ଅତିତକୁ ଝୁରି ହେଉଛନ୍ତି ପୁରୁଣା ଲୋକମାନେ!
ଡ଼ାକ୍ତର ସୁରେନ୍ଦ୍ରନାଥ ଦାଶ
ନଈ ସେପାରିର ଗାଁ କଥା କହିଲେ ମୋର ମନ ଅତିତର ଏକ ମଧୁମୟ ଓ ସ୍ମରଣିୟ ସମୟକୁ ଚାଲିଯାଏ, ଯେତେବେଳେ ଏକ ନଈ କୂଳିଆ ଗାଁ ରେ ମୁଁ ମୋର ବାଲ୍ୟ ଓ କୈଶୋର ଅବସ୍ଥା କଟାଉ ଥିଲି । ମହାନଦୀର ଅବବାହିକାରେ ବିଞ୍ଝି ହୋଇ ପଡିଥିବା ହଜାର ହଜାର ଗାଁ ଭିତରୁ ଗୋଟିଏ ହେଉଛି ମୋର ଗାଁ । ସେହି ଗାଁ ର ନାମ କହିବା ଆବଶ୍ୟକତା ନାହିଁ, କାରଣ ସେ ଅଂଚଳର ସବୁ ଗାଁ ର ଭୌଗଳିକ ଓ ସାଂସ୍କୃତିକ ପରିବେଶ ଗୋଟିଏ ପ୍ରକାରର ।
ଓଡ଼ିଶାର ସବୁଠାରୁ ବଡ ନଦୀ ମହାନଦୀ ନରାଜ ଠାରେ ପହଂଚିଲା ପରେ ବହୁଦା ବିଭକ୍ତ ହୋଇ ଏକ ବିଶାଳ ତ୍ରିକୋଣ ଭୂମି ସୃଷ୍ଟି କରିଛି । ଏହାର ଡାହାଣ କଡରୁ କାଠଯୋଡି ନଈ ଜନ୍ମ ନେଇ ଅଳ୍ପବାଟ ଗଲାପରେ କୁଆଖାଇ ନଈକୁ ସୃଷ୍ଟି କରିଛି । କୁଆଖାଇରୁ କୁଶଭଦ୍ରା ଓ ଦୟା ବାହାରି ପୁରୀ ଜିଲ୍ଲା ଦେଇ ଗତି କରି ବଙ୍ଗୋପସାଗରରେ ପଡିଛନ୍ତି । କାଠଯୋଡି କଟକ ଅତିକ୍ରମ କଲାପରେ ସେଥିରୁ ବିଲୁଆଖାଇ ଓ କନ୍ଦଳ ନଈ ସୃଷ୍ଟି ହୋଇଛନ୍ତି ଓ ସେ ନିଜେ ଦେବୀ ନାମ ଧାରଣ କରି ଅସ୍ତରଙ୍ଗ ନିକଟରେ ଜଟାଧାରୀ ମୁହଣରେ ସାଗର ସଙ୍ଗମ ହୋଇଛି । ଏଣେ ମହାନଦୀ ବାମ କଡରୁ ବିରୁପା ନଦୀ ଜନ୍ମ ନେଇଛି ଓ ତାହା ନିମ୍ନକୁ ଗତି କଲାପରେ କନ୍ଦଳ ନଈ ବାହାରିଛି ଓ ପରେ ସେମାନେ ବ୍ରାହ୍ମଣୀ ନଈରେ ମିଶିଛନ୍ତି । ମହାନଦୀର ଦକ୍ଷିଣପାଶ୍ୱର୍ ରୁ ଚିତ୍ରୋତ୍ପଳା ନଈ ବାହାରିଛି । ସେଥିରୁ ଲୁଣା ଓ ଲୁଣାରୁ କରଣ୍ଡିଆ ନଈ ସୃଷ୍ଟି ହୋଇଛି । ଏମାନେ ସମସ୍ତେ ଚିତ୍ରୋତ୍ପଳାରେ ମିଶିଛନ୍ତି । ଏଣେ ଚିତୋ୍ରତ୍ପôଳାର ଡାହାଣ କଡରୁ ପାଇକା ନାମକ ନଈ ବାହାରି ପୁଣି ସେଥିରେ ମିଶିଅଛି । ମହାନଦୀର ମୁଖ୍ୟ ଶାଖା ନିମ୍ନକୁ ବହିଯାଇ ଅଠର ବାଙ୍କ ନାମ ଧାରଣ କରି ଫଲ୍ସ ପଏଂଟ ଠାରେ ବଙ୍ଗୋପସାଗରରେ ମିଶିଛି । ୯ ଅଙ୍କ ଦୁର୍ଭିକ୍ଷ ପରେ ମହାନଦୀର କଡେ କଡେ ଇଂରେଜ ମାନେ ଦୁଇଟି କେନାଲ କେନ୍ଦ୍ରାପଡା ଓ ତାଳଦଣ୍ଡା ଖୋଳାଇଥିଲେ ଓ ବନ୍ଧବାଡ ଦ୍ୱାରା ଏହି ଅଂଚଳକୁ ବନ୍ୟା ଠାରୁ ସୁରକ୍ଷିତ ରଖିଥିଲେ । ଏହି ଅଂଚଳ ଦେଇ ଦୁଇଟି ପକ୍କାରାସ୍ତା ମ୍ମ କଟକରୁ ସମୁଦ୍ର ଯାଏଁ ଯାଇଥିଲା । ଏହି ଅଂଚଳକୁ କୁହାଗଲା କେନାଲ ଅଂଚଳ । ଏହି ଅଂଚଳରୁ ନଈ ପାର ହେଲେ ପଡୁଥିବା ନଈ ସେ ପାରି ର ଧୋୟା ଅଂଚଳ, ଯେଉଁଠି ସମୟ ପ୍ରାୟ ୧୦୦ ବର୍ଷଧରି ସ୍ଥିର ହୋଇ ଯାଇଥିଲା । ନଈ ଆର କଡରେ ପ୍ରଗତିର ରଥ ଅଟକି ଯାଇଥିଲା ।
ନଈ ସେ ପାରିର ଧୋୟା ଅଂଚଳ ପଛୁଆ ହେଲେ ମଧ୍ୟ ଏହାର ପ୍ରାକୃତିକ ଦୃଶ୍ୟ ଓ ସଂସ୍କୃତି ବେଶ ମଧୁମୟ ଥିଲା । ରାସ୍ତାଘାଟ ନାମକୁ ମାତ୍ର ଥିଲା । କାଦୁଅରେ ପଶି ଯିବାକୁ ପଡୁଥିଲା । ବଢିଆସିଲେ ରାସ୍ତାଭାଙ୍ଗି ନାଳ ମାନ ସୃଷ୍ଟି ହେଉଥିଲା । ଜମିରେ ବାଲିକୁଦ ତଆରି ହେଉଥିଲା । ଏବେ ବି ସେହି ସ୍ମୃତିକୁ ବହନ କରି ବାଲିକୁଦା, କୁଦାନଗରୀ, ବାଲିପାଟଣା ଓ ବାଲିଆପଦା ନାମରେ ଗାଁ ମାନ ରହିଯାଇଛି । ସେତେବେଳେ ରାସ୍ତା ଘାଟରେ ଯିବା ପାଇଁ ବଳଦଗାଡି ହିଁ ମୁଖ୍ୟ ବାହନ ଥିଲା । ପ୍ରତି ଗାଁ ର ଦୁଇ ତିନି ଜଣ ଙ୍କର ସାଇକେଲ ଥିଲା । ମୋଟର ଗାଡି ଦେଖିବା ସ୍ୱପ୍ନ ଥିଲା । ବର୍ଷରେ ଥରେ ଅଧେ ଡଙ୍ଗାରେ ପାର ହୋଇ ମୋଟର ଗାଡି ଅସିଲେ ତାକୁ ଦେଖିବା ପାଇଁ ପିଲାମାନେ ରାସ୍ତାକୁ ଧାଉଁଥିଲେ । ନଈକୁ ପାର ହେବାପାଇଁ ତିନି-ଚାରି କିମି ଅନ୍ତରରେ ଘାଟ ମାନ ଥିଲା । ଘାଟ ନାଉରିଆ ମାଗଣା ପାରି କରୁଥିଲା । ବର୍ଷରେ ଥରେ ଗାଁ ଗାଁ ବୁଲି ଧାନ ସଂଗ୍ରହ କରୁଥିଲା । ଘାଟରେ ଲୋକମାନେ ଡଙ୍ଗାକୁ ଅପେକ୍ଷା କରୁଥିଲେ । ନାଉରିଆ ତାର ମୋଟା ହାତରେ କାତ ମାରି ଡଙ୍ଗାକୁ ଏକଡ ସେକଡ କରୁଥିଲା । ସାଇକେଲ ମାନ ଡଙ୍ଗାରେ ପାରି ହୁଅନ୍ତି । ବର୍ଷା ଦିନେ ନଈ କୂଳ ଉଛୁଳି ପ୍ରଖର ବେଗରେ ବହୁଥିଲା । ଅତି ସତର୍କତା ର ସହିତ ଗଙ୍ଗା ମାତା କି ଜୟ କହି ନାଉରିଆ ଡଙ୍ଗା ଛାଡୁଥିଲା ଓ ଆହୁଲା ମାରୁଥିଲା । ଛୋଟ ଛୋଟ କୁଡିଆରେ ନଈ କୂଳରେ ଲୋକମାନେ ବସି ଡଙ୍ଗା କୁ ଅପେକ୍ଷା କରୁଥିଲେ । ଦୁର ଦୁରାନ୍ତର ଲୋକଙ୍କ ମଧ୍ୟରେ ଆଳାପ ଜମୁଥିଲା । ଆଜିକାଲି ନଈ ରେ ପୋଲ ହେଲାଣି । ଧୋୟା ଅଂଚଳକୁ ବସ ଟ୍ରକ କାର ମାନ ଧାଇଁଲେଣି ।
ଧୋୟା ଅଂଚଳର ଅତିଥୀ ଚର୍ଚ୍ଚା ଅତି ଉଚ୍ଚକୋଟି ର ଥିଲା । ଘରେ ପହଂଚିଲେ ଖାଇବାକୁ ଡକା ଯାଉଥିଲା । ବଡ ବଡ ଥାଳିରେ ମୋଟା ଉସୁନା ଚାଉଳର ନାଲି ଭାତ ସାଙ୍ଗରେ ୩ ଲିଟର କଂସାରେ ଦେଶି ମୁଗଡାଲି ବଢା ଯାଉଥିଲା । ସେଥିରେ ଆଳୁ ସାରୁ ଓ ମାଟିଆଳୁ ପଡୁଥିଲା । ବାଡି ଶାଗ ଭଜା ହେଉଥିଲା । ଗାଁ ଗଡିଆ ଓ ପାଟରୁ ମାଛ ଧରାହୋଇ ଅତିଥୀଙ୍କ ପତରକୁ ଯାଉଥିଲା । ଭାତରେ ଘିଅ ପଡୁଥିଲା । ଘରେ ଥିବା ବସା ଦହିରୁ କିଲି କିଆ ପିତଳ ଗ୍ଲାସରେ ବସା ଦହି ଓ ଗୁଡ ଦିଆ ଯାଉଥିଲା । ନଡିଆ ଗଛରୁ ପଇଡ ତୋଳା ହୋଇ ଅତିଥୀଙ୍କୁ ପିଇବାକୁ ଦିଆ ଯାଉଥିଲା । ଗଲାବେଳକୁ ଖିଲି ପାନ ଭାଙ୍ଗି ବିଦାୟ ଦିଆ ଯାଉଥିଲା । ଗମନା ଗମନ ନଥିବାରୁ ଧୋୟା ଅଂଚଳରେ ଉତ୍ପନ୍ନ ହେଉଥିବା ଦ୍ରବ୍ୟ ବଜାରକୁ ଯାଇ ପାରୁ ନଥିଲା । ସେଥିପାଇଁ ମାଛ, ଫଳ,ଦୁଧ ଯାହା ମିଳେ ନିଜେ ପେଟ ଭରି ଖାଉଥିଲେ ଓ ପଡିଶା ଘରେ ବାଂଟୁଥିଲେ । ପାଣି କଖାରୁ, ଲାଉ ଓ ଓଉ ବିକିବା ନିଷେଧ ଥିଲା । କେନାଲ ଅଂଚଳରେ ବାଡିରେ ଯାହା ହେଉଥିଲା ତାକୁ ନେବାପାଇଁ ଦାଣ୍ଡରେ ବେପାରି ପହି ଯାଉଥିଲା । ପଇସା ଲୋଭରେ ସେମାନେ ବିକି ଦେଉଥିଲେ । ସେଥିପାଇଁ ଧୋୟା ବାଲା ସେମାନଙ୍କୁ ଭାତ ବିକା ବୋଲି କହୁଥିଲେ ।
ସେହି ବିଶାଳ ଅଂଚଳରେ ବଜାର ବୋଲି କିଛି ନଥିଲା । ବିଜୁଳି ଆଲୁଅ ଜଳୁନଥିଲା । ଘରେ ଲଣ୍ଠନ ଓ ଡିବି ଆଲୁଅ ଦେଉଥିଲା । କେତେ ଦୂରରେ ଗୋଟେ ଅଧେ ଚାହା ଦୋକାନ ଥିଲା । ସେଠାରେ ଚାହା ସାଙ୍ଗରେ ଗୁଲଗୁଲା ଓ ପକୁଡି ମିଳୁଥିଲ । ନଈ ପାରି ହେଲେ କେନାଲ ଅଂଚଳର ବଜାର ଥିଲା । ସେଠାରେ ହାଇ ସ୍କୁଲ,ମେଡିକାଲ ଓ ପୋଷ୍ଟ ଅଫିସ ରହୁଥିଲା । ଚାହା ଜଳଖିଆ ଦୋକାନରେ ବରା ସିଙ୍ଗଡା ଓ ରସଗୋଲା ମିଳୁଥିଲା । ବିଜୁଳି ଆଲୁଅ ଜଳୁଥିଲା ଓ ସରଳ ଧୋୟା ଲୋକଙ୍କୁ ତାହା ଇନ୍ଦ୍ର ଭବନ ଭଳି ଲାଗୁଥିଲା ।
ଲୋକମାନେ ବଡ ସରଳ ଓ କଷ୍ଟ ସହିଷ୍ଣୁ ଥିଲେ । ଧୋତି ଗାମୁଛାରେ ତାଙ୍କ ପୋଷାକ ସିମିତ ଥିଲା । ଗୋଡରେ ଚପଲ ନଥିଲା । ଗୋଟେ ଅଧେ ସାର୍ଟ ମୋଡାମୋଡି ହୋଇ ପେଡିରେ ସାଇତା ହେଉଥିଲା । ସମସ୍ତଙ୍କ ଘର ଚାଳ ଛପର ଥିଲା । ଘର ଆଗରେ ଗୁହାଳ ଥିଲା । ଲୋକମାନେ ଗାଈ, ଗୋରୁକୁ ଜୀବନ ଠାରୁ ଅଧିକ ଯତ୍ନ ନେଉଥିଲେ । ଶଗଡ ଥିଲା ଯାତାୟତ ପାଇଁ ମୁଖ୍ୟ ଯାନ । ସକାଳୁ ସକାଳୁ ଶଗଡିଆ ଭାଇ ଗିତ ଗାଇ ଗାଇ ଦୂର ଯାଗାକୁ ବାହାରି ପଡୁଥିଲା । ବଳଦ ମାନଙ୍କ ବେକର ଘାଗୁଡି ରାତ୍ରୀ ର ନିରବତା କୁ ଭାଙ୍ଗି ଦେଉଥିଲା । ଗମନା ଗମନ ନଥିଲେ ମଧ୍ୟ ଧୋୟା ଅଂଚଳର ଜୀବନ ବେଶ କୋଳାହଳ ମୟ ଥିଲା । ସକାଳୁ ସକାଳୁ ଦୂର ଦେବାଳୟ ରୁ ଶଂଖ ଓ ଘଂଟା ଧ୍ୱନି ବାଜି ଉଠୁଥିଲା । ଗାଈଆଳ ପିଲା ଗୋରୁ ପଲଙ୍କୁ ନଈ ପଠାକୁ ନେଇ ଯାଉଥିଲା ଓ ସେଠାରେ ବରଗଛ ମୂଳେ ବସି ବଂଶି ରେ ମଧୁର ତାନ ତୋଳୁଥିଲା । ପାଲ ଉଡାଇ ନଈରେ ଡଙ୍ଗା ମାନ ଭାସି ଯାଉଥିଲା । ଆକାଶ ରେ ପଲ ପଲ ଗେଣ୍ଡାଳିଆ ଉଡିଯାଉଥିଲେ ।କେନ୍ଦରା ବଜାଇ ଯୋଗି ମାନେ ଗିତ ଗାଇ ଗାଇ ପହଂଚି ଯାଉଥିଲେ ।
ଭଜୁ କିନା ରାମ ନାମରେ ଗୋବିନ୍ଦ, ଭଜୁ କିନା ରାମ ନାମ ।
ଲମ୍ବା ଓଢଣା ପକାଇ କୂଳ ବଧୁ ଟି ଭିକ୍ଷା ଦେଇ ପ୍ରଣାମ କରୁଥିଲା । ଚକୁରିଆ ପଣ୍ଡା ତାଳପତ୍ର ଛତା ଧରି ଗାଁ ଏମୁଣ୍ଡରୁ ସେ ମୁଣ୍ଡ ଯାଏଁ ପାଟି କରୁଥିଲା । ଦେଇଥିଲେ ପାଇ ମା ଗୋ ଦେଇଥିଲେ ପାଇ ।
ଦିନ ଦ୍ୱି ପ୍ରହର କୁ ମାଡି ଆସନ୍ତି ଜାତି ଜାତି କା ବାରବୁଲା ଦଳ । ପେଡି ଧରି ପହଂଚିଯାଏ ସାପୁଆ କେଳା ଓ ଡମ୍ବୁରୁ ବଜାଇ ଗାଇ ଉଠେ: କଂସର ଘରଣୀ ପଦ୍ମାବତୀ ରାଣୀ ……….
ବାଉଁସ ରାଣୀ, ଆସେ, ମୁଣ୍ଡ ପୋତା କେଳା ଆସେ । କୂଆ ମାରିବାକୁ କାଉରା ପହଂଚିଯାଏ । ସ୍ତ୍ରୀ ଙ୍କ ପାଇଁ ଫେସନ ଜିନିଷ ଧରି କେଲୁଣି ପହଂଚିଯାଏ । କାଖରେ ପାଞ୍ଜିଜାକି ଗ୍ରହ ବିପ୍ର ଆସେ । ଠାକୁରାଣୀଙ୍କ ଧଣ୍ଡାଧରି ପୁଜାରୀ ପହଂଚିଯାଏ । ମା’ଙ୍କ ର ଛୋଟ ବିମାନ ଟିଏ ଧରି କାକଟ ପୁର ର ରାଉଳ ଆସନ୍ତି । ରଘୁନାଥ ଯିଉଙ୍କ ର ପାଖରୁ ମାନସିକ ବାଲା ବେତ ଧରି ଓ ହନୁମାନ ମୁଖା ପିନ୍ଧି ଗାଁ ଗାଁ ବୁଲନ୍ତି । ଚୈତ୍ର ମାସରେ ରଣପା ପିନ୍ଧି ଘଂଟୁଆ ମାନେ ଆସନ୍ତି । ବାଇସ୍କୋପ ବାଲା ଆସି ଡାକଦିଏ, କଳିଯୁଗ ଭେଣ୍ଡା ଦେହ ହାବଡା ପୋଲ ଦେଖ । ନାଲି ନାଲି ବମ୍ବେଇ ମିଠେଇ ଧରି ମିଠେଇ ବାଲା ପିଲାଙ୍କୁ ଡାକ ଛାଡେ । ସଞ୍ଜ ହେଲେ କେଉଁଠୁ କେଉଁଠୁ ଖଞ୍ଜଣି ଶଦ୍ଦ ଆସେ, ତାହା ସହିତ ଗିତ । ବାଇ ମନୋହେ, ବସି ହଂସକୁ ଖେଳା… ।
ତା ସହିତ ବାଦିପାଲା, ଦଶକାଠିଅ. ଅପେରା, ଘୋାଡା ନାଚ, ସଂସ୍କୃତିର ଏହି ବିଶାଳ ସମାରୋହ କଳ୍ପନା କରିହୁଏନା । ଆଜି ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ଆଜି ଗାଁ ଦାଣ୍ଡ ଖାଁ ଖା,ଁ ସବୁ ଶୂନ୍ୟ ,ମହା ଶମ୍ଶାନ । ଖାଲି ଗାଡି ମଟର ପେଁ ପାଁ କରି ଛୁଟି ଚାଲିଛନ୍ତି । ସଭ୍ୟତା ର ମହାବାତ୍ୟା ରେ ସବୁ ଯେମିତି ହଜି ଯାଇଛି । ସେତେବେଳେ ଗାଁ ଗାଁ ରେ ସ୍କୁଲ ନଥିଲା । ଅବଧାନ ମାନେ ଚାହାଳି ଖୋଲି ପାଠ ପଢାଉଥିଲେ । ସକାଳୁ ସକାଳୁ ପିଲାଙ୍କ ହାତରେ ଶୁନ୍ୟ ପାହାର ଦିଆ ଯାଉଥିଲା । ୬/୭ କିମି ଚାଲି ଚାଲି ନଈ ପାର ହୋଇ ହାଇସ୍କୁଲ ଯିବାକୁ ପଡୁଥିଲା । ନଈରେ ପୋଲ ହେଲାପରେ ସବୁ ଓଲଟ ପାଲଟ ହୋଇଗଲା । ବୟସ୍କ ଲୋକମାନେ ଦାବି କରୁଥିଲେ , ପୋଲ ନହେଉ । ପୋଲ ହେଲେ ଉଭୟ ଚୋର ଓ ପୋଲିସ ଆସିବେ । ଆମ ଗାଁ କୁ ପୋଲିସ ଆସିବା ମୁଁ ଦେଖି ନଥିଲି । କଳି କଜିଆ କଲେ, ଜଣେ ଥାନାକୁ ଯାଉଛି ବୋଲି କହି ନଈ କୂଳରେ ବସି ରହେ । ଗାଁ ଲୋକମାନେ ଧାଇଁ ତାକୁ ବୁଝାଇ ସୁଝାଇ ଫେରାଇ ଆଣନ୍ତି । ୫ ଜଣ ବସି କଳି ତୁଟାଇ ଦେଉଥିଲେ । ପରସ୍ପରକୁ କୁଣ୍ଢାକୁଣ୍ଢି ହୋଇ ମିଶିଯାଉଥିଲେ ।
ମାତ୍ର କେତୋଟି ବର୍ଷ ଭିତରେ ସବୁ ବଦଳି ଗଲା । ଇତିହାସରେ ହଜିଗଲା ନଈ ସେ ପାରିର ଗାଁ ର କାହାଣି । ଆଜିର ପିଲାମାନେ ଏ ପରିବର୍ତନରେ ବେଶ ଖୁସି । ହୁଏତ ଆମ ଭଳି ପୁରୁଣା ଲୋକମାନେ ସମୟ ସହିତ ଖାପ୍ ଖୁଆଇ ପାରୁନାହାନ୍ତି । ଅତିତକୁ ଝୁରି ହେଉଛନ୍ତି ଓ ସବୁଦିନେ ସ୍ୱପ୍ନରେ ଖୋଜୁଛନ୍ତି ପିଲା ଦିନର ନଈ ସେ ପାରିର ଛୋଟ ଗାଁ ଟିକୁ ।