ମୋଦି: ବିକାଶ ପୁରୁଷ ନା ବିଜ୍ଞାପନ ପୁରୁଷ!
କଥାଟି ଛୋଟ ହେଲେ ମଧ୍ୟ ଅତି ଗୁରୁତ୍ୱପୂର୍ଣ୍ଣ ।ଆଜିକାଲି ଟେଲିଭିଜନ ଚାନେଲଗୁଡିକୁ ଖୋଲିଲେ, ଦେଖାଯାଏ ସୌନ୍ଦର୍ଯ୍ୟବର୍ଦ୍ଧକ ସାବୁନ ବା କ୍ରିମ,ଜୀବାଣୁ ନାଶକ ତରଳପଦାର୍ଥ, ଦନ୍ତ ସୁରକ୍ଷା ପେଷ୍ଟ ଭଳି ବିଞାପନର ବର୍ଷା । ଆଜିକାଲିର ଖବରକାଗଜ ଭାଷାରେ ବର୍ଷା! ବିନା ଟେଲିଭିଜନ ବିଞାପନରେ ଏହିସବୁ ପଣ୍ୟ ପଦାର୍ଥର ବିକ୍ରି ସହଜ ନୁହେଁ । ପଣ୍ୟ ବଜାରରେ ତିଷ୍ଠି ରହିବାକୁ ହେଲେ,ଏହିସବୁ ପଦାର୍ଥକୁ ବିଞାପିତ କରିବାକୁ ହେବ, ତାହାପୁଣି ଅହରହ । କିନ୍ତୁ ଏହିସବୁ ପଣ୍ୟ ପଦାର୍ଥର ବିଞାପନକୁ ପଛରେ ପକାଇ ଦେଇଛି ବିଜେପି । ନଭେମ୍ବର ୧୦-୧୬ଏ ଏଇ ସପ୍ତାହ ମଧ୍ୟରେ ଟିଭି ବିଞାପନର ସଂଖ୍ୟା ହିସାବ କଲେ ବିଜେପିର ବି୍ୟାପନ ସବାଠାରୁ ବହୁ ଆଗରେ ବୋଲି ପ୍ରକାଶ କରିଛି ବାର୍କ । ବାର୍କ ହେଉଛି, ବ୍ରଡକାଷ୍ଟ ଅଡିଆନ୍ସ ରିସର୍ଚ କାଉନସିଲ । ଏହା ନିଜର ନିକଟତମ ପ୍ରତିଦ୍ୱନ୍ଦୀମାନଙ୍କୁ ବହୁ ପଛକୁ ଠେଲି ଦେଇଚି । ଅନେକ ଏହାକୁ ଅତି ହାଲକାଭାବେ ନେଇ ପାରନ୍ତି । କହିପାରନ୍ତି,ଆହା ଏବେ ରାଜନୈତିକ ଦଳଗୁଡିକ ପ୍ରଚାର ପାଇଁ ଅଧିକ ବିଞାପନ ଦେଉଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ଅନେକ ଏହକୁ ପରିହାସ କରୁଛନ୍ତି । କିନ୍ତୁ କଥାଟିକୁ ଏମିତି ସହଜରେ ହସରେ ଉଡାଇ ଦିଆଯାଇ ନପାରେ! ମୂଳକଥାଟି ହେଉଛି,ମୋଦିଙ୍କ ଜମାନାରେ ବିଜେପି ରାଜନୀତିର ମୂଳଧାରା । ୨୦୧୪ ମସିହା ସାଧାରଣ ନିର୍ବାଚନ ପୂର୍ବରୁ ନିଜ ଭାବମୂର୍ତିକୁ ବଦଳାଇ, ଗୁଜରାଟର ଦଙ୍ଗାର ସ୍ଥପତିରୁ ଭାରତର ବିକାଶ ପୁରୁଷ ଭାବେ ଭାରତୀୟଙ୍କ ନିକଟରେ ପ୍ରତିଷ୍ଠିତ ହେବା କିଛି କମକଥା ନୁହେଁ । ସେଥିପାଇଁ ସେ ଅବଶ୍ୟ ବିଶ୍ୱର ଶ୍ରେଷ୍ଠ ବିଞାପନ ଏଜେନସି ଗୁଡିକର ଶରଣାପନ୍ନ ହୋଇଥିଲେ! ଅନ୍ତର୍ଜାତୀୟ ଜନସଂଯୋଗ ସଂସ୍ଥାକୁ ନିଜ ପାଖକୁ ଡାକି ଆଣିଥିଲେ । ିସବୁଥିରୁ ସେ କିପରିଭାବେ ଲାଭାନ୍ୱିତ ହୋଇଛନ୍ତି,ତାହା ମୋଦି ଅମିତଶାହଙ୍କ ବ୍ୟତୀତ ଆଉ କିଏ ଅଧିକ ଜାଣିଛି?
ସେ ଦୃଷ୍ଟିରୁ ପାଂଚଟି ରାଜ୍ୟରେ ଯେଉଁ ନିର୍ବାଚନ ହେଉଛି, ସେଥିରେ ସେମାନେ ବିଞାପନ ଉପରେ ସବୁଠୁ ଅଧିକ ନିର୍ଭର କରିବେଏ ଏକଥା ଜଣାଥିଲା । ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଖରାପ କଥା ମଧ୍ୟ ନୁହେଁ । କଥା ହେଉଛି, ବିଞାପନ ବାବଦ ଅର୍ଥ ଯଦି କଳାଟଙ୍କା ନହୁଏ! ରାଜକୋଷରୁ ତାହା ଯଦି ଖର୍ଚ ହୋଇ ନଥାଏ! କେଉଁ ରାଜନୈତିକ ଦଳ ବିଞାପନରେ କେତେଟଙ୍କା ଖର୍ଚ କରିବ, ତାହା ତାର ଦଳୀୟ ବ୍ୟାପାର । କାରଣ ନିର୍ବାଚନୀ ରାଜନୀତିରେ ପ୍ରଚାର ଅପରିହାର୍ଯ୍ୟ । ଏଣୁ ଦଳ ଯଦି ବିଞାପନ ପାଇଁ ଟି.ଭି ଚାନେଲଗୁଡିକୁ ବ୍ୟବହାର କଲା, ସୋସିଆଲ ମିଡିଆର ଉପଯୋଗ କଲା, ଖବରକରଗଜକୁ ନିଜ ପ୍ରଚାର ପାଇଁ ଉପଯୋଗ କଲା, ଏଥିରେ ଅନ୍ୟମାନଙ୍କର ଅଭିଯୋଗ କରିବାର କିଛି କାରଣ ନାହିଁ ।
ଅନେକ କହୁଛନ୍ତି, ବିଜେପି ଯେଉଁ ବିଞାପନ ଦେଉଛି, ତାହା ମିଥ୍ୟା ବା ଅର୍ଦ୍ଧସତ୍ୟ । ତେବେ ଏଥିପାଇଁ କେବଳ ଭାରତୀୟ ଜନତା ପାର୍ଟିକୁ ଦୋଷ ଦେଇ ଲାଭ ନାହିଁ । କାରଣ ସବୁ ସଂସ୍ଥା ବିଞାପନ ମାଧ୍ୟମରେ ନିଜ ପଣ୍ୟକୁ ବଢେଇ ଚଢେଇ ପ୍ରଚାର କରିଥାନ୍ତି । ଆଉ ତାହାହିଁ ହେଉଛି, ବିଞାପନର ମୂଳ ଉଦେ୍ଦଶ୍ୟ । ବିଜେପି ରାଜନୀତିକୁ ଏକ ପଣ୍ୟରେ ପରିଣତ କରିଦେଇଛି- ଯେଉଁମାନେ ଏଭଳି ଅଭିଯୋଗ କରୁଛନ୍ତି, ସେମାନେ ମନେ ରଖିବା ଦରକାର ବିଜେପିର ଏଇ ମିଥ୍ୟା ଏବଂ ଅର୍ଦ୍ଧସତ୍ୟ ପ୍ରଚାରକୁ ଭାଙ୍ଗିଚୁରମାର କରିଦେବାର କାମ ହେଉଛି, ବିରୋଧୀ ଦଳର । ଗୋଟିଏ ନୁହେଁ, ସବୁ ବିରୋଧୀ ରାଜନୈତକ ଦଳର । ମାତ୍ର ସେଇ କାମରେ ସେମାନେ ଏବେ ବ୍ୟର୍ଥ । ଏହାର ଉତର ଦାଇତ୍ୱ ବିପରନ ଉପରେ ଲଦିଦେବା ଠିକ ନୁହେଁ ।
ବିଞାପନରେ ପ୍ରଭୂତ ଅର୍ଥ ଖର୍ଚ କରିବାର ମୂଳ ଉଦବେଗର କାରଣଟି ଅନ୍ୟତ୍ର । ନରେନ୍ଦ୍ର ମୋଦି ଭାରତୀୟ ସମ୍ବାଦମାଧ୍ୟମ ସହିତ କଥା ହୁଅନ୍ତି ନାହିଁ ବା ସମ୍ବାଦିକ ସମ୍ମଳନୀ ଡାକନ୍ତି ନାହିଁ । ହାତ ଗଣତି କିଛି ଟି.ଭି/ ଖବରକାଗଜବାଲାଙ୍କୁ ଛାଡି ଦେଲେ ଅନ୍ୟ କାହାକୁ ସାକ୍ଷାତକାର ଦିଅନ୍ତି ନାହିଁ । ସାଧାରଣ ଲୋକଙ୍କ ପାଖରେ ନିଜର କଥା ପହଂଚାଇବା ପାଇଁ, ତାଙ୍କ ପୂର୍ବରୁ ଦଳମତ ନିର୍ବିଶେଷରେ, ସବୁ ରାଜନୈତିକଦଳ ଗଣ ମାଧ୍ୟମଗୁଡିକ ଉପରେ ନିର୍ଭରଶୀଳ ଥିଲେ । ନରେନ୍ଦ୍ର ମୋଦି ଏହାକୁ ଖାତିର ନକରି ନିଜସ୍ୱ ମାଧ୍ୟମ ସୃଷ୍ଟି କରିଛନ୍ତି । ସୋସିଆଲ ମିଡିଆ ଓ ବିଞାପନ ଉପରେ ଅଧିକ ନିର୍ଭର କରୁଛନ୍ତି । ଗୋଟାଏ ପଟରେ ସୋସିଆଲ ମିଡିଆ ଓ ଅନ୍ୟପଟରେ ବିଞାପନ । ସାଧାରଣ ଲୋକଙ୍କ ନିକଟରେ ପହଂଚିବାର ଇଏ ହେଉଛି, ଦୁଇଟି ବଳିଷ୍ଠ ମାଧ୍ୟମ । ପ୍ରଯୁକ୍ତି ତାଙ୍କୁ ସୁଯୋଗ ଦେଇଛି । ରାଜନୈତିକ ଦୃଷ୍ଟିରୁ ଏହା ଅତି ତାତ୍ପର୍ଯ୍ୟପୂର୍ଣ୍ଣ । କାରଣ ପ୍ରଥାଗତଭାବେ ଖବରକାଗଜ ମାଧ୍ୟମରେ ସାଧାରଣ ଲୋକଙ୍କ ପାଖରେ ପହଂଚିବାକୁ ହେଲେ, ସମ୍ବାଦିକଙ୍କ ପ୍ରଶ୍ନର ଉତର ଦେବାକୁ ହେବ । ସବୁ ସାମ୍ବାଦିକ ପୂର୍ବନିର୍ଦ୍ଦିଷ୍ଟ ପ୍ରଶ୍ନ ପଚାରିବାକୁ ଚାହାନ୍ତି ନାହିଁ ଅନେକ ଅପ୍ରିୟ ପ୍ରଶ୍ନ ପଚାରିବାକୁ ଚାହାନ୍ତି । ସୋସିଆଲା ମିଡିଆ ବା ବିଞାପନରେ ସେ ଭୟ ନାହିଁ । ଏଣୁ ନରେନ୍ଦ୍ର ମୋଦି ସେଇସବୁ ଅପ୍ରିୟ ପ୍ରଶ୍ନକୁ ସହଜରେ ଏଡାଇ ଯାଇପାରିଛନ୍ତି । ଯାହାଫଳରେ ତାଙ୍କ ଦଳର ଦୋଷତୃଟି ବାହାରକୁ ଆସିବାର କୌଣସି ଉପାୟ ନାହିଁ । ଭୁଲ ହେଉ ବା ଠିକ ହେଉ, ଲୋକଙ୍କ ପାଖରେ ସେ ବାର୍ତା ପହଂଚିବ ।
ଆଉ ସେଇ ଅପ୍ରିୟ ସତ୍ୟଟି ହେଲା ‘ତିନି ତୁଣ୍ଡରେ ଛେଳି କୁକୁର’ । ଗୋଟାଏ ମିଛକୁ ବାରମ୍ବାର ସତ ବୋଲି ପ୍ରଚାର କଲେ ଲୋକମାନେ ତାକୁ ସତ ବୋଲି ଧରି ନିଅନ୍ତି । ଏହା ଗଣତନ୍ତ୍ର ପାଇଁ ମାରାତ୍ମକ । ସେ ଦୃଷ୍ଟିରୁ ବିଜେପିର ବିଞାପନ ଖର୍ଚ ନେଇ ପରିହାସ କରାଯାଉଥିଲେ ମଧ୍ୟ ତାହା ଖୁବ ଉଦବେଗର ବିଷୟ । ଗଣତନ୍ତ୍ରକୁ ନେଇ ଉଦବେଗ ।
ପାଂଚଟି ରାଜ୍ୟରେ ନିର୍ବାଚନ ହେଉଛି । ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ରାଜସ୍ଥାନ ଓ ମିଜୋରାମ । ଏଇ ସମୟରେ ବିଜେପି ପକ୍ଷରୁ ଯେଉଁ ସବୁ ବିଞାପନ ଦିଆଯାଇଛି, ସେ ସମ୍ପର୍କରେ ପ୍ରକାଶ କରିଛି,ବ୍ରଡକାଷ୍ଟ ଅଡିଆନ୍ସ ରିସର୍ଚ କାଉନସିଲ । ତାର ସମୀକ୍ଷା ଅନୁଯାୟୀ ଟିଭି ଚାନେଲରେ ସବୁଠାରୁ ଅଧିକ ବିଞାପନ ହେଉଛି, ବିଜେପିର । ଦ୍ୱିତୀୟ ସ୍ଥାନରେ ରହିଛି, ଏକ ଭିଡିଓ ସଂସ୍ଥାର ଆପ । ତୃତୀୟ ସ୍ଥାନରେ ରହିଛି, ପର୍ଯ୍ୟଟନ ସହିତ ସଂଶ୍ଲିଷ୍ଠ ଏକସଂସ୍ଥା । ବିଜେପି ସହିତ ଏଇ ସମୟରେ ତାଳ ଦେଇ ପାରି ନାହାନ୍ତି, ବହୁଜାତୀୟ ସଂସ୍ଥା ଦ୍ୱାରା ଏଇ ପ୍ରସ୍ତୁତ ପଣ୍ୟଗୁଡିକ । ସାଧାରଣ ଭାବେ ଶୀତଦିନେ ପଣ୍ୟଗୁଡିକର ବିଞାପନଗୁଡିକ ଅଧିକ ଦୃଶ୍ୟମାନ ହୁଏ । ଏଇ ସପ୍ତାହ ମଧ୍ୟରେ ବିଜେପିର ବିଞାପନ ପରିଦୃଶ୍ୟ ହୋଇଛି ଟିଭିରେ ୨୨୦୯୯ ଥର । ଦ୍ୱିତୀୟରେ ଥିବା ବିଞାପନଦାତା କମ୍ପାନୀର ଦେଖାଇଛି,୧୨୯୫୧ ଥର । ଫରକଟା ସହଜରେ ଜଣା ପଡିଯାଏ । ଅନ୍ୟମାନଙ୍କ କଥା ନିଆରା ।
ସେ ଦୃଷ୍ଟିରୁ ଦେଖବାକୁ ଗଲେ କଂଗ୍ରେସ ଦଳର ବିଞାପନ କାହିଁକେତେ ତଳେ । ତାର ହିସାବ କରାଯାଇ ପାରିବ ନାହିଁ ।
ରାଜନୀତି ଆଜି ବହୁଜାତିକ ସଂସ୍ଥାର ପଣ୍ୟଭାବେ ପରିଣତ । ଯାହକୁ ନେଇ ଦିନେ ଲୋକେ ଗର୍ବ କରୁଥିଲେ, ବିଜେପିବାଲା ଟିକେ ଟିକେ କଥାରେ ଗଣତନ୍ତ୍ରର ଦ୍ୱାହି ଦେଉଥିଲେ, ତାହା ଆଜି କେଉ ଁସ୍ତରରେ ପାଠକେ ବିଚାର କରି ପାରିବେ ।
ସୁବାସ ଷଡଙ୍ଗୀ, ମୋ-୯୪୩୯୬୫୨୩୨୨