ପ୍ରାଚୀ ଗୁରୁଧର୍ମ କ୍ଷେତ୍ରରେ ପାର୍ବଣ ପୂଜା ଆରମ୍ଭ

ନୟାହାଟ, (ଆଇଏନ୍ଏସ୍): ସର୍ବଧର୍ମ ସମନ୍ୱୟ ପୀଠ ପ୍ରାଚୀ ଗୁରୁଧର୍ମ କ୍ଷେତ୍ର କ୍ଷେତ୍ରାଧିଶ ମା’ ଶ୍ୟମାକାଳୀଙ୍କ ଗତ ୨୨ ତାରିଖ ମୂଳାଷ୍ଟମୀ ଠାରୁ ଆଶ୍ରମ ପରିସରରେ ଷୋଳପୂଜା ଆରମ୍ଭ ହୋଇଛି । ପୂଣ୍ୟତୋୟା ପ୍ରାଚୀ ନଦୀରୁ ପାଣି ଅଣାଯାଇ ମା’ଙ୍କର ମହାସ୍ନାନ ପର୍ବ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ଦିନ ପରି ପ୍ରଭାତ ଅବକାଶ ପଠନ, ମଙ୍ଗଳ ଆଳତୀ ପରେ ବ୍ରାହ୍ମଣ ଦେବତାଙ୍କ ଦ୍ୱାରା ସୂର୍ଯ୍ୟ ପୂଜା ପରେ ମା’ଙ୍କ ଷୋଡଶ ଉପଚାରର ପୂଜାର୍ଚ୍ଚନା, ଚଣ୍ଡୀପାଠ ଇତ୍ୟାଦି ଆସନ୍ତା ଅକ୍ଟୋବର ୫ ତାରିଖ ମହାଷ୍ଟମୀ ପର୍ଯ୍ୟନ୍ତ ଯଥାବିଧିରେ କରାଯିବ ବୋଲି ଆଶ୍ରମର ମୁଖ୍ୟ ବାବାଜୀ ଦାମୋଦର ଦାସ ପ୍ରକାଶ କରିଛନ୍ତି । ପ୍ରେମାଚାର୍ଯ୍ୟ ବାବା ମଧୁସୂଦନ ମାତୃ ଉପାସକ । ଏଣୁ ଶ୍ରୀ ଗୁରୁଦେବଙ୍କ ନିଦେ୍ର୍ଦଶାନୁଯାୟୀ ୧୯୪୧ ମସିହାରୁ ମା’ଙ୍କର ମୃଣ୍ମୟ ମୂର୍ତି ସ୍ଥାପନ କରାଯାଇଛି । ସେହି ଦିନ ଠାରୁ ପ୍ରତ୍ୟେକ ବର୍ଷ ଏହି ପର୍ବ ପାଳନ ହୋଇଥାଏ । ଓଡିଶାର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଏଠାକୁ ଆସି ଗୋଟିଏ ଛାତ ତଳେ ମା’ ଶ୍ୟମାକାଳୀ ଓ ଦକ୍ଷିଣ କାଳୀଙ୍କ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଥାନ୍ତି । ଏହି ଷୋଳ ପୂଜାରେ ପ୍ରତ୍ୟେକ ଗୁରୁଭାଇ, ମା’ ଓ ଭଉଣୀମାନେ ତଥା ଶ୍ରଦ୍ଧାଳୁ ନିଜର ଦାୟିତ୍ୱ ନେଇ ଏହି ପୂଜାରେ ସହଯୋଗ କରିଥାନ୍ତି । ମା’ଙ୍କର ପହିଲି ଭୋଗ, ରାଜଭୋଗ ଓ ପଣା ଭୋଗ ଲାଗି କରାଯାଇଥାଏ । ଶହ ଶହ ଭକ୍ତ ପ୍ରତ୍ୟେକ ଦିନ ମା’ଙ୍କ ପ୍ରସାଦ ପାଇଥାନ୍ତି । ଜାତି ବର୍ଣ୍ଣ ନିର୍ବିଶେଷରେ ସବୁ ବର୍ଗର ଭକ୍ତ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ପାଇଁ ଦେଖିବାକୁ ମିଳିଥାଏ । ଶେଷ ଦିନ ମା’ଙ୍କ ପାଖରେ ପାଣିକଖାରୁ ବଳି ପ୍ରଥା ରହିଛି ବୋଲି ସେବକ ପ୍ରୀତିରଂଜନ ଦାସ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.