ଧର୍ମଗଡ ଉପଖଣ୍ଡକୁ ଜିଲ୍ଲାର ମାନ୍ୟତା ଘୋଷଣା ଦାବି!
କଳାହାଣ୍ଡି, (ଆଇଏନ୍ଏସ୍): କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡ ଅଂଚଳକୁ ନେଇ ଏକ ସ୍ୱତନ୍ତ୍ର ଜିଲ୍ଲା ଗଠନ ଦାବୀ ଏବେ ସମଗ୍ର ଅଂଚଳରେ ଯୋର ଧରିଛି । ଧର୍ମଗଡ ଉପଖଣ୍ଡ ଏକ ପଛୁଆ ଅଂଚଳ ହୋଇରହି ଯାଇଥିବା ବେଳେ ରାଜନୈତିକ ଓ ପ୍ରଶାସନିକ ସୁବିଧା ପାଇବାରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ଦୀର୍ଘ ଦିନରୁ ଧର୍ମଗଡ ଉପଖଣ୍ଡକୁ ସ୍ୱତନ୍ତ୍ର ଜିଲ୍ଲା ଭାବେ ଘୋଷଣା ଦାବୀ ହେଉଥିବା ବେଳେ ସରକାରଙ୍କ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନଥିବା ହେତୁ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଧର୍ମଗଡ ସ୍ଥିତ ହୋଟେଲ ରୟାଲପେଲେସ ଠାରେ ବରିଷ୍ଠ ଆଇନଜୀବି ତୁଷାର ରଂଜନ ପାଟ୍ଟଯାଷୀଙ୍କ ଅଧ୍ୟକ୍ଷତାରେ ସମଗ୍ର ଧର୍ମଗଡ ଉପଖଣ୍ଡର ବୁଦ୍ଧିଜୀବି, ଆଇନଜୀବି, ସମାଜସେବୀ, ରାଜନେତା, ସାମ୍ବାଦିକ,ତଥା ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
ଧର୍ମଗଡ ଉପଖଣ୍ଡ ଅଧିନରେ ଛଅ ଗୋଟି ବ୍ଲକ ରହିଥିବା ବେଳେ ଏହାର ଜନସଂଖ୍ୟା ୧୦ଲକ୍ଷରୁ ଅଧିକ ଏବଂ ଏହାର ଭୌଗୋଳିକ ପରିସୀମା ୪ହଜାର ୩ଶହ ବର୍ଗ କିଲୋମିଟର ରହିଥିବା ବେଳେ ନୂତନ ଭାବେ ଗଠିତ ସୋନପୁର, ବୌଦ୍ଧ, ନୁଆପଡା ଭଳି ଜିଲ୍ଲା ମାନଙ୍କ ଠାରୁ ମଧ୍ୟ ଅଧିକ । ସେହିପରି ୧୩ ଗୋଟି ବ୍ଲକକୁ ନେଇ ଗଠିତ କଳାହାଣ୍ଡି ଜିଲ୍ଲାର ଭୌଗୋଲିକ ସ୍ଥିତିକୁ ନେଇ ଜିଲ୍ଲା ପ୍ରଶାସନ ଠିକ ଭାବରେ ଲୋକଙ୍କ ପାଖରେ ପହଂଚି ପାରିବା ସମ୍ଭବପର ହୋଇ ପାରୁନଥିବା ଯୋଗୁଁ ପ୍ରକୃତ ବିକାଶ ସାଧାରଣ ଲୋକଙ୍କ ପାଖକୁ ପହଂଚି ପାରୁନାହିଁ । ତେଣୁ ସ୍ୱତନ୍ତ୍ର ଜିଲ୍ଲା ଗଠନ ହେଲେ ଧର୍ମଗଡ ଉପଖଣ୍ଡର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଥିଲା । ଏହାଛଡା ଧର୍ମଗଡ ଉପଖଣ୍ଡ ଅଂଚଳରେ ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟା ସମେତ ଗରିବ ଓ ଅର୍ଥନୈତିକ ପଛୁଆ ବର୍ଗର ଲୋକ ବେଶୀ ସଂଖ୍ୟାରେ ରହୁଥିବା ଷ୍ଟାଟିଷ୍ଟିକାଲ ତଥ୍ୟରୁ ଜଣାପଡିଛି । ଏହାଛଡା ଦୁଇଟି ପ୍ରମୂଖ ନଦୀ ତେଲ ନଦୀ ଓ ହାତୀ ନଦୀ ଧର୍ମଗଡ ଉପଖଣ୍ଡ ମଧ୍ୟ ଦେଇ ପ୍ରବାହିତ ହେଉଥିବା ବେଳେ ଇନ୍ଦ୍ରାବତୀ ଜଳବିଦୁ୍ୟତ ଯୋଜନା ଏହି ଅଂଚଳରେ କାର୍ଯ୍ୟକାରୀ ହେଉଛି । ଏଠାରେ ଅନନ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଅନେକ ଐତିହାସିକ ଭିତିଭୂମି ରହିଥିଲେ ମଧ୍ୟ ଏହାର ପ୍ରକୃତ ଉପଯୋଗ ହୋଇ ପାରୁନାହିଁ । ମାତ୍ର ଏହା ଏକ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲେ, ଏହି ଅଂଚଳ ଓ ଏହାର ଲୋକମାନେ ବିକଶିତ ହୋଇ ପାରିବେ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ବାସ୍ତବତା ଦେଖାଗଲେ, ସୋନପୁର, ବୌଦ୍ଧ ଓ ନୂଆପଡା ଉପଖଣ୍ଡକୁ ଅତୀତରେ ସ୍ୱତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ଦେବାପରେ ସେସବୁ ଅଂଚଳରେ ଉନ୍ନତି ପ୍ରକ୍ରୀୟା ତ୍ୱରାନ୍ୱିତ ହୋଇପାରିଛି । ହେଲେ ଧର୍ମଗଡ ଉପଖଣ୍ଡ ଆଜିମଧ୍ୟ ଅନୁନ୍ନତ ହୋଇ ପଡିରହିଛି । ଏସବୁ ଦୃଷ୍ଟିକୋଣରୁ ଧର୍ମଗଡ ଉପଖଣ୍ଡ ଅଂଚଳ ସ୍ୱତନ୍ତ୍ର ଜିଲ୍ଲା ଭାବେ ମାନ୍ୟତା ପାଇବାର ଗୁରୁତ୍ୱ ବହନ କରୁଛି ବୋଲି କୁହାଯାଉଛି । ସରକାର ତୁରନ୍ତ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।