କାହିଁକି ନିରାଶ କରାଯାଉଛି ଆମ ଅନ୍ନଦାତାଙ୍କୁ?

ସୁବାସ ଷଡଙ୍ଗୀ
ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଷି ଆନେ୍ଦାଳନର ଭୁବନେଶ୍ୱର ଚାଲ ଡାକରା ଦିଆଯାଇଥିଲା । ପ୍ରାଇସ, ପ୍ରେଷ୍ଟିଜ ଓ ପେନଶନ ଦାବିରେ ଚାଷିମାନେ ଭୁବନେଶ୍ୱର ଚାଳ ଡକରା ଦେଇଥିଲେ । ମୁଁ ବ୍ୟକ୍ତିଗତ ଭାବେ ଏଭଳି ଆନେ୍ଦାଳନକୁ ସମର୍ଥନ କରେ । କାରଣ ଆମ ରାଜ୍ୟରେ ଚାଷୀ ସବୁଠାରୁ ଅଧିକ ଅବହେଳିତ । ସେମାନଙ୍କୁ ସେମାନଙ୍କର ନାର୍ଯ୍ୟ ପ୍ରାପ୍ୟ ମିଳୁ ନାହିଁ । ତାର କାରଣ ହେଉଛି, ଭାରତ ବର୍ଷରେ ଚାଷିମାନେ ଏକାଠି ହୋଇ ଲଢି ପାରୁ ନାହାନ୍ତି । ନିକଟ ଅତୀତରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଲ୍ଲିରେ ଏକ ସମାବେଶର ଆୟୋଜନ କରାଯାଇଥିଲା । ଏଥିରେ ଆନ୍ନା ହଜାରେଙ୍କୁ ସଂଶ୍ଲିଷ୍ଟ କରାଯାଇଥିଲା । ସେତେବେଳେ ଅବଶ୍ୟ ସୌମ୍ୟ ରଂଜନ ପଟନାୟକ ଏହାର ଉପଦେଷ୍ଟା ଥିଲେ । ସେ ବିଜେଡି ରେ ଯୋଗଦେବା ପରେ ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ପଦବୀରୁ ଇସ୍ତଫା ଦେଇଛନ୍ତିକି ନାହିଁ ତାହା ମୁ ଜାଣେ ନାହିଁ । ମାତ୍ର ରବି ଦାସ ଅଛନ୍ତି । ସଂଗଠନର ଦୁଇ ମହାରଥି ଅକ୍ଷୟବାବୁ ଓ ଶେଷଦେବଙ୍କୁ ମୁଁ ବ୍ୟକ୍ତିଗତଭାବେ ଜାଣେ । ସେ ଦୁଇଜଣଙ୍କ ନିରବିଛନ୍ନ ଉଦ୍ୟମ ଏହି ସଂଗଠନକୁ ଏତେବାଟରେ ଆଣି ପହଂଚାଇଛି । ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର । ମାତ୍ର ଦୁଇଜଣ ପିଲା, ଗୋଟାଏ ସଂଗଠନ ତାହା ପୁଣି ଚାଷୀ ସଂଗଠନ, ତାହାକୁ ଏତେ ବାଟରେ ପହଂଚାଇବା କିଛି କମ କଥା ନୁହେଁ । ଜାତୀୟ ବା ଆଂଚଳିକ ଦଳର ସ୍ଲୋଗାନ ଦେଉଥିବା ରାଜନୈତିକ ଦଳ ଗୁଡିକ ଏଭଳି ସଂଗଠନ କରିବା କଷ୍ଟକର ପାଠ ।
ଏହି ସଂଗଠନ ଏବେ କେବଳ ଉପକୂଳ ଓଡିଶାରେ ତାର କାୟା ବିସ୍ତାର କରିଛି । କେତେଦିନର ବା ସଂଗଠନ! ତା ଭିତରେ ସେମାନେ ଅନେକ ବାଟ ଆଗେଇ ଯାଇଛନ୍ତି ।
ଏଥରକ ଏକ ନୂଆ କଥା ଦେଖାଦେଲା । ଉପଦେଷ୍ଟା ସୌମ୍ୟରଂଜନ ବାବୁ ଆସିନଥିଲେ । କେବଳ ରବିବାବୁଙ୍କୁ ଆନେ୍ଦାଳନରେ ଦେଖିବାକୁ ମିଲିଲା । ସୌମ୍ୟ ବାବୁ ଥିଲେ ବୋଲି କୌଣସି ରାଜନୈତିକ ଦଳ ଏଥିରେ ନିଜକୁ ସାମିଲ କରୁନଥିଲେ । ତାଙ୍କ ପରେ ଏବେ ବିଜେପି, କଂଗ୍ରେସ ଏମିତିକି ବାବୁ ବୈଜୟନ୍ତ ପଣ୍ଡା ମଧ୍ୟ ଏହି ସମାବେଶରେ ଯୋଗଦେଇ ଚାଷୀଙ୍କ ଦାବିକୁ ସମର୍ଥନ ଜଣାଇଲେ । ମୋ ମତରେ ଏଥରେ ନୂତନତ୍ୱ କିଛି ନାହିଁ । କାରଣ ବିରୋଧୀ ଦଳର ବା ନେତାଙ୍କର ଏକମାତ୍ର କାମ ହେଲା, ସରକାରଙ୍କୁ କିପରି ଅଡୁଆରେ ପକାଇବା । ଏହା ପୂର୍ବରୁ ଶିକ୍ଷକ ଆନେ୍ଦାଳନରେ ବିଜେପିର ନେତାମାନେ ଯୋଗଦେଇ ଶିକ୍ଷକଙ୍କ ଦାବି ଯୁକ୍ତିଯୁକ୍ତ ବୋଲି କହିଥିଲେ । ଅଙ୍ଗନବାଡିକର୍ମୀଙ୍କ ଆନେ୍ଦାଳନକୁ ମଧ୍ୟ ବିଜେପି ପୁରାମାତ୍ରାରେ ସମର୍ଥନ କରିଥିଲା, ଯାହାଶୁଣିବାକୁ ମିଳେ, ଅଙ୍ଗନବାଡ଼ି କର୍ମୀଙ୍କୁ ଭୁଆଁ ବୁଲାଇ ସରକାରଙ୍କ ବିରୋଧରେ ଠିଆ କରାଇଥିଲା । କିଛିଦନ ପରେ ଦେଖାଗଲା, ଯେଉଁମାନେ ନବୀନବାବୁଙ୍କ ବିରୋଧରେ ନାରା ଦେଉଥିଲେ, ସେମାନେ ମୋଦିଙ୍କ ବିରୋଧରେ ନାରା ଦେଇ ଆନେ୍ଦାଳନରୁ ଓହରି ଗଲେ ।
ଗୋଟାଏ କଥା ଆମେ ଜାଣିବା ଦରକାର ଯେ କୌଣସି ଆନେ୍ଦାଳନରେ ଯଦି ରାଜନୀତି ପଶିଲା, ତେବେ ସେଇ ଆନେ୍ଦାଳନ ଭଣ୍ଡୁର ହେବା ନିଶ୍ଚିତ । ସେ ଦୃଷ୍ଟିରୁ ଚାଷି ଆନେ୍ଦାଳନ ନିରପେକ୍ଷ ଭାବେ କାମ କରୁଥିଲା । ଲୋକେ ମଧ୍ୟ ବିଶ୍ୱାସ କରୁଥିଲେ । ଏଥରକ କିନ୍ତୁ ପୁରା ରାଜନୀତି ପଶିଗଲା । କଂଗ୍ରେସର ଓଡିଶା ସଭାପତି ସିଧା ଯାଇ ଚାଷି ଶିବିରରେ ରାତି କଟାଇଲେ । ଅଥଚ କେନ୍ଦ୍ରରେ ୟୁପିଏ ସରକାର ଥିଲା ବେଳେ ଚାଷିଙ୍କ ପାଇଁ କିଛି କରି ନାହାନ୍ତି । ବିଜେପି କେନ୍ଦ୍ରରେ କ୍ଷମତାରେ ଅଛି । ନିକଟରେ ଦିଲ୍ଲିରେ ଚାଷିମାନେ ପ୍ରବେଶ କଲା ସମୟରେ ସରକାରଙ୍କ ପକ୍ଷରୁ ପାଣି ମାଡ କରି ଘଉଡାଇ ଦିଆଗଲା । ସେମାନଙ୍କର ଦାବି ପୂରଣ କଲା ନାହିଁ । ଅଥଚ ଓଡିଶାରେ ନବନିର୍ମାଣ କୃଷକ ସଂଗଠନର ଦାବି ଯୁକ୍ତଯୁକ୍ତ ବୋଲି ସେମାନେ ଯୁକ୍ତି ବାଢୁଛନ୍ତି । ଇତି ମଧରେ, ବିଜେପି କହିଛି, ଯଦି ସେମାନେ କ୍ଷମତାକୁ ଆସନ୍ତି, ତେମେ ରୁଣ ଛାଡ କରାଯିବ । ଏଭଳି କଥା ଶୁଣିଲେ ମନେ ପଡିଯାଏ, ନିକଟରେ ଜଣେ ନେତା କହିଥିଲେ, ନିର୍ବାଚନ ବେଳେ ଅନେକ ପ୍ରତିଶୃତି ଦିଆଯାଏ । ସବୁ ପୂରଣ କରାଯାଏ ନାହିଁ । ଇଏ ସେଭଳି ଏକ ପ୍ରତିଶୃତି ନୁହେଁ ତ! କେତେ ଟଙ୍କା ପର୍ଯନ୍ତ ଲୋନ ଛାଡ କରାଯିବ ତାହାର କିଛି ସ୍ପଷ୍ଟ କଥା ନାହିଁ । ବିଜେପି ଭାଷାରେ ଏହା ହେଉଛି ଜୁମଲା । ବିଜେପି ବାଲା, ଚାଷିଙ୍କ ପେନଶନ ଦେବାକୁ ଚାହାନ୍ତି କି? ଯଦି ଚାହାଁନ୍ତି ,ତେବେ କେତେ ପେନସନ ଦେବେ ତାହା ପ୍ରକାଶ କରନ୍ତୁ । କେବଳ ନିଜର ରାଜନୈତିକ ଫାଇଦା ପାଇଁ ମଂଚରେ ଠିଆ ହୋଇ ଭାଷଣ ଦେଇଦେଲେ, ନିଜର ସିନା ଫାଇଦା ହେବ, ହେଲେ ଚାଷିଙ୍କର କଣ ଲାଭ ହେବ? କେନ୍ଦ୍ର ସରକାର ପ୍ରାଇସ ବଢାଇଲେ, ରାଜ୍ୟ ସରକାର ବଢାଇବେ ବୋଲି ବିଜେଡି କହୁଛି । ଯଦି କେନ୍ଦ୍ର ସରକାର ପେନଶନ ଦେବେ, ତେବେ ରାଜ୍ୟ ସରକାର ମଧ୍ୟ ଦେବେ । କଂଗ୍ରେସ କିଛି ଦେଲା ନାହିଁ । ବିଜେଡି କିଛି ଦେବାକୁ ଚାହେଁ ନାହିଁ । ଆଉ ବୈଜୟନ୍ତ! ସେ ତ ଏବେ କୋଉ କୂଳର ନୁହଁନ୍ତି । ବରଂ ନିଜର ପ୍ରତିଷ୍ଠା ବଢାଇବା ପାଇଁ ସେ ବିଭିନ୍ନ ଫୋରମ ବ୍ୟବହାର କରୁଛନ୍ତି ।
ବିଜେଡି ଚାଷୀଙ୍କ ଦାବି ବିଚାର ପାଇଁ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛନ୍ତି । ଏହା କେବଳ ଆନେ୍ଦାଳନକୁ କିଛିଦିନ ଗଡେଇ ଦେବା ପାଇଁ । କିନ୍ତୁ କେନ୍ଦ୍ର ସରକାରଙ୍କର ଏ ଦିଗରେ ଏକ ବଡ ଭୂମିକା । କିନ୍ତୁ ସେମାନେ ଜୁମଲା ଦେଖାଇବାରେ ବ୍ୟସ୍ତ । ଚାଷୀମାନେ କଣ କରିବେ? ଏମାନଙ୍କ ସହ ସାମିଲ ହେବା ପୂର୍ବରୁ ଏମାନଙ୍କ ଅତୀତ କାର୍ଯ୍ୟକଳାପ ଜାଣିବା ଦରକାର । କେବଳ ଖବରକାଗଜରେ ବାହାରିବା ପାଇଁ, ଆନେ୍ଦାଳନ ହେବା ଉଚିତ ନୁହେଁ । ତାଛଡା ଏହା ସମଗ୍ର ଓଡିଶାକୁ ବ୍ୟାପିବା ଦରକାର । ତାହା ହେଲେ ସରକାରଙ୍କ ଉପରେ ଚାପ ସୃଷ୍ଟି ହେବ । ଯଦି ଆଶା, ଅଙ୍ଗନବାଡି କର୍ମୀ, ଶିକ୍ଷକମାନଙ୍କ ଦାବି ପୂରଣ କରାଯାଉଛି, ତେବେ ଆମ ଅନ୍ନଦାତାଙ୍କୁ କାହିଁକି ନିରାଶ କରାଯିବ?
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ-୯୪୩୯୬୫୨୩୨୨

Leave a Reply

Your email address will not be published.