୯ବର୍ଷ ଧରି ଟୋପେ ପାଣିର ଦେଖାନାହିଁ:୧୧ଲକ୍ଷ ସହିତ ମାସକୁ ମାସ ୧୯୦୦ଟଙ୍କା ସରକାରୀ ତହବିଲରୁ ସ୍ୱାହା!
ବାଲେଶ୍ୱର (ଓ.ଏନ୍.ଏସ୍): ସରକାରୀ ବାବୁମାନଙ୍କର ବେପରୁଆ ମନୋଭାବ ସହିତ ଦାୟୀତ୍ୱ ହୀନତା ପାଇଁ କିପରି ସରକାରୀ ଅର୍ଥ ପାଣିରେ ପଡ଼ୁଛି ତାହାର ଜ୍ୱଳନ୍ତ ନିଦର୍ଶନ ଦେଖିବାକୁ ମିଳିଛି ସୋର ପୌରପାଳିକାର ୧ନମ୍ବର ୱାର୍ଡ଼, ଖରିଦା ଗ୍ରାମରେ । ଏହି ଗ୍ରାମରେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୧ଲକ୍ଷ ୬ହଜାର ଟଙ୍କା ବ୍ୟୟରେ ପାଣି ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ସାରିଥିବା ବେଳେ ବିଦୁ୍ୟତ୍ ବିଲ୍ ବାବଦ ମାସକୁ ମାସ ୧୯୦୦ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ୯ବର୍ଷ ହେଲା ଟୋପେ ପାଣିର ଦେଖାନାହିଁ ।
କଥାରେ ଅଛି ‘ଜଳ ହିଁ ଜୀବନ’ । ମଣିଷର ଜୀବନ ଧାରଣ ପାଇଁ ପାଣିର ଆବଶ୍ୟକତା ଅନିର୍ବାଜ୍ୟ । ପୁନଶ୍ଚ ବିଶୁଦ୍ଧ ପାଣି ପାଇବା ଏବେ ଏକ ସମସ୍ୟା । ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ପାଇପ୍ ପାଣି ଯୋଗାଇବାର ବ୍ୟବସ୍ଥା କରି ସେଥିପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ସରକାରୀ ପଦାଧିକାରୀମାନଙ୍କର ଅପାରଗତା, ବେପରୁଆ ମନୋଭାବ, ଦାୟୀତ୍ୱହୀନତା ପାଇଁ ଲୋକମାନେ ପାଇବାରୁ ବଂଚିତ ହେଉଥିବା ବେଳେ ପାଣି ଯୋଗାଣ ପ୍ରକଳ୍ପ ପାଇଁ ୧୧ଲକ୍ଷ ୬ହଜାର ଟଙ୍କାର ପ୍ରକଳ୍ପ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି । ଏଥିସହିତ ପମ୍ପ ନଚାଲି ମଧ୍ୟ ବିଜୁଳି ବିଲ୍ ବାବଦକୁ ମାସକୁ ମାସ ୧୯୦୦ଟଙ୍କା ସରକାରୀ ତହବିଲରୁ ଯାଉଛି । ଆରଟିଆଇରେ ମିଳିଥିବା ତଥ୍ୟ ଅନୁସାରେ ୨୦୧୯ ଜାନୁଆରୀ ସୁଦ୍ଧା ବିଦୁ୍ୟତ୍ ବିଲ୍ ବାବଦ ୧ଲକ୍ଷ ୬୭ହଜାର ୬୮୯ଟଙ୍କା ବିଦୁ୍ୟତ୍ ବିଭାଗକୁ ଦେଇଛି ଜନସ୍ୱାସ୍ଥ୍ୟ ବିଭାଗ ।
ସୋର ପୌରପାଳିକାର ୧ନମ୍ବର ୱାର୍ଡ଼ ଖରିଦା ଗ୍ରାମରେ ମୋଟ ଟ୧୧,୦୬,୦୦୦/- ବ୍ୟୟରେ (୨୦୧୦-୧୧ବର୍ଷରେ ୩ଲକ୍ଷ ଏବଂ ୨୦୧୧-୧୨ ଆର୍ଥିକ ବର୍ଷରେ ୮ଲକ୍ଷ ୬ହଜାର ଟଙ୍କା)ପାଣି ଯୋଗାଣ ପ୍ରକଳ୍ପ ପାଇଁ ବୋରିଂ ଠାରୁ ଆରମ୍ଭ କରି ପମ୍ପ ହାଉସ୍, ପାଇପ୍ ବିଛାଇବା ଏପରିକି ବିଦୁ୍ୟତ୍ ପାଇଁ ଟ୍ରାନ୍ସଫରମର ବସି ମଧ୍ୟ, ଏପର୍ଯ୍ୟନ୍ତ ଲୋକମାନେ ଏହି ପ୍ରକଳ୍ପରୁ ଟୋପେ ବର୍ତମାନ ସୁଧା ପାଣି ପାଇପାରି ନାହାନ୍ତି । କିନ୍ତୁ ସୋର ଇଲେକ୍ଟ୍ରିକାଲ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆରଟିଆଇରେ ଦେଇଥିବା ତଥ୍ୟ (ଚିଠି ନଂ.-୧୨୭୩/ତା.୧୬.୦୩.୨୦୧୯) ଅନୁସାରେ ଏହି ପମ୍ପ ହାଉସକୁ ତା.୨୫.୦୧.୨୦୧୩ରିଖରେ ବିଦୁ୍ୟତ୍ ସଂଯୋଗ କରାଯାଇଥିଲା । ଏଥି ନିମନ୍ତେ ୨୦୧୩ ମସିହା ମାର୍ଚ୍ଚ ମାସରେ ୪୮୧୩.୩୩ ପଇସା ବିଦୁ୍ୟତ୍ ବିଲ୍ ଜନସ୍ୱାସ୍ଥ୍ୟ ବିଭାଗ ଦେଇଥିବା ବେଳେ ୨୦୧୩ ମାର୍ଚ୍ଚ ମାସଠାରୁ ପ୍ରତିମାସ ୧୯୦୦ଟଙ୍କା ବିଦୁ୍ୟତ୍ ବିଲ ପେମେଣ୍ଟ କରୁଛି ସମ୍ପୃକ୍ତ ବିଭାଗ । ପ୍ରକାଶଯୋଗ୍ୟଯେ, ୧୫ ଜାନୁଆରୀ ୨୦୧୩ ଠାରୁ ୨୦୧୯ ଜାନୁଆରୀ ସୁଧା ପମ୍ପ ହାଉସକୁ ଦିଆଯାଇଥିବା ବିଦୁ୍ୟତ୍ ସଂଯୋଗ ପାଇଁ ମୋଟ ୧,୩୭,୮୧୩ଟଙ୍କା ବିଲ୍ ହୋଇଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗକିନ୍ତୁ ୧,୬୭,୬୮୯ଟଙ୍କା ଅର୍ଥାତ୍ ୨୯,୮୭୬ଟଙ୍କା ଅଗ୍ରୀମ ପେମେଂଟ ଦେଇଛି । ପମ୍ପହାଉସ୍ରୁ ଟେପେ ପାଣି ଲୋକପାଉନଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗ ଅଯଥାରେ ଲକ୍ଷଲକ୍ଷ ଟଙ୍କା ବିଦୁ୍ୟତ୍ ବିଭାଗକୁ ଗଣୁଛି ।
ଏହା ବ୍ୟତୀତ ୧୧ଲକ୍ଷ ଟଙ୍କାର ଏହି କାମରେ ଦୁର୍ନିତିର ଗନ୍ଧ ଦେଖିବାକୁ ମିଳିଛି ।୧୧ଲକ୍ଷ ଟଙ୍କାର କାମ ପାଇଁ ହୋଇଥିବା ଟେଣ୍ଡରରେ ସ୍ୱଛତା ନଥିବା ଆରଟିଆଇ ତଥ୍ୟରୁ ଜାଣିବାକୁ ମିଳିଛି । ଏହିକାମ ପାଇଁ ଟେଣ୍ଡର ସମ୍ପର୍କରେ ବିଜ୍ଞାପନ କୌଣସି ଖବର କାଗଜରେ ସମ୍ପୃକ୍ତ ବିଭାଗ ନଦେଇ କେବଳ ନୋଟିସ୍ ବୋର୍ଡ଼ରେ ନୋଟିସ୍ ଝୁଲାଇ ଦିଆଯାଇଥିବା, ସହକାରୀ ନିର୍ବାହୀ ଯନ୍ତ୍ରୀ, ଜନସ୍ୱାସ୍ଥ୍ୟ ଉପଖଣ୍ଡ, ବାଲେଶ୍ୱରଙ୍କ ଆରଟିଆଇ ତଥ୍ୟ (ଚିଠି ନଂ.- ୧୦୩/ତା.୨୨.୦୧.୨୦୧୯)ରୁ ଜାଣିବାକୁ ମିଳିଛି । ଖବର କାଗଜରେ ବିଜ୍ଞାପନ ଦେବାର ନିୟମ ଥିବା ବେଳେ ଏହାଦ୍ୱାରା ବିଭାଗୀୟ ଅଧିକାରୀମାନେ ନିୟମର ଉଲ୍ଲଙ୍ଘନ କରିଥିବା ଏହି ତଥ୍ୟ ପ୍ରମାଣିତ କରୁଛି । ଏହି ପ୍ରୋଜେକ୍ଟ ପାଇଁ ୧୧ଲକ୍ଷ ସହିତ ବିଜୁଳି ବିଲ୍ ବାବଦକୁ ଲକ୍ଷାଧିକ ଟଙ୍କା ବରବାଦ ହେଉଥିବା ବେଳେ ଏହି କାର୍ଯ୍ୟରେ ମଧ୍ୟ ଦୁର୍ନିତିର ଗନ୍ଧ ସ୍ପଷ୍ଟ ବାରୀ ହୋଇପଡ଼ୁଛି, ଯାହା ଫଳରେ ପମ୍ପହାଉସ୍ ଫେଲ୍ ହୋଇ ପରିତ୍ୟକ୍ତ ଅବସ୍ଥାକୁ ଚାଲିଯାଇଛି ।