ଜ୍ଞାନ ପୀଠ ବିଜେତାଙ୍କ ସହ କେତୋଟି ମୁହୂର୍ତ
ଡା.ସୁରେନ୍ଦ୍ରନାଥ ଦାଶ
ଯେତେବେଳେ ମୋର ପୁସ୍ତକ, “ଗାନ୍ଧିଙ୍କ ପାଖଲୋକ” କୁ ଉଦ୍ଘାଟନ କରିବାକୁ ଓଡିଆ ସାହିତ୍ୟ ଆକାଶ ର ଦିପ୍ତିମନ୍ତ ତାରକା ପଦ୍ମଶ୍ରୀ, ଜ୍ଞାନପୀଠ ବିଜେତା ଡ. ପ୍ରତିଭା ରାୟ ସମ୍ମତି ପ୍ରଦାନ କରିବା ଖବର ଶୁଣଲି, ବାମନ ହୋଇ ମୁଁ ହାତରେ ଚାନ୍ଦ ପାଇଲା ଭଳି ଅନୁଭବ କଲି । ୧୯୭୦ ମସିହା ବ୍ୟାଚର ଡାକ୍ତର ସହପାଠୀ ମାନଙ୍କର ସ୍ୱର୍ଣ୍ଣ ଜୟନ୍ତୀ ଉତ୍ସବ ଉପଲକ୍ଷେ ଜାନୁଆରୀ ୧୧ ତାରିଖ ଦିନ ହେଉଥିବା ସମାରୋହ ରେ ଡ଼. ରାୟ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିବାକୁ ସଦୟ ସମ୍ମତି ଦେବା ସଙ୍ଗେ ମୋ ସମେତ ଆଉ ୪ଜଣ; ଡାକ୍ତର ମାନଙ୍କ ବହି ଉନ୍ମୋଚନ କରିଥିଲେ । ଏହା ସମ୍ଭବ ହୋଇଥିଲା ଆମର କ୍ଲାସ ମେଟ୍ ତଥା “ମା”(ଡ. ରାୟ)ଙ୍କ ର ବ୍ୟକ୍ତିଗତ ଚିକିତ୍ସକ କାର୍ଡିଓଲୋଜି ପ୍ରଫେସର ଡା.ହୃଦାନନ୍ଦ ମିଶ୍ର ଓ ଡା.ବ୍ରହ୍ମାନନ୍ଦ ସାହୁ୍ର ଙ୍କର ଉଦ୍ୟମ ଯୋଗୁ । ଅନ୍ୟ ଲେଖକ ମାନେ ହେଲେ ଡା.ଗଙ୍ଗାଧର ସାହୁ, ଡା. ପ୍ରସନ୍ନ ସାହୁ, ଡା.ଚନ୍ଦ୍ରମୌଳି ମିତ୍ର ଓ ଡା. ସୁଧାଂଶୁ ମିଶ୍ର । ଏ ସମସ୍ତ ବଂଧୁ ଅବସର ପରେ କାବ୍ୟ ଜଗତରେ ନିଜ ନିଜ ପାଦ ସ୍ଥାପନ କରିଛନ୍ତି ।
ଆମ ସମୟ ଥିଲା ଏସ୍.ସି.ବି ମେଡିକାଲ କଲେଜ ଇତିହାସର ସୁବର୍ଣ୍ଣ ଯୁଗ । ପୂର୍ବ ଭାରତର ସର୍ବଶ୍ରେଷ୍ଠ ମେଡିକାଲ ଅନୁଷ୍ଠାନ, ସେ ସମୟ ରେ ଆମକୁ ପାଠ ପଢାଇ ଥିଲେ ଯେଉଁ ପ୍ରଫେସର ମାନେ, ସେମାନେ ଆଜି କିମ୍ବଦନ୍ତୀ ରେ ପରିଣତ ହୋଇଛନ୍ତି । ପ୍ରଫେସର ଗିରିଜା ଶଙ୍କର ଦାସ ମହାପାତ୍ର, ପ୍ରଫେସର ସୁକୁମାର ଦାସ, ପ୍ରଫେସର ସୁକୁମାର ମିତ୍ର, ପ୍ରଫେସର କେଶବ ସାହୁ, ପ୍ରଫେସର ଗଙ୍ଗାଧର ବେହେରା, ପ୍ରଫେସର ଜେ.ପି. ଦାସ, ପ୍ରଫେସର ବିିମ୍ବାଧର ଦାସ, ପ୍ରଫେସର ପ୍ରଫୁଲ୍ଲ କର, ପ୍ରଫେସର ବି ରାଜଗୁରୁ, ପ୍ରଫେସର ରଘୁନାଥ ସାହୁ, ପ୍ରଫେସର, ପ୍ରଫେସର ଗୋପିନାଥ ମହାନ୍ତି, ପ୍ରଫେସର ସତ୍ୟବ୍ରତ କର,ଏମାନେ ଓଡ଼ିଶାର ଘରେ ଘରେ ପୂଜା ପାଉ ଥିଲେ ଓ ସବୁଦିନ ପାଇଁ ଏସ୍.ସି.ବି ର ଗୌରବକୁ ଆକାଶ କୁ ଉଠାଇ ନିଜ କିର୍ତି ସ୍ୱର୍ଣ୍ଣାକ୍ଷର ରେ ଲିପିବଦ୍ଧ କରି ଦେଇଥିଲେ ।
ସେଦିନ ଯେଉଁ ୧୫୦ ଜଣ ଉଦିୟମାନ ଯୁବକ ନିଜଭାଗ୍ୟକୁ ଏସ୍.ସି.ବି ସହ ଯୋଡି ଦେଇଥିଲେ, ସେମାନେ ଆଜି ପରିଣତ ବୟସରେ ଉପନିତ, ସଫଳତା ର ସହ ନିଜ କର୍ତବ୍ୟ କରି ସେମାନେ ସମାଜରେ ବେଶ ପ୍ରତିଷ୍ଠିତ, ଧନ ଓ ମାନର ଅଧିକାରୀ, ଦେଶ ବିଦେଶ ରେ ଗୌରବର ଧ୍ୱଜା ଉଡାଇଛନ୍ତି ଓ ଘୋଷଣା କରୁିଛନ୍ତି, “ଏସ୍.ସି.ବି କେବେ ହାରେ ନାହିଁ” । ଏବେ ମଧ୍ୟ ଅଧିକାଂଶ ବଂଧୁ ବିଭିନ୍ନ ଅଗ୍ରଣୀ ଚିକିତ୍ସା ଅନୁଷ୍ଠାନ ର କର୍ଣ୍ଣଧାର ହୋଇ ରହିଛନ୍ତି ।
କଟକର ମହାନଦୀ କୁଳରେ ଥିବା ସମ୍ଭ୍ରାନ୍ତ ପ୍ରମୋଦ ତାରକା ହୋଟେଲରେ ଚଳିତ ମାସ ୧୧ ତାରିଖ ସଂଧ୍ୟା ବେଳେଏହି ସମାରୋହ ଅନୁଷ୍ଠିତ ହୋଇଥିଲା । ପୁସ୍ତକ ଉନ୍ମୋଚନ ସାଙ୍ଗକୁ ୩ଜଣ ଶତାୟୁ ପ୍ରଫେସରଙ୍କୁ ସମ୍ମାନିତ କରାଗଲା, ସେମାନେ ହେଲେ ପ୍ରଫେସର ଜେ.ପି ଦାସ (କାର୍ଡିଓଲୋଜି) ପଫେସର ବି. ରାଜଗୁରୁ(ଚକ୍ଷ) ଓ ପଫେସର୍ର ଏନ.କେ ସତପଥୀ (ନିଦାନ) । ଏହି ଶତାୟୁ ମାନେ ବେଶ ସୁସ୍ଥ ଓ ନିରୋଗ ଥିବାର ଦେଖି ଆମେ ଅଭିଭୁତ ହେଲୁ ଓ ସମାଜ ପାଇଁ ଆହୁରି ବେଶ କିଛିଦିନ ଆମେମାନେ ଦରକାରରେ ଆସିବୁ ବୋଲି ଅନୁଭବ କଲୁ ।ଏହି ବିଜ୍ଞ ପ୍ରଫେସରମାନେ ବେଶ ପରିଷ୍କାର କଣ୍ଠରେ ଆମକୁ ସମାଜ ଓ ରୋଗିଙ୍କ ପାଇଁ ଦୟାଦ୍ର ଓ କୋମଳ ହେବାପାଇଁ କହି ନିଜ ସମୟ ର କଥା ବଖାଣି ଥିଲେ ।
ଶେଷରେ ସମାବେଶର ମୁଖ୍ୟ ଆକର୍ଷଣ ଡ.ରାୟ ଠିଆହେଲେ, କରତାଳିରେ ସଭାଗୃହ ପ୍ରକମ୍ପିତ ହେଲା । ୧୯୪୩ ମସିହା ଜାନୁୟାରୀ ୨୪ ତାରିଖରେ କଟକ ଜିଲ୍ଲାର ବାଲିକୁଦା ଅଂଚଳ ର ନିପଟ ମଫସଲ ର ଅଲାବଲ ଗ୍ରାମରେ ଯେଉଁ ଝିଅ ଟି କୁଆଁ ରବ ଦେଇ ଥିଲା, ସେ ପରବର୍ତି କାଳରେ ଓଡିଆ ଭାଷା ସାହିତ୍ୟର କିମ୍ବଦନ୍ତୀ ମହିଳାରେ ପରିଣତ ହେଲେ । ମାତ୍ର ନଅ ବର୍ଷ ବୟସ ରୁ ଚାଲିଥିବା ତାଙ୍କ କଲମ ଏପର୍ଯ୍ୟନ୍ତ ଅନବରତ ଚାଲିଛି ଓ ସୁଧାମୟ ସୃଷ୍ଟି କରିଚାଲିଛି । ନିଜ ଜୀବନରେ ପାଇଥିବା ଘାତ ପ୍ରତିଘାତ ଯୋଗୁ ତାଙ୍କ ଲେଖା ଏତେ ଜୀବନ ଧର୍ମି ଓ ମର୍ମସ୍ପର୍ଶୀ ହୋଇପାରିଛି ।
ସେ ହେଉଛନ୍ତି ପ୍ରଥମ ମହିଳା ଯେ ମୂର୍ତି ଦେବି ପୁରସ୍କାର ପାଇଥିଲେ । ସେ ପାଇଥିଲେ(୧୯୯୧) ସମ୍ମାନଜନକ ଜ୍ଞାନପୀଠ ଓ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର । ଦେଶ ତାଙ୍କୁ ପଦ୍ମଶ୍ରୀ ଉପାଧି ଦେଇ ସମ୍ମାନିତ କରିଛି ଓ ସେ ବର୍ତମାନ ଜ୍ଞାନପୀଠ ଚୟନ କମିଟିର ସଭ୍ୟା । ତାଙ୍କ ରଚିତ ଯାଜ୍ଞସେନୀ ପୁସ୍ତକ ପୌରାଣିକ କଥାକୁ ଆଧୁନିକ ଶୈଳି ରେ ଉପସ୍ଥାପନା କରିବାରେ ଭାରତର ପ୍ରଥମ ସଫଳ ଉପନ୍ୟାସ ଓ ଏହା ଏପର୍ଯ୍ୟନ୍ତ ୧୦୪ ଥର ମୁଦ୍ରିତ ହୋଇ ସମସ୍ତ ରେକର୍ଡ ଭଙ୍ଗ କରିଛି ଓ ଭାରତର ବିଭିନ୍ନ ଆଂଚଳିକ ଭାଷାରେ ଅନୁବାଦିତ ହୋଇଛି । ଡ.ଋାୟ ପ୍ରଥମେ ମେଡିକାଲ ଚଲେଜରେ ଆଡମିଶନ ନେଇଥିଲେ, ମାତ୍ର ରୋଗି ମାନଙ୍କର ଦୁଃଖ କଷ୍ଟ ଦେଖି ନପାରି ରେଭେନ୍ସାରେ ପାଠ ପଢିଲେ ଓ ଲେଖିକା ଭାବରେ ସଫଳତା ର ଶିର୍ଷ ରେ ପହଂଚି ପାରିଲେ । “ଯିଏ ଯେଉଁ ବିଭାଗ ରେ ଯାଉ ସେ ବାଟ ରେ ସଫଳତାର ଶିର୍ଷ ରେ ପହଂଚିବା ପାଇଁ ଉଦ୍ୟମ କରିବା ଊଚିତ” ଏହି ବାର୍ତା ସେ ଦେଇଥିଲେ । ଡ.ରାୟ ଶୁଣାଇଲେ ତାଙ୍କ ଜିବନର ସଂଘର୍ଷମୟ କାହାଣୀ । ତାଙ୍କୁ ଜଣେ କମ୍ୟୁନିଷ୍ଟ ଓ ଫେମିନିଷ୍ଟ ବୋଲି ଅନେକ ସମାଲୋଚନା କରିଥାନ୍ତି, ପୁରୀ ମନ୍ଦିର ଓ ରାଜ୍ୟ ଲୋକସେବା ଆୟୋଗରେ ଅନ୍ୟାୟର ବିରୋଧ କରି ସେ କୋଟିଏ ଟଙ୍କା ର ମାନହାନି ମକଦମାର ସମ୍ମୁଖିନ ହୋଇଛନ୍ତି, ମାତ୍ର ଡରି ନାହାନ୍ତି, ଧର୍ମର ଜୟ ହୋଇଛି, ସେ ଘୋଷଣା କରିଛନ୍ତି, ସେ ଜଣେ ହୁ୍ୟମାନିଷ୍ଟ, ଦୁନିଆର ମାନବିକତା, ଶାନ୍ତି, ସଂହତି ପାଇଁ ତାଙ୍କର ସଂଗ୍ରାମ । ଘଟଣା କ୍ରମରେ ଡ. ରାୟ ଙ୍କ ଗ୍ରାମ ର ଅନେକ ଲୋକ ମୁଁ ରହୁଥିବା ଉମରକୋଟ ରେ ରହୁଛନ୍ତି, ସେମାନେ ଅନେକ ସମୟରେ ତାଙ୍କ ଗାଁ ର ଝୁନି ଅପା(ଡାକ ନାମ)ଙ୍କ ଜୀବନ ର ରୋମାଂଚକର କାହାଣିମାନ ମୋ ଆଗରେ କହିଥାଆନ୍ତି ।
“ଓଡିଆ ସାହିତ୍ୟରେ ‘ମା’ ଆସନ ପାଇଥିବା ଏହି ମହିୟସୀ ଲେଖିକାଙ୍କ ଅମୃତ ଲେଖନିରୁ ଆହୁରି ଅନେକ ମଧୁମୟ ଲେଖା ଝରିପଡୁ” ମନେମନେ ମୁଁ ପ୍ରଭୁ ଜଗନ୍ନାଥଙ୍କୁ ଡାକି ମା ଙ୍କୁ ପ୍ରଣାମ ଜଣାଉଥିଲି । ବହୁ ଦିନ ତଳେ ୪ଜଣ ପ୍ରାକ୍ତନ ୧୯୭୦ ଛାତ୍ର, ପୁର୍ଣ୍ଣ ଦେବାତା, ହାରି ବଂଧୁ ପ୍ରଧାନ, ମୁରଲି ଦାସ, ସୁରେନ୍ଦ୍ର ଦାଶ ଯେଉଁ ବଂଧୁମିଳନର ଆରମ୍ଭ କରିଥିଲେ ତାହା ଆଜି ପୂର୍ଣ୍ଣାଙ୍ଗ ହୋଇଛି ଓ ୧୫୦ ପରିବାର ଗୋଟିଏ ପରିବାରରେ ପରିଣତ ହୋଇଛନ୍ତି, ଏହି ଧାରଣା ନେଇ ସମସ୍ତେ ଫେରିଥିଲୁୁ ।
ବରିଷ୍ଠ ପ୍ରସୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ,
ଉମରକୋଟ, ନବରଙ୍ଗପୁର, ମୋ: ୯୪୩୭୨୩୫୩୮୬