ଜାଲି ଦୂରତା ପ୍ରମାଣ ପତ୍ରରେ ଚାଲିଛି ବର୍ଡ଼ର ସ୍କୁଲ!

ହାଇକୋର୍ଟ ଆଦେଶକୁ କାର୍ଯ୍ୟକାରୀ କରୁନାହିଁ ଶିକ୍ଷା ବିଭାଗ

ବାଲେଶ୍ୱର, (ଆଇଏନ୍ଏସ୍): ସତ୍ୟ କେବେ ଲୁଚି ରହେନାହିଁ । ଯେତେ ସ୍ୱଚ୍ଛ ଦେଖାଇ ହେଲେ ବି ସରକାରଙ୍କ ପ୍ରକୃତ ରୂପ ପଦାକୁ ଫୁଟି ବାହାରି ପଡ଼ୁଛି । ୫ ଟି ମାଧ୍ୟମରେ ସରକାର ନିଜର ସ୍ୱଚ୍ଛତା ପ୍ରତିପାଦନ କରିବାକୁ ଉଦ୍ୟମ କରୁଛନ୍ତି ସତ, କିନ୍ତୁ ଘଟଣା କ୍ରମରେ ସରକାରଙ୍କର ପ୍ରକୃତ ରୂପ ଲୋକ ଲୋଚନକୁ ଆସିଯାଉଛି । ବର୍ଡ଼ର ସ୍କୁଲ ନାମରେ, ଜାଲି ଦୂରତା ପ୍ରମାଣ ପତ୍ରରେ, ଦଶନ୍ଧି ଦଶନ୍ଧି ଧରି କୋଟିକୋଟି ଟଙ୍କା ସରକାରୀ ତହବିଲ୍ରୁ ହଡ଼ପ୍ ହେଉଥିବା ବେଳେ ତାହାକୁ ବାତିଲ କରିବାକୁ ୨ମାସ ପୂର୍ବରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଦେଇଥିବା ନିଦେ୍ର୍ଦଶକୁ ସରକାର କାର୍ଯ୍ୟକାରୀ କରୁନାହାନ୍ତି । ଏଥିରୁ ସରକାର କିପରି ଚାଲିଛି ତାହାର ନଗ୍ନ ଚିତ୍ର ଦେଖିବାକୁ ମିଳୁଛି ।
ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟର, ବିଭିନ୍ନ ଜିଲ୍ଲାରେ (ବାଲେଶ୍ୱର, ମୟୁରଭଞ୍ଜ, କେଉଁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନାଗିରି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ଗଜପତି – ଇତ୍ୟାଦି) ମୋଟ ୬୧୦ଟି ବର୍ଡ଼ର ହାଇସ୍କୁଲ ରହିଛି । ଏହି ସ୍କୁଲ ଗୁଡ଼ିକ ତା.୦୧.୦୬.୧୯୯୪ ମସିହା ଠାରୁ ସରକାରୀ ଅନୁଦାନ ପାଇ ଆସୁଛନ୍ତି । ଯୋଗ୍ୟ ସ୍କୁଲ ଗୁଡ଼ିକ ଅନୁଦାନ ଦେବା ପାଇଁ ତ.୦୭.୦୩.୧୯୮୭ ମସିହାରେ ଓଡ଼ିଶା ସରକାରଙ୍କ ଏଜୁକେସନ ଏଣ୍ଡ ୟୋଥ୍ ସାର୍ଭିସେସ୍ ଡିପାଟ୍ମେଂଟ ନିଷ୍ପତି ନେଇଥିଲେ । ନିୟମ ଅନୁସାରେ, ରାଜ୍ୟର ସୀମା ଠାରୁ ୨କି.ମି ଦୂରରେ ଥିବା ହାଇସ୍କୁଲ ଏବଂ ସେହି ସ୍କୁଲ ଠାରୁ ୫କି.ମି ଦୂରରେ ଆଉ ସ୍କୁଲ ନଥିଲେ ସେହି ସ୍କୁଲ ଗୁଡ଼ିକୁ ବର୍ଡ଼ର ସ୍କୁଲରେ ସାମିଲ କରାଯାଇ ଅନୁଦାନ ଦିଆଯିବ । କିନ୍ତୁ ମିଳିଥିବା ତଥ୍ୟ ଅନୁସାରେ, ଜାଲ ଦୂରତାର ପ୍ରମାଣପତ୍ର ଦେଇ ରାଜ୍ୟରେ ଅନେକ ସ୍କୁଲ ବର୍ଡ଼ର ସ୍କୁଲର ମାନ୍ୟତା ପାଇ, ସରକାରୀ ଅନୁଦାନକୁ ହଡ଼ପ୍ କରୁଛନ୍ତି । ଏଥିରେ ସ୍କୁଲର ଶିକ୍ଷକ, କର୍ମଚାରୀ, ତତକାଳୀନ ମନ୍ତ୍ରୀ, ବିଧାୟକ, ଆର୍.ଆଇ ଓ ତହସିଲଦାର ମାନଙ୍କର ପ୍ରଛନ୍ନ ହାତ ରହିଥିବା ସନେ୍ଦହ କରାଯାଏ । ଏହି ସନେ୍ଦହକୁ ଅଧିକ ଘନିଭୂତ କରିଛି ବର୍ଡ଼ର ସ୍କୁଲ ଗୁଡ଼ିକର ଦୂରତା ପ୍ରମାଣପତ୍ରର ନକଲ ସୂଚନା ଅଧିକାର ଆଇନ ଅନୁସାରେ ଡିରେକ୍ଟର ଅଫ ସେକେଣ୍ଡାରୀ ଏଜୁକେସନକୁ ମଗାଯାଇଥିବା ବେଳେ ତାହାକୁ ପ୍ରଦାନ କରାନଯିବା ଏବଂ ସୂଚନା କମିସନଙ୍କ ଠାରେ ଅପିଲ କରିବା ପରେ ତାଙ୍କର ନିଦେ୍ର୍ଦଶରେ ବାଲେଶ୍ୱର ଜିଲ୍ଲାର ୭ଟି ସ୍କୁଲର ଦୂରତା ପ୍ରମାଣପତ୍ରର ନକଲ (ଯାହା ଜାଲ ପ୍ରମାଣ ପତ୍ର)ମିଳିଥିଲା । କିନ୍ତୁ ଅନ୍ୟ ଜିଲ୍ଲାର ଡିଇଓମାନେ ଡିଷ୍ଟାନ୍ସ ସାର୍ଟିଫିକେଟ୍ ଦେଇନାହାନ୍ତି । ତେଣୁ ବାକି ୬୦୩ ଗୋଟି ବର୍ଡ଼ର ସ୍କୁଲ ଯେ ଜାଲି ଦୂରତା ସାର୍ଟିଫିକେଟ ବଳରେ ସରକାରୀ ଅନୁଦାନ ପାଉଛନ୍ତି ଏବଂ ଏଥିରେ ସରକାରଙ୍କର ତଳ ଠାରୁ ଉପର ପର୍ଯ୍ୟନ୍ତ କର୍ମଚାରୀ, ଅଧିକାରୀ ଓ ଜନପ୍ରତିନିଧିମାନେ ସାମିଲ ରହିଛନ୍ତି ଏଥିରେ ଦ୍ୱିମତ ନାହିଁ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା, ଏହି ଘଟଣାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ହୋଇଥିବା ଏକ କେସ୍ (ଡ଼ବ୍ଲୁ୍ୟ.ପି.(ସି)(ପିଆଇଏଲ୍) ନଂ.୧୧୫୯୪/୨୦୧୯)ର ବିଚାର କରି ଅନୁଦାନ ବାତିଲ କରିବାକୁ ତା.୨୯.୦୭.୨୦୧୯ରିଖରେ ରାୟ ପ୍ରଦାନ କରିଥିବା ବେଳେ ଏହା ମଧ୍ୟରେ ଦୁଇମାସରୁ ଅଧିକ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ସରକାର ମାନ୍ୟବର ହାଇକୋର୍ଟଙ୍କ ନିଦେ୍ର୍ଦଶକୁ ବେଖାତିର କରି ଏହି ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରୁନାହିଁ । ଏହି ଜାଲି କାରବାରରେ ସରକାରଙ୍କର ଧଳାହାତୀମାନେ ସମ୍ପୂର୍ଣ୍ଣ ଭାବରେ ଜଡ଼ିତ ଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି । ଅପରପକ୍ଷରେ ଏହି ଘଟଣା ସଂପର୍କରେ ସୂଚନା ଅଧିକାର ଆଇନରେ ତଥ୍ୟ ମାଗି ଓ ହାଇକୋର୍ଟରେ ମାମଲା ରୁଜୁକରି ଲୋକଲୋଚନକୁ ଆଣିଥିବା ଜଳେଶ୍ୱର ଆରୁହା ଗ୍ରାମର ଗଣେଶ ଚନ୍ଦ୍ର ଭୁୟାଁଙ୍କୁ ବେନାମୀ ଚିଠିଦ୍ୱାରା ଧମକ ମିଳିବା, ମାଙ୍କଡ଼ ଘଉଡ଼ାଇବା ଆଳରେ ରକେଟ୍ ଦ୍ୱାରା ତାଙ୍କର ଘର ପୋଡ଼ି ଦିଆଯାଇଛି ବୋଲି ଶ୍ରୀ ଭୂୟାଁ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ସରକାରୀ ଅର୍ଥ କିପରି ଅପଚୟ ହେଉଛି ଏବଂ ସରକାରଙ୍କ ଆଖି ଆଗରେ ପ୍ରକୃତ ଚିତ୍ର ଉତଥାପନ କରାଯିବା ପରେ ମଧ୍ୟ ସରକାର ନିଦା ବିଷ୍ଣୁ ହୋଇ ବସିରହିବା ଦ୍ୱାରା ଆମର ନବୀନ ସରକାର କେତେ ସ୍ୱଚ୍ଛ ତାହା ପ୍ରମାଣିତ ହେଉଛି ।

Leave a Reply

Your email address will not be published.