କେନ୍ଦ୍ରାପଡ଼ା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ!
ରାଜନଗର, (ଆଇଏନ୍ଏସ୍): କେନ୍ଦ୍ରାପଡ଼ା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି । ସରକାରୀ ସ୍କୁଲ୍ର ଭିତିଭୂମି ଓ ଶିକ୍ଷକ ଅଭାବ ସହ ଶିକ୍ଷା ଦାନର ମାନରେ ଅବନତି ଏହାର ମୁଖ୍ୟ କାରଣ ବୋଲି ଅଭିଯୋଗ ହେଉଛି । ଏହାର ମୂଳ କାରଣ ଖୋଜା ଯାଉନାହିଁ କି ଏ ବାଦରେ କୌଣସି ଉଚ୍ଚସ୍ତରୀୟ ସମୀକ୍ଷା ହେଉନାହିଁ । ଆଇଏନ୍ଏସ୍ କୁ ମିଳିଥିବା ଖବର ଅନୁଯାୟୀ ଏଠାରେ ସାକ୍ଷରତା ହାର ୮୫.୯୩ % ମଧ୍ୟରୁ ପୁରୁଷଙ୍କ ହାର୯୨.୪୫% ଓ ମହିଳାଙ୍କ ହାର ୭୯.୫୧% ବୋଲି ସରକାରୀ ହିସାବ କହୁଥିଲେ ହେଁ ବାସ୍ତବ କ୍ଷେତ୍ରରେ ଏହାଠୁ ବହୁ କମ୍ ହାର ରହିଛି । ଶିକ୍ଷାର ପ୍ରସାର, ସାକ୍ଷରତା ହାର ବୃଦ୍ଧି ଓ ଜନସଚେତନତା ସୃଷ୍ଟି ପାଇଁ ପୌଢଶିକ୍ଷା, ବାଲ୍ୟଶିକ୍ଷା, ମହିଳା ଶିକ୍ଷା, ପ୍ରାଥମିକ ଶିକ୍ଷା ଓ ସର୍ବଶିକ୍ଷା ଅଭିଯାନ ଆଦିର ବ୍ୟବସ୍ଥା ରହିଥିବା ସତ୍ୱେ ସବୁ କିଛି ଖାତାପତ୍ରରେ ସୀମିତ ରହିଥିବା ଜଣା ପଡ଼ୁଛି । ମାନବୀୟ ସମ୍ବଳ ଦେଶ ବା ଜାତିର ଶକ୍ତି । ପିଲାଙ୍କ ଭବିଷ୍ୟତ ଶିକ୍ଷା ଉପରେ ହିଁ ନିର୍ଭର କରେ । କିନ୍ତୁ ଏଠାରେ ଗୁଣାତ୍ମକ ଶିକ୍ଷା ଦାନ ବ୍ୟବସ୍ଥାର ଘୋର ଅଭାବ ପରିଲକ୍ଷିତ ହେଉଛି । କୁଶଳୀ ଶିକ୍ଷକଙ୍କ ଅଭାବ ଏଠାରେ ଶିକ୍ଷାର ମାନଦଣ୍ଡକୁ ଅତି ନିମ୍ନଗାମୀ କÿରି ଚାଲିଛି । ସବୁଠୁ ଉଦ୍ବେଗଜନକ ବିଷୟ ହେଉଛି ଯେ, ଦିନକୁ ଦିନ ଶିକ୍ଷାର ମାନ ତଳକୁ ତଳକୁ ଯିବାରେ ଲାଗିଛି । ନବମ ଦଶମ ଶ୍ରେଣୀ ପିଲାଙ୍କର ପ୍ରଥମ/ଦ୍ୱିତୀୟ ଶ୍ରେଣୀର ଜ୍ଞାନ ବା ଦକ୍ଷତା ନାହିଁ । ସାଧାରଣ ମିଶାଣ ଫେଡ଼ାଣ କରିବାକୁ ମଧ୍ୟ ସେମାନେ ଅକ୍ଷମ । ଶିକ୍ଷା ମାନବ ସମ୍ବଳ ବିକାଶର ପ୍ରଥମ ସୋପାନ । ମାତ୍ର ଗ୍ରାମାଂଚଳରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ କୌଣସି ପଦକ୍ଷେପ ନିଆ ଯାଉନାହିଁ । ସହିପରି କେତେକ ବିଦ୍ୟାଳୟରେ ଅତି ସମ୍ବେଦନଶୀଳ ଘଟଣା ଲଗାତାର ଘଟୁଛି । ତେବେ ଶିକ୍ଷା ବିଭାଗ ଅଧିକାରୀ, ବିଦ୍ୟାଳୟର ଶିକ୍ଷକ, କର୍ମଚାରୀଙ୍କ ଅବହେଳା ଓ ଅସାବଧାନତା ଯୋଗୁ ନିମ୍ନ ମାନର ଶିକ୍ଷାଦାନ ହେଉଥିବା ବେଳେ ଅଧିକାଂଶ ସମୟରେ ବିଭିନ୍ନ ଅଘଟଣ ଘଟୁଛି । ହେଲେ ପ୍ରଶାସନ ଦ୍ୱାରା କଠୋର ପ୍ରତିକାର ଓ ପ୍ରତିରୋଧ ବ୍ୟବସ୍ଥା କରାଯାଉ ନାହିଁ । ଛୋଟ ଛୋଟ ପିଲାଙ୍କ ପ୍ରତି ଘୋର ଅନ୍ୟାୟ କରାଯାଉଛି । ସେମାନଙ୍କୁ ଠିକ୍ ଭାବେ ଶିକ୍ଷା ଦିଆ ଯାଉନାହିଁ । ଆଦର କରାଯାଉନାହିଁ । ଛୋଟ ପିଲାମାନେ ଖୁବ୍ ସରଳ ଓ ଅମାୟିକ । ସପକ୍ଷ ଓ ବିରୋଧର ମାନେ ବୁଝନ୍ତିନି । ବୁଝନ୍ତିନି କୂଟନୀତି କି ରାଜନୀତି । ସେମାନେ ଭଲପାଆନ୍ତି ନିଜ ଶିକ୍ଷାଦାତାଙ୍କୁ, ଶିକ୍ଷାକୁ, ନିଜ ଭାଷାକୁ, ସବୁ ମଣିଷଙ୍କୁ, ନିଜ ମାତୃଭୂମିକୁ ଓ ଦେବୀଦେବତାଙ୍କୁ । ସେମାନଙ୍କୁ ଶିକ୍ଷିତ ବା ସଚେତନ କରାଇବାକୁ ଯେ ସରକାର ଅମାପ ଟଙ୍କା ଖର୍ଚ୍ଚ କରୁଛନ୍ତି ଓ ସେସବୁ ବାଟମାରଣା ହେଉଛି,ଏକଥା ମଧ୍ୟ ସେମାନେ ଜାଣନ୍ତି ନାହିଁ । ଜାଣିଲେ ବି ପ୍ରତିବାଦ୍ କରିବାର ସାମର୍ଥ୍ୟ ତାଙ୍କର ନାହିଁ । ତଥାପି ଯଦିଓ ଶିକ୍ଷା ବିଭାଗ ଆନ୍ତରିକତାର ସହ ଏହି କୋମଳ ମତି ପିଲାମାନଙ୍କୁ ଉପଯୁକ୍ତ ଭାବେ ଶିକ୍ଷାଦାନ ନକରି ଠକିବେ, ତେବେ କେହି କିଛି କରିପାରିବେ ନାହିଁ । ଅନ୍ୟପକ୍ଷରେ ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି । ସରକାରୀ ଅଧିକାରୀ ମାନେ ବିଭିନ୍ନ ସମୟରେ କେବଳ ଶିକ୍ଷକ ମାନଙ୍କୁ କିଛି ତାଲିମ୍ ଦେଇ କାର୍ଯ୍ୟ ସାରି ଦେଉଛନ୍ତି । ବାସ୍ତବରେ ସେହି ତାଲିମ୍ ବିଷୟକୁ ଶିକ୍ଷକ ମାନେ କାର୍ଯ୍ୟକାରୀ କରନ୍ତି କି ନାହିଁ, ପରବର୍ତୀ ସମୟରେ ସେ ସଂପର୍କରେ କେହି ଦୃଷ୍ଟି ଦିଅନ୍ତି ନାହିଁ । ତାଲିମ୍ ବାବଦରେ ଯେଉଁ ସମୟ ଓ ଅର୍ଥ ଖର୍ଚ୍ଚ ହୁଏ, ତାହାର କଣିଚାଏ ବି ଫଳ ମିଳେ ନାହିଁ । ସାଧାରଣ ଲୋକେ ନିଜ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କଥା ଚିନ୍ତା ନକରି ବିଦ୍ୟାଳୟରେ ପିଲାମାନେ ଅଣ୍ଡା ଖାଇବା ଓ ରୋଷେଇ ନହେବା ନେଇ ଅଯଥା ସମୟ ବ୍ୟୟ କରନ୍ତି । ଫଳରେ ଧୀରେ ଧୀରେ ଶିକ୍ଷା ବ୍ୟବସ୍ଥା ଦୋହଲି ଚାଲିଛି । ରାଜନଗର ଓ ପଟ୍ଟାମୁଣ୍ଡାଇ ଅଂଚଳରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖା ଯାଇ ଆସୁଛି । ଅବଶ୍ୟ ଏହା ସାରା ଓଡ଼ିଶାର ସମସ୍ୟା । ଏହି ଉପାନ୍ତ ଅଂଚଳରେ କିଭଳି ପାଠ ପଢା ହେଉଛି, ଶିକ୍ଷକମାନେ ବିଦ୍ୟାଳୟକୁ ଠିକ୍ ସମୟରେ ଆସୁଛନ୍ତି କି ନାହିଁ ଓ ପିଲାମାନେ ନିୟମିତ ଆସୁଛନ୍ତି କି ନାହିଁ, ଏ ହିସାବ ଅଧିକାରୀ କିମ୍ବା ସାଧାରଣ ଲୋକଙ୍କ ପାଖରେ ନାହିଁ । କେବଳ ଶିକ୍ଷା ନୁହେଁ, ଶିକ୍ଷକ ମାନଙ୍କ ପ୍ରତି ମଧ୍ୟ ସାଧାରଣରେ ହୀନମନ୍ୟତା କ୍ରମେ ବଢି ଚାଲିଥିବା ପରିଲକ୍ଷିତ ହେଉଛି । ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ବିଶେଷ କରି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ, ଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ, ବ୍ଲକ୍ ଶିକ୍ଷାଧିକାରୀ, ଲୋକପ୍ରତିନିଧି ଦୃଷ୍ଟି ଦେବାକୁ ସାଧାରଣରେ ନିବେଦନ କରାଯାଇଛି । ଆଇଏନ୍ଏସ୍ ।