ରାଜନଗର ବିଧାନସଭା କ୍ଷେତ୍ରର ରାଜନୀତିକ ଦୃଶ୍ୟପଟ୍ଟ ବଦଳୁଛି!
ରାଜନଗର, (ଓଏନ୍ଏସ୍): ସାଧାରଣ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବିଧାନସଭା କ୍ଷେତ୍ରର ରାଜନୀତିକ ଦୃଶ୍ୟପଟ୍ଟ କ୍ରମେ ପରିବର୍ତନ ହେବାରେ ଲାଗିଛି । ୨୦୧୪ ସାଧାରଣ ନିର୍ବାଚନରେ ରାଜନଗର ଆସନ କଂଗ୍ରେସ ଅକ୍ତିଆରକୁ ଯାଇଥିଲା । ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ହାୱା ବହୁ ଥିବାବେଳେ ରାଜନଗର ଆସନରେ ଏହାର ବ୍ୟତିକ୍ରମର ଅନେକ କାରଣ ରହିଛି । କେତେକ ସ୍ଥାନୀୟ ବିଜେଡ଼ି ନେତାଙ୍କର ଅନ୍ତର୍ଘାତି କାର୍ଯ୍ୟ ଏହାର ପ୍ରମୁଖ କାରଣ ବୋଲି କୁହାଯାଇ ଆସୁଛି । ଅନ୍ୟ ପକ୍ଷରେ ସେତେବେଳର ବିଜେଡ଼ି ବିଧାୟକ ଅଧିକାଂଶ ଅନୁନ୍ନତ ଅଂଚଳ ପ୍ରତି ଆଖି ବନ୍ଦ୍ କରିଦେଇଥିବା ବେଳେ କେତେକ ବିକଶିତ ଅଂଚଳରେ ଅନାବଶ୍ୟକ ଭାବେ ନିଜର ପାଣ୍ଠି ଅପବ୍ୟୟ କରିଥିବା ଅଭିଯୋଗ ହୋଇ ଆସୁଛି । ମାତ୍ର ସମୟ ବଦଳିବା ସହ ଏଠାକାର ରାଜନୀତିକ ପାଣିପାଗ ମଧ୍ୟ ବଦଳିବାରେ ଲାଗିଛି । ତେବେ ଏଥର ଏହି ନିର୍ବାଚନ କ୍ଷେତ୍ରରେ ବିଜେଡ଼ିରୁ ଲଢିବାକୁ ଆଶାୟୀଙ୍କ ସଂଖ୍ୟା ୭/୮କୁ ଛୁଇଁଲାଣି । ସେମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡ଼ି ସଭାପତି ଧୃବ ସାହୁ, ସୁନିତା ପ୍ରଧାନ, ଯୁବ ନେତା ଅଜିତ ନାୟକ, କୃତିବାସ ପାତ୍ର, ବିଜୟ କୁମାର ରାଉତ, ଉଦୟ ଚାନ୍ଦ ମଲ୍ଲିକ, ନିଶିକାନ୍ତ ପ୍ରଧାନ ଆଦି ଆଶାୟୀ ଅଛନ୍ତି । ସମସ୍ତେ ଦଳୀୟ ପ୍ରାର୍ଥୀତ୍ୱ ପାଇଁ ଉଦ୍ୟମ ଆରମ୍ଭ କରି ଦେଲେଣି । ତେବେ ବିଜେଡ଼ି ସୁପି୍ରମୋଙ୍କ ଦ୍ୱାରା ସର୍ବଗ୍ରହଣୀୟ ପ୍ରାର୍ଥୀ ମନୋନୟନ ଉପରେ ବିଜେଡ଼ିର ଭବିଷ୍ୟତ ନିର୍ଭର କରୁଛି ବୋଲି ରାଜନୀତିକ ସମୀକ୍ଷକ ମାନେ ମତ ଦେଉଛନ୍ତି । ସେହିପରି ଏହି ଆସନରେ କଂଗ୍ରେସ ପ୍ରାର୍ଥୀତ୍ୱ ପାଇଁ ଦାବିଦାରଙ୍କ ମଧ୍ୟରେ ବିଧାୟକ ଅଂଶୁମାନ ମହାନ୍ତି ଏବଂ ଯୁବନେତା ମନୋରଞ୍ଜନ ରାଉତରାୟ ସବୁଠୁ ଆଗରେ ରହିଛନ୍ତି । ଏଠାରେ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ଅଲେଖ ଜେନା ଓ ଜ୍ଞାନ ରଂଜନ ବେଉରା ଆଶାୟୀ ପ୍ରାର୍ଥୀ ଅଛନ୍ତିି ।
ରାଜନଗର ବିଧାନସଭା କ୍ଷେତ୍ର ଅନୁଧ୍ୟାନ ପରେ ଜାଣିବାକୁ ମିଳିଛି ଯେ, ବିଧାୟକ ଅଂଶୁମାନ ମହାନ୍ତିଙ୍କ ଦୃଢ ନେତୃତ୍ୱରେ କଂଗ୍ରେସ ସଂଗଠନ ନିଜର କାୟା ବିସ୍ତାର କରି ଚାଲିଛି । ବିଶେଷତଃ ଏହି ନିକଟରେ ୩ଟି ରାଜ୍ୟ ନିର୍ବାଚନରେ କଂଗ୍ରେସର ବିପୁଳ ସଫଳତା ଓଡ଼ିଶାରେ କଂଗ୍ରେସ ସଂଗଠନର ଶକ୍ତି ବୃଦ୍ଧିରେ ସହାୟକ ହୋଇଛି । ବିଜେଡ଼ିର ସମସ୍ତ ଆଶାୟୀ ପ୍ରାର୍ଥୀ ପ୍ରାୟତଃ ରାଜନଗର ଅଂଚଳରେ ଲୋକପି୍ରୟ । ବିଜେଡ଼ି ଜିଲ୍ଲା ସଭାପତି ଧୃବ ସାହୁ, କୃତିବାସ ପାତ୍ର, ସୁନିତା ପ୍ରଧାନ, ଅଜିତ ନାୟକ, ନିଶିକାନ୍ତ ପ୍ରଧାନ ନିଜ ଅଂଚଳରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରି ସାଧାରଣ ଲୋକଙ୍କ ପ୍ରିୟ ଭାଜନ ହୋଇଛନ୍ତି । ଏମାନଙ୍କର ରାଜନୀତିକ ଦକ୍ଷତା ଜିଲ୍ଲାବାସୀ ଜାଣିଛନ୍ତି । ତେବେ ରାଜନୀତିରେ ସୁନିତା ପ୍ରଧାନ ହିଁ ଏକମାତ୍ର ନୂଆ ମୁହଁ । ସୁନିତା ଜଣେ ପ୍ରତିଷ୍ଠିତ ସମାଜସେବୀ ଭାବେ କାର୍ଯ୍ୟ କରୁଥିବାବେଳେ ଓଡ଼ିଆ ସିନେମା ଓ ଦୂରଦର୍ଶନରେ ସେ ଜଣେ ସଫଳ କଳାକାର ଭାବେ ଓଡ଼ିଶାରେ ସୁପରିଚିତ । ନିଜକୁ ସମାଜସେବାରେ ଉତ୍ସର୍ଗ କରିଥିବା ସୁନିତା ଗରିବ, ଦଳିତ, ଅସହାୟ ପିଲାମାନଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ୍ କରିବାକୁ ନିରନ୍ତର କାର୍ଯ୍ୟ କରୁଛନ୍ତି । ସେହିପରି ମହିଳା ମାନଙ୍କୁ ସ୍ୱଂୟ ସଂପୂର୍ଣ୍ଣ କରିବା ପାଇଁ ସେ ମହିଳା ସଂଘର ସଂଯୋଜିକା ଭାବେ କାର୍ଯ୍ୟ କରୁଛନ୍ତି । ପରିବେଶ ସୁରକ୍ଷା ଦିଗରେ ମଧ୍ୟ ସେ ନିଜର କାର୍ଯ୍ୟ ଜାରି ରଖିଛନ୍ତି । ସେ ଜଣେ ସମାଜସେବୀ ଭାବେ ଜନସ୍ୱାର୍ଥ ଜଡ଼ିତ ବିଭିନ୍ନ କାର୍ଯ୍ୟ ସଫଳତାର ସହ ତୁଲାଇ ଆସୁଛନ୍ତି । କଲେଜରେ ପଢୁ ଥିବାବେଳେ ସେ ବିଜୁ ପଟ୍ଟନାୟକଙ୍କ ମହାନ ଆଦର୍ଶରେ ଅନୁପ୍ରାଣୀତ ହୋଇଥିଲେ, ଯାହା ତାଙ୍କୁ ଆଜି ବିଜେଡ଼ି ରାଜନୀତିରେ ସକି୍ରୟ ଭୂମିକା ଗ୍ରହଣ କରିବାକୁ ପ୍ରେରଣା ଦେଇଛି ବୋଲି ସେ କହିଛନ୍ତି । ବହୁପ୍ରତିଭାର ଅଧିକାରୀ ସୁନିତା ଜଣେ ପ୍ରଗତିଶୀଳ ମଣିଷ ଭାବେ ବିଭିନ୍ନ ସାମାଜିକ ଓ ଗଣ ଆନେ୍ଦାଳନ ସହିତ ନିଜକୁ ସାମିଲ କରିଥିବା ବେଳେ ରାଜନଗର ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ମନୋନିବେଶ କରିଥିବା କହିଛନ୍ତି । ରାଜନଗରବାସୀଙ୍କ ପାଇଁ ସୁନିତା ଗ୍ରହଣୀୟ ହେବେ ବୋଲି ରାଜନୀତିକ ବିଷାରଦ ମାନେ ମତ ଦେଉଛନ୍ତି । ଇତିଧ୍ୟରେ ନିଜର ନିର୍ମଳ ଭାବମୂର୍ତି, ଜନସେବା, ପ୍ରଚଣ୍ଡ ବ୍ୟକ୍ତିତ୍ୱ ଓ ଅମାୟିକତ୍ୱ ପାଇଁ ସେ ରାଜନଗର ବାସୀଙ୍କର ଅତି ନିକଟତର ହୋଇ ପାରିଛନ୍ତି । ରାଜନଗର ଅଂଚଳରେ ତାଙ୍କର ବ୍ୟାପକ ଲୋକ ସଂପର୍କ ଥିବାରୁ ଏହି ଆସନରେ ସେ ସହଜ ବିଜୟଳାଭ କରିବେ ବୋଲି ରାଜନୀତିକ ସମୀକ୍ଷକ ମାନଙ୍କ ମତ । ସୁନିତାଙ୍କ ପ୍ରତିନିଧିତ୍ୱ ବଳରେ ଚିର ଅବହେଳିତ ରାଜନଗର ଅଂଚଳ ବିକାଶ ପଥରେ ଆଗେଇ ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ଓଏନ୍ଏସ୍ ।