ଉପାନ୍ତ ଅଂଚଳ ପ୍ରତି ଅବହେଳା କାହିଁକି?

ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ଗାଁ ଗହଳିରେ ଢଗ ଟିଏ ଅଛି, ଗେରସ୍ତ ଅଯୋଗ୍ୟ ପଣେ ମାଇପ କାନ୍ଦୁଛି ଚାକୁଣ୍ଡା ବଣେ । ସ୍ଥାନିୟ ଜନ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ଅପାରଗତା ଯୋଗୁଁ ଜନସାଧାରଣ କିଭଳି ଅବହେଳାର ଶିକାର ହୁଅନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ମୁଁ ଏଠାରେ ଅବତାରଣ କରୁଛି ।
କିଛି ଦିନ ତଳେ କଟକ ଉପକଣ୍ଠରେ ଥିବା ମହାନଦୀ ପୋଲ ଉପରୁ ଗୋଟିଏ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ନଦୀ ଶଯ୍ୟାକୁ ଖସି ପଡିଲା । ଏହି ଦୁର୍ଘଟଣାରେ କିଛି ଲୋକ ମୃତାହତ ହେଲେ । ପରେ ପରେ ଜମ୍ବୁର ହୁକିଟେଲା ଠାରେ ଗୋଟିଏ ନୌକା ବୁଡି ରେ କିଛି ଲୋକ ମୃତୁ୍ୟ ବରଣ କଲେ । ଏହି ଉଭୟ ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କଲା । ଗଣ ମାଧ୍ୟମରେ ବ୍ୟାପକ ପ୍ରଚାର ଓ ତର୍ଜମା ଚାଲିଲା । ଟିଭି ରୁମର ହଟ୍ ସିଟରେ ଚିନ୍ତାଶିଳ ବ୍ୟକ୍ତି ମାନେ ବସି କାରଣ ନିରାକରଣ ଉପରେ ବିତର୍କ କଲେ । ଖୋଦ ମହାମାନ୍ୟ ରାଜ୍ୟପାଳ ଆହତ ମାନଙ୍କୁ ନିଜେ ଭେଟି ସାନ୍ତ୍ୱନା ଜଣାଇଲେ । ସରକାରଙ୍କ ତରଫରୁ ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କୁ ଚାରିଲକ୍ଷ ଟଙ୍କା ଅନୁକଂପା ରାଶି ଓ ଆହତ ମାନଙ୍କୁ ମାଗଣା ଚିକିସôା ଯୋଗାଇ ଦିଆଗଲା ।
ଠିକ୍ ସେହି ସମୟରେ ରାଜ୍ୟର ଉପାନ୍ତ ଅଂଚଳ ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ଥିବା ଅରବିନ୍ଦ ଇଂଟେଗ୍ରାଲ ସ୍କୁଲର କିଛି କୋମଳ ମତି ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ପାଠଚକ୍ରର ଜିଲ୍ଲା ସଂଯୋଜକ ବିଖ୍ୟାତ ସାହିତି୍ୟକ ଲଳିତ ମୋହନ ପଟ୍ଟନାୟକ ଏକ ପାଠଚକ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବିଦ୍ୟାଳୟର ନିଜସ୍ୱ ବସରେ ଚନ୍ଦାହାଣ୍ଡି ଯାତ୍ରା କରୁଥିଲେ । ର୍ଦୁଭାଗ୍ୟ ବଶତଃ ରାସ୍ତାରେ ଯିବା ବେଳେ ଘାଟିରେ ବସ ଟି ଭାରସାମ୍ୟ ହରାଇ ତଳକୁ ଖସି ପଡିଲା । ଏହି ଦୁର୍ଘଟଣାରେ ଲଳିତ ମୋହନ ପଟ୍ଟନାୟକଙ୍କ ସହିତ ଆଉ ଦୁଇ ଜଣଙ୍କ ମୃତୁ୍ୟ ଘଟିଲା ଓ ଅନେକ ଆହତ ହେଲେ । ସେମାନଙ୍କ ପାଇଁ ଉଭୟ ସରକାର ଓ ଗଣ ମାଧ୍ୟମର ବ୍ୟବହାର କିନ୍ତୁ ଭିନ୍ନ ଥିଲା । ଏପର୍ଯ୍ୟନ୍ତ ସେମାନଙ୍କୁ ୨୦୦୦ ଟଙ୍କାର ହରିଶଚନ୍ଦ୍ର ଯୋଜନା ଛଡା ଅନ୍ୟ କୌଣସି ଅନୁକମ୍ପା ରାଶି ମିଳିନାହିଁ । ତାଙ୍କ ପାଇଁ ଗଣ ମାଧ୍ୟମରେ ବିତର୍କ ହେଉନାହିଁ । ଆହତ ମାନେ ନିଜ ଦାୟିତ୍ୱରେ ନିଜ ଚିକିତ୍ସା କରାଉଛନ୍ତି । ଗତ ଜାନୁୟାରୀ ୨୬ ଦିନ ଉମରକୋଟ ଠାରେ ସାଧାରଣ ତନ୍ତ୍ର ଦିବସ ପାଳନ କଲାବେଳେ ମଂଚ ସଜା କାର୍ଯ୍ୟରେ ନିୟୋଜିତ ଜଣେ ଯୁବକର ବିଦୁ୍ୟତ ଆଘାତରେ ମୃତୁ୍ୟ ଘଟିଲା । ଏପର୍ଯ୍ୟନ୍ତ ତାକୁ କୌଣସି ଅନୁଦାନ ବା ସମବେଦନା ଦିଆ ଯାଇନାହିଁ । ଏକ ସରକାରୀ କାର୍ଯ୍ୟକ୍ରମରେ ମୃତୁ୍ୟ ଘଟିଥିଲେ ଉପକୁଳ ଅଂଚଳରେ କି ଅବସ୍ଥା ସୃଷ୍ଟି ହୋଇଥାନ୍ତା ତାହା ଯେ କୌଣସି ଲୋକ ଅନୁମାନ କରି ପାରିବ ।
ଏଭଳି ଅବହେଳା କିଛି ନୂଆ ନୁହେଁ । ଏହା କୈାଣସି ଦଳ ଓ ସରକାର ବା ସମୟର ସିମା ଭିତରେ ଆବଦ୍ଧ ହୋଇ ରହିନାହିଁ । ଅନେକ ବର୍ଷ ତଳେ ଏକ ସମୟରେ ଉଭୟ ଭୁବନେଶ୍ୱର ଓ ନବରଙ୍ଗପୁର ଠାରେ ବେଲୁନ ଗ୍ୟାସ୍ର ବିସ୍ଫୋରଣ ହୋଇ ଅନେକ ଲୋକ ମୃତାହତ ହୋଇଥିଲେ । ଯେଉଁମାନେ ଭୁବନେଶ୍ୱରରେ ଆହତ ହେଲେ ସେମାନଙ୍କ ପାଇଁ ସରକାର ବ୍ୟାପକ ସୁବିଧା ଖଞ୍ଜିଦେଲେ । ଉନ୍ନତ ମାନର ଚିକିସôା ପାଇଁ ସେମାନଙ୍କୁ ବିମାନରେ ଦିଲ୍ଲୀ ନିଆଗଲା । ବିଚରା ନବରଙ୍ଗପୁରର ଆହତ ଲୋକମାନେ ନିଜ କର୍ମକୁ ଆଶ୍ରୟ କରି ଯେତିକି ପାରିଲେ ସେତିକି ଚିକିସôା ନିଜେ କରାଇଲେ ।
ବହୁ ବର୍ଷ ତଳେ ଜଣେ ଦରିଦ୍ର ହରିଜନ ଯୁବକ ଉମରକୋଟ ବିଦ୍ୟୁତ ବିଭାଗର ଠିକା ଡ୍ରାଇଭର ଥିଲା । ବିଦୁ୍ୟତ୍ କର୍ମଚାରୀ ମାନେ ନବରଙ୍ଗପୁର ବ୍ୟାଙ୍କ ଠାରୁ ଦରମା ଟଙ୍କା ଧରି ଫେରୁଥିବା ବେଳେ ବାଟରେ ଡକାୟତ ମାନେ ଟଙ୍କା ଲୁଟି ନେଲେ । ଡ୍ରାଇଭର ବାଧା ଦେବାରୁ ତାକୁ ଗୁଳିକରି ମାରି ଦେଲେ । ସେ ଠିକା କର୍ମଚାରି ଥିବାରୁ ତାହା ପାଇଁ କୈøଣସି ଅନୁକଂପା ନା ବିଦୁ୍ୟତ୍ ବିଭାଗ ଦେଲା ନା ସରକାର ଦେଲା । ତା’ର ବିଧବା ସ୍ତ୍ରୀ ଓ ବିକଳାଙ୍ଗ ଝିଅ ମୁଲିଆ କାମ କରି ଏବେ ପେଟ ପୋଷୁଛନ୍ତି । ଗଣତନ୍ତ୍ର ଶାସନରେ ଆଇନ ଆଖିରେ ସମସ୍ତେ ସମାନ । ସମ୍ବିଧାନ ସମସ୍ତଙ୍କୁ ସମାନ ଅଧିକାର ଦେଇଛି । ଲୋକମାନଙ୍କ ଭୋଟରେ ନିର୍ବାଚିତ ସରକାର ହେଉଛନ୍ତି ରାଜ୍ୟର ରାଜ କୋଷର ଟ୍ରଷ୍ଟି ବା ରକ୍ଷକ ଭଳି । ସମସ୍ତ ପ୍ରଜାଙ୍କୁ ସମ ଦୃଷ୍ଟିରେ ଦେଖିବା ତାଙ୍କର ପବିତ୍ର କର୍ତବ୍ୟ । ରାଜ୍ୟରେ ଘଟୁଥିବା ଦୈବ ଦୁର୍ଘଟଣା ବା ଆକସ୍ମିକ ମୃତୁ୍ୟ ଘଟଣାରେ ଯେଉଁ ଅନୁକଂପା ରାଶି ଦିଆ ଯାଉଛି ତାହା ଏକ ନିର୍ଦ୍ଧିଷ୍ଟ ନିୟମ ଅନୁସାରେ ଦିଆଯିବା ଉଚିତ୍ । ରାଜ କୋଷକୁ ନିଜର ସମ୍ପତି ଭାବି ମୁଁ ଦେଉଛି କହି ବାଃ ବାଃ କରିବା ଗଣତନ୍ତ୍ର ନୀତି ବିରୁଦ୍ଧ ଅଟେ । ଯେଉଁ ଅଂଚଳର ଲୋକେ ରାସ୍ତା ରୋକ, ଧର୍ମଘଟ, ଅଣ୍ଡାମାଡ ଓ ଗାଡିକୁ ନିଆ ଲଗାଇ ଜାଳି ପାରିବେ ସେ ଅଂଚଳରେ ଅନୁଦାନ ରାଶି ସାଙ୍ଗେ ସାଙ୍ଗେ ମିଳି ଯାଉଛି । ନୀରିହ ଆଦିବାସୀ ମାନେ ଦୈବ ଦୁର୍ଘଟଣାକୁ ଭାଗ୍ୟର ଖେଳ ଭାବେ ଧରି ନିଅନ୍ତି । କାହା ଉପରେ ଅଭିଯୋଗ ବା ଅଭିମାନ କରିବା, ନିଜ ପାଇଁ ଦାବି କରିବା ସେମାନଙ୍କ ସଂସ୍କାରରେ ନାହିଁ । ସେମାନଙ୍କର ଦାବିକୁ ଉପଯୁକ୍ତ ସ୍ଥାନରେ ଉପଯୁକ୍ତ ସମୟରେ ଏ ଅଂଚଳର ନେତା ମାନଙ୍କର ଉପତ୍ସାପନ କରିବାର ଦକ୍ଷତା ନାହିଁ । ତେଣୁ ଲୋକମାନେ ଅବହେଳାର ଶିକାର ହେଉଛନ୍ତି ।
କଟକ ବା ଭୁବନେଶ୍ୱର ଓଡ଼ିଶା ନୁହେଁ । ସେଠାରେ ଆଳୁ ଦର ବଢିଗଲେ ସରକାର କମ୍ପିଉଠେ । ବଣ ଜଙ୍ଗଲରେ ରହୁଥିବା ଆଦିବାସୀ ମାନେ ମଧ୍ୟ ମଣିଷ । ଗୋଟିଏ ହାତୀ ମଲେ ଯେତିକି ବିତର୍କ ହେଉଛି ଏମାନଙ୍କର ଜୀବନ ତା’ ନିକଟରେ କିଛି ନୁହଁ । ଏହି ପକ୍ଷ ପାତିତା ଯୋଗୁଁ ପଶ୍ଚିମର କୋଶଳ ଅଂଚଳରେ ବିଭାଜନର ଧ୍ୱନି ଶୁଭିଲାଣି । ଏହି ଧ୍ୱନି ଯେ ଉପାନ୍ତ ଦକ୍ଷିଣ ଅଂଚଳରେ ପ୍ରତିଧ୍ୱନିତ ହେବ ନାହିଁ ତାହା କିଏ କହିବ? ଏ ଦେଶରେ ଲକ୍ଷ ଲକ୍ଷ ଜଗାକାଳିଆ ଅଛନ୍ତି । ଶହ ଶହ ଦ୍ୱୁତିଚାନ୍ଦ ଅଛନ୍ତି । ଗୋଟେ ଜଗାକାଳିଆକୁ କୋଟିଏ ଟଙ୍କା ସାହାଯ୍ୟ ଦେଇଦେଲେ ଲକ୍ଷେ ଜଗାକାଳିଆର ଦୁଃଖ ଦୁର ହେବାନାହିଁ । ଜଣେ ଦ୍ୱୁତିଚାନ୍ଦ ଉପରେ ପ୍ରୋସôାହନ ରାଶି ଉଜାଡି ଦେଲେ ସମସ୍ତଙ୍କ ଭାଗ୍ୟ ବଦଳି ଯିବ ନାହିଁ । ଏହା ଦ୍ୱାରା କେବଳ ଆତ୍ମ ପ୍ରଚାର ହିଁ ସାର ହେବ ।
ଲେଖକର ଏକାନ୍ତ ଅନୁରୋଧ ଏହି ଉପାନ୍ତ ଅଂଚଳ ପ୍ରତି ସାବତ ପୁଅର ବ୍ୟବହାରରୁ ସରକାର କ୍ଷ୍ୟାନ୍ତ ହୁଅନ୍ତୁ । ଯେଉଁ ନେତା ମାନଙ୍କୁ ସରଳ ଲୋକମାନେ ବିଶ୍ୱାସର ସହିତ ନିର୍ବାଚିତ କରୁଛନ୍ତି ସେମାନେ ନିଜର ଚୈାକିର ଭୟ ଛାଡି ଅଂଚଳର ଅବହେଳାକୁ ସରକାରଙ୍କ ଦୃଷ୍ଟି ଗୋଚରକୁ ଆଣନ୍ତୁ । ସେମାନେ ମନେ ରଖନ୍ତୁ ଯେ, ଦେଶର ସ୍ୱାଧିନତା ପାଇଁ ଏହି ଅଂଚଳର ୧୯ ଜଣ ନିରିହ ଆଦିବାସୀ ନିଜର ବକ୍ଷର ରକ୍ତ ଢାଳି ଦେଇଛନ୍ତି ।

Leave a Reply

Your email address will not be published.