ମହାମାରୀ କରୋନା: ଆସନ୍ତୁ ମିଳିମିଶି ରାଜ୍ୟର ଆର୍ଥିକ ସଂକଟ ଦୂର କରିବା!
ଅଜିତ କୁମାର ନାୟକ
ସମଗ୍ର ପୃଥିବୀରେ କରୋନା ମହାମାରୀକୁ ରୋକିବା ଦିଗରେ ଶକ୍ତିଶାଳୀ ରାଷ୍ଟ୍ର ମାନେ ହାର ମାନୁଥିବାବେଳେ ଆମ ଦେଶ ଭାରତ ଓ ଆମ ରାଜ୍ୟ ଓଡ଼ିଶା ପାଇଁ ଏକ ଆହ୍ୱାନ ସୃଷ୍ଟି କରିଛି । ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଭାବରେ ପୃଥିବୀରେ ନିଜର ପ୍ରତିଷ୍ଠା ଜାହିର କରି ଆସୁଥିବା ଭାରତ ବର୍ଷ ଅତୀତରେ ଏଭଳି ସମସ୍ୟାର ସନ୍ମୁଖୀନ କେବେ ହୋଇନଥିଲା । ଦେଶକୁ ପରାଧୀନତା କବଳରୁ ମୁକ୍ତ କରି ସ୍ୱାଧୀନତା ହାସଲ ପାଇଁ ଭାରତର କୋଟି କୋଟି ଜନତା ନିଜ ଜୀବନକୁ ଉତ୍ସର୍ଗ କରି ସଫଳ ହୋଇଥିଲେ । ଏହି ସଂଗ୍ରାମରେ ଭାଗ ନେଇଥିବା ଆଗ ଧାଡ଼ିର କର୍ଣ୍ଣଧାର ମାନଙ୍କ ନାମ ଚିରଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ! ସ୍ୱାଧୀନତା ପରେ ଦେଶରେ ପ୍ରଳୟଙ୍କରୀ ବାତ୍ୟା, ବନ୍ୟା, ମରୁଡ଼ି ଆଦି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ଭାରତବାସୀ କରିଛନ୍ତି । ବେଳେବେଳେ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ସହ କାରଗିଲ, ପୁଲୱାମା ଭଳି ଯୁଦ୍ଧ କରି ଭାରତ ମାତାର ବୀର ସନ୍ତାନ ମାନେ ବିପୁଳ ବିଜୟ ହାସଲ କରିଛନ୍ତି । ଭାରତ ହେଉଛି ବିଶ୍ୱର ଏକମାତ୍ର ସବୁଠୁ ବଡ଼ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏହି ଭୂମି ହେଉଛି ଆଧ୍ୟାତ୍ମିକତାର କେନ୍ଦ୍ରସ୍ଥଳୀ । ସେହିପରି ଆମ ଓଡ଼ିଶା ହେଉଛି ଏକ ଶାନ୍ତିପ୍ରିୟ ରାଜ୍ୟ । ଏଠାରେ ହିଁ ବିଶ୍ୱର ବଡ଼ ଠାକୁର ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ବିଜେସ୍ଥଳୀ । ଯେଉଁଠିକୁ ବଡ଼ ଠାକୁରଙ୍କର ଟିକେ କୃପା ପାଇବାକୁ ପ୍ରତିଦିନ ବିଶ୍ୱର କୋଣ-ଅନୁକୋଣରୁ ଲକ୍ଷ ଲକ୍ଷ ଭକ୍ତ, ଶ୍ରଦ୍ଧାଳୁ ଓ ଜଗନ୍ନାଥ ପ୍ରେମୀ ଧାଇଁ ଆସନ୍ତି । ସାରା ବିଶ୍ୱକୁ ଏକ ସୁନ୍ଦର ବାର୍ତା ଦେଇଥିବା ଭାରତବର୍ଷ “ବସୁଂଧୈବ କୁଟୁମ୍ବକମ୍”ନୀତି ଅନ୍ୟ କୌଣସି ରାଷ୍ଟ୍ରରେ ଦେଖାଯାଏ ନାହିଁ ।
ଏବେ ଆମେ ମୁଖ୍ୟ ସମସ୍ୟା ଆଲୋଚନାକୁ ଫେରିବା । ବର୍ତମାନ ବିଶ୍ୱବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ‘କରୋନା’ ତାଣ୍ଡବକୁ ପ୍ରତିହତ କରିବା ପାଇଁ ଆମେ ଭାରତବାସୀ ଏକାଠି ହୋଇ ଲଢିବାର ସମୟ ଆସିଛି । ଆମ ମତରେ ଇଂରେଜମାନଙ୍କୁ ହଟେଇବା ପାଇଁ ଆମ ପୂର୍ବ ପୁରୁଷ ମାନଙ୍କୁ ଯେତିକି ତ୍ୟାଗ ଓ ଶ୍ରମ କରିବାକୁ ପଡ଼ିନଥିଲା, ବର୍ତମାନ କରୋନା ଭଳି ମହାମାରୀକୁ ଭାରତରୁ ଦୂରେଇବାକୁ ତାହାଠୁ ଶହେ ଗୁଣା ପରିଶ୍ରମ କରିବାକୁ ପଡ଼ିବ । ଯଦି ଆମେ ଏକାଠି ହୋଇ କରୋନା ବିରୁଦ୍ଧରେ ନ ଲଢିବା, ତେବେ କେଉଁ ମୁହୂର୍ତରେ ଆମ ଦେଶ ଛାରଖାର ନହୋଇଯିବ, କହି ହେବନି! ଏଣୁ ଆମ ପାଇଁ ଏବେ ଦୃଢ କୌଶଳ ଅର୍ଥାତ୍ ପୂର୍ଣ୍ଣ ସଚେତନତାର ଆବଶ୍ୟକତା ରହିଛି ।
ବିଶ୍ୱର ବହୁ ଧନଶାଳୀ ରାଷ୍ଟ୍ର ଯଥା:-ଆମେରିକା, ଇଟାଲି, ଫ୍ରାନ୍ସ, ଇଂଲଣ୍ଡ, ଚୀନ୍, ଦକ୍ଷିଣ କୋରିଆ, ଜର୍ମାନୀ ଇତ୍ୟାଦି ରାଷ୍ଟ୍ର ଅପେକ୍ଷା ଆମ ଦେଶ ଆର୍ଥିକ କ୍ଷେତ୍ରରେ ଯଥେଷ୍ଟ ପଛରେ ରହିଛି । କିନ୍ତୁ ଭାରତ ବର୍ଷ ନିଜର ମନୋବଳ, ଭାଇଚାରା, ଏକାଗ୍ରତା ଓ ରଣ କୌଶଳରେ ଅନ୍ୟାନ୍ୟ ରାଷ୍ଟ୍ର ଠାରୁ କୌଣସି ଗୁଣରେ କମ୍ ନୁହେଁ । ବର୍ତମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, କରୋନା ଭଳି ମହାମାରୀକୁ ସମୂଳେ ଧ୍ୱଂସ କରିବା । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ଆର୍ଥିକ ସ୍ଥିତି ସେତେ ସୁଦୃଢ ନଥିଲେ ମଧ୍ୟ ଆମ ପି୍ରୟ ମୁଖ୍ୟମନ୍ତ୍ରୀଙ୍କର ପ୍ରଚଣ୍ଡ ମନୋବଳ, ପ୍ରଚେଷ୍ଟା ଓ ବୁଦ୍ଧିମତା ଆମକୁ ଆଗକୁ ଅଗ୍ରସର ହେବା ପାଇଁ ସହାୟକ ହେଉଛି । ପୂର୍ବରୁ ମାନ୍ୟବର ମୁଖ୍ୟନ୍ତ୍ରୀଙ୍କର ୫ଟି କାର୍ଯ୍ୟକ୍ରମ ଯଥା:-୧) ଯାନ୍ତ୍ରିକ ବିଜ୍ଞାନର ପ୍ରୟୋଗ, ୨)ସ୍ୱଚ୍ଛତା, ୩) ସମୟାନୁବର୍ତିତା, ୪) ସମ୍ମିଳିତ ଉଦ୍ୟମ, ୫)ରୂପାନ୍ତର ବା ପରିବର୍ତନ । ଏବେ ଆମେ ମୁଖ୍ୟ ସମସ୍ୟାକୁ ଯିବା । ମହାମାରୀ କରୋନାକୁ ସଂପୂର୍ଣ୍ଡ ମୁକାବିଲା କରିବାକୁ ହେଲେ, ୩ ଟି ବିଷୟର ଆବଶ୍ୟକତା ରହିଛି । ପ୍ରଥମତଃ ରଣ କୌଶଳ, ଦ୍ୱିତୀୟତଃ ସଚେତନତା ଓ ୩ୟଟି ଅର୍ଥ, ଯାହା ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ସହଜରେ ଉପଲବ୍ଧ ହୋଇ ପାରିବ । ବାସ୍ତବରେ ଏହି ଆକସ୍ମିକ ସଂକଟ ଜନକ ପରିସ୍ଥିତିରେ ରାଜ୍ୟରେ ଆର୍ଥିକ ସମସ୍ୟା ଦେଖା ଦେଇଛି । ଏଣେ କରୋନା ମୁକାବିଲା କରିବାକୁ ରାଜ୍ୟ ପାଇଁ ଅତି କମ୍ରେ ୨୦ ରୁ ୨୫ ହଜାର କୋଟି ଟଙ୍କାର ଆବଶ୍ୟକତା ପଡ଼ିପାରେ । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ୫ଟି ସହିତ ଅତିରିକ୍ତ ଏକ ‘ଟି’ଯୋଡ଼ି ହେବାର ଆବଶ୍ୟକତା ଅନୁଭୂତ ହେଉଛି, ଯାହାର ନାମ ‘ଟଙ୍କା’ । ଅତଏବ ଇତିହାସ କୁହେ, “ଓଡ଼ିଶା ବାସୀ, ଭାରି ସାହସୀ” । ଯେଉଁ ମାଟିରେ ସୁବାଷ ବୋଷଙ୍କ ଠାରୁ ଆରମ୍ଭ କରି ମଧୁବାବୁଙ୍କ ପର୍ଯ୍ୟନ୍ତ, ସୁରେନ୍ଦ୍ର ସାଏ ଙ୍କ ଠାରୁ ଆରମ୍ଭ କରି ରମାଦେବୀଙ୍କ ପର୍ଯ୍ୟନ୍ତ, ଗୋପବନ୍ଧୁଙ୍କ ଠାରୁ ଆରମ୍ଭ କରି ବାଜି ରାଉତ ପର୍ଯ୍ୟନ୍ତ ନିଜକୁ ବଳି ଦେଇ ଦେଶକୁ ଇଂରେଜ ମାନଙ୍କ କବଳରୁ ମୁକ୍ତ କରି ଆମକୁ ସ୍ୱାଧୀନତା ଦେଇଥିଲେ, ସେହିଭଳି ଢଙ୍ଗରେ ଆମେ ରାଜ୍ୟବାସୀ ଏକ ମନରେ ଏକ ପ୍ରାଣରେ ମିଳିତ ହୋଇ ମହାମାରୀ କରୋନାର ମୁକାବିଲା କରିବା ଉଚିତ । ଏଥିପାଇଁ ଆମ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କ ଠାରୁ ଆରମ୍ଭ କରି ରାଜନେତା ଯାଏ, ଶିଳ୍ପପତିଙ୍କ ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ, ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀ ଗୋଷ୍ଠୀ ଯାଏ, ଓକିଲଙ୍କ ଠାରୁ ଆରମ୍ଭ କରି ପୋଲିସ୍ ପ୍ରଶାସନ ଯାଏ, ଆମ ସମସ୍ତଙ୍କୁ ଏହି ଘଡ଼ିସନ୍ଧି ସମୟରେ ଏକାଠି ହେବାକୁ ପଡ଼ିବ ଓ କରୋନାର ମୁକାବିଲା କରିବାକୁ ହେବ । ଏଣୁ ଏହି ମହତ କାର୍ଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଯଥାସାଧ୍ୟ ସହାଯୋଗ ଦେଇ, ରାଜ୍ୟର ଆର୍ଥିକ ଶକ୍ତିକୁ ମଜଭୁତ କରାଇବାକୁ ଦଳମତ ନିର୍ବିଶେଷରେ ସବୁ ସ୍ତରର ଲୋକେ ଆଗେଇ ଆସନ୍ତୁ । ଏହାଦ୍ୱାରା ଆମେ ସମସ୍ତେ ମିଶି କରୋନା ମହାମାରୀକୁ ମୁକାବିଲ କରି ପାରିବା । ମୁଁ ଦେଶର ଜଣେ ସାଧାରଣ ନାଗରିକ ହିସାବରେ ହାତଯୋଡ଼ି ବିନମ୍ର ନିବେଦନ କରୁଛି, “ହେ ମୋର ପି୍ରୟ ରାଜ୍ୟର ଭାଇ ଓ ଭଉଣୀ ମାନେ, ଏହି ଘଡ଼ିସନ୍ଧି ମୁହୂର୍ତକୁ ମୁକାବିଲା କରିବା ପାଇଁ ଆଗେଇ ଆସନ୍ତୁ, ସମସ୍ତେ ମିଳିମିଶି କରୋନା ମହାମାରୀକୁ ମୁକାବିଲା କରିବା ।
ଜୟ ଜଗନ୍ନାଥ ।
ବିଜୁ ଜନତା ଦଳ, କେନ୍ଦ୍ରାପଡ଼ା