ଭବିଷ୍ୟତରେ ବିରୋଧୀ ମେଂଟର କେନ୍ଦ୍ରବିନ୍ଦୁ ହେବେ କି କେଜରିୱାଲ?

ଡ଼ାକ୍ତର ସୁରେନ୍ଦ୍ର ନାଥ ଦାଶ
ଜାତୀୟ ଗଣମାଧ୍ୟମ ମାନେ ଆମ୍ ଆଦମି ଦଳ(ଆପ୍)ର ନେତା ଅରବିନ୍ଦ କେଜରିୱାଲାଙ୍କୁ ବହୁଦିନ ହେଲା ଜଣେ ଆଡବାୟା ଓ ବଦମିଜାସି ନେତା ରୁପେ ବର୍ଣ୍ଣନା କରିଆସୁଥିଲେ । କେଜରିୱାଲାଙ୍କ ଉପରକୁ ବାରମ୍ବାର ଚପଲ ଓ କାଳି ଫିଙ୍ଗା ହେଉଥିବାର ଖବର ମଧ୍ୟ ପ୍ରସାରିତ ହୋଇ ଆସୁଥିଲା । ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନାଁ ରେ ଅଭିଯୋଗ ଆଣିବା ଓ ପରେ ବାରମ୍ବାର କ୍ଷମା ପ୍ରାର୍ଥନା କରିବାର ଖବରମାନ ବାହାରୁଥିଲା । ମାତ୍ର ଦେଶରେ ବହୁଥିବା ପ୍ରବଳ ବିଜେପି ଓ ମୋଦି ଲହରକୁ ପ୍ରତିହତ କରି ଲାଗ ଲାଗ ଦିଲ୍ଲୀ ଭଳି ସମ୍ବେଦନଶୀଳ ଓ ଦେଶର ରାଜଧାନୀରେ କେଜରିୱାଲା ତିନି ଥର ମୁଖ୍ୟମନ୍ତ୍ରୀ ପଦ ହାସଲ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି । ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି, କିଏ ଏହି କେଜରିୱାଲା? କିଭଳି ଅସମ୍ଭବକୁ ସେ ସମ୍ଭବ କଲେ? କେଉଁ ବିଶେଷ ଗୁଣର ସେ ଅଧିକାରୀ?
ଦିନେ ଦିଲ୍ଲୀ ଥିଲା ବିଜେପିର ପିତୃ ଦଳ ଜନସଂଘର ଅଭେଦ୍ୟ ଦୁର୍ଗ । ପଶ୍ଚିମ ପାକିସ୍ଥାନରୁ ଆସିଥିବା ଲକ୍ଷ ଲକ୍ଷ ହିନ୍ଦୁ ଶରଣାର୍ଥୀ ମାନେ ଓ ମଧ୍ୟବିତ ବ୍ୟବସାୟୀ ମାନେ ଜନସଂଘର ଦୃଢ ସମର୍ଥକ ଥିଲେ । ବିଜୟ ମାଲହୋତ୍ରା, ମଦନଲାଲ ଖୁରାନା, ସାହେବ ସିଂ ବର୍ମା ଓ ବଳରାଜ ମାଧୋକଙ୍କ ଭଳି ବ୍ୟକ୍ତି ମାନେ ଦଳକୁ ମଜବୁତ କରି ଗଢିଥିଲେ ଓ ନିର୍ବାଚନରେ ସଫଳତା ଆଣି ଦେଉଥିଲେ । ନୁଆହୋଇ ଗଢି ଉଠିଥିବା ବିଜେପି ଦଳ ବିମୁଦ୍ରାକରଣ ଓ ଜି-ଏସ-ଟି ଇତ୍ୟାଦି ନିତୀ ଯୋଗୁ ବ୍ୟବସାୟୀ ମାନଙ୍କ ଠାରୁ ଦୁରେଇ ଯାଇଛି । ଶେଷରେ କେଜରିୱାଲା ନାମକ ପ୍ରଚଣ୍ଡ ବାତ୍ୟାରେ ସେ ଦୁର୍ଗ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡିଲା ।
କଥାରେ ଅଛି ରୋମ ୱାଜ ନଟ ବିଲ୍ଟ ଇନ ଏ ଡେ । ଯେତେବେଳେ ଅନ୍ୟ ଦଳର ନେତା ମାନେ ଭାଷଣ ବାଜି ଓ ଫମ୍ପା ପ୍ରତିଶୃତି ମାନ ଅଜାଡି ଦେଉଥିଲେ, ସମସ୍ତଙ୍କ ଅନ୍ତରାଳରେ କେଜରିୱାଲା ନିଜର ଲୋକସମ୍ପର୍କ ଅଭିଯାନ ଓ ସମାଜସେବା କାର୍ଯ୍ୟକ୍ରମ ନିରବରେ କରିଚାଲିଥିଲେ । ଅରବିନ୍ଦ କେଜରିୱାଲା୧୬ ଅଗଷ୍ଟ୧୯୬୮ ମସିହାରେ ହରିୟାନା ରାଜ୍ୟର ଭିୱାନ ଜିଲାର ସିୱାନି ସହରେ ଏକ ମଧ୍ୟବିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ଥିଲେ ଜଣେ ମେକାନିକାଲ ଇଂଞ୍ଜିନିୟର । କେଜରିୱାଲା ଖଡଗପୁର ଆଇ.ଆଇ.ଟି ରୁ ମେକାନିକାଲ ଇଂଞ୍ଜିନିୟରିଂ ପାସ କରି ୧୯୮୯ ମସିହାରେ ଜାମସେଦପୁର ଟାଟା ଷ୍ଟିଲରେ ଚାକିରି କଲେ । ୧୯୯୨ ମସିହାରେ ସର୍ବଭାରତୀୟ ପ୍ରଶାସନିକ ସେବା ପାଇଁ ପରୀକ୍ଷା ଦେବାକୁ ସେ ଚାକିରି ରୁ ଇସ୍ତଫା ଦେଲେ ଓ ସେଥିରେ ସଫଳ ମଧ୍ୟ ହେଲେ । ଏହି ସମୟ ରେ ସେ ମଦର ଟେରସା, ଉତର ପଶ୍ଚିମାଂଚଳର ରାମକୃଷ୍ଣ ମିଶନ ଓ ନେହେରୁ ଯୁବ କେନ୍ଦ୍ର ସହ ମିଶି ସାମାଜିବ ସେବା କାର୍ଯ୍ୟମାନ କରିଥିଲେ । ୧୯୯୫ ମସିହାରେ ସେ ସର୍ବଭାରତୀୟ ରାଜସ୍ୱ ସେବାରେ ଯୋଗ ଦେଇ ଆୟକର ବିଭାଗର ଆସିଷ୍ଟାଂଟ କମିଶନର ପଦରେ ନିଯୁକ୍ତି ପାଇଥିଲେ । ଏହି ବିଭାଗର ଦୁର୍ନିତୀରେ ବୀତସ୍ପୃହ ହୋଇ ସେ ୧୯୯୬ ମସିହାରେ ଚାକିରୀ ରୁ ଇସ୍ତଫା ଦେଇଦେଲେ । ସମାଜରୁ ଆଖିବୁଜା ଦୁର୍ନିତୀ ଦୂର କରିବା ଓ ଲୋକଙ୍କ ସୁଖ ଦୁଃଖରେ ସାଥି ହେବା ପାଇଁ ସେ ଦିଳ୍ଲୀର ସୁନ୍ଦର ନଗର ଠାରେ ୧୯୯୯ ମସିହାରେ ପରିବର୍ତନ ନାମ ରେ ଏକ ସଂଗଠନ ମନିଷ ଶିଷୋଦିଆ ଓ ଯୋଗେନ୍ଦ୍ର ଯାଦବଙ୍କ ସହ ମିଶି ଗଠନ କରିଥିଲେ । ଏହା ପଞ୍ଜୀକୃତ ହୋଇନଥିଲା । ପରେ କବିର ନାମକ ଆଉ ଏକ ସଂଗଠନ ଗଠନ କଲେ । ସୂଚନା ଅଧିକାର ଆଇନ ବଳରେ ତଥ୍ୟ ସଂଗ୍ରହ କରିବା ଓ ସେଗୁଡିକୁ ନେଇ ବିଭିନ୍ନ । ଅଫିସ ଆଗରେ ଅନ୍ୟାୟ ବିରୁଦ୍ଧରେ ଧାରଣା ଦେବା ନିୟମିତ ଆରମ୍ଭ ହେଲା । ସୂଚନାରୁ ମିଳୁଥିବା ତଥ୍ୟକୁ ସୋସିଆଲ ଅଡିଟ କରି କୋଟି କୋଟି ଟଙ୍କାର ଦୁର୍ନିତୀର କଳା କାରନାମା ସେ ପଦାକୁ ଆଣିଲେ । ବିଭିନ୍ନ ଅଫିସ୍ ଆଗରେ ବସି ଲୋକଙ୍କୁ ଲାଂଚ ନଦେବାକୁ ଅନୁରୋଧ କରୁଥିଲେ ଓ ଲୋକଙ୍କର କାମ ଯେଭଳି ବିନାଲାଂଚରେ ହେବ ତାହା ଦେଖୁ ଥିଲେ । ଆୟକର ବିଭାଗ ବିଦ୍ୟୁତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ ଓ ଯୋଗାଣ ବିଭାଗରେ ଯେ କିପରି ଦୁର୍ନିତି ଭରିଯାଇଛି ତାହା ସେ ପଦାକୁ ଆଣିଥିଲେ । ବିଭିନ୍ନ କମ୍ପାନି ମାନଙ୍କୁ । ଅନୁଗୃହୀତ କରି ସରକାର କିପରି ଜଳ ଓ ବିଦ୍ୟୁତର ଦେୟ ବଢିବାର ବାଟ ସଫା କରି ଲୋକଙ୍କୁ ଶୋଷଣ କରନ୍ତି ଓ ଅଫିସର ନେତା ମାଲେ ମାଲ ହୁଅନ୍ତି ତାହା ସେ ଲୋକଙ୍କୁ ବୁଝାଇଥିଲେ । କଳା କାରନାମା ବନ୍ଦ ହୋଇଗଲେ ଅତି କମ୍ ଦରରେ ପାଣି ଓ ବିଦ୍ୟୁତ ସେବା ମିଳି ପାରିବ, ଏହି ସତ୍ୟ ସେ କ୍ଷମତାକୁ ଆସିଲା ପରେ ପ୍ରମାଣ କରି ଦେଖାଇ ଦେଇଛନ୍ତି । ସ୍ୱାଧିନତା ପରେ କମ୍ପାନୀ ମାନଙ୍କ ଦ୍ୱାରା ନିରୀହ ଜନସାଧାରଣ କିପରି ଶୋଷିତ ହୋଇଛନ୍ତି ତାହା ପ୍ରମାଣିତ ହୋଇଛି ।
୨୦୦୬ ମସିହାରେ ସେ ଆନ୍ତର୍ଜାତିକ ରାମନ ମାଗାସ୍କି ପୁରସ୍କାର ସମାଜ ସେବା ପାଇଁ ପାଇଲେ ଓ ସେହି ଅର୍ଥକୁ ପ୍ରଶାନ୍ତ ଭୁଷଣ ଓ କିରଣ ବେଦି ପରିଚାଳିତ ଏକ ଟ୍ରଷ୍ଟକୁ ଦେଇଦେଲେ । ୨୦୧୦ ମସିହାରେ ଦିଲ୍ଲୀ ରେ ହୋଇଥିବା କମନୱେଲଥ୍ ଗେମରେ ହୋଇଥିବା ଦୁର୍ନିତି ପାଇଁ ସେ ଏକ ସ୍ୱାଧିନ ଲୋକପାଳ ଓ ଲୋକାୟୁତ ଗଠନ ପାଇଁ ଦାବି କରିଥିଲେ । ୨୦୧୧ ମସିହାରେ କିରନ ବେଦି ଓ ଆନ୍ନା ହାଜରେଙ୍କ ସହ ମିଶି “ଇଣ୍ଡିଆ ଏଗନେଷ୍ଟ କରପସନ୍” ନାମକ ସଂଗଠନ ଗଠନ କରିଥିଲେ । ଏହି ଆନେ୍ଦାଳନ ଫଳରେ ସରକାର ଲୋକପାଳ ଗଠନ କରିବେ ବୋଳି ଘୋଷଣା କଲେ ମଧ୍ୟ ତାହା ପରେ ଆଉ କାର୍ଯ୍ୟକାରି କଲେ ନାହିଁ । ଲୋକପାଳ ପରିସରକୁ ପ୍ରଧାନମନ୍ତ୍ରୀ ଓ ବିଚାର ବିଭାଗକୁ ଅଣାଗଲା ନାହିଁ । ସେଥିପାଇଁ ଆନ୍ନା ହାଜରେ, ବାବା ରାମଦେବଙ୍କ ସହ ମିଶି କେଜରିୱାଲା ରାମଲିଳା ମଇଦାନରେ ଧାରଣା ଓ ଅନଶନରେ ବସିଲେ, ଗିରଫ ମଧ୍ୟ ହେଲେ । ସରକାରଙ୍କ ଘୋଷଣା କେବଳ କାଗଜପ୍ରତରେ ସୀମାବଦ୍ଧ ରହିଲା । ୨୦୧୨ ମସିହାରେ କେଜରୱାଲା ଅନୁଭବ କଲେ ରାଜନୈତିକ କ୍ଷମତା ନଆସିଲେ ସବୁ ଆନେ୍ଦାଳନ ଅରଣ୍ୟ ରୋଦନ ଭଳି ଅଟେ । ୨୦୧୨ ମସିହାରେ ସେ ଆମ ଆଦମି ପାର୍ଟି ନାମରେ ଏକ ରାଜନୈତିକ ଦଳ ଗଠନ କଲେ । ଏହାକୁ ନାପସନ୍ଦ କରି ଆନ୍ନାହଜାରେ ତାଙ୍କ ସହ ସଂମ୍ପର୍କ ଛିନ୍ନ କଲେ । ମାତ୍ର ବର୍ଷକ ପରେ ଦିଲ୍ଲୀର ବିଧାନସଭା ନିର୍ବାଚନ ହେଲା । ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଧାନ ସଭାରେ ଆମ୍ ଆଦମି ଦଳ ୨୮ଟି ସିଟ୍ ଦଖଲ କଲା । ବିଜେପି ପାଇଲା ୩୧ ଆସନ, ମାତ୍ର ଆମ୍ଆଦମିକୁ ହେୟ ମନେକରି ସରକାର ଘଢିବାକୁ ବିଜେପି ମନାକଲା । ଭାବିଥିଲା ଅଳ୍ପଦିନ ପରେ ଆଉଥରେ ବିଧାନସଭା ନିର୍ବାଚନ ହେବ ଓ ସେଥିରେ ବି.ଜେ.ପି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ପାଇବ । କେଜରିୱାଲା କଂଗ୍ରେସ ସହ ମିଶି ସରକାର ଗଢିଲେ । କ୍ଷମତାକୁ ଆସୁ ଆସୁ କେଜରିୱାଲା ଦୁର୍ନିତି ବିରୁଦ୍ଧରେ ସ୍ୱର ଉତୋଳନ କଲେ । ଦିଲ୍ଲୀକୁ ଏକ ସ୍ୱତନ୍ତ୍ର ପୁର୍ଣ୍ଣ ରାଜ୍ୟ ପାହ୍ୟା ଦାବି କଲେ । ରାଜ୍ୟରେ ଲୋକପାଳ ବିଲ ପାସ କରାଇଲେ । କେନ୍ଦ୍ରର ଅସହଯୋଗ ଯୋଗୁ ତାହା ଆଇନ ହୋଇ ପାରିଲା ନାହିଁ । କେନ୍ଦ୍ର ସରକାର ଦୁର୍ନିତି ଉଠିବା ଚାହାଁନ୍ତି ନାହିଁ, ଏହି ବାର୍ତା ଲୋକଙ୍କୁ ଦେଇ ସେ ମାତ୍ର ୪୯ ଦିନ ପରେ ସରକାରରୁ ଇସ୍ଥଫା ଦେଇଦେଲେ । ସେହି ବର୍ଷ ନରେନ୍ଦ୍ର ମୋଦି ଙ୍କ ବିରୁଦ୍ଧରେ ବାରାଣାସି ଲୋକସଭା ଆସନରୁ ଲଢେଇ କରି ପ୍ରାୟ ତଲନି ଲକ୍ଷ ସତୁରି ହଜାର ଭୋଟ ରେ ହାରିଗଲେ । ଫରଟ୍ୟୁନ ପତ୍ରୀକା ବିଶ୍ୱର ପଚାଶ ଜଣ ପ୍ରଭାବଶାଳୀ ବ୍ୟକ୍ତି ଙ୍କ ମଧ୍ୟରେ କେଜରିୱାଲା ଜଣେ ବୋଲି ସେହିବର୍ଷ ମତଦେଇଥିଲେ
୨୦୧୫ ମସିହା ନିର୍ବାଚନରେ ସେ ଦିଲ୍ଲୀ ବିଧାନ ସଭା ର ୭୦ ଆସନରୁ ୬୭ ଟି ଆସନରେ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ । କ୍ଷମତା କୁ ଆସିଲା ପରେ ଅନ୍ୟ ନେତାଙ୍କ ପରି ଭି ଭି ଆଇ.ପିି ନହୋଇ ଲୋକଙ୍କ ନିକଟତର ହେବାକୁ ଚେଷ୍ଠା କଲେ । ଲକ୍ଷ, ଲକ୍ଷ ଦିଲ୍ଲୀ ବାସୀଙ୍କୁ ଶସ୍ତାରେ ପାଣି, ଆଲୋକ ଦେଇ ସେ ପ୍ରମାଣ କରିଦେଲେ ଯେ, ଏହା ସମ୍ଭବ ଅଟେ । ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ସେ ମହଲା ଡାକ୍ତର ଖାନା ମାନପ୍ରତିଷ୍ଠା କରି ଲୋକମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଲେ । ଶିକ୍ଷା କ୍ଷେତ୍ରର ଉନ୍ନତୀ ପାଇଁ ସାଧାରଣ ଛାତ୍ର ମାନେ ଯେପରି ଘରୋଇ ବିଦ୍ୟାଳୟ ମାନଙ୍କରେ ପାଉଥିବା ଶିକ୍ଷାର ସମଗୁଣର ଶିକ୍ଷା ପାଇ ପାରିବେ ତାହାର ବ୍ୟବସ୍ତା ମଧ୍ୟ କରିସାରିଛନ୍ତି । ମୋଟ ଉପରେ ୨୦୨୦ ନିର୍ବାଚନ ବେଳକୁ ପୁର୍ବ ନିର୍ବାଚନ ବେଳେ ସେ ଯାହା ପ୍ରତିଶୃତି ଦେଇଥିଲେ ତାହା ପ୍ରାୟ ପୁରଣ କରି ଲୋକମାନଙ୍କର ମନକୁ କିଣି ଦେଇଥିଲେ । ତେଣୁ କେନ୍ଦ୍ରରେ ଶାସନ କରୁଥିବା ବି.ଜେ.ପିର ହାଇ ପ୍ରୋଫାଇଲ ପ୍ରଚାର ଲୋକମାନଙ୍କୁ ପ୍ରଭାବିତ କରିପାରିଲା ନାହିଁ । ସେମାନେ ଏହି ନିର୍ବାଚନରେ ୭୦ ଟି ସ୍ଥାନରୁ ୬୩ ସ୍ଥାନରେ କେଜରିୱାଲାଙ୍କୁ ଜିତାଇ, ସିଏ ଯେ ତାଙ୍କର ଆସ୍ଥାଭାଜନ ଅଛନ୍ତି ଏହା ପ୍ରମାଣ କରିଛନ୍ତି । ସାଧାରଣତଃ କ୍ଷମତାରେ ରହିଲା ପରେ ନେତା ମାନଙ୍କର ବିରୁଦ୍ଧରେ ଏକ ହାୱା ବୋହିଥାଏ । ମାତ୍ର କେଜରିୱାଲଙ୍କ ପକ୍ଷରେ ତାହା ଦେଖା ଦେଇନାହିଁ । ୨୦୨୦ ନିର୍ବାଚନରେ କେଜରିୱାଲଙ୍କ ବିଜୟ ଭାରତ ରାଜନିତୀରେ ଏକ ନୂଆ ଆଶା ସଂଚାର କରିଛି । ଭାରତର ଦାରିଦ୍ର୍ୟତା ରାଜନେତା, ଉଚ୍ଚପଦସ୍ତ ଅଫସର ଓ ପୁଞ୍ଜିପତି ମାନଙ୍କ ମଧ୍ୟରେ ଥିବା ମଧୁ ଚନ୍ଦ୍ରିକା ଯୋଗୁଁ ହୋଇଛି ଏବଂ ତାହାକୁ ପ୍ରତିହତ କରିପାରିଲେ ଭାରତରେ ରାମରାଜ୍ୟ ପ୍ରତିଷ୍ଠା ହୋଇପାରିବ ବୋଲି ଲୋକେ ବିଶ୍ୱାସ କରିବା ଆରମ୍ଭ କଲେଣି । ବି.ଜେ.ପିର ଦୃତ ଲୋକପ୍ରିୟତା ହାସ୍ର ଓ ଗୋଟିଏ ପରେ ଗୋଟିଏ ରାଜ୍ୟରେ ନିର୍ବାଚନ ବିପର୍ଯୟ ପରେ ବି.ଜେ.ପି ପରେ କିଏ? ଏ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା । ଅନ୍ୟଏକ ଜାତୀୟ ରାଜନୈତିକ ଦଳ କଂଗ୍ରେସ ନିଜର ଦୃରଦୃଷ୍ଟି ଅଭାବ ଯୋଗୁଁ ଦିନକୁ ଦିନ କ୍ଷୀଣ ହେବାକୁ ଲାଗିଛି । କମୁ୍ୟନିଷ୍ଟ ମାନେ ବିଦେଶି ରାଷ୍ଟ୍ରର ପଦ ଲେହନ କରି କରି ନିଜର ଅସ୍ତିତ୍ୱ ହରେଇ ସାରିଲେଣି । ତେଣୁ ଏକ ବି.ଜେ.ପି ବିରୋଧି ମେଂଟରେ ଭବିଷ୍ୟତରେ କେଜରିଓା୍ୱଲା ଯେ କେନ୍ଦ୍ରବିନ୍ଦୁ ନହେବେ ତାହା କହି ହେବନାହିଁ । ଯାହା ଦିଲ୍ଲୀ ରେ ହେଲା ତାହା କଣ ସାରା ଭାରତରେ ସମ୍ଭବ ହରାଇପାରିବ ନା ଏକ ଅଶାନ୍ତ ଉଲ୍କା ଭଳି ସାମୟିକ ଚମକ ଖେଳାଇ ଦେଇ ସେ ନୀଳ ଆକାଶରେ କୁଆଡେ ଲୁଚିଯିବେ!

Leave a Reply

Your email address will not be published.