କଳାହାଣ୍ଡିରେ ସ୍ୱଚ୍ଛ ଧାନ କିଣା ବ୍ୟବସ୍ଥା ଘୋଷଣା ଧୂଆଁବାଣ!

କଳାହାଣ୍ଡି, (ଆଇଏନ୍ଏସ୍): ସ୍ୱଚ୍ଛତାର ସହ ଧାନ କିଣା ବ୍ୟବସ୍ଥା ପରିଚାଳନା କରିବାକୁ ସରକାରୀ ସ୍ତରରେ ଘୋଷଣା କରାଯାଉଥିଲେ ହେଁ କଳାହାଣ୍ଡି ଜିଲ୍ଲାରେ ତୃଣମୂଳ ସ୍ତରରେ ବ୍ୟାପକ ଜାଲିଆତି ହେଉଥିବା ଘଟଣା କ୍ରମଶଃ ଲୋକଲୋଚନକୁ ଆସିବାରେ ଲାଗିଛି । ଏ ସଂପର୍କରେ ଅଭିଯୋଗ ହେଲେ ମଧ୍ୟ ଯୋଗାଣ ବିଭାଗ ଅଧିକାରୀ ମାନେ ନାମକୁ ମାତ୍ର ତଦନ୍ତ କରି ଦେଇ ଚପାଇ ଦେଉଥିବା ଜଣାପଡିଛି । ତୃଣମୂଳ ସ୍ତରରେ ଚାଷୀ ପଂଜୀକରଣ ଠାରୁ ଆରମ୍ଭ କରି ମଣ୍ଡି ନିର୍ଣ୍ଣୟ ଏବଂ ରାଇସ ମିଲ ଗୁଡିକର ମଣ୍ଡି ଟେଗିଂ ଇତ୍ୟାଦିରେ ବ୍ୟାପକ ପ୍ରୀୟାପ୍ରିତି ତୋଷଣ କାରବାର କରାଯାଇ ଚାଷୀଙ୍କୁ ଏକ ପ୍ରକାର ଶୋଷଣ କରାଯାଉଥିବାର ଅଭିଯୋଗ ହେଉଛି । ଚାଷୀଙ୍କୁ ସୁହାଇବା ଭଲି ଧାନ କିଣା ବ୍ୟବସ୍ଥା କେବଳ କାଗଜ ପତ୍ରରେ ପ୍ରଦର୍ଶିତ ହେଉଥିବା ବେଳେ ବାସ୍ତବ କ୍ଷେତ୍ରରେ ସେସବୁ ସଂପୂର୍ଣ୍ଣ ଓଲଟା ହେଉଥିବା ଚାଷୀ ମହଲରେ ଅଭିଯୋଗ ହେଉଛି । ବିଗତ ବର୍ଷ ମାନଙ୍କର ଧାନ କିଣା ବ୍ୟବସ୍ଥାକୁ ଅନୁଧ୍ୟାନ କଲେ ବହୁ ଗୋପନୀୟ ତଥ୍ୟ ସାମନାକୁ ଆସିପାରିବ ବୋଲି ଚାଷୀ ମହଲରେ ଆଲୋଚନା ହେଉଛି । ଘଟଣାରୁ ପ୍ରକାଶ ଯେ, କେବଳ ଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀ ପ୍ରାୟତଃ ପରିବାର ଚଳାଇବା ପାଇଁ ଅଭାବୀ ହୋଇଥାଏ ଏବଂ ଧାନ ଚାଷ ପ୍ରାରମ୍ଭରୁ ହିଁ ତାକୁ ଋଣ ଉପରେ ନିର୍ଭର କରିବାକୁ ପଡିଥାଏ ତଥା ବ୍ୟାଙ୍କରୁ ଋଣ ଆଣିବାକୁ ଦୌଡାଦୌଡି କରି ନିରାଶ ହେଉଥିବା ଚାଷୀ ପ୍ରାୟତଃ ମହାଜନ ଉପରେ ହିଁ ନିର୍ଭର କରିଥାଏ । ଏହାର ସୁଯୋଗ ନେଇ କିଛି ସ୍ୱାର୍ଥନ୍ୱେଷୀ ମିଲର୍ସ ନିଜ ଅଂଚଳର ଚାଷୀଙ୍କୁ ଆଗତୁରା ଜମି ପ୍ରସ୍ତୃତି ପାଇଁ ଚଢା ସୁଧରେ ଟଙ୍କା ଋଣ, ଧାନ ବିହନ, ଔଷଧପତ୍ର, ଖତସାର ଇତ୍ୟାଦି ଚଢା ଦରରେ ଯୋଗାଇ ଦେଇ ସେମାନଙ୍କ ଜମି ସଂକ୍ରାନ୍ତୀୟ କାଗଜାତ ଏବଂ ପାଶବୁକ/ଏଟିଏମ ଇତ୍ୟାଦି ନେଇଥାନ୍ତି । ଫସଲ ଅମଳ ପରେ ସେହି ଚାଷୀର ଧାନକୁ କମ ମୂଲ୍ୟରେ କିଣିବା ପରେ ଚାଷୀ ନେଇଥିବା ସବୁଯାକ ଋଣକୁ କାଟଛାଟ କରିଦେଇ ବଳକା ଟଙ୍କା ମଣ୍ଡି ସରିବା ପରେ ଫେରାଇ ଦେବାକୁ ପ୍ରତିଶୃତି ଦେଉଥିବା ଅନେକ ଚାଷୀ କୋହଭରା ସ୍ୱରରେ ପ୍ରକାଶ କରନ୍ତି । ଏହାପରେ ସଂପୃକ୍ତ ମିଲର୍ସ ନିଜ ଅଂଚଲର ଆରଆଇ ଅଫିସ କର୍ମଚାରୀ ତଥା ଅନ୍ୟ ମାନଙ୍କୁ ହାତ କରି ଚାଷୀ ମାନଙ୍କର ଭୂରାଜସ୍ୱ ତଥା ଧାନ ବିକିବା ପାଇଁ ନାମ ପଂଜୀକରଣ କରାଇଥାନ୍ତି । ମଣ୍ଡି ବ୍ୟବସ୍ଥା ଆରମ୍ଭ ହେଲେ ସଂପୃକ୍ତ ମିଲର୍ସ ପକ୍ଷରୁ ଯୋଗାଣ ବିଭାଗ ପଦାଧିକାରୀ ମାନଙ୍କୁ ବିଭିନ୍ନ ପ୍ରକାର ଚାପ ପକାଇ ନିଜ ଅଂଚଳରେ ଥିବା ମଣ୍ଡି ମାନଙ୍କରେ ହିଁ ଟେଗିଂ କରାଇ ନେଇ ଚାଷୀ ମାନଙ୍କ ଠାରୁ ନିଜେ ପୂର୍ବରୁ ସଂଗ୍ରହ କରିଥିବା ଧାନକୁ ଅତି ସହଜରେ ନିଜେ କିଣୀଥିବା ଦର୍ଶାଇ ଦେବାରେ ସକ୍ଷମ ହୋଇଥାନ୍ତି ଏବଂ ଏଥି ପାଇଁ ସଂପୃକ୍ତ ଆରଏମସି କର୍ମଚାରୀ ମଧ୍ୟ ସାମିଲ ହୋଇ ଯାଆନ୍ତି । ମଣ୍ଡିରେ ଆରଏମସି ପକ୍ଷରୁ ଲାଗିଥିବା ୱେ ବ୍ରିଜ ଓ ସିସିଟିଭି କ୍ୟାମେରା କେବଳ ନାମକୁ ମାତ୍ର ଓ ବୋଧହୁଏ ଏସବୁ କେବଳ ମଣ୍ଡିର ଶୋଭା ବଢାଇବା ପାଇଁ ଲଗାଯାଇଥିବ ବୋଲି ଚାଷୀମାନେ ପ୍ରକାଶ କରନ୍ତି । ଏସଂପର୍କରେ ବିଭାଗୀୟ ପଦାଧିକାରୀ ମାନେ କେବଳ ସାପ ମରିବ ନାହିଁକି ବାଡି ଭାଙ୍ଗିବ ନାହିଁ ଭଲି ସାନ୍ତ୍ୱନା ମୂଲକ ଉତର ଦେଇ ସମସ୍ତଙ୍କୁ ଚୁପ କରାଇ ଦେଇଥାନ୍ତି । ମଣ୍ଡିରେ ପାକ୍ସ ଧାନ କିଣିବା ପରେ ମିଲର୍ସକୁ ଦେବାର ନିୟମ କେବଳ କାଗଜ ପତ୍ରରେ ଚାଲିଥିବା ବେଳେ ଏହାକୁ କେହି ମଧ୍ୟ ବଦଳାଇ ପାରିନାହାନ୍ତି । ଯେଉଁ ଚାଷୀ ଏହାର ପ୍ରତିବାଦ କରେ ତାର ଧାନ ଉଠାଇବାରେ ଜାଣିଶୁଣି ବିଲମ୍ବ କରିଦିଆ ଯାଇଥାଏ । ଫଳତଃ ଧାନ ଉଠିବା ବିଲମ୍ବ ହେବାରେ ଅଧୈର୍ଯ୍ୟ ହୋଇଯାଇ ଚାଷୀ ବାଧ୍ୟ ହୋଇ କଟଣୀ କରି ଧାନ ଦେଇ ଦେବାକୁ ବାଧ୍ୟ ହୁଏ । କାରଣ ପରବର୍ତୀ ଚାଷ କରିବାକୁ ଚାଷୀକୁ ପୁଣି ପ୍ରସ୍ତୃତ ହେବାକୁ ପଡିଥାଏ । ନିଜ ଅଂଚଳର ମିଲର୍ସ ଟେଗିଂ ହେଲେ ନିଜ ମନଇଚ୍ଛା ଧାନ ଉଠାଣ କରିବାକୁ ମିଲର୍ସମାନେ ଯୋଜନା କରି ବାହାର ଅଂଚଳର ମିଲର୍ସଙ୍କୁ ବିଭିନ୍ନ ପ୍ରକାରେ ମିଛ ସତ କହି ମଣ୍ଡିକୁ ନିଜ କବଜାରେ ରଖି ନିଜ ମନଇଚ୍ଛା କାମ କରିବାରେ ସକ୍ଷମ ହୋଇଥାନ୍ତି । ଏପରିକି ଟ୍ରାକ୍ଟର,ପାୱାର ଟିଲର ସାହାଯ୍ୟରେ ମଣ୍ଡିରୁ ଧାନ ଉଠାଣ କରିବାର ଏବଂ ଅନେକ କ୍ଷେତ୍ରରେ ଟ୍ରାକ୍ଟର/ଟ୍ରକରେ ଧାନ ଆଣି ସିସି ଟିଭି କ୍ୟାମେରା ସାମନାରେ ବୁଲାଇ ଦେଇ ତାକୁ ପୁଣି ମିଲକୁ ନେଇ ଯାଉଥିବାର ଅନେକ ଉଦାହରଣ ରହିଥିବା ଚାଷୀମାନେ ପ୍ରକାଶ କରନ୍ତି । ଏପରିକି ଅତୀତରେ ଶିଘ୍ର ଧାନ ଉଠାଣ କରିବାକୁ ଦାବୀ କରିବାରୁ ହାବସପୁର, ବିଜମରା,କାଙ୍କେରୀ,ଧର୍ମଗଡ,କଲମପୁର ଭଲି ମଣ୍ଡି ମାନଙ୍କର ଚାଷୀ ମାନଙ୍କୁ ମିଲର୍ସ ମାନେ ଧମକଚମକ ଦେଇଥିବା ଅଭିଯୋଗ ହୋଇଥିଲା । ଏପରିକି ଅତୀତରେ ଏସବୁ ମଣ୍ଡି ମାନଙ୍କରେ ସ୍ଥାନୀୟ ମିଲର୍ସ ମାନଙ୍କୁ ଟେଗିଂ କରାନଯିବାକୁ ଚାଷୀ ମହଲରେ ଦାବୀ କରାଯାଇଥିଲେ ହେଁ ଯୋଗାଣ ବିଭାଗ ପକ୍ଷରୁ ଧାନ ଲିଫ୍ଟିଂ ମୂଲ୍ୟ ହ୍ରାସ ବାହାନା କରି ସଂପୃକ୍ତ ମିଲର୍ସ ମାନଙ୍କୁ ସୁହାଇବା ପାଇଁ ସେସବୁ ଦାବୀକୁ ଫାଇଲ ତଳେ ଚାପି ଦେଇଥିବା ଅଭିଯୋଗ ହୋଇଥିଲା । ଦେଶରେ କଳାହାଣ୍ଡି ଜିଲ୍ଲା ଧାନ ଉତ୍ପାଦନ କ୍ଷେତ୍ରରେ ପ୍ରଥମ ହୋଇଥିବା ସରକାର କହୁଛନ୍ତି । ମାତ୍ର ଧାନଚାଷୀଙ୍କ ସମସ୍ୟା ସମାଧାନ ପାଇଁ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି । ଆଗାମୀ ଖରିଫ ଧାନ କିଣା ବ୍ୟବସ୍ଥାରେ ପ୍ରଶାସନ ପୂର୍ବ ଅନିୟମିତତାକୁ ଆଧାର କରି ସଂଶୋଧନ କରିବା ପାଇଁ ପ୍ରଚେଷ୍ଟା କରିବାକୁ ଚାଷୀ ମହଲରେ ଦାବୀ ହେଉଛି ।

Leave a Reply

Your email address will not be published.