କେନ୍ଦ୍ରାପଡ଼ାରେ ମାଟିତଳୁ ବାହାରୁଛି ତେଲ!

କେନ୍ଦ୍ରାପଡ଼ା, (ଆଇଏନ୍ଏସ୍): କଥାଟି ଆଶ୍ଚର୍ୟ୍ୟ ଲାଗୁଥିଲେ ବି ସତ। କେନ୍ଦ୍ରାପଡ଼ା ଘାଗରା ଗାଁ ନିକଟରେ ପଟ୍ଟାମୁଣ୍ଡାଇ କେନାଲରେ ଥିବା ଏକ କଲଭର୍ଟର ପକ୍କା କାନ୍ଥ କଡ଼ରୁ ତେଲ ବାହାରୁଥିବା ଦେଖିବାକୁ ମିଳିଛି। କେନାଲ ପାଣିରେ ମିଶି ତେଲ ଭାସିଯାଉଛି। ଏଠାରେ ମାଟିତଳେ ତେଲ ଖଣି ରହିଥିବା ଲୋକେ ସନ୍ଦେହ କରୁଛନ୍ତି।
ଘାଗରା ଗାଁ ନିକଟ ଦେଇ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲର ଛନ୍ଦା ବରଗଛ ପାଖ ଗର୍ତ୍ତେଶ୍ୱର ରାସ୍ତା କଡ଼ରେ ଥିବା କଲଭର୍ଟ ତଳୁ ବାହାରୁଛି ଏହି ତେଲ। କଲଭର୍ଟର କଂକ୍ରିଟ କାନ୍ଥ କଡ଼ରୁ ଭୁରୁଭୁରୁ ହୋଇ ଫୋଟକା ଆକାରରେ ତେଲ ବାହାରୁଛି। ଏହା ସିଧାସଳଖ ପାଣିରେ ମିଶୁଛି। କେନାଲ ପାଣିରେ ମିଶି ତଳ ମୁଣ୍ଡକୁ ଭାସି ଯାଉଛି। ଫଳରେ କେନାଲ ପାଣି ଦୂଷିତ ହେବାରେ ଲାଗିଛି।
ଏମିତି ତେଲ ବାହାରିବା ଘଟଣା ନୂଆ ନୁହଁ ବୋଲି ସ୍ଥାନୀୟ ଲୋକେ କହୁଛନ୍ତି। ଗତ କିଛିମାସ ତଳେ ଏହି ସ୍ଥାନରୁ ତେଲ ବାହାରୁଥିବା ଲୋକେ କହୁଛନ୍ତି।
ଘାଗରା ପଞ୍ଚାୟତର ପୁର୍ବତନ ସମିତି ସଭ୍ୟ ନାରାୟଣ ପରିଡ଼ା କହିଛନ୍ତି, “ତେଲ ବାହାରିବା ବେଳେ ମାଟି ତଳୁ କିଛି ଶବ୍ଦ ଶୁଭୁଛି। ମାଟିତଳେ ତେଲଖଣି ଥାଇପାରେ। ଏଣୁ ଭୁତତ୍ତ୍ୱବିତମାନେ ଏହି ଘଟଣାରେ ତୁରନ୍ତ ପରୀକ୍ଷା ନିରୀକ୍ଷା କରିବା ଆବଶ୍ୟକ।”
କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାଶରଥୀ ଶତପଥୀ ଖବରପାଇ ଉପଜିଲ୍ଲାପାଳଙ୍କୁ ଘଟଣାସ୍ଥଳକୁ ପଠାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ହେଲେ ଏହି ଘଟଣା ସମ୍ପର୍କରେ ରାଜ୍ୟ ସରକାରାଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Leave a Reply

Your email address will not be published.