ସାହିତ୍ୟ ସଂସଦ ପକ୍ଷରୁ ‘ଶହୀଦ୍ ସ୍ମରଣେ କବିତାଂଜଳି’

ଖୋର୍ଦ୍ଧା, (ଓଏନ୍ଏସ୍): ରାଜ୍ୟର ଅଗ୍ରଣୀ ସାହିତ୍ୟ ସଂଗଠନ ଖୋର୍ଦ୍ଧା ସାହିତ୍ୟ ସଂସଦ ପକ୍ଷରୁ ଫୁଲୱାମାରେ ସଂଗଠିତ ବିଷ୍ଫୋରଣରେ ଦିବଂଗତ ଶହୀଦ ମାନଙ୍କୁ ଶ୍ରଦ୍ଧାଂଜଳି ଦେବା ଉଦେ୍ଦଶ୍ୟରେ ଏକ ସର୍ଜନାତ୍ମକ କାର୍ଯ୍ୟକ୍ରମ ‘ଶହୀଦ ସ୍ମରଣେ କବିତାଂଜଳି’ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ସଂସଦର ସଭାପତି ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଉପସ୍ଥିତ ସମସ୍ତ ସଦସ୍ୟ ତଥା କବିମାନେ ପ୍ରଦୀପ ପ୍ରଜ୍ୱଳନ କରି ସମସ୍ତ ଅମର ସହିଦ୍ଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ସଂସଦର ସଂପାଦକ ଶିକ୍ଷାବିତ ଡକ୍ଟର ଧୀରେନ୍ଦ୍ର ନନ୍ଦ ତାଙ୍କର ସ୍ୱାଗତ ଭାଷଣରେ କହିଲେ ଫୁଲୱାମାର ବର୍ବୋରଚିତ ସନ୍ତ୍ରାସବାଦୀ ଆକ୍ରମଣ ଆଜି ଦେଶର ଐକ୍ୟ ଓ ସଂହତି ପ୍ରତି ବିଷାଦ ସୃଷ୍ଟି କରିଛି । ଆଜିର ଏହି ଆକ୍ରମଣର ଅମର ଶହୀଦ୍ ଜବାନ୍ ମାନଙ୍କର ବଳିଦାନ ଦେଶ ମାତୃକାକୁ ରକ୍ଷା କରିବାକୁ ପ୍ରତ୍ୟେକ ଭାରତୀୟଙ୍କୁ ଆହ୍ୱାନ ଦେଇଛି । ସାରା ଦେଶର ପ୍ରତ୍ୟେକ ନାଗରିକ ଆଜି ସେମାନଙ୍କ ଉଦେ୍ଦଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଂଜଳି ଦେବାସହ ବାହ୍ୟ ଶତୃଠାରୁ ନିଜକୁ ରକ୍ଷା କରିବା ପାଇଁ ନିଜଠାରେ ଶତସିଂହର ବଳକୁ ଠୁଳ କରିପାରିଛନ୍ତି ବୋଲି କହିଥିଲେ । ଏହି ଅବସରରେ ସଂସଦର ଉପସଭାପତି ସସ୍ମିତା ପଟ୍ଟନାୟକ ଏବଂ କବୟିତ୍ରୀ କବିତା ପଟ୍ଟନାୟକଙ୍କ ସଂଯୋଜନାରେ ଏହି କବିତାଂଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡ.ନିରଂଜନ ମହାନ୍ତି, କୃଷ୍ଣଚନ୍ଦ୍ର ହରିଚନ୍ଦନ, ଡ.ପ୍ରମୋଦ ଚନ୍ଦ୍ର ଦାଶ, ଡ.ଅଶୋକ କୁମାର ନନ୍ଦ ପ୍ରମୁଖ ନିଜର ବକ୍ତବ୍ୟ ରଖି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିବାବେଳେ କବି ଦିଲ୍ଲୀପ ରଣଜିତ, ଡ.ବୃନ୍ଦାବନ ପଣ୍ଡା, ରବି ପ୍ରଧାନ, ରମାକାନ୍ତ ମାଝି,ଅମ୍ଳାନ ପ୍ରହରାଜ, ବସନ୍ତ କୁମାର ସାହୁ, ଲମ୍ବୋଦର ଶତପଥି, କଳାଚାନ୍ଦ, ଶମ୍ଭୁନାଥ ଦାସ, ବସନ୍ତ କୁମାର ପଣ୍ଡା, କୈଳାଶ ଚନ୍ଦ୍ର ପାଢୀ, ମାନସ ପଟ୍ଟନାୟକ, ବିଖ୍ୟାତ ବିହାରୀ ମିଶ୍ର, ବୈଜୟନ୍ତି ସାହୁ, ବିରଂଚି ନାରାୟଣ ମଲିକ, ବିଷ୍ଣୁପ୍ରସାଦ ମିଶ୍ର, ନାରାୟଣ ସେନାପତି, ଦମୟନ୍ତୀ ରଥ, ମାନସୀ ବେହୁରା, ସୁବ୍ରତା ମହାନ୍ତି, କବିତା ମହାନ୍ତି ପ୍ରମୁଖଙ୍କ ଭଓକ୍ସ ବୀର ଅମର ସହୀଦ ମାନଙ୍କ ଉଦେ୍ଦଶ୍ୟରେ କବିତା ସମସ୍ତଙ୍କ ମନରେ ଏକ ଭାବ ବିହ୍ୱୋଳ ପରିବେଶ ସୃଷ୍ଟି କରିଥିଲା । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ଯୁଗ୍ମ ସଂପାଦକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଶେଷରେ ସଂସଦର ସଂଗଠନ ସଂପାଦକ ବିଭୁ ପ୍ରସାଦ ହରିଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published.