ହାଇଦ୍ରାବାଦ ମିଶ୍ରଣରେ ପଟେଲଙ୍କ ଭୂମିକା

ହାଇଦ୍ରାବାଦ ମିଶ୍ରଣରେ ପଟେଲଙ୍କ ଭୂମିକା

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
୧୯୪୭ ମସିହା ଅଗଷ୍ଟ ୧୫ ତାରିଖ ଦିନ ଇଂରେଜ ମାନେ ଭାରତକୁ ସ୍ୱାଧିନତା ଦେବା ସଙ୍ଗେ ସଙ୍ଗେ ଦୁଇଟି ରାଷ୍ଟ୍ରରେ ବିଭକ୍ତ କରିଦେଲେ । ଖାଲି ସେତିକି ନୁହେଁ ସେହିଦିନ ମଧ୍ୟ ରାତ୍ରିରେ ଏହି ଉପମହାଦେଶରେ ବିଂଚି ହୋଇ ରହିଥିବା ୫୬୫ଟି ଦେଶିୟ ରାଜ୍ୟ ବା ପ୍ରିନ୍ସଲିଷ୍ଟେଟଙ୍କୁ ବସ୍ତୁତ ଗୋଟିଏ ଗୋଟିଏ ସ୍ୱାଧିନ ରାଷ୍ଟ୍ରର ମାନ୍ୟତା ଦେଇଦେଲେ । ଇଂରେଜ ମାନଙ୍କର ଇଚ୍ଛାଥିଲା ବହୁ ଭାଗରେ ବିଭକ୍ତ ଏହି ଦେଶର ରାଜ୍ୟ ମାନେ ପରସ୍ପର ମଧ୍ୟରେ ବିବାଦରେ ଲିପ୍ତ ହୋଇ କ୍ରମେ ଦୁର୍ବଳ ହୋଇଯିବେ ଓ ପୁଣିଥରେ ଇଂରେଜ ମାନଙ୍କୁ ଏ ଦେଶକୁ ଡାକି ଆଣିବେ । ଏହି ସ୍ୱପ୍ନକୁ ଚରିତାର୍ଥ କରିବାକୁ ଭାରତରେ ଅବସ୍ତାପିତ ଇଂରେଜ ଗଭର୍ଣର ଜେନେରାଲ ଲର୍ଡମାଉଂଟ ବ୍ୟାଟେନ, ଲଣ୍ଡନରେ ଇଂଣ୍ଡିଆ ସେକ୍ରେଟାରି, କୋରାଫିଲ ସାହେବ ଓ ହାଇଦ୍ରାବାଦରେ ଅବସ୍ଥାପିତ ବି୍ରଟିଶ ରେସିଡେଂଟ ମେକନଟନ୍ ସଂପୃକ୍ତ ଥିଲେ । ମାତ୍ର ତାଙ୍କ ବାଟରେ ବାଧକ ସାଜିଲେ ଭାରତର ଗୃହ ମନ୍ତ୍ରୀ ଲୌହମାନବ ସରଦାର ପଟେଲ । ସେ ଇଂରେଜ ମାନଙ୍କ ଠାରୁ ପ୍ରତିଶୃତି ଆଦାୟ କଲେ ଯେ, କୈାଣସି ଦେଶିୟ ରାଜ୍ୟ ବି୍ରଟିଶ କମନୱେଲଥ୍ର ସଭ୍ୟ ହୋଇ ପାରିବ ନାହିଁ, ତାହେଲେ ସ୍ୱାଧିନ ଭାରତ କମନୱେଲଥ୍ରେ ଯୋଗଦେବ । ଦେଶିୟ ରାଜା ମାନଙ୍କୁ ସେ ପରିଷ୍କାର କହିଦେଲେ ଯେ, ଭାରତରେ ଯୋଗ ନଦେଲେ ତାଙ୍କ ରାଜ୍ୟର ଲୋକମାନେ ତାଙ୍କୁ ମାରି ଘଉଡେଇ ଦେବେ । ସେତେବେଳେ ତାଙ୍କୁ ଭାରତ ସୁରକ୍ଷା ଦେବ ନାହିଁ । ଏହା ଫଳରେ ଅଧିକାଂଶ ଦେଶିୟ ରାଜ୍ୟ ସ୍ୱାଧିନତା ପରେ ପରେ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କରିଦେଲେ । କିନ୍ତୁ ହାଇଦ୍ରାବାଦ୍, କାଶ୍ମିର, ଟ୍ରାଭାଙ୍କର, ଭୋପାଳ, ଜୁନାଗଡ ଓ ଯୋଧପୁର ଭଳି କେତେକ ବୃହତ୍ ଦେଶିୟ ରାଜ୍ୟ ମିଶ୍ରଣ ଚୁକ୍ତିକୁ ଏଡାଇ ନାନା ହଟଚମଟ ସୃୃଷ୍ଟିକଲେ । ଶେଷକୁ କେବଳ ହାଇଦ୍ରାବାଦ୍ ଭାରତରେ ନମିଶି ସମୟ ଗଡେଇବାକୁ ଲାଗିଲା ।
ଭାରତ ସହ ହାଇଦ୍ରାବାଦର ମିଶ୍ରଣ ପଟେଲଙ୍କ ରାଜନୈତିକ ଜୀବନର ଶ୍ରେଷ୍ଠ ସଫଳତା । ଏହି ରାଜ୍ୟର କ୍ଷେତ୍ରଫଳ ପ୍ରାୟ ୮୦ ହଜାର ବର୍ଗ ମାଇଲ, ଆୟତନରେ ଏହାଫ୍ରାନ୍ସ ସହ ସମାନ । ଲୋକ ସଂଖ୍ୟା ୨କୋଟି । ୧୭୨୪ ମସିହାରେ ପ୍ରଥମ ନିଜାମ, ନିଜାମ୍ଉଲ୍ମୁଲକ୍ ବା ଆସବ୍ଝା-୧ ମୋଗଲ ସାମ୍ରାଜ୍ୟରୁ ଓହରି ଯାଇ ସ୍ୱାଧିନ ହାଇଦ୍ରାବାଦ୍ ରାଜ୍ୟ ପ୍ରତିଷ୍ଠା କରିଥିଲେ । ସେତେବେଳକୁ ସାତ ପୁରୁଷ ଧରି ଏହି ବଂଶ କ୍ଷମତାରେ ରହିଆସିଥିଲେ ଓ ଏମାନେ ଆରବର ଖଲିଫାଙ୍କ ସହିତ ରକ୍ତ ସଂପର୍କ ଦାବି କରୁଥିଲେ ଓ ସାରା ଭାରତର ମୁସଲମାନ ମାନେ ତାଙ୍କୁ ସମ୍ମାନ କରୁଥିଲେ । ନିଜାମ୍ ବି୍ରଟିଶ ସରକାରଙ୍କର ଏକାନ୍ତ ଅନୁଗତ ସହଯୋଗି ରାଜ୍ୟର ମାନ୍ୟତା ପାଇଥିଲେ । ଭାରତିୟ ଶାସକ ମାନଙ୍କ ମଧ୍ୟରୁ ସେ ପ୍ରଥମେ ସାମନ୍ତ ସନ୍ଧିରେ ସ୍ୱାକ୍ଷର କରିଥିଲେ, ସିପାହି ବିଦ୍ରୋହ, ମହିଶୁର ଯୁନ୍ଧ ଓ ମରହଟ୍ଟା ମାନଙ୍କ ଯୁନ୍ଧ ବେଳେ ସେ ଇଂରେଜ ମାନଙ୍କୁ ସାହାଯ୍ୟ ଦେଇଥିଲେ ।
ନିଜାମଙ୍କ ରାଜ୍ୟରେ ସ୍ୱତନ୍ତ୍ର ବ୍ୟାଙ୍କ, ସ୍ୱତନ୍ତ୍ର ମୁଦ୍ରା ବ୍ୟବସ୍ଥା, ରେଳପଥ, ପୋଷ୍ଟାଲ ବ୍ୟବସ୍ଥା ଓ ସ୍ୱତନ୍ତ୍ର ନ୍ୟାୟପାଳିକା ବ୍ୟବସ୍ଥା ଥିଲା । ତାଙ୍କର ରାଜ୍ୟରେ ୨୨ହଜାର ସଂଖ୍ୟା ବିଶିଷ୍ଟ ଏକ ସୁଶିକ୍ଷିତ ସୈନ୍ୟ ବାହିନି ଥିଲା । ଯେଉଁଥିରେ ସେ ମୁଖ୍ୟତଃ ତୁର୍କ, ଆଫଗାନ୍, ରୋହିଲା ଓ ୟୁରୋପିୟାନ ମାନଙ୍କୁ ନିଯୁକ୍ତି ଦେଇଥିଲେ । ଏଲ୍ ଏଡ୍ରୋ ନାମକ ଜଣେ ଆରବୀ ତାଙ୍କର ପ୍ରଧାନ ସେନାପତି ଥିଲେ । ତାଙ୍କ ରାଜ୍ୟର ଏକ ନିଜସ୍ୱ ବିମାନ ଘାଟି ଥିଲା । ମିରଲାୟ୍କ ଅଲ୍ଲି ନାମରେ ଜଣେ କଠୋରପନ୍ଥି ମୁସଲମାନ ତାଙ୍କର ପ୍ରଧାନମନ୍ତ୍ରୀ ଥିଲେ । ଭବିଷ୍ୟତରେ ଭାରତ ସହ ଯୁନ୍ଧର ଆଶଂକା କରି ସେ ମୁସଲମାନ-ଏଲ-ଇତାହିଦ୍ ବା ରାଜକର ନାମରେ ଏକ ଅର୍ଦ୍ଧ ସାମରିକ ବାହିନି ସୃଷ୍ଟିି କରିଥିଲେ । ଏମାନଙ୍କ ସଂଖ୍ୟା ଥିଲା ଦୁଇଲକ୍ଷ ଓ ଏହାର ନେତା ଥିଲେ କାସିମ୍ ରାଜିଭ୍ ନାମରେ ଜଣେ ଉଗ୍ରପନ୍ଥି । ବିଭିନ୍ନ ମାରଣାସ୍ତ୍ରରେ ସଜ୍ଜିତ ହୋଇ ସେମାନେ ହାଇଦ୍ରାବାଦର ହିନ୍ଦୁ ମାନଙ୍କ ଉପରେ ଅକଥନିୟ ଅତ୍ୟାଚାର କରୁଥିଲେ ଓ ଭାରତକୁ ଧମକ ଦେଉଥିଲେ ଯେ, ଯୁଦ୍ଧ ହେଲେ ଭାରତର ସାଢେ ଚାରିକୋଟି ମୁସଲମାନ ଅସ୍ତ୍ରଧରି ବାହାରି ଆସିବେ ଓ ସେମାନେ ସହଜରେ ଦିଲ୍ଲୀ ଅଧିକାର କରିବେ । ଗୋଆର ପର୍ତୁଗିଜ ଶାସକ ମାନଙ୍କ ସହ ଯୋଗସୁତ୍ର କରି ଏକ ବନ୍ଦରର ସୁବିଧା ପାଇଁ କଥାବାର୍ତା ଚଲାଇଥିଲେ ଓ ସମୁଦ୍ର ପର୍ଯ୍ୟନ୍ତ ରେଳଲାଇନ ଥିବା ଏକ କରିଡୋର ଦାବି କରିଥିଲେ । ଭାରତ ମଝିରେ ଏକ ମଧ୍ୟ ପାକିସ୍ଥାନ ସୃଷ୍ଟି କରିବା ତାଙ୍କର ଲକ୍ଷଥିଲା ଓ ତାଙ୍କୁ ପାକିସ୍ଥାନ ସରକାର ସମସ୍ତ ପ୍ରକାର ସହୋଯୋଗର ପ୍ରତିଶୃତି ଦେଉଥିଲେ । ଦରକାର ହେଲେ ପୃଥିବୀର ଅନ୍ୟ ମୁସଲମାନ ରାଷ୍ଟ୍ରମଧ୍ୟ ତାଙ୍କୁ ସାହାଯ୍ୟ କରିବେ ବୋଲି ସେ ଆଶା କରିଥିଲେ ।
ପଟେଲଙ୍କର ତୀକ୍ଷ୍ଣ ନଜର କିନ୍ତୁ ହାଇଦ୍ରାବାଦ୍ ଉପରେ ଥାଏ । ଏହି ରାଜ୍ୟ ଭାରତର ହୃଦୟ ଭଳି । ଏହାକୁ ଛାଡି ଏକ ଶକ୍ତିଶାଳି ରାଷ୍ଟ୍ରର ପରିକଳ୍ପନା ଅସଂଭବ । ତାଙ୍କର ଏକାନ୍ତ ଅନୁଗତ କେ.ଏମ୍ ମୁନିସିଙ୍କୁ ସେ ହାଇଦ୍ରାବାଦରେ ଭାରତର ରାଷ୍ଟ୍ରଦୁତ ରୁପେ ଅବସ୍ଥାପିତ କରାଇଲେ ଓ ଶିଘ୍ର ସମସ୍ୟାର ସମାଧାନ ପାଇଁ ଚେଷ୍ଟିତ ଥିଲେ । ମାତ୍ର ମାଉଂଟ ବ୍ୟାଟେନଙ୍କ ପ୍ରରୋଚନାରେ ପଣ୍ଡିତ ନେହେରୁ ହାଇଦ୍ରାବାଦ ବିରୁଦ୍ଧରେ ସାମରିକ ପଦକ୍ଷେପର ପକ୍ଷପାତି ନଥିଲେ । ତାଙ୍କର ଧାରଣା ଥିଲା ହାଇଦ୍ରାବାଦ ଉପରେ ଆକ୍ରମଣ ହେଲେ ଦେଶରେ ଭୟଙ୍କର ଦଙ୍ଗା ହେବ । ପାକିସ୍ଥାନ ଭାରତ ଆକ୍ରମଣ କରିବ । ବାହାର ରାଷ୍ଟ୍ରମାନେ ଭାରତକୁ ନିନ୍ଦା କରିବେ । ହାଇଦ୍ରାବାଦର ସୈନ୍ୟ ବାହିନିଙ୍କୁ ପରାସ୍ତ କରିବାକୁ ଅନେକ ଦିନ ଲାଗିଯିବ ଓ ଫଳାଫଳ ମଧ୍ୟ ଅନିଶ୍ଚିତ ହୋଇପାରେ । ଏଥିପାଇଁ ସେ ପଟେଲଙ୍କର ଆପତି ସତ୍ୱେ ହାଇଦ୍ରାବାଦ ସହିତ ଏକ ସ୍ଥିତାବସ୍ତା ଚୁକ୍ତି ସ୍ୱାକ୍ଷର କଲେ ।
ଏହି ଚୁକ୍ତି ଫଳରେ ନିଜାମଙ୍କର ସାହାସ ବଢିଗଲା । ସେ ପଟେଲଙ୍କୁ ହିଟଲର ବୋଲି ଆକ୍ଷେପ କଲେ । ବାହାର ରାଜ୍ୟର ମୁସଲ ମାନଙ୍କୁ ଡକାଇ ହାଇଦ୍ରାବାଦରେ ରଖିବାର ଯୋଜନା କଲେ । ଭାରତକୁ ତାଗିତ୍ କରିବାକୁ ଯାଇ ଜାତି ସଂଘକୁ ଲେଖିଲେ । ରାଜ୍ୟର ୮୫ ଭାଗ ହିନ୍ଦୁ ଅସହାୟ ହୋଇ ଅନ୍ୟ ରାଜ୍ୟକୁ ପଳାଇଲେ । ରାଜାକର ମାନେ ଗାଁ ଗଣ୍ଡାରେ ଆତଙ୍କ ସୃଷ୍ଟିକଲେ । ଏହି ସମୟରେ ରାଜ୍ୟର ତେଲେଙ୍ଗାନା ଅଂଚଳରେ କମୁ୍ୟନିଷ୍ଟ ମାନେ ମାତି ଉଠିଲେ । ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାରର ପ୍ରତିବାଦ ସ୍ୱରୁପ ଅନ୍ୟ ରାଜ୍ୟର ସ୍ୱେଚ୍ଛାସେବି ମାନେ ହାଇଦ୍ରାବାଦ ଭିତରକୁ ପଶିି ବିକ୍ଷୋଭ କଲେ । ନିଜାମ ବିଭିନ୍ନ ଦେଶରୁ ଚୋରାରେ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ବିମାନ ଦ୍ୱାରା ମଗାଇବାକୁ ଲାଗିଲେ । ନିଜ ରାଜ୍ୟ ଦେଇ ଭାରତର ରେଳ ଚଳାଚଳକୁ ପ୍ରତିବନ୍ଧକ ସୃଷ୍ଟିକଲେ । ନିଜ ରାଜ୍ୟ ତହବୁଲିରୁ ପାକିସ୍ଥାନକୁ ୨୦କୋଟି ଟଙ୍କା ସାହାଯ୍ୟ ଦେଇଦେଲେ । ସେ ଲିଜରେ ନେଇଥିବା ବସ୍ତ୍ରର ରାଜ୍ୟର ୧୫ ହାଜର ବର୍ଗ ମାଇଲ ଖଣି ଅଂଚଳୁ ନିଜର ବୋଲି ଦାବିକଲେ । ମିଶ୍ରଣ ଚୁକ୍ତି ବଦଳରେ ଏକ ସହଯୋଗି ରାଷ୍ଟ୍ର ରୁପେ ରହିବାର ପ୍ରସ୍ତାବ ଦେଲେ । ତାଙ୍କର ଲକ୍ଷ୍ୟ ଥିଲା ଯେ, ପରେ ସୁଯୋଗ ଦେଖି ପାକିସ୍ଥାନ ସାଙ୍ଗରେ ମିଶିଯିବେ । ଏମିତି ୧୯୪୭ ମସିହା ସରିଗଲା ।
ଦେଶର ଦୁର୍ଯୋଗକୁ ସରଦାର ପଟେଲ ହଠାତ୍ ହୃଦ୍ ରୋଗରେ ଆକ୍ରାନ୍ତ ହୋଇ ସିମଲା ଠାରେ ଅବସ୍ଥାପନ କଲେ । ନିଜାମଙ୍କ ପ୍ରସ୍ଥାବକୁ ଗ୍ରହଣ କରିବା ପାଇଁ ତାଙ୍କୁ ବୁଝେଇବାକୁ ବିମାନରେ ଲର୍ଡମାଉଂଟ ବ୍ୟାଟେନ, ପଣ୍ଡତ ନେହେରୁ, ସରଦାର ବଳଦେବ ସିଂ ଓ ରାଜଗୋପାଳ ଆଚାରି ତାଙ୍କ ପାଖରେ ପହଂଚିଲେ । ସମସ୍ତଙ୍କ ଚାପରେ ବାଧ୍ୟ ହୋଇ ପଟେଲ ସେଥିରେ ସ୍ୱାକ୍ଷର କଲେ ଓ ମନସ୍ଥାପରେ ରହିଲେ । ମାତ୍ର ଇଶ୍ୱରଙ୍କ ଦୟାରୁ ନିଜ କ୍ଷମତା ବିଷୟରେ ନିଜାମ ଏତେ ନିଶ୍ଚିତ ଥିଲେ ଯେ, ସେ ନିଜର ପ୍ରସ୍ତାବକୁ ନିଜେ ପ୍ରତ୍ୟାଖାନ କରିଦେଲେ ଓ ସଂପୂର୍ଣ୍ଣ ସ୍ୱାଧିନ ହାଇଦ୍ରାବାଦ ତାଙ୍କର ଲକ୍ଷ୍ୟ ବୋଲି ଘୋଷଣା କଲେ । ଦରକାର ହେଲେ ସେ ଯୁନ୍ଧ କ୍ଷେତ୍ରରେ ସହିଦ ହେବା ପାଇଁ ପ୍ରସ୍ତୁତ ବୋଲି କହିଲେ ।
ଏହା ମଧ୍ୟରେ ପଟେଲ ସୁସ୍ଥ ହେଲେ । ୧୯୪୮ ମସିହା ଜୁନ ମାସରେ ମାଉଂଟ ବ୍ୟାଟେନ ବିଲାତ ଫେରିଗଲେ । ରାଜଗୋପାଳ ଆଚାରି ନୂତନ ଗଭର୍ଣ୍ଣର ଜେନେରାଲ ହେଲେ । କାଶ୍ମିରର ସମସ୍ୟା ନେହେରୁଙ୍କୁ ବ୍ୟସ୍ଥ ରଖିଲା । ତେଣୁ ହାଇଦ୍ରାବାଦ ସମସ୍ୟାକୁ ଆଉ ଅଗେଇବାକୁ ନଦେଇ ପୂର୍ଣ୍ଣଛେଦ ଟାଣିବାକୁ ପଟେଲ ସଂକଳ୍ପ କଲେ । ସେଥିପାଇଁ ସେ ସାମରିକ ହସ୍ଥକ୍ଷେପର ପ୍ରସ୍ତାବ ଆଗତ କଲେ । ମନ୍ତ୍ରୀ ମଣ୍ଡଳ ବୈଠକରେ ପଣ୍ଡିତ୍ ନେହେରୁ ଏହାକୁ ତିବ୍ର ବିରୋଧ କଲେ । ରାଗରେ ପଟେଲ ବୈଠକ ଛାଡି ପଳାଇଲେ । ଶେଷକୁ ନେହେରୁ ବାଧ୍ୟ ହୋଇ ପ୍ରସ୍ତାବରେ ସ୍ୱାକ୍ଷର କଲେ ।
ନିଜର ଏକାନ୍ତ ଅନୁଗତ ଜେନେରାଲ ଜେ.ଏନ୍ ଚୈାଧୁରିଙ୍କୁ ପଟେଲ ସାମରିକ ପ୍ରସ୍ତୁତି ପାଇଁ ନିର୍ଦେଶ ଦେଲେ ଏବଂ ତାଙ୍କୁ କହିଲେ, ଯଦି ଜିତିବ ଶ୍ରେୟ ତୁମେ ନେବ । ଯଦି ପରାଜୟ ହୁଏ ଦାୟି ମୁଁ ହେବି । ୧୩ ସେପ୍ଟେମ୍ବର ୧୯୪୮ ଦିନ ଖୁବ୍ ସକାଳୁ ଏହି ଅଭିଯାନ ଆରମ୍ଭ ହେବାର ସ୍ଥିର ହେଲା । ଏହାର ନାଁ ଦିଆଗଲା “ଅପରେସନ ପୋଲ’’ ବା ପୋଲିସ ଆକ୍ସନ । ଶେଷ ପର୍ଯ୍ୟନ୍ତ ଇଂରେଜ ମାନେ ନେହେରୁଙ୍କ ଦ୍ୱାରା ଏହାକୁ ବନ୍ଦ କରିବାକୁ ଚେଷ୍ଟା ଚଳାଇଥିଲେ । ଭାରତୀୟ ସେନା ବାହିନିର ମୁଖ୍ୟ ଥିବା ଇଂରେଜ ଜେନେରାଲ ବୁଚ୍ଚର ନେହେରୁଙ୍କୁ ଫୋନ କରି କହିଲେ, ଆକ୍ରମଣ ହେଲେ ଆରବ ରାଷ୍ଟ୍ର ମାନେ ବମ୍ବେ ଓ ଅହମଦାବାଦ ଉପରେ ବିମାନ ଆକ୍ରମଣ କରିବେ । ପଟେଲ ଏହା ଶୁଣି ହସିଦେଲେ । ବୁଚ୍ଚରଙ୍କୁ କହିଲେ, ଯଦି ଦ୍ୱିତିୟ ମହାଯୁନ୍ଧ ବେଳେ ଲଣ୍ଡନ ବାସୀ ମାସ ମାସ ଧରି ବିମାନ ଆକ୍ରମଣ ସହି ପାରିଲେ ତା’ ହେଲେ ବମ୍ବେ ଓ ଅହମ୍ମଦାବାଦର ଦେଶଭକ୍ତ ନାଗରିକ ମାନେ ବିମାନ ଆକ୍ରମଣ ସହିବାକୁ ପ୍ରସ୍ତୁତ ରହିବେ । ନେହେରୁଙ୍କୁ ସେ ବ୍ୟସ୍ତ ନହୋଇ ଶୋଇ ପଡିବାକୁ ଉପଦେଶ ଦେଲେ ।
୧୩ ତାରିଖ ଦିନ ସକାଳୁ ଦୁଇ ଦିଗରୁ ପଶ୍ଚିମରେ ଶୋଲାପୁର ଓ ପୂର୍ବରେ ବିଜୟୱାଡା ସେନା ଛାଉଣିରୁ ଭାରତୀୟ ସେନା ହାଇଦ୍ରାବାଦ ରାଜ୍ୟରେ ପ୍ରବେଶକଲେ । ସମସ୍ତ ଆଶଙ୍କାର ଅନ୍ତ ଘଟାଇ ମାତ୍ର ୧୦୮ ଘଂଟାରେ ଅଭିଜାନ ସଫଳ ହେଲା । ନିଜାମ ତାଙ୍କ ପ୍ରଧାନମନ୍ତ୍ରୀ ମିର ଅଲ୍ଲୀଙ୍କୁ ବରଖାସ୍ତ କେଲେ ଓ କେ.ଏମ୍ ମୁନିସ୍ଙ୍କୁ ସାକ୍ଷାତ କରି ସନ୍ଧି ଓ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର ପାଇଁ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦେଲେ । ସେପ୍ଟେମ୍ବର ୧୭ ତାରିଖ ଦିନ ନିଜାମ ସେନା ଆତ୍ମ ସମର୍ପଣ କେଲେ । କାସିମ ରାଜିଭ ସମେତ ହଜାର ହଜାର ରାଜକର ଉଗ୍ରପନ୍ଥି ମାନେ ବନ୍ଦି ହେଲେ । ନିଜାମ ମିଶ୍ରଣ ଚୁକ୍ତିରେ ସ୍ୱାକ୍ଷର କଲେ । ପଟେଲଙ୍କର ତଥା କଥିତ ଫଳ ଝୁଡିରେ ଶେଷ ଫଳଟି ପଡି ଝୁଡିଟି ପୂର୍ଣ୍ଣ ହୋଇଗଲା ଓ ଭାରତର ଏକତ୍ରୀ କରଣ ଅଧ୍ୟାୟର ଶେଷ ଅଙ୍କ ସମାପ୍ତ ହେଲା ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍,
ନବରଙ୍ଗପୁର, ମୋ-୯୪୩୭୨୩୫୩୮୬

Leave a Reply

Your email address will not be published.