କେନ୍ଦ୍ରାପଡ଼ାର ବିଜେଡ଼ି ଟିକେଟ ଆଶାୟୀ ମାନଙ୍କୁ ନବୀନ ପଟ୍ଟନାୟକ ମନାଇଲେ
କେନ୍ଦ୍ରାପଡ଼ା, (ଓଏନ୍ଏସ୍): କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ରାଜନୀତିକ ଦୃଶ୍ୟପଟ୍ଟ କ୍ରମେ ପରିବର୍ତନ ହେବାରେ ଲାଗିଛି । ଗତ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନ ସମେତ ପାଟକୁରା, କେନ୍ଦ୍ରାପଡ଼ା, ମହାକାଳପଡ଼ା ଓ ମାହାଙ୍ଗା ବିଧାନସଭା ଆସନ ବିଜେଡ଼ି ହାତକୁ ଯାଇଥିଲା ବେଳେ ରାଜନଗର, ଆଳି ଓ ସାଲେପୁର ଆସନ କଂଗ୍ରେସ ଅକ୍ତିଆରକୁ ଯାଇଥିଲା । ମାତ୍ର ସମୟ ବଦଳିବା ସହ ଏଠାକାର ରାଜନୀତିକ ପାଣିପାଗ ମଧ୍ୟ ବଦଳିବାରେ ଲାଗିଛି । ଗତ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବିନ ବାବୁଙ୍କର ହାୱାରେ କେତେକ ବିଜେଡ଼ି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏଥର ବିଭିନ୍ନ ବିଧାନସଭା ନିର୍ବାଚନ କ୍ଷେତ୍ରରେ ବିଜେଡ଼ିରୁ ଲଢିବାକୁ ଆଶାୟୀଙ୍କ ସଂଖ୍ୟା ୫,୬,୭ ଓ ୮ଥିଲା । ପ୍ରାୟ ସବୁ ଆସନରେ ଦଳୀୟ ପ୍ରାର୍ଥୀତ୍ୱକୁ ନେଇ ନେତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚରମ ସୀମାରେ ପହଂଚିଥିଲା । ଶେଷରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଅନେକ ସମୀକ୍ଷା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ । ରାଜନଗରରୁ ଧୃବ ସାହୁଙ୍କୁ ଟିକେଟ ଦିଆ ଯାଇଥିବା ବେଳେ ମହାକାଳପଡ଼ାରୁ ଅତନୁ ଶବ୍ୟସାଚୀ ନାୟକ, ପାଟକୁରାରୁ ବେଦପ୍ରକାଶ ଅଗ୍ରୱାଲା, ଆଳିରୁ ପ୍ରତାପ ଦେବ ଓ କେନ୍ଦ୍ରାପଡ଼ାରୁ ଶଶୀଭୂଷଣ ବେହେରାଙ୍କୁ ଟିକେଟ ଦିଆଯାଇଥିଲା । ମାତ୍ର ଏଥିନେଇ ବିଜେଡ଼ି ନେତା ଓ ସମର୍ଥକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା । ବିଜେଡ଼ି ଟିକେଟ ନିର୍ମଳ ଭାବମୂର୍ତିର ନେତା ମାନଙ୍କୁ ଦିଆଯିବାକୁ କର୍ମୀ ମାନେ ଅଡ଼ି ବସିଥିଲେ । ତେବେ ଅସନ୍ତୁଷ୍ଟ ଟିକେଟ ଆଶାୟୀ ମାନଙ୍କୁ ନବୀନ ନିବାସ ଡ଼କାଯାଇ କୌଣସି ପ୍ରକାର ଶାନ୍ତ କରାଯାଇ ଥିଲା । ସେମାନଙ୍କୁ ଜିଲ୍ଲା ବିଜେଡ଼ି ଟିମ୍ ରେ ସାମିଲ କରାଯାଇଛି । ସଭାପତି ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ପାଇଁ ଟିକେଟ ଆଶାୟୀ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କୁ ବିଜେଡ଼ି ଜିଲ୍ଲା ସଭାପତି ପଦରେ ନିଯୁକ୍ତି ଦେଇଥିବା ବେଳେ ରାଜନଗର ପାଇଁ ଟିକେଟ ଆଶାୟୀ ଅଜିତ ନାୟକଙ୍କୁ ଜିଲ୍ଲା ଉପସଭାପତି ତଥା ରାଜନଗର ପାଇଁ ଟିକେଟ ଆଶାୟୀ ନିଶିକାନ୍ତ ପ୍ରଧାନଙ୍କୁ ଜିଲ୍ଲା ସାଧାରଣ ସଂପାଦକ ପଦରେ ନିଯୁକ୍ତି ଦେଇଛନ୍ତି । ଯଦିଓ ଅସନ୍ତୁଷ୍ଟ ନେତାମାନେ ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶକୁ ମାନି ନେଇଛନ୍ତି, ତଥାପି ନିର୍ବାଚନ ପ୍ରଚାରରେ ସେମାନେ ବିଜେଡ଼ି ପ୍ରାର୍ଥୀ ମାନଙ୍କୁ କେତେ ସମର୍ଥନ କରିବେ, ତାହା ଖୁବଶୀଘ୍ର ଜଣାପଡ଼ିବ ।