ଝାରସୁଗୁଡ଼ା ବିଧାୟକ ନବଦାସଙ୍କ ରାଜନୀତିକ କାର୍ଯ୍ୟକଳାପ!

ଭୁବନେଶ୍ୱର, (ଓଏନ୍ଏସ୍): ୨୦୧୭ ତି୍ରସ୍ତରୀୟ ପଂଚାୟତ ନିର୍ବାଚନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କଂଗ୍ରେସ ୩ ନମ୍ବର ସ୍ଥାନକୁ ଖସି ଆସିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା ଏଥିରୁ ବ୍ୟତିକ୍ରମ ଥିଲା । ବାସ୍ତବରେ ରାଜନୀତିକ ସମୀକ୍ଷକ ଓ ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ-ଚକିତ କରିଦେଇଥିଲା ଝାରସୁଗୁଡ଼ା ନିର୍ବାଚନ ଫଳାଫଳ । ଏହା କେବଳ ଝାରସୁଗୁଡ଼ାର କଂଗ୍ରେସ ବିଧାୟକ ନବକିଶୋର ଦାସଙ୍କ ଦୃଢ ନେତୃତ୍ୱ ଓ ବଳିଷ୍ଠ ଉଦ୍ୟମ ଯୋଗୁ ସମ୍ଭବ ହୋଇଥିଲା । କଂଗ୍ରେସ ଏଠାରେ ୧ ନମ୍ବର ସ୍ଥାନ ଦଖଲ କରି ଜିଲ୍ଲା ପରିଷଦ ଗଠନ କରିବାରେ ସକ୍ଷମ ହୋଇଥିଲା ଓ ଏକପ୍ରକାର କଂଗ୍ରେସର ମାନ ରକ୍ଷା ହୋଇଥିଲା । ଜିଲ୍ଲାର ମୋଟ ୯ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ କଂଗ୍ରେସ ଏକାକୀ ୮ଟିରେ ବିଜୟୀ ହୋଇ ଜିଲ୍ଲା ପରିଷଦ ଗଠନ କରିଥିଲା । ବିଜେଡ଼ି ଏଠାରେ ଖାତା ଖୋଲି ପାରିନଥିଲା । ବିଧାୟକ ନବ ଦାସ ଜଣେ ପରିପକ୍ୱ ଜନନେତା ବୋଲି ପ୍ରମାଣ ମିଳିଥିଲା । ଏହି ସମୟରେ ନବବାବୁ କହିଥିଲେ, ‘ସାଧାରଣ ଲୋକେ କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ମିଥ୍ୟା ପ୍ରଲୋଭନ ବା ପ୍ରତିଶ୍ରୂତି ଓ କପୋଳକଳ୍ପିତ କଥାରେ ଲୋକଙ୍କ ସମର୍ଥନ ଅସମ୍ଭବ । ବିକାଶ ମୂଳକ କାର୍ଯ୍ୟ ଏବଂ ସାଧାରଣ ଲୋକ ମାନଙ୍କର ମଙ୍ଗଳ ପାଇଁ ନିଷ୍ଠାପର କାର୍ଯ୍ୟ କରି ଚାଲିଲେ, ଯିଏ କେହି ଲୋକଙ୍କ ବିଶ୍ୱାସଭାଜନ ହୋଇଥାଏ ।’ ଆହୁରି ମଧ୍ୟ ସେ ଦୃଢତାର ସହ ସୂଚନା ଦେଇଥିଲେ, ‘ଏହି ତି୍ରସ୍ତରୀୟ ପଂଚାୟତ ନିର୍ବାଚନ ଏକ ସେମି ଫାଇନାଲ୍ । ଫାଇନାଲ୍ ପ୍ରତିଦ୍ୱନ୍ଦୀତା ୨୦୧୯ରେ ହେବ । ଏଥିରେ କଂଗ୍ରେସ ବିପୁଳ ବିଜୟ ହାସଲ କରିବ । ସମସ୍ତ ରେକର୍ଡ଼ ଭାଙ୍ଗି ଓଡ଼ିଶାରେ ଇତିହାସ ସୃଷ୍ଟି କରିବ!’
ପ୍ରାପ୍ତ ସୂଚନାରୁ ଜଣା ପଡ଼ିଛି ଯେ, ବିଧାୟକ ନବ ଦାସ ପାଠପଢା ଶେଷ ପରେ ସମାଜସେବା ସହ ଓକିଲାତି କ୍ଷେତ୍ରରେ ନିଜର କାର୍ଯ୍ୟ ଆରମ୍ଭ କରିଥିଲେ । ମାତ୍ର କଂଗ୍ରେସର ନୀତି-ଆଦର୍ଶ ପ୍ରତି ଆକୃଷ୍ଟ ହୋଇ ସେ ରାଜନୀତିରେ ପ୍ରବେଶ କରିଥିଲେ । ଇତିମଧ୍ୟରେ ନବ ବାବୁ ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଛନ୍ତି । କେବଳ ଝାରସୁଗୁଡ଼ା କି ସମ୍ବଲପୁର ନୁହେଁ, ଓଡ଼ିଶା ରାଜନୀତି କ୍ଷେତ୍ରରେ ମଧ୍ୟ ସେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଏପରିକି ଜଣେ ଅଭିଜ୍ଞ ବିଧାୟକ ଭାବେ ତାଙ୍କର ରାଜନୀତିକ ଓ ବିଧାନସଭା କାର୍ଯ୍ୟଦକ୍ଷତା ତାଙ୍କୁ ଆପେ ରାଜ୍ୟ ରାଜନୀତି ମଂଚରେ ଛିଡ଼ା କରି ଦେଇଛି । ସେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସଦସ୍ୟ ଥିବାବେଳେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହି କଂଗ୍ରେସ ସଂଗଠନକୁ ମଜଭୁତ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏବେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପଦରେ ଅଧିଷ୍ଠିତ ହୋଇଛନ୍ତି । ୨୦୦୯ ଓ ୨୦୧୪ ମସିହାରେ କଂଗ୍ରେସ ଦଳ ଟିକଟରେ ସେ ୨ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ୨୦୦୯ ନିର୍ବାଚନରେ ସେ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରରୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ିର କିଶୋର ମହାନ୍ତିଙ୍କୁ ୨୨,୫୧୬ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ଏହି ନର୍ବାଚନରେ ଭାଜପା ସମେତ ୧୩ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତାରେ ଅବତୀର୍ଣ୍ଣ ଥିଲେ । ସେ ପ୍ରଥମ ଥର ପାଇଁ ଝାରସୁଗୁଡ଼ା ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାନସଭାର ବିଭିନ୍ନ କମିଟିର ଜଣେ ପ୍ରମୁଖ ସଦସ୍ୟ ଭାବେ ନିଜର ଦାୟୀତ୍ୱ ସଫଳତାର ସହ ତୁଲାଇଥିଲେ । ମୁଖ୍ୟତଃ ସେ ପାଠାଗାର,ରେଲୱେ ଓ ସଂଖ୍ୟାଲଘୁ ଭାଷା ସଂପର୍କୀୟ ଗୃହ କମିଟିର ସଦସ୍ୟ ଥିବାବେଳେ ଶିଳ୍ପ, ଇଷ୍ପାତ-ଖଣି, ବାଣିଜ୍ୟ-ପରିବହନ, ଜଙ୍ଗଲ-ପରିବେଶ ଓ ଯୋଜନା-ସମନ୍ୱୟ ଷ୍ଟାଣ୍ଡିଙ୍ଗ୍ କମିଟିର ସଦସ୍ୟ ରହିଥିଲେ । ସେହିପରି ୨୦୧୪ ନିର୍ବାଚନରେ ନବବାବୁ କଗ୍ରେସ ଟିକଟରେ ଝାରସୁଗୁଡ଼ା ବିଧାନସଭା କ୍ଷେତ୍ରରୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡ଼ିର କିଶୋର ମହାନ୍ତିଙ୍କୁ ୧୧,୫୬୩ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ । ଏହି ନର୍ବାଚନରେ ଭାଜପା ସମେତ ୧୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦୀତାରେ ରହିଥିଲେ ।
ବିଧାନସଭା ଅଧିବେଶନରେ ନବବାବୁଙ୍କର କାର୍ଯ୍ୟଶୈଳୀ, ପ୍ରଭାବୀ ବକ୍ତୃତା, ରାଜ୍ୟ ସ୍ତରୀୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ ଆଦି ଲୋକାଭିମୁଖୀ କାର୍ଯ୍ୟ ଉଲ୍ଲେଖନୀୟ । ବିଧାନସଭା ଅଧିବେସନରେ ପ୍ରଶ୍ନ-ଉତର,ଚର୍ଚ୍ଚା ଭଳି ମହତ୍ୱପୂର୍ଣ୍ଣ ଆଲୋଚନାରେ ସକି୍ରୟ ଭାଗ ନେଇ ସେ ଓଡ଼ିଶାର ମୌଳିକ ସମସ୍ୟା ସଂପର୍କରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ରାଜ୍ୟରେ ଦାରିଦ୍ର୍ୟ, ଅନାହାର, ମାତୃ ଓ ଶିଶୁମୃତୁ୍ୟ, ଦାଦନ ଭଳି ବିଭିନ୍ନ ସାମାଜିକ ଓ ପ୍ରଶାସନିକ ସମସ୍ୟା ସମାଧାନ ପାଇଁ ସେ ନିୟମିତ କାର୍ଯ୍ୟ କରି ଆସିଛନ୍ତି । ଜଣେ ଅଭିଜ୍ଞ ବିଧାୟକ ଭାବେ ନିଜ ନିର୍ବାଚନ କ୍ଷେତ୍ର ସହିତ ଓଡ଼ିଶାର ସାମଗ୍ରୀକ ବିକାଶ ଓ ବିଭିନ୍ନ ସମସ୍ୟା ସମାଧାନ କରି ଅବହେଳିତ ଓଡ଼ିଆ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବାର ଲକ୍ଷ୍ୟ ରଖିଛନ୍ତି ନବବାବୁ । ସେହିପରି ଝାରସୁଗୁଡ଼ା ଜିଲ୍ଲାର ମନୋରମ ୧୫ ଟି ପ୍ରମୁଖ ପର୍ଯ୍ୟଟନ ସ୍ଥଳର ବିକାଶ, ଝାରସୁଗୁଡ଼ା ବିମାନବନ୍ଦରର ଉନ୍ନତିକରଣ, ସାଧାରଣ ଲୋକଙ୍କର ରୋଜଗାର ବୃଦ୍ଧି, ରେଳସେବା ଓ ଗମନାଗମନ ବ୍ୟବସ୍ଥାର ବିକାଶ କରାଇବା ମଧ୍ୟ ନବ ବାବୁଙ୍କର ଲକ୍ଷ୍ୟ । ସବୁଠୁ ବଡ଼ କଥା ହେଲା, ସେ ଅଧିକାଂଶ ସମୟ ନିଜ ନିର୍ବାଚନ ମଣ୍ଡଳୀରେ ରହି ଲୋକ ମାନଙ୍କ ସୁଖ-ଦୁଃଖରେ ଭାଗୀ ହେଉଛନ୍ତି । ପ୍ରତି ମଣିଷକୁ ଆପଣାର କରିବାର କଳାରେ ସେ ନିପୁଣ । ସମସ୍ତଙ୍କୁ ସେ ସହଯୋଗର ହାତ ବଢାନ୍ତି । ଦଳମତ ନିର୍ବିଶେଷରେ ସବୁ ନେତା ଓ ସାଧାରଣ ମଣିଷକୁ ସେ ବନ୍ଧୁ ଭାବରେ ଗ୍ରହଣ କରନ୍ତି । ଚିରଦିନ ପାଇଁ ଝାରସୁଗୁଡ଼ା ତାଙ୍କର ଅଭେଦ୍ୟ ଦୁର୍ଗ ହୋଇ ରହିଯିବ ବୋଲି ରାଜନୀତିକ ବିଶେଷଜ୍ଞ ମାନେ ମତ ଦେଉଛନ୍ତି ।

Leave a Reply

Your email address will not be published.