାର ଆଭିମୁଖ୍ୟ ସଫଳ ହୋଇ ପାରିବ । କେବଳ ଗର୍ଭବତୀ ମହିଳା , କିଶୋରୀ ବା ଟିବି ରୋଗକୁ ନିୟନ୍ତ୍ରଣ କଲେ ଯେ ଆମେ ପୁରପୁରି ସୁଖୀ ହୋଇ ପାରିବୁ ଏହା ଭାବିବା ଭୁଲ ।
 ସୁବାସ ଷଡଂଗୀ, ମୋ-୯୪୩୯୬୫୨୩୨୨

Leave a Reply

Your email address will not be published.