ଜନନୀ ସୁରକ୍ଷା ଯୋଜନା କେତେ ସଫଳ!
ସଂପ୍ରତି ସାରା ଦେଶରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ଥିବାବେଳେ ଉଦ୍ବେଗଜନକ ଅବସ୍ଥାରେ ଥିବା ମାତୃମୃତୁ୍ୟ ଘଟଣା ଦେଶ ପାଇଁ ଏକ ଆହ୍ୱାନ ହୋଇଛି । ଏହି ଅବସ୍ଥାରେ ସୁରକ୍ଷିତ ମାତୃତ୍ୱ ଲକ୍ଷ୍ୟ କେତେଦୂର ପୂରଣ ହେବ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସ୍ୱାଧିନତା ପରଠାରୁ ଦେଶ ସୁରକ୍ଷିତ ମାତୃତ୍ୱର ପାହାଚ ଛୁଇଁବାରେ ଅସଫଳ ହୋଇ ଆସୁଛି । ମୁଖ୍ୟତଃ ଗର୍ଭାବସ୍ଥାରେ, ପ୍ରସବ ବେଳେ, ପ୍ରସବପରେ ଓ ଗର୍ଭନଷ୍ଟ ବେଳେ ମୃତୁ୍ୟହାର ସର୍ବାଧିକ ରହିଛି । ମହିଳା ମାନଙ୍କ ମୃତୁ୍ୟର ଅନେକ କାରଣ ରହିଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମତ ଦିଅନ୍ତି । ଅଧିକ ରକ୍ତସ୍ରାବ, ଅସୁରକ୍ଷିତ ଗର୍ଭପାତ, ଗର୍ଭାବସ୍ଥାରେ ମାରାତ୍ମକ ରୋଗ, କଠିନ ପରିଶ୍ରମ, ସଂକ୍ରମଣ, ରକ୍ତହୀନତା, ଦାରିଦ୍ର୍ୟ ଓ ଅନାହାର ଆଦି ଉଲ୍ଲେଖଯୋଗ୍ୟ । ଅନ୍ୟପକ୍ଷରେ ଅସଚେତନତା, ସ୍ୱାସ୍ଥ୍ୟସେବା-ଯନô ଓ ପରାମର୍ଶର ଅଭାବ ଓ ପୃଷ୍ଟିକର ଖାଦ୍ୟର ଅଭାବ ଯୋଗୁଁ ଉପରୋକ୍ତ ସମସ୍ୟା ସୃଷ୍ଟି ହୋଇଥାଏ । ଏସବୁ ମଧ୍ୟ ଶିଶୁ ମୃତୁ୍ୟକୁ ପ୍ରଭାବିତ କରୁଛି । ମାନବିକତା ଦୃଷ୍ଟିରୁ ଦେଶରେ ଏହି ସମସ୍ୟା ଅତି ଲଜ୍ଜା ଓ ପରିତାପର ବିଷୟ । ନିରାପଦ ମାତୃତ୍ୱ, ସୁସ୍ଥତା ଓ ସାମାଜିକ ନ୍ୟାୟ ମହିଳାଙ୍କ ସାମାଜିକ ଅଧିକାରର ଏକ ଅଙ୍ଗ । ମହିଳା ମାନଙ୍କ ମାନବିକ ଅଧିକାରକୁ ନିଶ୍ଚିତ କରିବାକୁ ନିରାପଦ ମାତୃତ୍ୱର ଅତ୍ୟନ୍ତ ଆବଶ୍ୟକତା ରହିଛି ।
ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଉନ୍ନତି ବିଶେଷକରି ମାତୃମୃତୁ୍ୟ ଓ ଶିଶୁ ମୃତୁ୍ୟହାର ହ୍ରାସ ପାଇଁ ୧୯୮୩-୮୪ରେ ଜାତୀୟ ସ୍ୱାସ୍ଥ୍ୟ ନୀତି, ୧୯୮୭-୮୮ରେ ପ୍ରଜନନ ଶିଶୁସ୍ୱାସ୍ଥ୍ୟ ପ୍ରକଳ୍ପ, ୧୯୯୯-୨୦୦୭ରେ ଓଡ଼ିଶା ସ୍ୱାସ୍ଥ୍ୟ ଉନ୍ନୟନ ପ୍ରକଳ୍ପ, ୨୦୦୧-୦୨ରେ ଶିଶୁ ମୃତୁ୍ୟହାର ହ୍ରାସ ମିସନ୍,୨୦୦୨-୦୩ ରେ ସମନ୍ୱିତ ସ୍ୱାସ୍ଥ୍ୟସେବା ନୀତି ଓ କୌଶଳ ଭିଜନ୍-୧୦, ୨୦୦୫ରୁ ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିସନ୍, ୨୦୦୭ରୁ ନରୱେ ଏବଂ ଭାରତ ସରକାରଙ୍କ ମିଳିତ ସହଯୋଗ(ନିପି)ରେ ଯଶୋଦା ନିଯୁକ୍ତି ଓ ମାତୃ-ଶିଶୁ ସ୍ୱାସ୍ଥ୍ୟ ଯୋଜନା, ୨୦୧୧ ଅକ୍ଟୋବର୧୯ରୁ ମମତା ଯୋଜନା, ୨୦୨୦ ସୁଦ୍ଧା ଶିଶୁ ଓ ମାତୃ ମୃତୁ୍ୟହାର ଯଥେଷ୍ଟ କମାଇବାକୁ ୨୦୧୫ ମଇ ୧୯ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା୧୫ଟି ପଛୁଆ ଜିଲ୍ଲାର ୬୮ଟି ଅବହେଳିତ ବ୍ଲକ୍ରେ ୫୦ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ଯୋଜନା ଓ ସରକାରୀ ଡ଼ାକ୍ତରଖାନାରେ ୨୪ ଘଂଟା ମାଗଣା ଔଷଧ ବାଂଟିବାକୁ ୨୦୧୫ ମଇ ୧ ତାରିଖରୁ ‘ନିରାମୟ’ ଯୋଜନା ଘୋଷଣା ହୋଇ ୨୦୧୫ ଅଗଷ୍ଟ ୭ ତାରିଖରେ କାର୍ଯ୍ୟକାରୀ ହୋଇଥିଲା । ମାତ୍ର ବତ୍ତର୍ତମାନ ସୁଦ୍ଧା ଏହିସବୁ ଯୋଜନାରୁ ସେମିତି କିଛି ସୁଫଳ ମିଳିନାହିଁ । କୌଣସି ପ୍ରକଳ୍ପ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଉନ୍ନତି କିମ୍ବା ମାତୃମୃତୁ୍ୟ ଓ ଶିଶୁ ମୃତୁ୍ୟହାର ହ୍ରାସ କରାଇବାରେ ସହାୟକ ହୋଇପାରିନାହିଁ । ଏଠାରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିସନ୍ ସଂପର୍କରେ ଆଲୋଚନା କରାଯାଉ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ନୀତି ନିର୍ଦ୍ଧାରକମାନଙ୍କ ଦ୍ୱାରା ବ୍ୟାପକ ସମୀକ୍ଷା କରାଯାଇ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ମିସନ୍ରେ ମୁଖ୍ୟତଃ ୨୫ଟି ବିଷୟ ପ୍ରତି ଗୁରୁତ୍ୱ ଦିଆଯାଇଥିଲା । ସେଥିମଧ୍ୟରେ ଜନନୀ ଶିଶୁ ସୁରକ୍ଷା ଯୋଜନା, ପ୍ରଜନନ ଶିଶୁସ୍ୱାସ୍ଥ୍ୟ-୨, ପତିଷେଧକ ଟୀକାଦାନ କାର୍ଯ୍ୟକ୍ରମ, ଜାତୀୟ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ଆଶା, ଖୋଲା ପାଣ୍ଠି, ଆଦିବାସୀ ସ୍ୱାସ୍ଥ୍ୟ, ଆୟୁଷ, ଗାଁ କଲ୍ୟାଣ ସମିତି ଅନ୍ୟତମ । ବାସ୍ତବତା ହେଲା, ମାତୃମୃତୁ୍ୟ ଓ ଶିଶୁ ମୃତୁ୍ୟହାର ହ୍ରାସ ପାଇଁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିବା କୁହାଯାଇପାରେ । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୧୧ବର୍ଷ ଛୁଇଁଲାଣି । ଯୋଜନା କାର୍ଯ୍ୟକାରୀତାରୁ ସୁଫଳ ମିିଳିଛି କି ନାହିଁ ସେ ସଂପର୍କରେ ବ୍ୟାପକ ସମୀକ୍ଷାର ଆବଶ୍ୟକତା ରହିଛି । ମିସନ୍ କାର୍ଯ୍ୟକାରୀ ହେବା ପରେ ଆମ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଧାର୍ଯ୍ୟଲକ୍ଷ୍ୟ ଉନ୍ନତି ହୋଇନାହିଁ, ବରଂ ସ୍ୱାସ୍ଥ୍ୟସେବା ପରିଚାଳନାରେ ବିଭ୍ରାଟ ହୋଇଚାଲିଛି ଓ ମିସନ୍ ଅର୍ଥ ବ୍ୟାପକ ଭାବେ ହରିଲୁଟ୍ ହେଉଛି । ମୌଳିକ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ମଜଭୁତ୍ ଓ ତ୍ୱରାନ୍ୱିତ କରାଯିବା ପାଇଁ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା । ମାତ୍ର ଏହା ସ୍ୱାସ୍ଥ୍ୟସେବା ଯୋଗାଣରେ ସହଯୋଗ ଦେଇ ପାରିନଥିବା କୁହାଯାଉଛି ।
ମିସନ୍ ଅନ୍ତର୍ଗତ ଜନନୀ ଶିଶୁ ସୁରକ୍ଷା ଯୋଜନା ସବୁଠୁ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏଥିରେ ମୁଖ୍ୟତଃ ସୁରକ୍ଷିତ ମାତୃତ୍ୱ ତଥା ମେଡ଼ିକାଲରେ ପ୍ରସବ କରାଇବା ମୂଳ ଲକ୍ଷ୍ୟ ଥିଲା । ଏକ ସମୀକ୍ଷାରୁ ଜଣାପଡ଼ିଛି ଯେ, ଆଦିବାସୀ ଅଞ୍ଚଂଚଳରେ ୪୫ ଶତକଡ଼ା ଓ ବାକି ଅଂଚଳରେ ୧୫ ଶତକଡ଼ା ଗର୍ଭାବତୀ ମହିଳା ପ୍ରତିଷେଧକ ଟୀକାଦାନରୁ ବଂଚିତ ହେଉଛନ୍ତି । ଏହି ହାର କ୍ରମେ ବଢ଼ି ·ଲିଛି । ବର୍ତମାନ ସୁଦ୍ଧା ଏହି ଯୋଜନାରେ ପାଖାପାଖି ୩୮,୨୧,୦୫୦ ଗର୍ଭବତୀ ମା’ ଉପକୃତ ହୋଇଛନ୍ତି । ହେଲେ ରାଜ୍ୟର ଦୁର୍ଗମ ଜିଲ୍ଲା ମାନଙ୍କରେ ଜନନୀ ଏକ୍ସପ୍ରେସ ବ୍ୟବସ୍ଥାର ଧାର୍ଯ୍ୟଲକ୍ଷ୍ୟ ପୂରଣ ହୋଇ ପାରିନାହିଁ । ମିସନ୍ କାର୍ଯ୍ୟକ୍ଷମ ହେବାର ଅନେକ ବର୍ଷ ପରେ ମଧ୍ୟ ମାତୃ ମୃତ୍ୟୁହାରରେ ସେମିତି କିଛି ହ୍ରାସ ପାଇ ନାହିଁ । ଜାତୀୟ ସ୍ତରରେ ଏହି ହାର ୨୧୨ ଥିବାବେଳେ ଓଡ଼ିଶାରେ ୩୦୦ରୁ ଉଦ୍ଧ୍ୱର୍ (ସରକାରୀ ରିପୋର୍ଟ ୨୫୮) ରହିଛି । ଦୁର୍ଗମ ଅଂଚଳର କେତେକ ପରିବାରର ଲୋକେ ଆଜି ମଧ୍ୟ ନିଜ ଘରେ ପ୍ରସବ କରାଉଛନ୍ତି । ଏହାର କାରଣ କଥିତ ଅସଚେତନତା ନୁହେଁ, ବରଂ ସରକାରୀ ବ୍ୟବସ୍ଥାର ତୃଟି । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ନୂଆସାହି ଗ୍ରାମର ପ୍ରସବିନୀ ମା’ ମମି କୌଶଲ୍ୟାଙ୍କ ହୃଦୟ ବିଦାରକ ଘଟଣା ଏହାର ଉଦାହରଣ ମାତ୍ର । ଆଶାର କାର୍ଯ୍ୟ ଓ ଜନନୀ ଏକ୍ସପ୍ରେସ୍ ଯୋଜନା କିଭଳି ଚାଲୁଛି ଏଥିରୁ ଅନୁମେୟ । ଯଦିଓ ସ୍ୱାସ୍ଥ୍ୟାନୁଷ୍ଠାନ ପ୍ରସବ ୭୨% ରହିଥିବା ସରକାରୀ ରିପୋର୍ଟ କହୁଛି, ତଥାପି ସେଥିନେଇ ବିଭିନ୍ନ ମହଲରେ ସନେ୍ଦହ ରହିଛି । ସାପ୍ତାହିକ ପ୍ରତିଷେଧକ ଟୀକାଦାନ କେନ୍ଦ୍ରକୁ ମା’ ଓ ଶିଶୁ ମାନଙ୍କୁ ଡ଼କାଇ ଆଣିବା, ପ୍ରସବିନୀ ମା’ଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ପହଂଚାଇବା ଓ ଶିଶୁ ତଥା ମା’ ସ୍ୱାସ୍ଥ୍ୟ ନେଇ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ଖବର ଦେବା ଆଶା ମାନଙ୍କର କାର୍ଯ୍ୟ । ସେହିପରି ଆମ ରାଜ୍ୟରେ ପୃଷ୍ଟିହୀନତା ଓ ଖାଦ୍ୟାଭାବ ଜନିତ ମାତୃମୃତୁ୍ୟ ଏଠାରେ ନିତିଦିନିଆ ଘଟଣା । କେବିକେର ୯୫ ଭାଗ ଗ୍ରାମ ଭିନ୍ନ ଏକ ଇଥିଓପିଆ ଓ ସୋମାଲିଆର ରୂପ ଧାରଣ କରିଥିବା ଦେଖାଯାଇପାରେ । ସଂପ୍ରତି କେବିକେର ଲକ୍ଷ ଲକ୍ଷ ଆଦିବାସୀ ମା’ଙ୍କର ଭବିଷ୍ୟତ ନେଇ ଅନେକ ପ୍ରଶ୍ନବାଚୀ । ଏବେ ବି ସେହିସବୁ ଆଦିବାସୀ ଗାଁର ଗର୍ଭବତୀ ମା’ ଓ ଅନ୍ୟମାନେ ଆମ୍ବଟାକୁଆ, ଗଛର ଚେରମୂଳ,ପତ୍ର ଖାଉଛନ୍ତି ଓ ବିଭିନ୍ନ ମାରାତ୍ମକ ସଂକ୍ରାମକ ରୋଗର ଶିକାର ହେଉଛନ୍ତି । ଚାଉଳ ସେମାନଙ୍କ ପାଇଁ ସାତ ସପନ । ଆଦିବାସୀ ମା’ଟି ଅନାହାର, ଅର୍ଦ୍ଧାହାର ଓ ଅଳ୍ପାହାରରେ ଦିନ ବିତାଉଥିବା ବେଳେ ସେ ନିଜେ ଓ ତାର ଗର୍ଭସ୍ଥ/ଜନ୍ମ ଶିଶୁ ପୃଷ୍ଟିହୀନତାର ଶିକାର ହେବା ସ୍ୱାଭାବିକ । ଏଠାରେ ମାତୃ ଓ ଶିଶୁ ପୃଷ୍ଟିହୀନତାର ସ୍ଥାୟୀ ସମାଧାନ ପନ୍ଥା ଏଯାଏ ବାହାରି ପାରି ନାହିଁ । ଜନନୀ ସୁରକ୍ଷା ଯୋଜନା ଅଧିକାଂଶ ମା’ଙ୍କ ପାଖରେ ପହଞ୍ଚଂଚି ପାରିନାହିଁ । ଏପରିକି ମିସନ୍ କାର୍ଯ୍ୟକାରୀ ହେବା ଠାରୁ ରାଜ୍ୟ ସରକାର ନିଜ କର୍ତବ୍ୟ ଭୁଲି ରାଜ୍ୟର ସ୍ୱାସ୍ଥ୍ୟସେବା ଦାୟିତ୍ୱ ମିସନ୍ ହାତରେ ଟେକି ଦେଇଛନ୍ତି । ସ୍ୱାସ୍ଥ୍ୟସେବାର ଦାୟିତ୍ୱ ସ୍ୱାସ୍ଥ୍ୟକର୍ମଚାରୀଙ୍କ ହାତରୁ ସ୍ୱାସ୍ଥ୍ୟ ବିଷୟରେ କିଛି ଜାଣି ନଥିବା ଅଫିସର ଓ ଅସ୍ଥାୟୀ ଅନଭିଜ୍ଞ କର୍ମଚାରୀ ମାନଙ୍କ ହାତକୁ ଚାଲି ଯାଇଛି । ସେହିପରି ଚିକିତ୍ସା ସେବା ସଂପର୍କରେ ସଂପୂର୍ଣ୍ଣ ଅଜ୍ଞ ଆଶା ହାତରେ ନ୍ୟସ୍ତ କରାଯାଇଛି ଗ୍ରାମାଂଚଳ ସ୍ୱାସ୍ଥ୍ୟସେବା ଦାୟିତ୍ୱ । ଯଦିଓ ବିଭାଗୀୟ ମନ୍ତ୍ରୀ ଓ ସଚିବ ଆନ୍ତରିକତାର ସହ ନିଜ ଦାୟିତ୍ୱ ପ୍ରତି ସଚେତନ ଥାଆନ୍ତେ, ଏହି ମିସନ୍ ଅର୍ଥରେ ବି ସ୍ୱାସ୍ଥ୍ୟସେବାର ଉନ୍ନତି ହୋଇ ସାରନ୍ତାଣି । ମିସନ୍ର ଅଜସ୍ର ଅନୁଦାନ ସତ୍ୱେ ଆମେ ଯଦି ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଧାରି ପାରିଲୁ ନାହିଁ କି ପ୍ରତି ମା’ ପାଖରେ ତା’ର ଅଧିକାର ପହଂଚାଇ ପାରିଲୁ ନାହିଁ, ତେବେ ଭଗବାନ୍ ବି ଆମକୁ କ୍ଷମା ଦେବେ ନାହିଁ । ଆଜି ପର୍ଯ୍ୟନ୍ତ କାହିଁକି କୌଣସି ଜଣେ ମନ୍ତ୍ରୀ କି ସଚିବ ସ୍ୱାସ୍ଥ୍ୟସେବା ଜନିତ ତୃଟି ପାଇଁ ଉତର ଦାୟିତ୍ୱ ନେଉ ନାହାନ୍ତି? ରାଜ୍ୟରେ ମା’ ମାନଙ୍କ ପାଇଁ ଯୋଜନାର ଅଭାବ ନଥିବାବେଳେ ସରକାରୀ ସ୍ତରରେ ପ୍ରତିଦିନ ନୂଆ ନୂଆ ନିଷ୍ପତି ଓ ପଦକ୍ଷେପ ଘୋଷଣା କରାଯାଉଛି । ହେଲେ ସବୁ କିଛି ଫେଲ୍! କାହିଁକି? ଆଜି ପର୍ଯ୍ୟନ୍ତ କାହିଁକି କୌଣସି ପ୍ରକଳ୍ପ, ଆଇନ୍ ଓ ପଦକ୍ଷେପ ଆମ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆଦର୍ଶ କରିପାରି ନାହିଁ, ତାହାର ଉତର ଦେବା କ’ଣ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର ଉତର ଦାୟିତ୍ୱ ନୁହେଁ? ଅତୀତରେ ରାଜତନ୍ତ୍ରରେ ପ୍ରାୟତଃ ପ୍ରଜାଙ୍କ ପ୍ରତି ରାଜାଙ୍କର ଉତର ଦାୟିତ୍ୱ ନଥିଲା । ଏବେ ଆମ ରାଜ୍ୟରେ କ’ଣ ସତରେ ରାଜତନ୍ତ୍ର ଚାଲିଛି? ମୁଖ୍ୟମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଓ ସଚିବ ଉତର ଦାୟିତ୍ୱ ନିର୍ବାହ ନ କରିବା ପର୍ଯ୍ୟନ୍ତ ରାଜ୍ୟରେ ମାତୃ ଓ ଶିଶୁ ମୃତୁ୍ୟହାର ତଥା ଗ୍ରାମାଂଚଳ ସ୍ୱାସ୍ଥ୍ୟସେବାର ବିକାଶ ଅସମ୍ଭବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି । (ଶରତ କୁମାର ରାଉତଙ୍କ ରିପୋର୍ଟ) ।