ବିଜୟ ମହାପାତ୍ର ବିଜେଡି ନା ଆଂଚଳିକ ଦଳରେ ଯୋଗ ଦେବେ?
ବିଜେପି ଦଳର ଅନ୍ୟତମ ବରିଷ୍ଠ ନେତା ବିଜୟ ମହାପାତ୍ର ଓ ରାଉରକେଲା ବିଧାୟକ ଦିଲ୍ଲିପ ରାୟ ବିଜେପିରୁ ଇସ୍ତଫା ଦେଇଛନ୍ତି । କାରଣ ସେମାନେ ଯାହା କହିଥାନ୍ତୁ ନା କାହିଁକି, ଏଇ ଦୁଇ ନେତା ବିଜେପିରୁ ଅନେକ ଦିନରୁ ଇସ୍ତଫା ଦେବେ ବୋଲି ଜଣା ପଡିଥିଲା । କଥାଟି ସ୍ପଷ୍ଟ ହୋଇଥିଲା, ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଆସିଥିବା ସମୟରେ ରାଜଭବନ ଛକରେ ତାଙ୍କୁ ସ୍ୱାଗତ ଜଣାଇବାକୁ ଉପସ୍ଥିତ ଥିବା ବିଜୟ ମହାପାତ୍ର ଯେତେବେଳେ ତାଙ୍କ ହାତକୁ ପୁଷ୍ପଗୁଛ ବଢାଇଥିଲେ, ସେ ତାକୁ ଏଡାଇ ଯାଇଥିଲେ । ‘ସମଝଦାରୋ କେ ଲିଏ ଇଶାରା କାଫି ହେ’ ନୀତିରେ ଏଥିରୁ ସ୍ପଷ୍ଟ ହୋଇ ଯାଇଥିଲା ଯେ ଦଳରେ ବିଜୟଙ୍କର ଆଉ କୌଣସି ସ୍ଥିତି ନାହିଁ ।
ସେ କେବଳ ଯାହା ସମୟକୁ ଅପେକ୍ଷା କରିଥିଲେ । ନିର୍ବାଚନର ଅବ୍ୟବହିତ ପୂର୍ବରୁ ନେତାମାନଙ୍କର ଚଳପ୍ରଚଳ ହୁଏ । କିନ୍ତୁ ଓଡିଶାରେ ବୈଜୟନ୍ତ ପଣ୍ଡା ବିଜେଡିରୁ ବାହାରିବା ପରେ କିଛି ଗୋଟାଏ ହେବ ବୋଲି ଅନେକ ଆଶା କରୁଥିଲେ । ସେତେବେଳେ କୁହାଯାଉଥିଲା, ବୈଜୟନ୍ତ ଦିଳ୍ଲିପ ଓ ବିଜୟଙ୍କ ସହ ମିଶି ଏକ ଆଂଚଳିକ ଦଳ ଗଠନ କରିବେ ଅଥବା ବିଜେପିରେ ଯୋଗ ଦେବେ । ମାତ୍ର କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ମୁସଲିମ ଭୋଟ ଅଧିକ ଥିବାରୁ ବିଜେପି ତାଙ୍କ ପାଇଁ ଜିତିବାର ବାଟ ସୁଗମ କରିପାରିବ ନାହିଁ । ଏକଥା ଜାଣିବା ପରେ ଏବେ ଆଂଚଳିକ ଦଳ ଗଠନ ପାଇଁ ଅଧିକ ତତ୍ପର । କିନ୍ତୁ ବିଜୟ ଓ ଦିଲ୍ଲିପ ତାଙ୍କ ସହ ରହିବେ କି ନାହିଁ, ତାହାକୁ ନେଇ ଚର୍ଚ୍ଚା ଚାଲିଛି । ବିଜୟ ଓ ଦିଲ୍ଲିପଙ୍କର ପ୍ରଥମ ପସନ୍ଦ ହେଉଛି, ବିଜେଡି । ଯଦି ବିଜେଡିରେ ତାଙ୍କ ଯୋଗଦାନ କୌଣସି କାରଣୁ ସମ୍ଭବ ହେବ ନାହିଁ, ତେବେ ଏକ ଆଂଚଳିକ ଦଳ ଗଠନ ହେବ ।
ବିଜେଡିରେ ଏବେ ଅନେକ ପରିବର୍ତନ ହେବ । କୁହାଯାଉଛି, ଯେହେତୁ ନବୀନବାବୁ ମହିଳାଙ୍କ ପାଇଁ ୩୩ ଭାଗ ସଂରକ୍ଷଣର କଥା ଉଠାଇଛନ୍ତି, ତେଣୁ ଆସନ୍ତି ନିର୍ବାଚନରେ ଚାଳିଶରୁ ଅଧିକ ମହିଳାଙ୍କୁ ସେ ପ୍ରାର୍ଥୀ କରିବେ । ଯେଉଁସବୁ ଆସନରୁ ମହିଳା ପ୍ରାର୍ଥୀ ହେବେ, ସେଠାର ନେତାମାନଙ୍କୁ କିପରି ଥଇଥାନ କରାଯିବ? ତାହା ହେଉଛି ସବୁଠାରୁ ବଡ ସମସ୍ୟା ବିଜେଡି ପାଇଁ । କାରଣ ଏଇ ସବୁ ନେତାମାନେ ବିଦ୍ରୋହ କରିବେ । ସେମାନଙ୍କୁ ପରିଷଦର ଲୋଭ ଦେଖାଇ ସନ୍ତୁଷ୍ଟ କରାଯିବ । କିନ୍ତୁ ନେତାମାନେ ଏହାକୁ ନେଇ ମେଳି ବାନ୍ଧିବା ଆରମ୍ଭ କରଦେଲେଣି । ବିଭିନ୍ନ ନେତାଙ୍କ ମଧ୍ୟରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ଏମିତିକି ଯଦି ଏକ ଆଂଚଳିକ ଦଳ ଗଠନ କରାଯାଏ, ତେବେ କିଛି ନେତା କଂଗ୍ରେସ ସହିତ ମେଂଟ କରି ନିର୍ବାଚନ ଲଢିବାକୁ ତୟାର । ଯଦି ଏପରି ହୁଏ, ତେବେ ବିଜେଡି ହାରିବା ସହଜ ହେବ ।
ନିର୍ବାଚନ ଯେତେେ ପାଖେଇ ଆସୁଛି, ରାଜନୈତିକ ଦୃଶ୍ୟପଟ ସେତେ ଗଣ୍ଡଗୋଳିଆ ହେବାରେ ଲାଗୁଛି । ନବୀନବାବୁ ଜିତିବାର ବାଟ ସୁଗମ କରିବା ପାଇଁ ଚାଷୀ, ମହିଳା, ଚାକିରିଜୀବି, ଚିଟଫଣ୍ଡ ନାମରେ ଏକଜୁଟ ହେଉଥିବା ଭୋଟ ବିରୋଧୀ ଭୋଟରମାନଙ୍କୁ ଏକାଠି କରିବାକୁ ଉଦ୍ୟମ କରୁଛନ୍ତି । ତାଙ୍କ ପାଇଁ ନେତା ନୁହଁନ୍ତି । ଭୋଟ ବ୍ୟାଙ୍କ ତିଆରି କରିବା ହେଉଛି ସବୁଠାରୁ ବଡ କାମ । ଏଥିପାଇଁ ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଉଥିବାରୁ ବରିଷ୍ଠ ନେତାମାନେ କ୍ଷୁବ୍ଧ । କାରଣ ଯୁବ ଓ ବୁଢାଙ୍କ ଭିତରେ ବିଜେଡିରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇଯାଇଛି ।
ଏପରି ଅବସ୍ଥାରେ ବିଜୟଙ୍କୁ ଚାହାନ୍ତି, ବୁଢା ଗୋଷ୍ଠୀ । ତାଙ୍କର ଯୁକ୍ତି ହେଉଛଇ, ବିଜୟ ମହାପାତ୍ର ଆସିଲେ, ତାଙ୍କ ଥବବା ନିଜସ୍ୱ ସଂଗଠନ ଭୋଟ ବେଳେ ବିଜେହି ପାଇଁ କାମ କରିବେ । ହୁଏତ ତାଙ୍କୁ କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇପାରେ । ସେ ବୈଜୟନ୍ତଙ୍କୁ ଟକ୍କର ଦେଇ ପାରିବେ । ସେଇପରି ଦିଲ୍ଲିପ ରାଜ୍ୟସଭାକୁ ଯିବାକୁ ଅଧିକ ଆଗ୍ରହୀ । ଶୁଣାଯାଏ, କିଛି ଯୁବ ନେତା ଦଳରେ ବିଜୟଙ୍କ ଉପସ୍ଥିତି ଚାହାନ୍ତି । ଦିନକୁ ଦିନ ରାଜନୀତି ଗୋଲିଆ ହୋଇଯାଉଛି । ଦଳ ଭିତରେ ଖାଲି ନୁହେଁ, ଲୋକଙ୍କ ଭିତରେ ସରକାର ବିରୋଧରେ ଅସନ୍ତୋଷ ଦେଖାଦେଲାଣି । ୧୮ ବର୍ଷ ଧରି କ୍ଷମତାରେ ରହିବା ଫଳରେ ଲୋକଙ୍କ ଭିତରେ ନିରାଶାଭାବ ଦେଖାଦେଇଛି । କେବଳ ଟଙ୍କକିଆ ଚାଉଳ କଥ କହି ବହୁ ଦିନ ଧରି ଲୋକଙ୍କୁ ଭୁଲାଇ ହେବ ନାହିଁ ।
ଗୋଟାଏ ଗୋଟାଏ ନିର୍ବାଚନ ମଣ୍ଡଳୀରେ ବିଜେହି ୫ ଥରରୁ ଅଧିକ ଜଣେ ନେତା ଜିତିଲେଣି । ଦଳ ଭିତରେ ସେଇ ନେତାଙ୍କୁ ଆଉ ଟିକେଟ ନ ଦେବାକୁ ଦାବି ହେଉଛି । କାରଣ ଦ୍ୱିତୀୟ ଧାଡିର ନେତାମାନେ ମଧ୍ୟ କ୍ଷମତା ପାଇବାକୁ ଆଗ୍ରହୀ । ପ୍ରଥମ ଧାଡିର ନେତା କ୍ଷମତା ଛାଡିବାକ ନାରାଜ । ଏମିତଭାବେ ବିଜେଡି ଦଳ ଭିତରେ ଦୁଇ ଗୋଷ୍ଠୀ ହୋଇଯାଇଛନ୍ତି । ଯାହାର ପ୍ରଭାବ ଆସନ୍ତା ନିର୍ବାଚନରେ ପଡିବ । ବିଜେଡି ମଧ୍ୟ ନୂଆ ମୁହଁ ଖୋଜୁଛି । ଯେଉଁ ନେତାଙ୍କ ବିରୋଧରେ ଲୋକଙ୍କ ଅସନ୍ତୋଷ ରହିଛି, ସେମାନଙ୍କୁ ଟିକେଟ ନଦେଇ କିପରି ସନ୍ତୁଷ୍ଟ କରାଯିବ ତାହା ବିଜେହି ଦଳ ପାଇଁ ସବୁଠାରୁ ବଡ ସମସ୍ୟା ।
ଏପରି ଅବସ୍ଥାରେ ବିଜୟ ମହାପାତ୍ର ଦଳ ପାଇଁ କଣ କରିପାରିବେ, ତାହା ସବୁଠାରୁ ବଡ ପ୍ରଶ୍ନ । କାରଣ ଯୁବ ଗୋଷ୍ଠୀ ବିଜୟଙ୍କୁ ନେଇ ସେତେଟା ଆଶାବାଦୀ ନୁହଁନ୍ତି । ଦଳ ପାଇର୍ ସେ କେତେ ଆସେଟ ହୋଇ ପାରିବେ ତାହା ହେଉଛି ସବୁଠାରୁ ବଡ କଥା । ଦିଲ୍ଲିପ ରାୟ ପଶ୍ଚିମ ଓଡିଶାର ନେତା ହୋଇଥିବାରୁ ଦଳ ତାଙ୍କୁ ନେବା ପାଇଁ ଆଗହୀ । ତାଙ୍କ ବିନା ସହଯୋଗରେ ରାଉରକେଲା ସହ ଆଉ ଦୁଇଟି ବିଧାନ ସଭା ଆସନରେ ବିଜେଡି ଜିତିବା ସହଜ ନୁହେଁ । ଏହାଛଡା ସୁନ୍ଦରଗଡ ଜିଲ୍ଲା ପାଇଁ ତାଙ୍କର ସହଯୋଗ ଦରକାର । ଉଭୟେ ଆର୍ଥିକ ଓ ସାଙ୍ଗଠନିକ । ଦୁଇଟଯାକ ଦିଲ୍ଲିପ ଯୋଗାଇଦେଇ ପାରିବେ ।
ଯଦି ଏି ଦୁଇ ନେତା ବିଜେଡି ଯୋଗ ଦିଅନ୍ତି, ତେବେ ବିଜେଡିର ବିଜୟ ସୁଗମ ହୋଇପାରିବ କି? ତାହା ଏବେଠାରୁ କହିବା ସମ୍ଭବ ହୋଇନପାରେ । କାରଣ ନିର୍ବାଚନ ଅନେକ ଦିନ ଅଛି । ପ୍ରତିଦିନ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି । ଯଦି ଆଂଚଳିକ ଦଳରେ ଏଇ ସବୁନେତା ସାମିଲ ହୁଅନ୍ତି ଓ କଂଗ୍ରେସ ସହ ଆସନ ବୁଝାମଣା କରନ୍ତି, ତେବେ ବିଜୟ ସହଜ ହେବ କି? ସେ ନେଇ ଆଲୋଚନା ଚାଲିଛି । ଏହା ଭିତରେ କଂଗ୍ରେସ ପ୍ରଦେଶ ସଭାପତି ବିଭିନ୍ନ ଛୋଟ ଛୋଟ ଦଳ ସହ ଆସନ ବୁଝାମଣା କରିବାକୁ ଚାହେଁ ବୋଲି କହି ସାରିଛନ୍ତି । ଯଦି କଂଗ୍ରେସ ଛୋଟ ଛୋଟ ଦଳ ସହ ମିଶି ନିର୍ବାଚନ ଲଢେ, ତେବେ ନିର୍ବାଚନରେ ସଫଳ ହୋଇପାରିବ କି? ସେ ବିଷୟରେ ସମୀକ୍ଷା ଚାଲିଛି ।
ଏବେ ବିଜୟଙ୍କ ପାଖରେ ଦୁଇଟି ରାସ୍ତା । ବିଜେଡିରେ ଯୋଗ ଦେବେ । ନଚେତ ଆଂଚଳିକ ଦଳରେ ଯୋଗ ଦେବେ । କଂଗ୍ରେସକୁ ଯିବା ସମ୍ଭବ ନୁହେଁ । କାରଣ, କଂଗ୍ରେସରେ ଶ୍ରୀକାନ୍ତ ଜେନା କଂଗ୍ରେସରେ ଥିବା ପର୍ଯ୍ୟନ୍ତ ବିଜୟ ମହାପାତ୍ର କଂଗ୍ରେସକୁ ଯିବା ସହଜ ନୁହେଁ । ଏହା ପୂର୍ବରୁ ବହୁବାର ଉଦ୍ୟମ କରି ସେ ବିଫଳ ହୋଇଛନ୍ତି । ମାତ୍ର ଆଂଚଳିକ ଦଳ ଗଠନ କରି କଂଗ୍ରେସ ସହିତ ସିଟ ସେୟାରିଙ୍ଗ କରିପାରିବେ । ଏହା ଦ୍ୱାରା ଆସନ୍ତା ନିର୍ବାଚନର ଫଳାଫଳ କଣ ହେବ ତାହା ଏବେଠୁ କହିବା କଷ୍ଟକର ହେବ ।
(ସୁବାସ ଷଡଙ୍ଗୀଙ୍କ ରିପୋର୍ଟ)