ରେକର୍ଡ଼ ଭାଙ୍ଗିବ ଚଳିତ ନିର୍ବାଚନ!
ଭୁବନେଶ୍ବର, (ଓଏନ୍ଏସ୍): ଦେଶରେ ଏବେ ନିର୍ବାଚନୀ ପରିବେଶ । ପୂର୍ବର ସମସ୍ତ ନିର୍ବାଚନ ତୁଳନାରେ ଚଳିତ ଲୋକସଭା ନିର୍ବାଚନ ତୀବ୍ର ପ୍ରତିଦ୍ୱନ୍ଦିତା ମୂଳକ ଓ ସଂଘର୍ଷ ପୂର୍ଣ୍ଣ ହେବ । ଏଥର ସବୁ ବିରୋଧୀ ଦଳଙ୍କ ଏକମାତ୍ର ଲକ୍ଷ୍ୟ ହେଉଛି ‘ମୋଦି ହଟାଓ, ଦେଶ ବଂଚାଅ’ । ଯଦିଓ ସମସ୍ତ ବିରୋଧୀଙ୍କ ମଧ୍ୟରେ ମେଂଟ ହୋଇନାହିଁ, ତଥାପି ସମସ୍ତଙ୍କର ମୂଳ ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀ ଦଳ ଗୁଡ଼ିକ ମୁଖ୍ୟତଃ ରାଫେଲ୍ ଦୁର୍ନୀତି, ଜିଏସଟି ବିଫଳତା, ବିମୁଦି୍ରକରଣ ବିଫଳତା, ବେକାରୀ ସମସ୍ୟା, କୃଷକ ଆତ୍ମହତ୍ୟା ଆଦି ସମସ୍ୟାକୁ ପ୍ରମୁଖ ନିର୍ବାଚନ ପ୍ରସଙ୍ଗ କରିବା ନିଶ୍ଚିତ । ଆଉ ଶାସକ ବିଜେପି ନିର୍ବାଚନ ପ୍ରଚାରରେ ପାକିସ୍ତାନର ଆତଙ୍କବାଦୀ ଶିବିର ଆକ୍ରମଣକୁ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିପାରେ । ଏଥିସହ ଜନଧନ, ଉଜ୍ଜଳା ଯୋଜନା ଭଳି କେତେକ ଜନ କଲ୍ୟାଣକାରୀ ସରକାରୀ ଯୋଜନାର ସଫଳତାକୁ ଶାସକ ଦଳ ନିର୍ବାଚନ ପ୍ରଚାରରେ ସ୍ଥାନ ଦେଇପାରେ । ତେବେ ବିଜେପିକୁ ରୋକିବାରେ ବିରୋଧୀ ଦଳ ମାନେ କେତେ ସମର୍ଥ ହେବେ, ତାହା ଏବେ ଠୁ କହି ହେବ ନାହିଁ । ଯେହେତୁ ସବୁ ବିରୋଧୀଙ୍କ ଲକ୍ଷ୍ୟ ମୋଦି ହଟାଓ ହୋଇଥିଲେ ହେଁ ସେମାନଙ୍କର ଶକ୍ତି ଏକୀକୃତ ହେବା ଏତେ ସହଜ ନୁହେଁ । ଅବଶ୍ୟ ଉତର ପ୍ରଦେଶରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ମେଂଟ ହୋଇଥିବାରୁ ବିଜେପିର ପୂର୍ବଥରର ଆସନ ସଂଖ୍ୟା କମି ଯାଇପାରେ । ସେହିପରି ଯଦି ବିରୋଧୀ ଦଳ ମାନେ ପୂର୍ବ ଅପେକ୍ଷା ବହୁ ଅଧିକ ଆସନ ଅକ୍ତିଆର କରନ୍ତି, ତଥାପି ମୋଦିଙ୍କୁ ସରକାର ଗଠନ କରିବାରେ ଅଟକାଇ ପାରିବେ ନାହିଁ ବୋଲି କୁହାଯାଉଛି । କାରଣ ଜାତୀୟ ସ୍ତରରେ ମେଂଟ ଅଭାବରୁ ମୋଦିଙ୍କୁ କେହି ଅଟକାଇ ପାରିବେ ନାହିଁ । ମୋଟ ଉପରେ ଏହି ନିର୍ବାଚନ ପ୍ରବଳ ପ୍ରତିଦ୍ୱନ୍ଦିତା ମୂଳକ ହେବ ।
ସେହିପରି ଚଳିତ ନିର୍ବାଚନ ପୂର୍ବର ସବୁ ରେକର୍ଡ଼କୁ ଭାଙ୍ଗିବା ପ୍ରାୟ ନିଶ୍ଚିତ । ଏହି ନିର୍ବାଚନ ବିଶ୍ୱର ସବୁଠାରୁ ବ୍ୟୟ ବହୁଳ ନିର୍ବାଚନ ହେବାର ଆଳନ କରାଯାଉଛି । ଏହାର ମୂଳ କାରଣ ହେଉଛି, ଏହି ନିର୍ବାଚନର ଫଳାଫଳକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଦେଶର କୌଣସି ରାଜନୀତିକ ଦଳ ଚଳିତ ନିର୍ବାଚନରେ ଜିତିବାକୁ ନେଇ ସନ୍ଦିହାନ ରହିଛନ୍ତି । ଅନ୍ୟପକ୍ଷରେ ଏଥର କେନ୍ଦ୍ରରେ ଶାସକ କିମ୍ବା ବିରୋଧୀ ଦଳ ମାନେ ସଂଖ୍ୟା ଗରିଷ୍ଠତା ହାସଲ କରିବାର ସମ୍ଭାବନା ପ୍ରାୟ ନଥିବା ରାଜନୀତିକ ବିଶାରଦ ମାନେ ଭବିଷ୍ୟବାଣୀ କରୁଛନ୍ତି । ଏହି ଅବସ୍ଥାରେ ବିଭିନ୍ନ ରାଜନୀତିକ ଦଳ ଅଧିକରୁ ଅଧିକ ଭୋଟ ପାଇବାକୁ ପାଣି ପରି ଟଙ୍କା ଖର୍ଚ୍ଚ କରିବେ ବୋଲି ଅନୁମାନ କରାଯାଉଛି । ବାସ୍ତବତା ଦେଖାଗଲେ, ଆମ ଦେଶରେ ଅନୁଷ୍ଠିତ ବିଧାନସଭା ଓ ଲୋକସଭା ନିର୍ବାଚନରେ କ୍ରମେ ଖର୍ଚ୍ଚ ବୃଦ୍ଧି ପାଇ ଚାଲିଛି । ପ୍ରତି ଥର ପୂର୍ବଥର ତୁଳନାରେ ଖର୍ଚ୍ଚହାର ଅଧିକ ବୃଦ୍ଧି ପାଉଛି । ଏହାର ପ୍ରତିକୂଳ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ୁଛି । ଆଉ ପ୍ରତ୍ୟେକ ଜିନିଷର ମୂଲ୍ୟ ଆକାଶ ଛୁଅାଁ ବଢୁଛି । ଏହା ବିଭିନ୍ନ ଦୁର୍ନୀତିକୁ ଜନ୍ମ ଦେଉଛି । ଏବେ ନିର୍ବାଚନରେ ବିପୁଳ ଖର୍ଚ୍ଚ ଭାରତୀୟ ଅର୍ଥ ବ୍ୟବସ୍ଥାର ଏକ ଅଙ୍ଗରେ ପରିଣତ ହୋଇଛି । ଯଦିଓ ନିର୍ବାଚନ କମିସନ୍ ପ୍ରାର୍ଥୀ ମାନଙ୍କ ପାଇଁ ନିର୍ବାଚନ ଖର୍ଚ୍ଚର ନିର୍ଦ୍ଦିଷ୍ଟ ମାପକାଠି ରଖୁଛନ୍ତି, ତଥାପି ତାହାକୁ କେହି ମାନୁ ନଥିବା ଦେଖା ଯାଉଛି । ହୁଏତ ଏସଂପର୍କୀୟ ନିୟମ କୁଡ଼ିକ ବିଶେଷ ପ୍ରଭାବଶାଳୀ ହେଉନାହିଁ । ଏଣୁ ଏହି ଅବସ୍ଥାରେ ଆମ ଦେଶରେ ନିର୍ବାଚନ ପ୍ରଣାଳୀରେ ବ୍ୟାପକ ସଂସ୍କାର ଅଣା ଯିବାର ଅତ୍ୟନ୍ତ ଆବଶ୍ୟକତା ରହିଛି ।