କେନାଲ କାର୍ଯ୍ୟରେ ନିୟୋଜିତ ଶ୍ରମିକର ସଂଦେହ ଜନକ ମୃତୁ୍ୟ

ବାଲେଶ୍ୱର, (ଆଇଏନ୍ଏସ୍): ମାର୍କୋଣା କେନାଲ ଡିଭିଜନ ଅଧିନରେ ସୋର ବ୍ଲକ ଗୋପୀନାଥପୁର ପଂଚାୟତରେ ଚାଲିଥିବା କେନାଲ ଖୋଳା କାର୍ଯ୍ୟରେ ନିୟୋଜିତ ଶ୍ରମିକର ମୃତୁ୍ୟ ଘଟିଥିବା ବେଳେ ଏହାକୁ କେନ୍ଦ୍ରକରି ନାନା କଥା ଶୁଣିବାକୁ ମିଳୁଛି । ଶ୍ରମିକ ଜଣକର ନାମ ମଙ୍ଗଲ ମୁଣ୍ଡା ଏବଂ ତାଙ୍କର ଘର କେଉଁଝର ଜିଲ୍ଲାରେ ବୋଲି ଜାଣିବାକୁ ମିଳିଛି । ୨୬ ତାରିଖ ରାତି ଠାରୁ ସୋର ଡାକ୍ତରଖାନା ବାରଣ୍ଡାରେ ଶ୍ରମିକର ଶବ ପଡ଼ି ରହିଥିବା ବେଳେ ୨୭ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ ପୋଲିସ, ଡାକ୍ତରଖାନା କର୍ତୃପକ୍ଷ, ମାର୍କୋଣା କେନାଲ ଡିଭିଜନ କିମ୍ବା ଠିକାଦାର କେହି ମୃତ ଶ୍ରମିକର ଶବ ଉପରେ ଖଣ୍ଡେ ଲୁଗା ନପକାଇବା, ଏମାନଙ୍କର ଅମାନବିକତାକୁ ପ୍ରମାଣିତ କରିଛି ।
ଏହି ଅଂଚଳରେ ଚାଲିଥିବା କେନାଲ କାମକୁ ଠିକାଦାର ନିହାର ରଞ୍ଜନ ମାନ୍ଧାତା ଟେଣ୍ଡର ନେଇ କାର୍ଯ୍ୟ କରୁଅଛନ୍ତି । ଏହି କାମ ପାଇଁ ସେ କେଉଁଝରରୁ କିଛି ଶ୍ରମିକ ଆଣି କାମ କରୁଥିବା ବେଳେ ମଙ୍ଗଲ ମୁଣ୍ଡା ନାମକ ଶ୍ରମିକର ଗତକାଲି ମୃତୁ୍ୟ ଘଟିଛି । ଠିକାଦାରର ଜଣେ କର୍ମଚାରୀଙ୍କ ଓ ମାର୍କୋଣା କେନାଲ ଡିଭିଜନର ଏସଡିଓଙ୍କ କହିବା ଅନୁସାରେ ୪/୫ଜଣ ଶ୍ରମିକ ୨୬ ତାରିଖରେ କାମକୁ ନଯାଇ ମଦପିଇ ଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଅଚେତ ହୋଇ ଯାଇଥିଲେ । ଜଣକର ଚେତା ଫେରି ଆସିଥିବା ବେଳେ ଅନ୍ୟଜଣକୁ ସୋର ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଡାକ୍ତରଖାନାରେ ତାର ମୃତୁ୍ୟ ଘଟିଛି । କିନ୍ତୁ ସ୍ଥାନୀୟ ଲୋକମାନଙ୍କ ଠାରୁ ଯାହା ସୂଚନା ମିଳିଛି ଦୁଇଜଣ ଶ୍ରମିକଙ୍କର ମୃତୁ୍ୟ ଘଟିଛି । ଯଦି ସ୍ଥାନୀୟ ଲୋକଙ୍କ କଥା ସତ୍ୟ, ତେବେ ଅନ୍ୟ ଜଣକର ଶବ ଗଲା କୁଆଡ଼େ? ଶବ ଗାଏବ କରି ଦିଆଯାଇ ନାହିଁତ? ଦ୍ୱିତୀୟରେ ମୃତ ଶ୍ରମିକ ମଙ୍ଗଲ ମୁଣ୍ଡା ଗୁରୁତର ଥିବା ଜାଣି ମଧ୍ୟ ଦିନ ଦ୍ୱିପ୍ରହରଠାରୁ ଡାକ୍ତରଖାନା ନଆଣି ରାତିରେ ଅଣାଗଲା କାହିଁକି? ଦିନରେ ଆଣିଥିଲେ ହୁଏତ ବଂଚି ଯାଇଥାଆନ୍ତା । ଏଠାରେ ବର୍ତମାନ ସନେ୍ଦହ ସୃଷ୍ଟି ହେଉଛିଯେ, ମଙ୍ଗଲ ବଂଚିଥିବା ଅବସ୍ଥାରେ ଡାକ୍ତରଖାନା ଅଣାଯାଇଥିଲା ନା’ ମରିଯିବା ପରେ ଅଣାଯାଇଥିଲା । ଯାହା ଶୁଣିବାକୁ ମିଳେ ଶ୍ରମିକ ଜଣକ ମରିଯାଇଥିଲା ଏବଂ ତାର ଶବକୁ ପୋତି ଦେବା ଚକ୍କରରେ ଥିଲେ ସମ୍ପୃକ୍ତ ଠିକାଦାର । କିନ୍ତୁ ସ୍ଥାନୀୟ ଲୋକମାନଙ୍କ ପାଇଁ ଠିକାଦାରର ଯୋଜନା ସାକାର ହୋଇପାରି ନଥିଲା । ତେଣୁ ବାଧ୍ୟ ହୋଇ ରାତିରେ ଶ୍ରମିକର ମୃତଦେହକୁ ଡାକ୍ତରଖାନା ଆଣିଥିଲେ । ଶ୍ରମିକର ଶବ ଦିନ ୧୦ଟା ପର୍ଯ୍ୟନ୍ତ ବ୍ୟବଛେଦ ହୋଇନଥିବା ବେଳେ ଶବ ଉପରେ ଖଣ୍ଡେ ଲୁଗା ମଧ୍ୟ ପକାଯାଇନଥିଲା ।
ଶ୍ରମିକ ମଙ୍ଗଲ, ମଦପିଇ ମରିଥିବା ଠିକାଦାରର କର୍ମଚାରୀ ଓ ମାର୍କୋଣା କେନାଲ ଡିଭିଜନର ଏସ୍ଡିଓ କହୁଛନ୍ତି । ତେବେ ମଙ୍ଗଳପୁର (ଗୋପୀନାଥପୁର ପଂଚାୟତ) ଅଂଚଳରେ ମଦ ବିକ୍ରୀର ପରିମାଣ କେତେ ବୃଦ୍ଧି ପାଇଛି? ସୋର ଅବକାରୀ ବିଭାଗ ଓ ପୋଲିସ କରୁଛି କଣ? ଏହି ଘଟଣାର ବିଭାଗୀୟ ତଦନ୍ତର ଆବଶ୍ୟକତା ଜରୁରୀ ।

Leave a Reply

Your email address will not be published.