କେନ୍ଦ୍ରାପଡ଼ା ଜିଲ୍ଲାରେ ନିର୍ମଳ ଭାବମୂର୍ତିର ପ୍ରାର୍ଥୀଙ୍କୁ ଅପେକ୍ଷା!

କେନ୍ଦ୍ରାପଡ଼ା, (ଓଏନ୍ଏସ୍): କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜନୀତିକ ଦୃଶ୍ୟପଟ୍ଟ କ୍ରମେ ପରିବର୍ତନ ହେବାରେ ଲାଗିଛି । ଗତ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନ ସମେତ ପାଟକୁରା, କେନ୍ଦ୍ରାପଡ଼ା, ମହାକାଳପଡ଼ା ଓ ମାହାଙ୍ଗା ବିଧାନସଭା ଆସନ ବିଜେଡ଼ି ହାତକୁ ଯାଇଥିଲା ବେଳେ ରାଜନଗର, ଆଳି ଓ ସାଲେପୁର ଆସନ କଂଗ୍ରେସ ଅକ୍ତିଆରକୁ ଯାଇଥିଲା । ମାତ୍ର ସମୟ ବଦଳିବା ସହ ଏଠାକାର ରାଜନୀତିକ ପାଣିପାଗ ମଧ୍ୟ ବଦଳିବାରେ ଲାଗିଛି । ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବିନ ବାବୁଙ୍କର ହାୱାରେ କେତେକ ବିଜେଡ଼ି ପ୍ରାର୍ଥୀ ବିଜୟୀ ହୋଇଥିଲେ । ମାତ୍ର ଏଥର ବିଜେଡ଼ି ଅବସ୍ଥା ସୁଧୁରିଛି । ପ୍ରାୟ ସମସ୍ତ ଆସନ ବିଜେଡ଼ି ଅକ୍ତିଆରକୁ ଚାଲିଯିବାର ସମ୍ଭାବନା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ବିଭିନ୍ନ ବିଧାନସଭା ନିର୍ବାଚନ କ୍ଷେତ୍ରରେ ବିଜେଡ଼ିରୁ ଲଢିବାକୁ ଆଶାୟୀଙ୍କ ସଂଖ୍ୟା ୫,୬,୭ ଓ ୮କୁ ଛୁଇଁଲାଣି । ପ୍ରାୟ ସବୁ ଆସନରେ ଦଳୀୟ ପ୍ରାର୍ଥୀତ୍ୱ ପାଇଁ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଆରମ୍ଭ ହୋଇ ଗଲାଣି ।
ସଂପ୍ରତି ରାଜନଗର ବିଧାନସଭା କ୍ଷେତ୍ରର ରାଜନୀତିକ ପାଣିପାଗ ବଦଳୁଛି । ଏଥର ଏହି ନିର୍ବାଚନ କ୍ଷେତ୍ରରେ ବିଜେଡ଼ିରୁ ଲଢିବାକୁ ଆଶାୟୀଙ୍କ ସଂଖ୍ୟା ୭/୮କୁ ଛୁଇଁଲାଣି । ଏଠାରେ କଂଗ୍ରେସ ର ଅବସ୍ଥା ଶୋଚନୀୟ ରହିଛି । ଭୋଟର ମାନଙ୍କ ମଧ୍ୟରେ ଅଂଶୁମାନଙ୍କ ପ୍ରତି ତୀବ୍ର ଅସନ୍ତୋଷ ରହିଛି । ତେବେ ଏହି ଆସନରେ କଂଗ୍ରେସ ଦଳ ପୁଣି ଥରେ ଅଂଶୁମାନ ମହାନ୍ତି ଙ୍କୁ ପ୍ରାର୍ଥୀ କରିଛି । ସେହିପରି ଏଠାରେ ବିଜେପି ର କୌଣସି ସଶକ୍ତ ସଂଗଠନ ନାହିଁ । ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ଅଲେଖ ଜେନାଙ୍କୁ ଏଠାରୁ ପ୍ରାର୍ଥୀ କରାଯାଇଛି । ରାଜନଗର ବିଧାନସଭା କ୍ଷେତ୍ର ଅନୁଧ୍ୟାନ ପରେ ଜାଣିବାକୁ ମିଳୁଛି ଯେ, ଏଠାରେ କେତେକ ଦଳୀୟ ନେତା ଓ କର୍ମୀଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମରେ ବିଜେଡ଼ି ସଂଗଠନ ନିଜର କାୟା ବିସ୍ତାର କରି ଚାଲିଛି । ବିଜେଡ଼ିର ଆଶାୟୀ ପ୍ରାର୍ଥୀ ମାନେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରି ସାଧାରଣ ଲୋକଙ୍କ ପ୍ରିୟ ଭାଜନ ହୋଇଛନ୍ତି । ଏମାନଙ୍କର ରାଜନୀତିକ ଦକ୍ଷତା ଜିଲ୍ଲାବାସୀ ଜାଣିଛନ୍ତି ।
ମହାକାଳପଡ଼ା ବିଧାନସଭା କ୍ଷେତ୍ର ସମେତ ଆଳି ନିର୍ବାଚନ ମଣ୍ଡଳୀ, ପାଟକୁରା ନିର୍ବାଚନ ମଣ୍ଡଳୀ ଓ କେନ୍ଦ୍ରାପଡ଼ା ସଂରକ୍ଷିତ ବିଧାନସଭା ଆସନ ଅଂଚଳରେ ବିଜେଡ଼ିର ସଂଗଠନ ମଜଭୁତ ହେବାରେ ଲାଗିଛି । ଜିଲ୍ଲାର ସମସ୍ତ ଆସନରେ କିଛି ଆଗ ଧାଡ଼ିର ବିଜେଡ଼ି ନେତା ଦଳୀୟ ସଂଗଠନକୁ ଆଗେଇ ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଦେଖା ଯାଉଛି । ତେବେ କେତେକ ବିଜେଡ଼ି ନେତାଙ୍କର ସାଧାରଣ ଲୋକଙ୍କୁ ଉପେକ୍ଷା ଯୋଗୁ ଲୋକେ ସେହି ନେତାଙ୍କ ଉପରେ ଭରଷା କରି ପାରୁ ନାହାନ୍ତି । ସେହିପରି କେତେକ ନେତାଙ୍କ ବିରୁଦ୍ଧରେ ବିଭିନ୍ନ ବେଆଇନ କାର୍ଯ୍ୟ, ଅର୍ଥ ତୋଷରପାତ, ଗୁଣ୍ଡାଗିରି ଆଦି ଅନେକ ସମ୍ବେଦନଶୀଳ ମାମଲାର ଅଭିଯୋଗ ଥିବାରୁ ସେମାନଙ୍କୁ ବିଜେଡ଼ି ଟିକଟ ଦିଆଯିବା ଉଚିତ ନୁହେଁ ବୋଲି ବିଭିନ୍ନ ମହଲରେ ଦାବି ହେଉଛି । ତେବେ ବିଜେଡ଼ି ଆଶାୟୀ ପ୍ରାର୍ଥୀଙ୍କ ସଂପର୍କରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତନ୍ନ ତନ୍ନ କରି ଯାଂଚ କରି ନିର୍ମଳ ଭାବମୂର୍ତି ସଂପନ୍ନ ନେତାଙ୍କୁ କେନ୍ଦ୍ରାପଡ଼ାର ୫ଟି ଆସନରେ ପ୍ରାର୍ଥୀତ୍ୱ ଅର୍ପଣ କରିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave a Reply

Your email address will not be published.