ଦଳ ଡିଆଁ, ବେପାରୀଙ୍କ ପାଇଁ ଦୁଆର ମେଲା : ଆନୁଗତ୍ୟଙ୍କ ପାଇଁ ତାଲା

ବାଲେଶ୍ୱର, (ଓ.ଏନ୍.ଏସ୍): ବର୍ତମାନ ନିର୍ବାଚନ ପରିପ୍ରେକ୍ଷୀରେ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ଆଜି ଯିଏ ପଦ୍ମରେ କାଲି ସିଏ ଶଙ୍ଖରେ । ପୁଣି ତା’ପର ଦିନକୁ ହାତକୁ ଡିଆର୍ ମାରିଲାଣି । ଜନତାଙ୍କ ସେବା ପାଇଁ ଦଳ ବଦଳାଇଥିବା ସଫେଇ ଦିଆଯାଉଛି । ଭ୍ରଷ୍ଟ ରାଜନୀତି ଏମିତି ହେଲାଣିଯେ, ସ୍ୱାର୍ଥ ପାଇଁ ସବୁ କିଛି ହେଉଛି । ଏପରିକି ରାଜନୀତିରେ ବେପାରୀଙ୍କ ପାଇଁ ସବୁ ଦଳର ଦୁଆର ଖୋଲାଥିବା ବେଳେ ଆନୁଗତ୍ୟଙ୍କ ପାଇଁ ତାଲା । ସବୁଦଳରେ ଏହି ପାଲା ଚାଲିଥିବା ବେଳେ କଂଗ୍ରେସରେ ଏହି ଡ୍ରାମା ଟିକେ ଅଧିକ । ଏପରିକି ଟିକେଟ ପାଇ କର୍ମୀ ଟିକେଟ୍ ଫେରାଇ ଦଳ ଛାଡ଼ି ଅନ୍ୟ ଦଳକୁ ପଳାଇ ଯାଉଛନ୍ତି । ପୁନଶ୍ଚ ଦଳରେ ଆଣ୍ଠୁମାଡ଼ି ବସିଥିବା କର୍ମୀଙ୍କୁ ଦଳ ଟିକେଟ୍ ନଦେଇ ରାଜନୀତି ବେପାରୀଙ୍କୁ ଟିକେଟ୍ ଦେଉଛି । ସୋର କଂଗ୍ରେସରେ ଏହି ଡ୍ରାମା ଦେଖିବାକୁ ମିଳିଛି । ଦଳଡିଆଁ, ରାଜନୈତିକ ବେପାରୀକୁ କଂଗ୍ରେସ ଟିକେଟ୍ ଦେବାରୁ ସୋରର ପୂର୍ବତନ (୨୦୧୪) ବିଧାୟକ ପ୍ରାର୍ଥୀ ମୃତୁ୍ୟଞ୍ଜୟ ଜେନା କଂଗ୍ରେସକୁ ବାୟ ବାୟ କରିଛନ୍ତି । ୧୮ ତାରିଖ ଅପରାହ୍ନରେ ହୋଟେଲ ଯୋଡିଆକ୍ରେ ଏକ ସାମ୍ବାଦିକ ସମ୍କିଳନୀ କରି ଏହି ସୂଚନା ଦେଇଛନ୍ତି ମୃତୁ୍ୟଞ୍ଜୟ । ୨୦୧୪ ନିର୍ବାଚନରେ ମୃତୁ୍ୟଞ୍ଜୟ ୫୨,୪୦୮ଖଣ୍ଡ ଭୋଟ ପାଇଥିବା ବେଳେ ମାତ୍ର ୪,୯୧୧ଖଣ୍ଡ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିଲେ । ଏପରିସ୍ଥଳେ ତାଙ୍କୁ ଟିକେଟ୍ ନଦେଇ, ଦଳଡିଆଁ ତଥା ପୂର୍ବତନ ବିଧାୟକ ସୁରେନ୍ଦ୍ର ପ୍ରମାଣିକଙ୍କୁ କଂଗ୍ରେସ ଟିକେଟ୍ ଦେଇଛି । ପ୍ରକାଶଯୋଗ୍ୟଯେ, ସୁରେନ୍ଦ୍ର ପ୍ରମାଣିକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ଅବସର ପରେ ୨୦୦୯ରେ କଂଗ୍ରେସ ଟିକେଟ୍ରେ ଜିତି ୨୦୧୪ପର୍ଯ୍ୟନ୍ତ, ୫ବର୍ଷ ସେ ସୋରର ବିଧାୟକ ଥିଲେ । ୨୦୧୪ରେ ସେ ଟିକେଟ୍ ନପାଇବାରୁ ହେଉ କିମ୍ବା ତାଙ୍କର ବ୍ୟକ୍ତିଗତ ସମସ୍ୟା ପାଇଁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ସେ ବିଷୟରେ ଆଲୋଚନା ଅନାବଶ୍ୟକ । ଅପରପକ୍ଷରେ, ଚଳିତ ନିର୍ବାଚନ ପାଇଁ ବିଜେଡି ସୁରେନ୍ଦ୍ରଙ୍କୁ ଟିକେଟ୍ ନଦେଇ ଷ୍ଟାଣ୍ଡିଂ ବିଧାୟକ ପର୍ଶୁରାମ ଧଡ଼ାଙ୍କୁ (ଯଦିଓ ତାଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ସହିତ ତାଙ୍କ ନାମରେ ମାମଲା ମଧ୍ୟ କୋର୍ଟରେ ବିଚାରାଧିନ ରହିଛି) ଟିକେଟ୍ ଦେବା ପରେ ସୁରେନ୍ଦ୍ର ପ୍ରମାଣିକ ବିଜେଡିରୁି ପୁଣି କଂଗ୍ରେସକୁ ଡିଆଁ ମାରି ଟିକେଟ୍ ହାତେଇବାରେ ସକ୍ଷମ ହେଲେ । ସେ ଏବେ ନିର୍ବାଚନ ମଇଦାନରେ । ସୁରେନ୍ଦ୍ର ପ୍ରମାଣିକ ଏବଂ ତାଙ୍କ ଭଳି ନେତାମାନେ ଯେଉଁମାନେ ଦଳରୁ ଦଳକୁ ଡିଆଁମାରିବାରେ ଧୁରନ୍ଦର, ସେମାନଙ୍କୁ କଣ କୁହାଯିବ? ସ୍ୱାର୍ଥବାଦୀ, ନା’ ବେପାରୀ, ନା’ କ୍ଷମତାଲିପସୁ? ପ୍ରକାଶ ଥାଉକି ସୁରେନ୍ଦ୍ର ପ୍ରମାଣିକ ୨୦୦୯ରେ ବିଧାୟକ ହୋଇଥିବା ବେଳେ ୨୦୧୪ରେ ତାଙ୍କୁ କଂଗ୍ରେସ ଟିକେଟ୍ ନଦେଇ ଅଗ୍ନିଶମ ବିଭାଗରୁ ଚାକିରୀ ଛାଡ଼ି କଂଗ୍ରେସରୁ ଟିକେଟ ନେଇ ନିର୍ବାଚନ ଲଢ଼ିଥିଲେ ମୃତୁ୍ୟଞ୍ଜୟ ଜେନା । କିନ୍ତୁ ସୋର କଂଗ୍ରେସର ତତକାଳୀନ ମୁଣ୍ଡିଆଳ ୰ କାର୍ତିକ ମହାପାତ୍ର ପର୍ଶୁରାମ ଧଡ଼ାଙ୍କୁ କଂଗ୍ରେସରୁ ଛିଡ଼ା କରାଇବା ଲକ୍ଷ୍ୟରେ ଥିଲେ ଏବଂ କାର୍ତିକ ମହାପାତ୍ରଙ୍କ ବିନା ସୁପାରିସରେ ତତକାଳୀନ କଂଗ୍ରେସର ରାଜ୍ୟ ସଭାପତି ଜୟଦେବ ଜେନାଙ୍କ ଠାରୁ ମୃତୁ୍ୟଞ୍ଜୟ ଟିକେଟ ଆଣିଥିବାରୁ କାର୍ତିକ ମହାପାତ୍ର ତାଙ୍କୁ ନିର୍ବାଚନରେ ସହଯୋଗ କରିନଥିଲେ । ନୀଳଗିରିରେ ନିର୍ବାଚନ ଲଢ଼ୁଥିବାର ଆଳ ଦେଖାଇ ଗୋଟିଏ ବି ନିର୍ବାଚନୀ ସଭାରେ ଯୋଗଦେଇନଥିଲେ କାର୍ତିକ ମହାପାତ୍ର । ଦ୍ୱିତୀୟରେ, ସୋର ଏନ.ଏ.ସି ପାଇଁ ବିଜେପିରୁ ଦୁଇ ଦୁଇ ଥର କାଉନସିଲର ହେବା ପରେ ମଧ୍ୟ ବିଜେପିରୁ ଯାଇ କଂଗ୍ରେସରେ ଯୋଗ ଦେଇଥିବା ପର୍ଶୁରାମ ଧଡ଼ା (ବର୍ତମାନର ବିଜେଡି ପ୍ରାର୍ଥୀ ତଥା ବିଧାୟକ)ଙ୍କୁ ୨୦୧୪ରେ କଂଗ୍ରେସ ଟିକେଟ୍ ଦେବାକୁ ଆଗ୍ରହୀ ଥିଲେ କାର୍ତିକ ମହାପାତ୍ର । କିନ୍ତୁ ମୃତୁ୍ୟଞ୍ଜୟ ଟିକେଟ ନେଇ ଆସିବାରୁ କାର୍ତିକ ମହାପାତ୍ରଙ୍କ ପରାମର୍ଶ କ୍ରମେ ଏବଂ ରବିନ୍ଦ୍ର ଜେନାଙ୍କ ସହଯୋଗରେ ପର୍ଶୁରାମ ଧଡ଼ା ବିଜେଡିରୁ ଟିକେଟ ପାଇଥିଲେ । ଏହି ସମୟରେ ବାହାନଗା ତହସିଲ କାର୍ଯ୍ୟାଳୟ ବାହାନଗା ନା’ ଗୋପାଳପୁରରେ ହେବ ତାହାକୁ ନେଇ ବାହାନଗା ଓ ଗୋପାରପୁର ଅଂଚଳ ଦୁଇଭାଗରେ ବିଭକ୍ତ ହୋଇଯାଇଥିଲା । ଏହି ଇସୁ୍ୟକୁ ନେଇ କଂଗ୍ରେସରୁ ଗିରିଶ ଦାଶ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ । ବାହାନଗାରେ ତହସିଲ କାର୍ଯ୍ୟାଳୟ ପ୍ରତିଷ୍ଠା କରିବା ପାଇଁ ବାହାନଗା ବ୍ଲକ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ଶରତ ରାଜ ଅଂଚା ଭିଡ଼ିଥିବା ବେଳେ ଗୋପାଳପୁରରେ ତହସିଲ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଗିରିଶ ଦାଶଙ୍କ ସମେତ ଗୋପାଳପୁର ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୁଦ୍ଧିଜୀବୀ ଉଦ୍ୟମ ଜାରୀ ରଖିଥିଲେ । ଫଳରେ ବାହାନଗା ଅଂଚଳ କଂଗ୍ରେସ ଓ ଗୋପାଳପୁର ଅଂଚଳରେ କଂଗ୍ରେସ ବିରୋଧି ହାୱା ମୃତୁ୍ୟଞ୍ଜୟଙ୍କର ପରାଜୟର ମୁଖ୍ୟ କାରଣ ଥିଲା । ଅପରପକ୍ଷରେ ଏହି ଦୁଇଟି କାରଣ ପାଇଁ କଂଗ୍ରେସର ଦୁର୍ଗ ସୋର ନିର୍ବାଚନ ମଣ୍ଡଳୀରେ ଶଙ୍ଖ ପତାକା ଉଡ଼ିବାରେ ସକ୍ଷମ ହୋଇଥିଲା, ଯଦିବା ‘ମନ କଲିକତା ଦେହ ଓଡ଼ିଶା’ ସଦୃଶ । ବିଜେପିରୁ କଂଗ୍ରେସ ଏବଂ ଟିକେଟ୍ ନମିଳିବାରୁ ବିଜେଡିକୁ ଡେଇର୍ ପର୍ଶୁରାମ ଧଡ଼ା ବିଧାୟକ ହେବାର ସୋ÷ଭାଗ୍ୟ ଲାଭ କରିଥିଲେ । ଜିତିବା ପରେ ପୂର୍ବ ସର୍ତ ଅନୁସାରେ ବାବୁ ପର୍ଶୁରାମ ଜନ୍ମାଷ୍ଟମୀର ଅନ୍ଧକାର ରାତ୍ରୀରେ ସୋର ତହସିଲ କାର୍ଯ୍ୟାଳୟ ପରିସରରେ ଚାଲିଥିବା ବାହାନଗା ତହସିଲ କାର୍ଯ୍ୟାଳୟକୁ ଗୋପାଳପୁରକୁ ରାତାରାତି ସ୍ଥାନାନ୍ତର କରିଥିଲେ , ଯେପରି ବସୁଦେବ କୃଷ୍ଣଙ୍କୁ ମଥୁରାରୁ ଗୋପପୁରକୁ ନେଇଯାଇଥିଲେ । ଉପରୋକ୍ତ ଘଟଣାକୁ ତର୍ଜମା କଲେ ଦଳଡିଆଁ, ବେପାରୀଙ୍କ ପାଇଁ କଂଗ୍ରେସର ଦୁଆର ସବୁସମୟରେ ମେଲା ରହୁଥିବା ବେଳେ ଦଳପ୍ରତଜି ଆନୁଗତ୍ୟ ଦେଖାଉଥିବା କର୍ମୀଙ୍କ ପାଇଁ ଗେଟ୍ରେ ତାଲା ପକାଇ ଦିଆଯାଉଛି । ସର୍ବଶେଷ ସୂଚନା ଅନୁସାରେ ମୃତୁ୍ୟଞ୍ଜୟ କଂଗ୍ରେସରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଛନ୍ତି ।

Leave a Reply

Your email address will not be published.