୪ର୍ଥ ଜାତୀୟ ମିଓ୍ୟାକପ୍ ଟେନସିଙ୍କାନ କରାଟେ ଚମ୍ପିୟାନସିପ୍ : ଓଡିଶା ପ୍ରଥମ
ଭୁବନେଶ୍ୱର, (ଆଇଏନ୍ଏସ୍): ଟେନସିଙ୍କାନ କରାଟେ ଫେଡେରେସନ୍ ଅଫ ଇଣ୍ଡିଆ ଦ୍ୱାରା ଆୟୋଜିତ ଏବଂ ଓଡିଶା ଟେନସିଙ୍କାନ କରାଟେ ଆସୋସିଏସନ ସହାୟତା କ୍ରମେ ଗତ କାଲି ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ରେଲ୍ୱେ ଇନଡୋର୍ ଷ୍ଟାଡିୟମଠାରେ ଅନୁଷ୍ଠିତ ୪ର୍ଥ ଜାତୀୟ ମିଓ୍ୟାକପ୍ ଟେନସିଙ୍କାନ କରାଟେ ଚମ୍ପିୟାନସିପ୍ ଉଦଯାପିତ ହୋଇଯାଇଛି । ଓଡିଶା ୧ମ ସ୍ଥାନ ଅଧିକାର କରି ଚମ୍ପିୟାନ ହୋଇଥିବା ବେଳେ ପଶ୍ଚିମ ବଙ୍ଗ ଦ୍ୱିତୀୟ ଓ ଆନ୍ଧ୍ର ତୃତୀୟ ସ୍ଥାନ ଅଧିକାର କରିଛି ।
ଗତକାଲି ପୂର୍ବାହ୍ନରେ ଆୟୋଜିତ ଉଦ୍ଘାଟନୀ ଉତ୍ସବରେ ଭୁବନେଶ୍ୱର ଉତର ବିଧାୟକ ସୁଶାନ୍ତ କୁମାର ରାଉତ, ମୁଖ୍ୟ ଅତିଥି ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି, ମୁଖ୍ୟବକ୍ତା, ପଶ୍ଚିମବଙ୍ଗ କରାଟେ ଫେଡେରେସନ୍ ସଭାପତି ସିହାନ୍ ମନୋଜ ପ୍ରସାଦ ଓ ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭ କାର ସୁଧାଂଶୁ ଶେଖର ମହାପାତ୍ର ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କ୍ରୀଡାରେ ଓଡିଶା ସାରା ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିପାରିଛି ବୋଲି ମତ ପ୍ରଦାନ କରିଥିଲେ ।
ଟେନସିଙ୍କାନ ସୋଟୋକାନ୍ କରାଟେ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି କୁ୍ୟଓସି ହର୍ଷତ ଅଲ୍ଲିଖାନ୍ ଅଧ୍ୟକ୍ଷତା କରିଥିଲେ । ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ତଥା ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲି ବିଜେତା ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ଏହି ଉତ୍ସବରେ ଜାତୀୟ ଫେଡେରେସନ୍ ସଭାପତି କୁ୍ୟଓସି ହର୍ଷତ ଅଲ୍ଲିଖାନ୍, ପଶ୍ଚିମବଙ୍ଗ ମୁଖ୍ୟ ସିହାନ୍ ମନୋଜ ପ୍ରସାଦ, ସାମ୍ବାଦିକ ସୁଧାଂଶୁ ଶେଖର ମହାପାତ୍ର ଉପସ୍ଥିତ ଥିଲେ ।
ଆବାହକ, ସିଆନ୍ ବଳରାମ ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ ଟେନସିଙ୍କାନ କରାଟେ ଆସୋସିଏସନ୍ ଅଫ୍ ଓଡିଶାର ସଭାପତି ବୀର କିଶୋର ଦେବ ଧନ୍ୟବାଦ ଅର୍ପଣ କରିଥିଲେ ।
ସୂଚନା ଯୋଗ୍ୟ ଯେ, ଏହି ଚମ୍ପିୟାନସିପରେ ଭାରତର ୭ଟି ରାଜ୍ୟର ପ୍ରତିଯୋଗୀ ଭାଗନେଇ ଥିଲେ ।