ଏବେ ବି ପୋଖରୀ ପାଣି ଭରସା!
ବାଲେଶ୍ୱର, (ଓଏନ୍ଏସ୍): ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ୧୫ ପରିବାର ପୋଖରୀ ଉପରେ ପାଣି ପାଇଁ ନିର୍ଭରଶୀଳ । ସରକାର ବିକାଶର ସୁନେଲି ସ୍ୱପ୍ନ ଦେଖାଇ ଚାଲିଥିବା ବେଳେ ଏହି ଚିତ୍ର ପ୍ରମାଣିତ କରୁଛି ସରକାରଙ୍କର ବିକାଶଚିତ୍ରର ବାସ୍ତବତା କଣ? କ୍ରମଶଃ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପପାଉଥିବା ବେଳେ ସମତାଳରେ ପାଣି ଶଙ୍କଟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କେଉଁ ନଳକୂପରୁ ନାଲି ପାଣି ବାହାରୁଛି ତ’ ଭୂତଳ ଜଳସ୍ତର ହ୍ରାସ କାରଣରୁ କେତେକ ନଳକୂପ ଅଚଳ ହେବାକୁ ବସିଲାଣି । ଫଳରେ ଲୋକମାନେ ଟୋପେ ପାଣିପାଇଁ ପୂର୍ବଭଳି ଗାଡ଼ିଆ/ପୋଖରୀ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଏହି ଚିତ୍ର ବାଲେଶ୍ୱର ଜିଲ୍ଲା ରେମୁଣା ପଂଚାୟତ ଅନ୍ତର୍ଗତ ହରିପୁର ରୁଳଆଡ଼ି ସାହିରେ । ସଲ୍ଟରୋଡ଼କୁ ଲାଗି ଏହି ସାହିର ୧୫ଟି ପରିବାରର ୭୦/୮୦ ଲୋକ ଦିନେ ନୁହେଁ କି ମାସେ ନୁହେଁ ଦୀର୍ଘ ୧୬ ବର୍ଷ ଧରି ଏହି ସମସ୍ୟାକୁ ସାମ୍ନା କରୁଛନ୍ତି । ଏହି ସାହିର ବାସିନ୍ଦାମାନେ ଖରାଦିନେ ପାଣି ପାଇଁ ପୋଖରୀ ଉପରେ ନିର୍ଭର କରନ୍ତି । ପ୍ରତି ନିର୍ବାଚନ ସମୟରେ ସାହିର ବାସିନ୍ଦାମାନେ ଏହି ସମସ୍ୟାକୁ ପ୍ରାର୍ଥୀମାନଙ୍କ ନିକଟରେ ଉତଥାପନ କରି ସେମାନଙ୍କ ଠାରୁ ପ୍ରତିଶୃତି ପାଆନ୍ତି ସତ୍ୟ କିନ୍ତୁ ସମସ୍ୟାର ସମାଧାନ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ନେତା ମାନଙ୍କର ପ୍ରତିଶୃତି କେବଳ ପ୍ରତିଶୃତିରେ ରହିଯାଇଛି । ସରକାରଙ୍କର ଲୋକଙ୍କୁ ଶୁଦ୍ଧ ପିଇବା ପାଣି ଯୋଗାଇବା ପାଇଁ ଥିବା ବିଭିନ୍ନ ଯୋଜନା, ଯୋଜନାର ସଫଳତା ସମ୍ପର୍କରେ ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚକରି ବିଜ୍ଞାପନ ଦ୍ୱାରା କରୁଥିବା ପ୍ରଚାର ଓ ବାସ୍ତବତା ମଧ୍ୟରେ ତଫାତ୍ କେତେ ଏହା ତାହାର ବାସ୍ତବ ଚିତ୍ର । ଅପରପକ୍ଷରେ, ଜିପିଟିଏ ଏକ୍ସନ ପ୍ଲାନରେ ନଳକୂପ ପାଇଁ ମଞ୍ଜୁରୀ ହୋଇଥିବା ବେଳେ ଆଚରଣ ବିଧି ଲାଗୁ ହୋଇଥିବାରୁ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ ବୋଲି ଏହି ଘଟଣା ସମ୍ପର୍କରେ ସରପଞ୍ଚଙ୍କ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।