ଆଜାଦ୍ ଭାରତ ମେମୋରିଆଲ ଟ୍ରଷ୍ଟର ପ୍ରତିଷ୍ଠା ଉତ୍ସବ ପାଳିତ
ପୌରାଧ୍ୟକ୍ଷ ପାରାଦୀପ ରତ୍ନ ଭାବେ ସମ୍ବର୍ଦ୍ଧିତ
ପାରାଦୀପ, (ଓଏନ୍ଏସ୍): ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟସ୍ଥ କଲ୍ୟାଣି ମଣ୍ଡପ ପରିସରରେ ଏକ ମହାଆଡମ୍ବର ପୂର୍ଣ୍ଣ ସଭାର ଆୟୋଜନ କରାଯାଇଥିଲା । ଚଳିତ ମାର୍ଚ୍ଚ ମାସରେ ପଞ୍ଜିକୃତ ହୋଇଥିବା ଆଜାଦ୍ ଭାରତ ମେମୋରିଆଲ ଟ୍ରଷ୍ଟ ତରଫରୁ ସର୍ବ ଧର୍ମ ସମନ୍ୱୟର ବାର୍ତା ବହନ କରିଥିବା ସଂଘ ଆନୁଷ୍ଠାନିକ ଭାବେ ତାର ଆଗାମୀ କାର୍ଯ୍ୟପନ୍ଥା ଉପସ୍ଥାପନ କରିଛି । ୨୦୦ରୁ ଉଦ୍ଧ୍ୱର୍ ବିଭିନ୍ନ ଭାଷାଭାଷି, ବିଭିନ୍ନ ସଂପ୍ରଦାୟର ସଦସ୍ୟଙ୍କୁ ନେଇ ଗଠିତ ହୋଇଛି ଏହି ସାମାଜିକ ଅନୁଷ୍ଠାନ । ପାରାଦୀପର ମଧୁବନ ଏବଂ ବଡପଡିଆ ଜାମା ମସଜିଦ୍ ର ସଦସ୍ୟ ଏବଂ ମୁରବୀ ମାନଙ୍କ ମିଳିତ ପ୍ରୟାସରେ ଏହି ସଂଘ ପ୍ରତିଷ୍ଠା ହୋଇଥିବା ସ୍ଥଳେ ବିଭିନ୍ନ ଧର୍ମର ସ୍ଥାନୀୟ ବାସିନ୍ଦା ସଦସ୍ୟ ହେବା ପାଇଁ ଇଛା ପ୍ରକଟ କରିଛନ୍ତି । ଯାହା ପାରାଦୀପ ପାଇଁ ନୂତନ ଅଧ୍ୟାୟ ସୃଷ୍ଟି କରିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ପାରାଦୀପ ପୈାରାଧ୍ୟକ୍ଷ ଶ୍ରୀଯୁକ୍ତ ବସନ୍ତ କୁମାର ବିଶ୍ୱାଳ,ମୁଖ୍ୟ ବକ୍ତା ଭାବେ ଥିଲେ ଶ୍ରୀଯୁକ୍ତ ପ୍ରଭାତ କୁମାର ନନ୍ଦୀ, ସମ୍ମାନୀତ ଅତିଥି ଭାବେ ଜନାବ୍ ଖଲିଦ୍ ଖାନ୍ ସାହେବ୍,ସେକ୍ ରମ୍ଜାନ୍ ଅଲ୍ଲି, ସିକନ୍ଦର ବକ୍ସ, କସର ଅଲ୍ଲି ସାହେବ୍, ସୁଫି ଅହମ୍ମଦ ସାହେବ୍, ଆକବର ସାହେବ୍ ମଂଚାସିନ ହୋଇ ସମାଜ ତଥା ଦେଶ ମାତୃକାର ସେବା ପାଇଁ ସାର ମର୍ମକ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଂଘର ଅଧ୍ୟକ୍ଷ ଇଂ ଏମ୍.ଡି.ଫଜଲୁର ରହମାନ୍ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଭାପତି ଜନାବ ଅବଦୁଲ ଆବିଦ୍ ଖାନ୍ ସଂଘ ଗଠନ ଅଭିମୁଖ୍ୟ ବାବଦରେ ମନ୍ତବ୍ୟ ପ୍ରଦାନ କରିଥିଲେ । ମଂଚ ପରିଚାଳନା କରିଥିଲେ ପରାମର୍ଶଦାତା ବାମଦେବ ସାହୁ । ପାରାଦୀପ ପୌରାଧ୍ୟକ୍ଷଙ୍କ ଉଦାରଚେତା କାର୍ଯ୍ୟକ୍ରମ ପାଇଁ ପୌର ପାଳିକା ଜାତୀୟ ସ୍ତରରେ ଚଳିତ ବର୍ଷ ସମ୍ମାନୀତ ହେବାର ସୌଭାଗ୍ୟ ଅର୍ଜ୍ଜନ କରିଛି । ଯାହା ପାଇଁ ଆଜଦ୍ ଭାରତ ମେମୋରିଆଲ ଟ୍ରଷ୍ଟ ପୌରାଧ୍ୟକ୍ଷଙ୍କ ଏତାଦୃଶ କାର୍ଯ୍ୟକଳାପ ପାଇଁ ପାରାଦୀପ ରତ୍ନରେ ସମ୍ବର୍ଦ୍ଧିତ କରି ଆତ୍ମ ସଂନ୍ତୋଷ ଲାଭ କରିଥିବା କହିଛନ୍ତି ସଂଘର ଉପଦେଷ୍ଠା ମଣ୍ଡଳି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କାର୍ଯ୍ୟକାରୀ ସଭାପତି ସେକ୍ ଇନ୍ତେଖାବ୍ ଆଲମ୍, ଉପ-ସଭାପତି ଅହାତେସ୍ମୁଲ ଖାନ୍, ସଂପାଦକ ସୟଦ୍ ହିଫ୍ଜୁଲ୍ ବାରୀ, ଯୁଗ୍ମ ସଂପାଦକ ସେକ୍ ଅବଦୁଲ୍ ସାଦିକୁ୍ୟ, ସହ ସଂପାଦକ ନୌସାଦ୍ ଅଲ୍ଲି, କୋଷାଧ୍ୟକ୍ଷ ୟାକୁ୍ୟବ୍ ଅଲ୍ଲି ଖାନ୍ ଏବଂ ସଂଘର ସତାଧିକ ସଦସ୍ୟ ।