ଗହୀର ମଥାକୁ ସୁରକ୍ଷା ମିଳୁ!
ହେମନ୍ତ କୁମାର ରାଉତ
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ତା.୨୭.୦୯.୧୯୯୭ ରିଖରେ କଇଁଛ ସମେତ ପ୍ରଚୁର ଜୈବ ବିବିଧତା ପରିପୂର୍ଣ୍ଣ ଏକକୁଳା ଠାରୁ ମହାନଦୀ ଯାଏ ବିସ୍ତୃତ ଅଂଚଳକୁ ଗହୀରମଥା ସାମୁଦି୍ରକ ଅଭୟାରଣ୍ୟ ଭାବରେ ଘୋଷଣା କରାଗଲା । ଏକକୁଳା ଠାରୁ ବରୁଣେଇ ମୁହାଣ ଯାଏ କୂଳ ଠାରୁ ୧୧ କିଲୋମିଟର ଓ ବରୁଣେଇ ମୁହାଣ ଠାରୁ ମହାନଦୀ ମୁହାଣ ଯାଏ ୧୦ କିଲୋମିଟର କେନ୍ଦ୍ରିୟ ଅଂଚଳ ବର୍ଷ ତମାମ ନିଷିଦ୍ଧାଂଚଳ ହୋଇ ରହିଲା । ଯାହା ବର୍ଷସାରା ପାରମ୍ପରିକ ମାଛ ଧରାଳିଙ୍କ ବ୍ୟତୀତ ଅନ୍ୟମାନେ ବଡ଼ ବଡ଼ ଟ୍ରଲର ନେଇ ମାଛ ମାରି ପାରିବେ ନାହିଁ । ନଭେମ୍ବର ୧ରୁ ମଇ ମାସ ପର୍ଯ୍ୟନ୍ତ କୂଳ ଠାରୁ ୨୦ କି.ମି. ଯାଏ ସଂପୂର୍ଣ୍ଣ ନିଷିଦ୍ଧାଂଚଳ ହୋଇ ରହିଲା କଇଁଛଙ୍କ ଆଗମନ ଓ ଫେରିବା ପର୍ଯ୍ୟନ୍ତ ।
ଏହା ଦ୍ୱାରା ଦୁଇଟି ଲାଭ ହେଲା । ପ୍ରଥମତଃ କୂଳ ଠାରୁ ୧୧ କି.ମି. ଯାଏ ବର୍ଷ ତମାମ ସୁରକ୍ଷିତ ହୋଇଥିବା ସ୍ଥାନରେ କଇଁଛ ମାନେ ପହଂଚିଲେ । ସେମାନେ ଜେଲିଫିସ୍, ଛୋଟମାଛ, କଙ୍କଡ଼ା ପ୍ରଭୃତି ପାଇ ପାରିବେ । ଦ୍ୱିତୀୟତଃ ସାଧାରଣ ମଣିଷ ଡ଼ିଙ୍ଗି ଜାଲରେ ମାଛ ମାରି ଗୁଜୁରାଣ ମେଂଟେଇ ପାରିବେ ।
ଏହା ବ୍ୟତୀତ ୨୦୦୪ ମସିହା ଫେବୃୟାରୀ ୧୦ ଠାରୁ ୧୪ ତାରିଖ ଯାଏ ସୁପି୍ରମକୋର୍ଟ ର ସିଇସି କମିଟି ଗହୀରମଥା ଭ୍ରମଣ କରି ସେମାନେ ତାଙ୍କ ରିପୋର୍ଟରେ କହିଥିଲେ ଯେ, କେବଳ କଇଁଛ ନୁହନ୍ତି, ମାଛ, କଙ୍କଡ଼ା, ଅନ୍ୟାନ୍ୟ ଜଳଜୀବ ଏଠାରେ ପ୍ରଚୁର ପରିମାଣରେ ଜନ୍ମ ନିଅନ୍ତି, ତେଣୁ ପାରମ୍ପରିକ ମତ୍ସ୍ୟଜୀବୀଙ୍କ ବ୍ୟତୀତ ଅନ୍ୟମାନେ ମାଛ ମାରି ପାରିବେ ନାହିଁ । କେବଳ ଫରେଷ୍ଟ ଡ଼ିପାର୍ଟମେଂଟର ଅନୁମତି ନେଇ ଛୋଟଛୋଟ ବୋଟ୍ ନେଇ ମାଛ ମାରି ପାରିବେ ।
ଦିନଥିଲା ସୂର୍ଯ୍ୟ ଉଇଁ ସକାଳ ହେଲେ ଭାରି ଗହଳି ଲାଗିଥିଲା ଏହାର ବେଳାଭୂଇଁରେ । ପ୍ରଚୁର ମାଛ କଙ୍କଡ଼ାରେ ପରିପୂର୍ଣ୍ଣ ଥିଲା ଏହି ଅଂଚଳ । ସମୁଦ୍ରରୁ ଜୁଆର ଉଠିବା ସଙ୍ଗେ ସଙ୍ଗେ ତାର ନଦୀ, ନାଳ, ଗଣ୍ଡରେ ମାଛ ମାନେ ଖେଳି ଯାଉଥିଲେ । ସମୁଦ୍ର ବେଳାରେ ହେନ୍ତାଳ ଜଙ୍ଗଲ ଥିଲା । ଶହ ଶହ ନରନାରୀ ପ୍ରଚୁର ମାଛ କଙ୍କଡ଼ା ଧରି ଘରକୁ ଫେରୁଥିଲେ । ସେମାନଙ୍କର ଅଭାବ ନଥିଲା । ବେଳାଭୂଇଁରେ ପର୍ଯ୍ୟାପ୍ତ ପରିମାଣରେ ଶଙ୍ଖ, ଶାମୁକା, ଅସଂଖ୍ୟ ନାଲି ଟୁକୁଟୁକୁ କଙ୍କଡ଼ା, ପାଣି ଧାରରେ ପାଣିକୁଆ, ଚା’ଚଢେଇ, ମାଛରଙ୍କା ଓ ଅନ୍ୟାନ୍ୟ ଚଢେଇମାନେ ଗହୀରମଥାକୁ ସ୍ୱର୍ଗୀୟ ସୁଷମାରେ ବିମଣ୍ଡିତ କରିଥିଲେ ।
ଇଲିଶି, ଚିଙ୍କୁଡ଼ି, ବାହାଲ, ଭେକ୍ଟି, ଖଁଅଙ୍ଗା, ସାହାଳ, ଚାହାଁରା, ଖୁରାଂଟ, କଂଟିଆ, ଖଣ୍ଡା, ପଟଳ ଓ ସାଙ୍କୁଚ ପ୍ରଚୁର ପରିମାଣରେ ନଦୀ ନାଳରେ ଖେଳି ବୁଲୁଥିଲେ । ଲୋକେ ଭାରି ଆନନ୍ଦରେ ଥିଲେ । ଗହୀରମଥା ସମୁଦ୍ର ଥିଲା ପ୍ରଚୁର ମାଛ କଙ୍କଡ଼ାର ବ୍ୟାଙ୍କ । ଭାରତର ଅନ୍ୟାନ୍ୟ ସମୁଦ୍ରରେ ମାଛ ନଥିବା ବେଳେ ଗହୀରମଥା କିନ୍ତୁ ତାର ପୂର୍ବ ଗାରିମାକୁ ବଜାୟ ରଖିଥିଲା ଓ ଆଜି ବି ରଖିଛି । ତେଣୁ ଟ୍ରଲର ମାଫିଆ ମାନଙ୍କର ତା’ ଉପରେ ତୀକ୍ଷ୍ଣ ଦୃଷ୍ଟି । ଲକ୍ଷ ଲକ୍ଷ ଟଙ୍କାର ମାଛ ମାରି ସେମାନେ ଗହୀରମଥାକୁ ମତ୍ସ୍ୟ ଶୂନ୍ୟ କରି ଦେବାକୁ ଚାହୁଁଛନ୍ତି । ଟ୍ରଲର ପରେ ଟ୍ରଲର କିଣୁଛନ୍ତି ଓ କଇଁଛ ମାନେ ପ୍ରବେଶ କଲେ ମାଛ ଶୂନ୍ୟ କରି କଇଁଛ ମାନଙ୍କୁ ମାରି ଦେଉଛନ୍ତି ।
ଗହୀରମଥା ସମୁଦ୍ର ଗଭୀର । ମା’ ଲକ୍ଷ୍ମୀଙ୍କର ଭଣ୍ଡାର । ଆଜି ମଧ୍ୟ ଶହଶହ ଗରୀବ ମଣିଷ ସେମାନଙ୍କର ପେଟପାଟଣା ମେଂଟାଉଛନ୍ତି । ଆଜି ବି ଉପକୂଳରେ ମାଛ, କଙ୍କଡ଼ା ଶୁଖୁଆର ହାଟ ବସୁଛି । ପାରାଦୀପରୁ ସାତଭାୟା, ସାତଭାୟାରୁ ଧାମରା ଯାଏ ହଜାର ହଜାର ମଣିଷ ତା’ ଉପରେ ନିର୍ଭରଶୀଳ ।
ଭିତରକନିକା ପରି ଗହୀରମଥାକୁ ଧ୍ୱଂସ କରିବାକୁ ଷଡ଼ଯନ୍ତ୍ର ଚାଲିଛି । ପ୍ରଶାନ୍ତ ମହାସାଗର, ଆଟଲାଂଟିକ ମହାସାଗରରୁ କଇଁଛ ମାନେ ଆସିବେ । ସେମାନେ ଆମର ଅତିଥି । ସମଗ୍ର ବିଶ୍ୱର ଦୃଷ୍ଟି ଗହୀରମଥା ଉପରେ । ଏହା କେତେଜଣ ଟ୍ରଲର ମାଫିଆ ମାନଙ୍କର ନୁହେଁ, ଏହା ମାନବ ଜାତିର । ଗହୀରମଥାକୁ ସୁରକ୍ଷିତ ରଖିବା ପାଇଁ ସୁପି୍ରମକୋର୍ଟ ଜଙ୍ଗଲ ବିଭାଗ ସମେତ ୮ଟି ବିଭାଗ ଉପରେ ଦାୟିତ୍ୱ ଦେଇଛନ୍ତି ।
ବରୁଣେଇ ଠାରୁ ଏକକୁଳା ଯାଏ ଭାରତର ଦୀର୍ଘ ଓ ପ୍ରଶସ୍ତ ପ୍ରାକୃତିକ ବେଳାଭୂଇଁକୁ ଭାଙ୍ଗି ନାରଖାର କରି ଦେଇଛି ସମୁଦ୍ର । ଏହାର ବହୁ ଅଂଶ ସମୁଦ୍ରରେ ଲୀନ ହୋଇ ଗଲାଣି । ତଥାପି ସେହି ସଂକ୍ଷିପ୍ତ ବେଳାଭୂଇଁକୁ ଲକ୍ଷ୍ୟ କରି ସେମାନେ ଆସୁଛନ୍ତି । ପ୍ରକୃତି ସିନା ଦାଉ ସାଜିଛି, ତଥାପି ମନୁଷ୍ୟକୃତ ମହାପାପରେ ଗହୀରମଥା ଧ୍ୱଂସ ନହେଉ । ଗହୀରମଥା ବିଶ୍ୱର ଗୌରବ । ଏହା ଆଗାମୀ ବଂଶ ପାଇଁ ସୁରକ୍ଷିତ ରହୁ । ଏତିକି ଆନ୍ତରିକ କାମନା ।
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ବାର୍ହାପୁର,
କୋଇଲିପୁର, କେନ୍ଦ୍ରାପଡ଼ା, ମୋ-୯୯୩୮୬୬୯୬୩୧