ଚା’ର ଚୋରା ବେପାର!
କିସ ପୁଣି ଦେଖାନଯାଏ ଜୀଇଁ ଥିଲେ ଜୀବନରେ
ବାଲେଶ୍ୱର, (ଆଇଏନ୍ଏସ୍) : କଥାରେ ଅଛି କିସ ପୁଣି ଦେଖାନଯାଏ ଜିଇଁ ଥିଲେ ଜୀବରେ । ପ୍ରକୃତରେ ବର୍ତମାନ ଏମିତି କିଛି ଦେଖିବାକୁ ମିଳୁଛି, ଯାହା ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା । ଅତୀତର ପୃଷ୍ଠା ଓଲଟାଇଲେ ଦେଖିବାକୁ ମିଳେ ବିଭିନ୍ନ ନିଶା ଦ୍ରବ୍ୟ, ଯଥା-ମଦ, ଗଞ୍ଜେଇ, ଅଫିମ, ବ୍ରାଉନସୁଗାର, ଚରସ୍ ଭଳି ନିଶାଦ୍ରବ୍ୟର ଚୋରା କାରବାର ହେଉଥିଲା, ଯାହା ଏବେ ବି ପୂର୍ବଭଳି ଚାଲିଛି । କିନ୍ତୁ ଚା’ଚୋରାରେ ବିକ୍ରି ହେବା କେବେ ଦେଖିବାକୁ ମିଳିନଥିଲା ।
କରୋନା ପାଇଁ ଉପୁଜିଥିବା ପରିସ୍ଥିତି ପାଇଁ ସାମାଜିକ ଦୂରତା ଜରୁରୀ ହୋଇଥିବାରୁ ଦେଶରେ ଲକଡାଉନ ଲାଗୁ କରାଯାଇଛି । ଫଳରେ ଔଷଧ, ଖାଦ୍ୟ ପଦାର୍ଥ, ଫଳ, ପନିପରିବା, କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗି୍ରକୁ ଛାଡ଼ିଦେଲେ ସମସ୍ତ ଦୋକାନ ବନ୍ଦ ରହିିଛି । ଫଳରେ ବଜାରରେ ଚା’ପିଇବାରେ ଅଭ୍ୟସ୍ତ ଗରାଖଙ୍କ ପାଇଁ ଏବେ ଚୋରାରେ ବିକ୍ରି ହେଉଛି ଚା’ । କିଏ ସାଇକେଲ କ୍ୟାରିଅରରେ ବାନ୍ଧି ବୁଲିବୁଲି, ଲୁଚିଛପି ଚା’ ବିକ୍ରି କରୁଛି ତ’ କିଏ ଥର୍ମୋଫ୍ଲାକ୍ସରେ ଚା’ ଧରି ବୁଲୁଛି । ଗରାଖ ଦେଖିବା ମାତ୍ରେ ୟୁଜ୍ ଏଣ୍ଡ ଥ୍ରୋ କପ୍ରେ ଢାଳି ଦେଉଛନ୍ତି ଦୋକାନୀ । ଦୋକାନ ସିନା ବନ୍ଦ ଅଛି, କିନ୍ତୁ ପୋଲିସକୁ ଲୁଛି ଛପି ଚାଲିଛି ଚୋରାରେ ବେପାର । ଭବିଷ୍ୟତରେ ପୁଣି କଣ ନଦେଖିିଥିବା କଥା ଦେଖିବାକୁ ମିଳିବ, ତାହା ଭବିଷ୍ୟତ ହିଁ କହିବ ।