ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ‘ଜୟଶ୍ରୀ ଫେସନ୍’ ପକ୍ଷରୁ ୧ଲକ୍ଷ ଟଙ୍କା ପ୍ରଦାନ
କେନ୍ଦ୍ରାପଡ଼ା, (ଆଇଏନ୍ଏସ୍): ସମଗ୍ର ପୃଥିବୀର ପ୍ରାୟ ସମସ୍ତ ଦେଶରେ ମାରାତ୍ମକ କରୋନା ଭୂତାଣୁର ତାଣ୍ଡବ ଜାରି ରହିଛି । ଦେଶକୁ ଏହି ମହାମାରୀରୁ ରକ୍ଷା କରିବାକୁ ସମଗ୍ର ଦେଶ ଲକଡ଼ାଉନ୍ (ତାଲା ବନ୍ଦି) ଅବସ୍ଥାରେ ରହିଛି । ଏଥିଯୋଗୁ ବିଭିନ୍ନ ଦେଶର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଆର୍ଥିକ କ୍ଷତି ସାରା ପୃଥିବୀକୁ ଦୋହଲାଇ ଦେଇଛି । ସବୁଠି ବିକଳ ଅବସ୍ଥା! ନିକଟ ଭବିଷ୍ୟତରେ ଆମ ଦେଶ ଓ ଆମ ରାଜ୍ୟର ଆର୍ଥିକ ସ୍ଥିତି ଦୋହଲି ନଯିବ, କହିହେଉନାହିଁ । ବର୍ତମାନ ସୁଦ୍ଧା କରୋନା ଯୋଗୁ ଆମ ରାଜ୍ୟର ଯେଉଁ କ୍ଷତି ହେଲାଣି, ତାହାର ଭରଣା ତ ଅସମ୍ଭବ, ହେଲେ କରୋନାର ପ୍ରତିରୋଧ ପାଇଁ ମଧ୍ୟ ହଜାର ହଜାର କୋଟି ଟଙ୍କାର ଆବଶ୍ୟକତା ପଡ଼ିବ । ଏହାକୁ ହୃଦୟଙ୍ଗମ କରି ରାଜ୍ୟର ବିଭିନ୍ନ ବ୍ୟକ୍ତି ବିଶେଷ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଯାଥାସାଧ୍ୟ ପ୍ରଦାନ କରୁଛନ୍ତି । ଏହି କ୍ରମରେ କେନ୍ଦ୍ରାପଡ଼ା ସହରର ଜନୈକ ପ୍ରତିଷ୍ଠିତ ବ୍ୟବସାୟୀ ମନୋଜ କୁମାର ମର୍ଦ୍ଦରାଜ ୧ଲକ୍ଷ ଟଙ୍କାର ଚେକ୍ କେନ୍ଦ୍ରାପଡ଼ା ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଶ୍ରୀ ମର୍ଦ୍ଦରାଜଙ୍କର କେନ୍ଦ୍ରାପଡ଼ା ସହରର ବଡ଼ହାଟରେ ‘ଜୟଶ୍ରୀ ଫେସନ୍’ ସୋ ରୁମ୍ ରହିଛି ।