କେନ୍ଦ୍ରାପଡ଼ାର ବିକାଶ ପାଇଁ ନେତାଙ୍କର ଆନ୍ତରିକତା ଆବଶ୍ୟକ!

କେନ୍ଦ୍ରାପଡ଼ା, (ଆଇଏନ୍ଏସ୍): ସମୁଦ୍ର, ନଦୀ, ନାଳ, ବନାନୀ ଘେରା କେନ୍ଦ୍ରାପଡ଼ା ଜିଲ୍ଲା ସ୍ୱାଧୀନତାର ୭୨ ବର୍ଷ ପରେ ମଧ୍ୟ ବିବିଧ ସମସ୍ୟାର ଗର୍ଭ ମଧ୍ୟରେ ରହିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ବିଜୁଳି, ପାନୀୟଜଳ, ସଂଚାର, ଦାରିଦ୍ର୍ୟ, ବେକାରୀ ଆଦି ମୌଳିକ ସମସ୍ୟା ଏଠାରେ ଉକ୍ରଟ ରୂପ ଧାରଣ କରଛି । ପ୍ରାୟ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଜିଲ୍ଲାର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଉଛି । ରାଜନୈତିକ ଓ ପ୍ରଶାସନିକ ଇଚ୍ଛା ଶକ୍ତି ଅଭାବରୁ ଅବହେଳିତ ବିଶ୍ୱବିଖ୍ୟାତ ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ପ୍ରାଣୀ ଅଭୟାରଣ୍ୟ, ହେନ୍ତାଳ ଜଙ୍ଗଲ, ଡ଼ାଙ୍ଗମାଳ କୂମ୍ଭୀର ପ୍ରଜନନ କେନ୍ଦ୍ର, ବତୀଘର, ବ୍ରିଟିସ୍ ବାଣିଜ୍ୟର କୋଠାଘର ହୁକିଟେଲା ଓ ବରୁଣେଇ ଜଙ୍ଗଲ ଆଦିର ବିକାଶ ପାଇଁ ଜନପ୍ରତିନିଧି ମାନେ କୌଣସି ପଦକ୍ଷେପ ନେଉନାହାନ୍ତି । ଏଠାରେ ବହୁ ସୁଯୋଗ ରହିଥିଲେ ହେଁ ତାହାର ଉପଯୁକ୍ତ ଉପଯୋଗ ହୋଇ ପାରୁନାହିଁ । ପ୍ରଚୁର ମନୋରମ ପ୍ରାକୃତିକ ସଂପଦ, ମତ୍ସ୍ୟ ସଂପଦ, ବନ୍ୟପ୍ରାଣୀ ସଂପଦ, ପର୍ଯ୍ୟଟନ ସଂପଦ ଓ ବନ୍ଦର ସୁଯୋଗ ଭଳି ଅନେକ ଦୁର୍ଲଭ ସଂପଦ ଭରପୂର ହୋଇ ରହିଛି ଏହି ଜିଲ୍ଲାରେ । ପ୍ରଚୁର ପର୍ଯ୍ୟଟନ ଶିଳ୍ପର ସୁଯୋଗକୁ ଉପଯୋଗ କରାଯଯିବା ପାଇଁ କେହି ଦୃଷ୍ଟି ଦେଉ ନାହାଁନ୍ତି । ଏସବୁର ଉପଯୁକ୍ତ ଉପଯୋଗ ହେଲେ, ଜିଲ୍ଲାର ଆର୍ଥିକ ବିକାଶ ହେବା ସହ ଓଡ଼ିଶା ସରକାର ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ପାଇ ପାରନ୍ତେ ।
କେନ୍ଦ୍ରାପଡ଼ା ଜିଲ୍ଲାର ଅର୍ଥନୈତିକ ପ୍ରଗତିର ଚାବିକାଠି କେଉଁଠି ରହିଛି, ସେସଂପର୍କରେ ବ୍ୟାପକ ସମୀକ୍ଷା ହେଉନାହିଁ । କେନ୍ଦ୍ରାପଡ଼ାର ବିକାଶ ପାଇଁ ବିଧାୟକ ଓ ସାଂସଦଙ୍କ ଇଚ୍ଛା ଶକ୍ତିର ଅଭାବ ଥିବା ଚର୍ଚ୍ଚା ହେଉଛି । ସେମାନଙ୍କୁ କେନ୍ଦ୍ରାପଡ଼ା ବାସୀ ନିଜର ଅକୁଣ୍ଠିତ ସମର୍ଥନ ଦେଇ ସେମାନଙ୍କ ଦ୍ୱାରା ଜିଲ୍ଲାର ବିକାଶ ଆଶା ରଖିଥିଲେ ହେଁ କିଛିବର୍ଷ ତଳୁ ସେମିତି କିଛି ଉନ୍ନୟନ କାର୍ଯ୍ୟ ହେବା ଦେଖାଯାଉ ନାହିଁ । ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ତାଙ୍କର କାର୍ଯ୍ୟକାଳ ଭିତରେ ନିଜ ଭାଷଣ ପ୍ରତିଶ୍ରୂତି ମୁତାବକ ୧ଭାଗ କାର୍ଯ୍ୟ ବି କରି ନଥିବା ଅଭିଯୋଗ ହେଉଛି । ୨୦୧୪ରେ ନିର୍ବାଚିତ ବିଧାୟକ ମାନଙ୍କ କାର୍ଯ୍ୟ ଆଦୌ ସନ୍ତୋଷ ଜନକ ନଥିଲା ବୋଲି ଅଭିଯୋଗ ହେଉଛି । କେବଳ ମୁଖ୍ୟମନ୍ତ୍ରୀଙ୍କ ସମ୍ମତିରେ ମୋହର ମାରିବା ଭଳି ଲୋକେ ସେମାନଙ୍କୁ ଭୋଟ ବେଳେ ନିଜ ସମର୍ଥନ ଦେଇ ଆସୁଛନ୍ତି । ହେଲେ ଲୋକମାନଙ୍କ ସୁବିଧା-ଅସୁବିଧା ବା ସୁଖ-ଦୁଃଖରେ ନେତାମାନେ ଛିଡ଼ା ହୁଅନ୍ତି ନାହିଁ, କେବଳ ନିଜର କିଛି କର୍ମୀଙ୍କ ଛଡ଼ା । ସାଧାରଣ ଲୋକେ ନିଜର ବିଧାୟକ ବା ସାଂସଦଙ୍କୁ ଦେଖା ବି କରି ପାରୁନାହାନ୍ତି । କେନ୍ଦ୍ରାପଡ଼ାର ବିକାଶ ପାଇଁ ସାଂସଦ ଓ ବିଧାୟକ ମାନେ ନିଜର ପ୍ରତିଶ୍ରୁତି ଅନୁଯାୟୀ କାର୍ଯ୍ୟ କରିବା ଉଚିତ ବୋଲି ବୁଦ୍ଧିଜୀବୀମାନେ ଆହ୍ୱାନ ଦେଇଛନ୍ତି ।

Leave a Reply

Your email address will not be published.