ଲକଡାଉନ ସତ୍ୱେ ଲୋକ ଓ ପ୍ରଶାସନ ସମସ୍ତେ ବେଫିକର
ବାଲେଶ୍ୱର, (ଆଇଏନ୍ଏସ୍): କରୋନା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ଲକ୍ ଡାଉନ୍ ଆଜିକୁ ୧୦ ଦିନ ବିତିଲା । କରୋନାର ଭୟାବହତା ସମ୍ପର୍କରେ ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ସହିତ ସରକାରଙ୍କ ତରଫରୁ ସତର୍କତା ସମ୍ପର୍କରେ ସୂଚନା ଦିଆଯାଉଛି । ତା’ପରେ ମଧ୍ୟ ଲୋକମାନେ ଘଟଣାର ଗୁରୁତ୍ୱକୁ ଉପଲବଧି କରିପାରୁ ନାହାନ୍ତି କହିବା ଠିକ୍ ହେବନାହିଁ, ବରଂ ବେପରୱା ଭାବ ପ୍ରଦର୍ଶନ କରୁଛନ୍ତି କହିବାଟା ଠିକ୍ ହେବ ।
ସୋରର ମୁଖ୍ୟ ବଜାର ଅଡ଼ଙ୍ଗ ବଜାରରେ ପରିବା ହାଟରେ ଭିଡ଼ ହେବା କାରଣରୁ ପ୍ରଶାସନ ତହାକୁ ସୋରର ଗୋ-ଶାଳା ନିକଟକୁ ସ୍ଥାନାନ୍ତର କରିଥିଲା । କିନ୍ତୁ ଯେଉଁ କାରଣରୁ ଏବଂ ଯେଉଁ ଲକ୍ଷ୍ୟ ନେଇ ହାଟକୁ ସ୍ଥାନାନ୍ତର କରାଗଲା, ତାହା ଯେ ଫେଲ ମାରିଛି ହାଟକୁ ଦେଖିଲେ ଯେକୋ÷ଣସି ଲୋକ ବୁଝି ପାରିବ । କାରଣ ଗୋଟିଏ ଗୋଟିଏ ଦୋକାନ ପାଖରେ ଏକାଧିକ ଲୋକ ପାଖକୁ ପାଖ ଲଗାଲଗି ହୋଇ ଛିଡ଼ା ହୋଇ କିଣାକିଣି କରୁଥିବା ଦେଖିବାକୁ ମିଳୁଥିବା ବେଳେ ହାଟରେ ଲୋକମାନେ ଦାମାଜିକ ଦୂରତ୍ୱ ବଜାୟ ନରଖି ଯା-ଆସ କରୁଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଏହି ହାଟରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉଛିକି ନାହିଁ ତାହାକୁ ତଦାରଖ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ/କର୍ମଚାରୀ ଉପସ୍ଥିତ ରହୁନଥିବା ଦେଖିବାକୁ ମିଳିଛି । ଏସମ୍ପର୍କରେ ସୋର ପୌରପାଳିକାର ନିର୍ବାହୀ ଅଧିକାରୀ ରାକେଶ ପଣ୍ଡାଙ୍କୁ ପଚାରିବାରୁ, ତୁରନ୍ତ ପଦକ୍ଷେପ ନେବେ ବୋଲି କହିଥିଲେ ।