ଡି.ଏ.ଭି କଳିଙ୍ଗ ନଗରରେ ଯୋଗ ପ୍ରଶିକ୍ଷଣ କର୍ମଶାଳା
ଭୁବନେଶ୍ୱର, (ଆଇଏନ୍ଏସ୍): ଡି.ଏ.ଭି ଅନୁଷ୍ଠାନ ଆଂଚଳିକ ନିଦେ୍ର୍ଦଶାଳୟ ଜୋନ୍ – ୧ ଆନୁକୁଲ୍ୟରେ ଆୟୋଜିତ ଯୋଗ ପ୍ରଶିକ୍ଷଣ କର୍ମଶାଳା ଉଦ୍ୟାପିତ ହୋଇ ଯାଇଛି । ଏହି କର୍ମଶାଳା ତିନି ଦିନ ଧରି ଡି.ଏ.ଭି ପବ୍ଲିକ ସ୍କୁଲ୍ କଳିଙ୍ଗ ନଗର ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଡି.ଏ.ଭି ଜୋନ୍ – ୧ର ଡି.ଏ.ଭି ଅନୁଷ୍ଠାନର ଯୋଗ ଶିକ୍ଷକ ଶିକ୍ଷୟିତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରି ପ୍ରୟୋଗାତ୍ମକ ଯୋଗଶିକ୍ଷା, ଶରୀରକୁ ସୁସ୍ଥ ଓ ନିରାମୟ ଜୀବନ ଯାପନରେ ଯୋଗର ଭୂମିକା ଓ ସର୍ବୋପରି ମାନସିକ ଏକାଗ୍ରତା ଆଦି ବିଷୟ ଉପରେ ଯୋଗ ବିଷାରଦଙ୍କ ଦ୍ୱାରା ତାଲିମ୍ ପ୍ରାପ୍ତ ହୋଇଥିଲେ । କାର୍ଯ୍ୟକ୍ରମର ଉଦ୍ୟାପନୀ ଦିବସରେ ରେକି ମିଶନ୍ର ହୋଲିଷ୍ଟିକ୍ ଫିଜିସିଆନ୍ ଶ୍ରୀ ସନ୍ଥ ବିଘ୍ନ ନାରାୟଣ ଭୋଳ ନିଜ ବକ୍ତବ୍ୟରେ କହିଥିଲେ, ଯୋଗାଭ୍ୟାସ ଶରୀର ପାଇଁ ଏକ ମହୌଷଧି ଯାହା ଦ୍ୱାରା ଶରୀର ଓ ମନ ସୁସ୍ଥ ଓ ନିରୋଗ ରହିବା ସହିତ ଆତ୍ମସଂଯମତା ପ୍ରାପ୍ତି ହୋଇଥାଏ । ଦୈନନ୍ଦିନ କର୍ମ ଜୀବନରେ ଯୋଗାଭ୍ୟାସକୁ ଏକ ମଖ୍ୟ ଅଂଶ ଭାବେ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ବିଦ୍ୟାଳୟର ଶ୍ରୀଯୁକ୍ତ ବିପିନ୍ କୁମାର ସାହୁ ଉପସ୍ଥିତ ରହି କାର୍ଯକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।