ନବରଙ୍ଗପୁରର ଅସ୍ତଗାମୀ ସୂର୍ଯ୍ୟ ଲଳିତ ପଟ୍ଟନାୟକ!
ଚଳିତ ମାସ ୧୧ ତାରିଖ ଦିନ ରାତି ନପାହୁଣୁ ୭୨ ବର୍ଷ ବୟସ୍କ କବି ଲଳିତ ପଟ୍ଟନାୟକ ସ୍ନାନାଦି ନିତ୍ୟକର୍ମ ସାରି ନବରଙ୍ଗପୁରର ମୁଖ୍ୟ ରାସ୍ତାକୁ ବସ୍ ଧରିବାକୁ ଚାଲି ଆସିଲେ । ବସକୁ ଅପେକ୍ଷା କରି ସକାଳୁ ସକାଳୁ ଖୋଲିଥିବା ଚା’ ଦୋକାନରେ ପ୍ରାତଃ ଭ୍ରମଣରେ ବାହାରି ଥିବା ବନ୍ଧୁମାନଙ୍କ ସହ ବେଶ ଆଳାପ କଲେ । ସମସ୍ତଙ୍କୁ ସେ କହିଲେ, ଏକ ଅରବିନ୍ଦ ପାଠଚକ୍ରରେ ସେ ଉମରକୋଟ ଯାଇ ସେଠାରୁ ଅନ୍ୟମାନଙ୍କ ସହ ସ୍କୁଲ ବସ୍ରେ ଚନ୍ଦାହାଣ୍ଡି ଯିବେ ଓ ସେଠାରେ ପାଠଚକ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ ରାତି ୮ଟା ସୁଦ୍ଧା ନବରଙ୍ଗପୁରକୁ ଫେରି ଆସିବେ । ମୁଣ୍ଡ ଉପରେ ଜିଲ୍ଲା ମହୋତ୍ସବ ‘ମଣ୍ଡେଇ’ । ମଣ୍ଡେଇର ସ୍ମରଣିକା ସମେତ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ । ଦୁଇଦିନ ପରେ ତାଙ୍କ ଦ୍ୱାରା ଲିଖିତ ପୁସ୍ତକଟି ବାହାରିବ । ଏମିତି କଥାବାର୍ତା ହେଉଥିବା ବେଳେ ବସ ଆସିଲା । ବସରେ ବସିଲେ ଓ ବସ୍ ଉମରକୋଟ ଅଭିମୁଖେ ଆଗେଇ ଚାଲିଲା । ବାଟଯାକ ସବୁ ଚିହ୍ନା ମୁହଁ । ସକାଳ ସାଢେ ୮ ଟାରେ ଉମରକୋଟ ଇଂଟିଗ୍ରାଲ ସ୍କୁଲ ଆଗରେ ବସ ଅଟକିଲା । ସ୍କୁଲ୍ ର ଶିକ୍ଷକ ମାନେ ଅପେକ୍ଷା କରିଥାନ୍ତି । ବସରୁ ଓହ୍ଲାଇ ପ୍ରଥମେ ଅରବିନ୍ଦଙ୍କ ସ୍ମୃତି ମନ୍ଦିରକୁ ଗଲେ । ପ୍ରଣାମ ଜଣାଇ ହଷ୍ଟେଲକୁ ଆସି ଜଳଖିଆ ଖାଇଲେ । ଏହା ପରେ ଶିକ୍ଷକ ମାନଙ୍କ ସମେତ ୩୫ ଜଣ ସ୍କୁଲ୍ ବସ୍ରେ ବସିଲେ ।
କିଏ ଜାଣିଥିଲା ଏହା ତାଙ୍କର ଶେଷଯାତ୍ରା ହେବ! ଉମରକୋଟ ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଚନ୍ଦାହାଣ୍ଡି ଘାଟୀ ଆରମ୍ଭ । ପ୍ରାୟ ୧ହଜାର ଫୁଟ ତଳକୁ ବସ୍ ଖସିବ । ବସଟି ଖସୁଥିବା ବେଳେ ଭାରସାମ୍ୟ ହରାଇ ବସଟି ଅତଳ ତଳକୁ ଖସି ପଡ଼ିଲା । ମୁହୂର୍ତକ ମଧ୍ୟରେ ଲଳିତ ପଟ୍ଟନାୟକଙ୍କ ସମେତ ୨ ଶିକ୍ଷକ ସେହି ସ୍ତାନରେ ମୃତୁ୍ୟ ବରଣ କଲେ ଓ ଅନେକ ଆହତ ହେଲେ । ସେତେବେଳକୁ ସାଢେ ୧୧ଟା । ସମସ୍ତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଝରିଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଗଲା ।
କବି ଲଳିତ ପଟ୍ଟନାୟକ ଆଉ ନାହାନ୍ତି, ଏହି ଖବର ସଙ୍ଗେସଙ୍ଗେ ଜିଲ୍ଲା ସାରା ବ୍ୟାପିଗଲା । ସମସ୍ତେ ସ୍ତବ୍ଧ । ମାତ୍ର ଘଂଟାଏ ତଳେ ତାଙ୍କ ସହ ହସି ହସି କଥା ହୋଇଥିବା ଲୋକମାନେ ଏହି ଖବରକୁ ବିଶ୍ୱାସ କରି ପାରିଲେ ନାହିଁ ।
ଜଣେ ସାଧାରଣ ଶିକ୍ଷକରୁ ଜୀବନ ଆରମ୍ଭ କରି ଲଳିତ ବାବୁ ସାହିତ୍ୟ ଓ ସାଂଗଠନିକ କାର୍ଯ୍ୟରେ ଉଚ୍ଚତମ ସ୍ଥାନରେ ପହଂଚି ପାରିଥିଲେ । ଅତି କମ୍ ବୟସରୁ ସାହିତ୍ୟ ନିଶାରେ ସେ ପାଗଳ ହୋଇ ସାଥୀମାନଙ୍କ ସହିତ ସାଇକେଲ୍ରେ ଗାଁ ଗାଁ ବୁଲି ସାହିତ୍ୟ ସଭା କରୁଥିଲେ । ସ୍ୱର୍ଗତ କବି ଭାଗିରଥୀ ପାତ୍ରଙ୍କ ସହ ମିଶି ଜିଲ୍ଲାର ସର୍ବ ପୁରାତନ ସାହିତ୍ୟ ଅନୁଷ୍ଠାନ “ନବଜାଗରଣ ସାହିତ୍ୟ ସଂସଦ” ସୃଷ୍ଟି କରିଥିଲେ ଓ ସେତେବେଳେ ହାତରେ ଲେଖି ପ୍ରତି ମାସରେ ଶତାଧିକ ପତି୍ରକା ପ୍ରସ୍ତୁତ କରୁଥିଲେ । ଶ୍ରୀମା’ ଅରବିନ୍ଦ ଭାବଧାରାର ସେ ଚିର ଉପାସକ । ତାଙ୍କ ଚେଷ୍ଟାରେ ବି ମାଳିଗୁଡ଼ା, ଇନ୍ଦ୍ରାବତୀ, ଉମରକୋଟ, ରାଇଘର, ଚନ୍ଦାହାଣ୍ଡି ଓ ନବରଙ୍ଗପୁର ଭଳି ସ୍ଥାନରେ ଇଂଟିଗ୍ରାଲ୍ ସ୍କୁଲ ଓ ସ୍ମୃତି ମନ୍ଦିର ମାନ ସ୍ଥାପିତ ହୋଇଥିଲା ଓ ତାଙ୍କର ଶୃଙ୍ଖଳିତ ପରିଚାଳନାରେ ସବୁଗୁଡ଼ିକ ସୁଚାରୁ ରୂପେ ଚାଲି ଆସୁଥିଲା ।
ନବରଙ୍ଗପୁର ଜିଲ୍ଲାର ଅସଂଖ୍ୟ ସାହିତ୍ୟ ଅନୁଷ୍ଠାନ ସହ ସେ ନିବିଡ଼ ଭାବେ ଜଡ଼ିତ । ଉକ୍ରଳ ପରିଷଦ ନାମରେ ଏକ ଅନୁଷ୍ଠାନ ଗଢି ସେ ଯୁବକ ମାନଙ୍କୁ ଓଡ଼ିଆ ସାହିତ୍ୟ ପ୍ରତି ଆକୃଷ୍ଟ କରାଇଥାନ୍ତି । ତାଙ୍କ ପ୍ରଚେଷ୍ଟାରେ ସ୍ଥାପିତ କୁଞ୍ଜବିହାରୀ ପାଠାଗାର ଆନୁକୂଲ୍ୟରେ ମାସିକ ଆଲୋଚନା ଚକ୍ର ବହୁବର୍ଷ ଧରି ଆୟୋଜିତ ହୋଇ ଆସୁଛି । ନବରଙ୍ଗପୁରର ଜିଲ୍ଲା ମହୋତ୍ସବ ଆରମ୍ଭ ହେବା ଦିନଠାରୁ ସେ ଏହାର ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମର ପୁରୋଧା ରୂପେ ଦାୟିତ୍ୱ ନିର୍ବାହ କରୁଥିଲେ ।
ତାଙ୍କର ପ୍ରତିଭାକୁ ସମ୍ମାନ ଜଣାଇ ରାଜ୍ୟ ସାହିତ୍ୟ ଏକାଡ଼େମୀ ତାଙ୍କୁ ସଭ୍ୟ ଭାବରେ ଗ୍ରହଣ କରିଥିଲା ଓ ସମ୍ବର୍ଦ୍ଧିତ କରିଥିଲା ।
ତାଙ୍କର ଆବର୍ତନରେ ସାରା ଜିଲ୍ଲାରେ ଗଭୀର ଶୋକର ଛାୟା ଖେଳି ଯାଇଛି । ଜିଲ୍ଲାରେ ଏକ ଅପୂରଣୀୟ କ୍ଷତି ହେଲା ବୋଲି ସମସ୍ତେ ଅନୁଭବ କରୁଛନ୍ତି । ତାଙ୍କର କିର୍ତୀ ଅମ୍ଲାନ ରହୁ ଓ ପବିତ୍ର ଆତ୍ମା ଶାନ୍ତି ପାଉ, ଏହା ମୋର ଈଶ୍ୱରଙ୍କ ନିକଟରେ ବିନମ୍ର ନିବେଦନ ।
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ, ବରିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ,
ଉମରକୋଟ, ନବରଙ୍ଗପୁର, ମୋ-୯୪୩୭୨୩୫୩୮୬