ଲୋକଙ୍କ ସମସ୍ୟା ସରକାରଙ୍କର ସମସ୍ୟା ନୁହେଁ?
ବାଲେଶ୍ୱର, (ଆଇଏନ୍ଏସ୍) : ସବୁଆଡ଼େ କେବଳ ସମସ୍ୟା ହିଁ ସମସ୍ୟା । ଯେଉଁ ଆଡ଼େ ଚାହିଁବ କେବଳ ସମସ୍ୟା ହିଁ ଆଖିରେ ପଡ଼ିବ । କେଉଁଠି ରାସ୍ତାରେ ଆଲୁଅ ନାର୍ହି ତ’ କେଉଁଠି ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ, ସେହି ରାସ୍ତାରେ ଯିବା ଆସିବା କରିବା ଅସମ୍ଭବ । ପୁଣି କେଉଁଠି ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ କାରଣରୁ ରାସ୍ତା ଉପରେ ପାଣି ଜମି ରହୁଛି । ଏହାଛଡ଼ା ଠିକାଦାର – ଅଧିକାରୀ – ନେତାଙ୍କ ତ୍ରିକୋଣୀୟ ପ୍ରେମର ବିଷଫଳ ଭୋଗ କରୁଛନ୍ତି ଜନତା । ଏ ସମ୍ପର୍କରେ ଶୁଣିବା ପାଇଁ କେହି ନାହିଁ । ଏହିସବୁ ସମସ୍ୟା, ମୋଟାଅଙ୍କର ଦମା ନେଉଥିବା ସରକାରୀ କର୍ମଚାରୀ କିମ୍ବା ବିଧାୟକ, ସାଂସଦ, ମନ୍ତ୍ରୀଙ୍କ ଭଳି ଜନପ୍ରତିିନିଧି ମାନଙ୍କର ନୁହେଁ କିମ୍ବା ଏମାନଙ୍କ ମଧ୍ୟରୁ କେହି ବି ଏଥିପାଇଁ ଉତରଦାୟୀ ନୁହଁନ୍ତି । ବର୍ଷବର୍ଷ ଧରି ଏହିସବୁ ସମସ୍ୟାକୁ ସାମ୍ନା କରୁଛନ୍ତି ଏବଂ ସାମ୍ନା କରିବାକୁ ବାଧ୍ୟ କେବଳ ଜନତା । ଏହାର ବହୁ ଉଦାହରଣ ଥିବା ବେଳେ ସୋର ପୋ÷ରପାଳିକାକୁ ଏହାର ନମୂନା ଭାବେ ନିଆଯାଇପାରେ ।
ସୋର ପୌରପାଳିକାର ବିଭିନ୍ନ ୱାର୍ଡ଼ରେ ଏହି ସମସ୍ୟା ଥିବା ବେଳେ ସେଥି ମଧ୍ୟରୁ ୨ନମ୍ବର ୱାର୍ଡ଼ ଅନ୍ୟତମ । ଏହି ୱାର୍ଡ଼ରେ ଡ୍ରେନେଜ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ । ଏହି ୱାର୍ଡ଼ର କମରପୁରରେ ରାସ୍ତା ଉପରେ ମାସମାସ ଧରି ପାଣି ଜମି ରହିବା ଫଳରେ ଲୋକମାନେ ଯାତାୟତରେ ସମସ୍ୟାର ସମ୍ମୁଖୀନ ହେବା ସହିତ ଦୀର୍ଘଦିନ ପାଣି ଜମିବା ଫଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଏଥିସହିତ ଏହିଗ୍ରାମରେ ଥିବା ସରକାରୀ ଉ.ପ୍ରା ବିଦ୍ୟାଳୟ ପରିସରରେ ପାଣି ଜମିବା ସହିତ ବର୍ଷା ହେଲେ ଶ୍ରେଣୀ ଗୃହରେ ମଧ୍ୟ ପାଣି ଭର୍ତି ହୋଇଯାଉଛି । ସ୍କୁଲ ପଛପଟରେ ଥିବା ଏକ ବ୍ୟକ୍ତିଗତ ପାଖରୀ ପାଇଁ ବର୍ଷବର୍ଷ ଧରି ଏଭଳି ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏହାକୁ ଦ୍ୱଗୁଣିତ କରିଛି ପୂର୍ତବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ଡ୍ରେନ୍ । ଫଳରେ ଏହି ସ୍କୁଲରେ ପାଠପଢ଼ୁଥିବା ୧୮୩ଜଣ ପିଲା ନାନାଦି ସମସ୍ୟାର ସମ୍ମୁଖୀନ ହେବା ସହିତ ସେମାନଙ୍କର ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି । ମିଳିଥିବା ସୂଚନା ଅନୁସାରେ, ଏସମ୍ପର୍କରେ ବିଦ୍ୟାଳୟ କର୍ତୃପକ୍ଷ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବାରୁ ତା.୨୭.୦୯.୧୯ରିଖରେ ଅଭିଭାବକମାନେ ବିଦ୍ୟାଳୟ ଗେଟ୍ରେ ତାଲା ପକାଇ ଦେଇଥିଲେ । ଏହା ପ୍ରମାଣିତ କରୁଛିଯେ, ଏହିସବୁ ସମସ୍ୟା, ସରକାର କିମ୍ବା ଉଚ୍ଚପଦସ୍ଥ ଅଧିକାରୀଙ୍କର ନୁହେଁ, କେବଳ ସାଧାରଣ ଜନତାଙ୍କର । ଏହି ସମସ୍ୟାର କିପରି ସମାଧାନ ହେବ ସେଥିପ୍ରତି ସୋର ପୌରପାଳିକା, ଶିକ୍ଷାବିଭାଗ କିମ୍ବା ପୂର୍ତବିଭାଗ କାହାରି ଦାୟୀତ୍ୱ ଥିବା ଭଳି ମନେହୁଏ ନାହିଁ । ପିଲାମାନଙ୍କୁ ଦେଶର ଭବିଷ୍ୟତ ବୋଲି ନେତା, ମନ୍ତ୍ରୀ, ଅଧିକାରୀମାନେ ଭାଷଣବାଜି ମାରୁଥିବା ବେଳେ ଦେଶର ୧୮୩ ଭବିଷ୍ୟତ ନଷ୍ଟ ହୋଇଯାଉଥିବା କାହାରି ଅଖିକୁ ଦେଖାଯାଉନାହିଁ ।
ଠିକ୍ ସେହିପରି ନେତା-ଅଧିକାରୀ-ଠିକାଦାରଙ୍କର ତ୍ରିକୋଣୀୟ ମଧୁଚନ୍ଦ୍ରିକାର ବିଷଫଳ ଲୋକମାନେ ଭୋଗ କରୁଛନ୍ତି । କୋଟି କୋଟିି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଫ୍ଲାଏ ଓଭର ବ୍ରିଜ୍ ର କାମ ଶେଷ ନକରି ଠିକା କମ୍ପାନୀ (ଆରସିଏଲ) କାମଛାଡ଼ି ପଳାଇ ଯିବା ଫଳରେ ବାଇପାସ୍ ରୋଡ଼ର କିଛି ଅଂଶ କାମ ହୋଇ ନଥିବାରୁ ରାସ୍ତାଟି ପାଣି କାଦୁଅରେ ଭର୍ତି ହୋଇଥିବାରୁ ଯାତାୟତରେ ସମସ୍ୟା ଦେଖାଦେଇଛି । ବ୍ରିଜ୍ ଆରମ୍ଭ ପୂର୍ବରୁ ଶୁଭଦେଇ ରାଜନୈତିକ ମାଇଲେଜ୍ ନେବାପାଇଁ ରାଜ୍ୟ ଓ କେନ୍ଦ୍ରରେ ଥିବା ଶାସକ ଦଳର ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇ ଦୁଇଟି ସ୍ଥାନରେ ଦୁଇଥର ଭତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ଠିକାକମ୍ପାନୀ କାମ ନସାରି ପଳାଇଯିବା ପରେ ଉପୁଜିଥିବା ସମସ୍ୟାକୁ ସମାଧାନ କରିବା ପାଇଁ କୋ÷ଣସି ରାଜନୈତିକ ଦଳର ନେତାଙ୍କର ଦେଖାନାହିଁ ।
ଉପରୋକ୍ତ ଘଟଣା କେବଳ ସୋରର ନୁହେଁ । ଏହା ଏକ ନମୂନା ମାତ୍ର । ରାଜ୍ୟର ବିଭିନ୍ନ ସ୍ଥାନରେ ଏହିଭଳି ସମସ୍ୟାର ଅଭାବ ନାହିଁ । ଏଥିରୁ ପ୍ରମାଣିତ ହେଉଛିଯେ, ଏହିସମସ୍ୟା ଗୁଡ଼ିକ ସରକାରଙ୍କର ନୁହେଁ, କେବଳ ଲୋକମାନଙ୍କର । କାରଣ ଲୋକମାନେ ଯେଉଁ ପ୍ରିତିନିଧି ମାନଙ୍କୁ ଶାସନଭାର ଦେଇଥିଲେ ଏହି ସମସ୍ୟା ନୁହେଁ ବୋଲି ଏହାଦ୍ୱାରା ପ୍ରମାଣିତ କରିସାରିଛନ୍ତି । ତେଣୁ ଦେଶର ପ୍ରକୃତ ଶାସକ ଜନତାମାନେ ନପୁଂସକ ଭଳି ଚୁପ୍ ହୋଇ ନବସି ସେମାନଙ୍କର ପ୍ରତିନିଧିଙ୍କ ଠାରୁ ଏହାର ଜବାବ୍ ମାଗିବାର ସମୟ ଆସିଛି ।