‘କରୋନା’ ଲଢେଇରେ ଯୋଦ୍ଧା ସାଜିଛି ହେଲ୍ପ ଲାଇନ ସଂସ୍ଥା!
ନବରଙ୍ଗପୁର/ଉମରକୋଟ, (ଆଇଏନ୍ଏସ୍): ଆମ ଦେଶକୁ କରୋନା ମହାମାରୀରୁ ରକ୍ଷା କରିବାକୁ ସମଗ୍ର ଦେଶ ଲକଡ଼ାଉନ୍ (ତାଲା ବନ୍ଦି) ଅବସ୍ଥାରେ ରହିଛି । ଚାରିଆଡ଼େ ଶୂନଶାନ୍ । ସବୁଠି ଲକଡ଼ାଉନ୍ ର କରୁଣ ଅବସ୍ଥା! ଏହି ସମୟରେ ଦେଖାଯାଉଛି, ଅନେକ ଅସହାୟ ମଣିଷମାନେ ବହୁ ଅସୁବିଧାରେ ଜୀବନ କାଟୁଛନ୍ତି । ଏଭଳି ବିକଳ ଅବସ୍ଥା ଦେଖି ସାରା ଦେଶରେ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ସେହି ଅସହାୟ ମଣିଷ ମାନଙ୍କୁ ସହଯୋଗ ଯୋଗାଇ ଦେବାକୁ ନିଜର ହାତ ବଢେଇଛନ୍ତି । ସେହି ସ୍ୱେଚ୍ଛାସେବୀ ସଂସ୍ଥା ମାନଙ୍କ ମଧ୍ୟରେ ବହୁ ଆଗରେ ରହିଛି ଉମରକୋଟ ସହରର “ହେଲ୍ପ ଲାଇନ୍” ସଂସ୍ଥା । ସୂଚନାଯୋଗ୍ୟ ଯେ, ସେଚ୍ଛାସେବୀ ସଂସ୍ଥା ହେଲ୍ପ ଲାଇନ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଗ୍ରାମରେ ଅସହାୟ ଓ ବୟସ୍କ ମାନଙ୍କୁ ଖାଦ୍ୟ ସାମଗ୍ରୀ ବଂଟନ କରାଯାଇ ଆସୁଥିବା ବେଳେ ଆଜି ଉମରକୋଟ ପଂଚାୟତ ସମିତି ଅନ୍ତର୍ଗତ ଚାନ୍ଦିଆ ବେଡ଼ା, ଅମ୍ବାଗୁଡ଼ା, ମୁର୍ତୁମା ଓ ୟୁଭି-୬ ଗ୍ରାମରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଉମରକୋଟ ତହସିଲଦାର ହିମାଂଚଳ ମାଝୀ, ଉମରକୋଟ ବିଡ଼ିଓ ଦେବୀ ପ୍ରସାଦ ଟାଲୀ ଏବଂ ଉମରକୋଟ ଥାନା ଅଧିକାରୀ ଉମେଶ ସାହୁ ଯୋଗ ଦେଇ ଅସହାୟ ଲୋକ ମାନଙ୍କୁ ଖାଦ୍ୟଦ୍ରବ୍ୟ ବଂଟନ କରିବା ସହ ଉପସ୍ଥିତ ଲୋକମାନଙ୍କୁ ସରକାରଙ୍କ କୋଭିଡ଼୍-୧୯ ନିୟମ ମାନି ଘରେ ରହିବା ଉଚିତ ବୋଲି ପରାମର୍ଶ ଦେଇଥିଲେ । ତେବେ ଜରୁରୀ କାର୍ଯ୍ୟରେ ବାହାରକୁ ଗଲେ, ମାକ୍ସ ପିନ୍ଧିବା ନିହାତି ଆବଶ୍ୟକ ବୋଲି ଅତିଥି ମାନେ ସମସ୍ତଙ୍କୁ ସଚେତନ କରାଇଥିଲେ । ନିୟମରେ ଖିଲାପ ହେଲେ, ସରକାରୀ ନିୟମ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଥିଲା । ସେହିଭଳି ଆଗାମୀ ଦିନରେ ସାଧାରଣ ଲୋକଙ୍କୁ କିପରି ଅଧିକରୁ ଅଧିକ ମାକ୍ସ ଉକ୍ତ ସଂସ୍ଥା ପକ୍ଷରୁ ଯୋଗାଇ ଦିଆଯାଇ ପାରିବ, ସେଥିପ୍ରତି ଦୃଷ୍ଟି ଦେବାକୁ ଥାନା ଅଧିକାରୀ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂସ୍ଥାର ନିର୍ଦେଶକ ଦୁର୍ଗାପ୍ରସାଦ ମଲ୍ଲିକ, ସଭାପତି କୃଷ୍ଣ ପ୍ରସାଦ ପଟ୍ଟନାୟକ, ଉପ-ସଭାପତି ଇଂ ଚନ୍ଦନା ମଲ୍ଲିକ, ଯୁଗ୍ମ ସଂପାଦକ ସୋନୁ ହିଙ୍ଗରା, ସଭ୍ୟା ରଶ୍ମୀ ପଲେଇ, ଚନ୍ଦନ ପଟ୍ଟନାୟକ, ସଦାଶିବ ଯାନୀ, ପିଂଟୁ ପାଇକ, ବିଶ୍ୱନାଥ ବିଶ୍ୱାସ ଏବଂ ମୁର୍ତୂମା ଗ୍ରାମ ସଭାପତି ଅରୁଣ ମଜୁମଦାର ପ୍ରମୁଖ ପରିଚାଳନା କରିଥ୍ôଲେ ।