ପ୍ରବାସୀ ଫେରନ୍ତାଙ୍କ ପାଇଁ ମୁଣ୍ଡବ୍ୟଥା: ସଜାଗ ହେଉ ପ୍ରଶାସନ!

ପ୍ରବାସୀ ଫେରନ୍ତାଙ୍କ ପାଇଁ ମୁଣ୍ଡବ୍ୟଥା: ସଜାଗ ହେଉ ପ୍ରଶାସନ!

ବାଲେଶ୍ୱର, (ଆଇଏନ୍ଏସ୍) : ବର୍ତମାନ ରାଜ୍ୟ ଓ ରାଜ୍ୟବାସୀଙ୍କ ପାଇଁ ପ୍ରବାସୀ ଫେରନ୍ତା ମୁଣ୍ଡବ୍ୟଥାର କାରଣ ପାଲଟିଛି । ପ୍ରଥମେ ବିଦେଶୀ ଫେରନ୍ତା, ତା’ପରେ ନିଜାମୁଦ୍ଦିନ ଫେରନ୍ତାଙ୍କ ପରେ ଏବେ ବିଭିନ୍ନ ରାଜ୍ୟରୁ ଫେରୁଥିବା ଓଡ଼ିଆ ମାନଙ୍କ ପାଇଁ ରାଜ୍ୟରେ ହୁହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବିଗତ କେତେ ଦିନକୁ ତର୍ଜମା କଲେ ଯାହା ଦେଖିବାକୁ ମିଳେ, ପଶ୍ଚିମବଙ୍ଗର କୋଲକାତାରୁ ଫେରୁଥିବା ଲୋକମାନଙ୍କ ପାଇଁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇଥିଲା । ଏବେ ସୁରତ ଫେରନ୍ତା ସମସ୍ତଙ୍କର ନିଦ ହଜାଇ ଦେଲାଣି । ବିଶେଷକରି ଗଞ୍ଜାମ ଜିଲ୍ଲାରେ ସୁରତ ଫେରନ୍ତାଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି । ଏଥି ସହିତ ଅନ୍ୟ ଜିଲ୍ଲାରେ ମଧ୍ୟ ସୁରତ୍ ଫେରନ୍ତାଙ୍କ ଠାରେ ପଜିଟିଭ୍ ବାହାରି ଥିବା ଜାଣିବାକୁ ମିଳିଛି । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟାର ୫୦ପ୍ରତିଶତ ସୁରତ ଫେରନ୍ତା ବୋଲି ସରକାରୀ ତଥ୍ୟ କହେ ।
ସାମ୍ପ୍ରତିକ ପରିସ୍ଥିତିରେ, ଅଧିକ ପ୍ରବାସୀ ଓଡ଼ିଆ ବିଭିନ୍ନ ରାଜ୍ୟରୁ ଫେରିବା ଆରମ୍ଭ ହୋଇ ଯାଇଛି । ଗୁଜରାଟର ସୁରଟ୍, ଅହମଦାବାଦ, ମହାରାଷ୍ଟ୍ରର ମୁମ୍ବାଇ, ଦିଲ୍ଲୀ ଭଳି ହଟଷ୍ପଟ୍ ସ୍ଥାନ ସମେତ ବିଭିନ୍ନ ରାଜ୍ୟରୁ ଟ୍ରେନରେ ହଜାର ହଜାର ପ୍ରବାସୀ ଓଡ଼ିଶା ଆସିବା ଆରମ୍ଭ ହୋଇ ସାରିଛି । ଯାହା ଫଳରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇବ ଏଥିରେ ତିଳେ ହେଲେ ସନେ୍ଦହ ନାହିଁ । ଏଭଳି ପରିସ୍ଥିତିରେ ସାମାନ୍ୟ ତୃଟି ହେଲେ ସଂକ୍ରମଣକୁ ରୋକିବା ଅସମ୍ଭବ ହୋଇ ପଡ଼ିବ । ତେଣୁ ଏ କ୍ଷେତ୍ରରେ ସରକାର ତଥା ପ୍ରଶାସନିକ ଅଧିକାରୀମାନଙ୍କର ଗୁରୁଦାୟୀତ୍ୱ ରହିଛି । ଫେରୁଥିବା ପ୍ରବାସୀମାନଙ୍କୁ ଠିକ୍ ଭାବରେ ନେଇ ସଙ୍ଗରୋଧ କେନ୍ଦ୍ରରେ ରଖିବା ପ୍ରଶାସନିକ ଅଧିକାରୀମାନଙ୍କର ପ୍ରଧାନ ଦାୟୀତ୍ୱ । କିନ୍ତୁ କେତେକ ସ୍ଥାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଯେପରି ପ୍ରବାସୀମାନେ ବସ୍ରେ ଆସି ଭୁବନେଶ୍ୱରର କଳ୍ପନା ଛକରେ ଓହ୍ଲାଇବା ପରେ ପ୍ରଶାସନ ସେମାନଙ୍କୁ ସାହାଯ୍ୟ ନକରିବାରୁ ସେମାନେ ଚାଲିଚାଲି ରାସ୍ତାରେ ଯାଇ ଏକ ଗାଡ଼ିରେ ନିଜର ଘର ଭଦ୍ରକ ଜିଲ୍ଲାକୁ ଯାଇଥିଲେ । ସେହିପରି ପ୍ରବାସୀମାନେ କଟକ ଓଏମପିରେ ଓହ୍ଲାଇ ପ୍ରଶାସନିକ ଅଧିକାରୀ, ଆମ୍ବୁଲାନ୍ସକୁ ଫୋନ କରିଥିଲେ ମଧ୍ୟ କୌଣସି ସାହାଯ୍ୟ ମିଳିନଥିବା ସେମାନେ ଅଭିଯୋଗ କରିିଥିବାବେଳେ ଏହିଭଳି କିଛି କିଛି ଘଟଣା ସରକାର ତଥା ପ୍ରଶାସନର ଅବହେଳାକୁ ପଦାରେ ପକାଇଛି ।
ଅପରପକ୍ଷରେ ରାଜ୍ୟକୁ ଫେରୁଥିବା ପ୍ରବାସୀମାନଙ୍କ ମଧ୍ୟରୁ କିଛି ବ୍ୟକ୍ତିଙ୍କ କାର୍ଯ୍ୟ ମଧ୍ୟ ମୁଣ୍ଡବ୍ୟଥାକୁ ବଢ଼ାଉଛି । ପ୍ରବାସୀମାନେ ରାଜ୍ୟକୁ ଫେରିବା ପରେ ସଙ୍ଗରୋଧ କେନ୍ଦ୍ରରେ ନରହି ପଳାଇ ଯିବା, ଆସୁଥିବା ଟ୍ରେନକୁ ଚେନ୍ ଟାଣି ବାଟରେ ଓହ୍ଲାଇ ଯିବା ଭଳି ଘଟଣା ସମସ୍ତଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏହି ଅମାନିଆମାନେ ଗ୍ରାମରେ ବିଭିନ୍ନ ଲୋକଙ୍କ ସହିତ ମିଶିବା, ଖେଳିବା, ଭୋଜି କରିବା ସହିତ ବଜାର ଯାଇ ବିଭିନ୍ନ ଦୋକାନରୁ ଜିନିଷପତ୍ର କିଣିବା ଫଳରେ ଏମାନେ ସୁପର ସ୍ପ୍ରେଡର ପାଲଟି ଯାଉଛନ୍ତି । ଫଳରେ ଏହି ସୁପର ସ୍ପ୍ରେଡରମାନେ ସମସ୍ତଙ୍କ ପାଇଁ ବିପଦର କାରଣ ପାଲଟୁଛନ୍ତି, ଯାହା ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି । ଯେଉଁ ପ୍ରବାସୀମାନେ ପ୍ରବାସରେ ଥିବା ବେଳେ ହାତଯୋଡ଼ି କାକୁତି ମିନତି ହୋଇ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ସୋସିଆଲ ମିଡିଆରେ ସରକାରଙ୍କୁ ନିବେଦନ କରୁଥିଲେ, ସେମାନେ ଫେରିଆସିବା ପରେ ଘଟାଉଥିବା କାର୍ଯ୍ୟ ଏବେ ସରକାର ଓ ଜନସାଧାରଣଙ୍କ ପାଇଁ ମୁଣ୍ଡବ୍ୟଥା ପାଲଟିଛି । ଯେଉଁମାନଙ୍କ ଜୀବନ ବଂଚାଇବା ପାଇଁ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମଚାରୀ, ପୋଲିସ ତଥା ବିଭିନ୍ନ ବ୍ୟକ୍ତି, ସଙ୍ଗଠନ ନିଜ ଜୀବନକୁ ବିପନ୍ନ କରି ଦିନରାତି କାର୍ଯ୍ୟ କରିଚାଲିଛନ୍ତି, ସେମାନେ (ସମସ୍ତେ ନୁହଁନ୍ତି, ମାତ୍ର ଅଳ୍ପ କିଛି ବ୍ୟକ୍ତି) ଏଭଳି ଭାବରେ କାର୍ଯ୍ୟ କରିବା ଫଳରେ କେବଳ ନିଜର ଜୀବନକୁ ବିପନ୍ନ କରୁନାହାନ୍ତି, ନିଜ ପରିବାର, ଛୁଆପିଲା, ବନ୍ଧୁ-ବାନ୍ଧବ, ପଡ଼ୋଶୀ, ସର୍ବୋପରି ସମସ୍ତ ଓଡ଼ିଆଙ୍କୁ ମଧ୍ୟ ବିପଦ ଭିତରକୁ ଠେଲି ଦେଉଛନ୍ତି ।
ଏପରି ସ୍ଥଳେ ସରକାର ଓ ସରକାରୀ ଅଧିକାରୀମାନେ ସେମାନଙ୍କ ଦାୟୀତ୍ୱକୁ ଠିକ୍ ଭାବରେ ପାଳନ କରିବା ସହିତ ନିୟମକୁ କଡ଼ାକଡ଼ି କରି ଅମାନିଅଙ୍କୁ ସାବାଡ଼ କରିପାରିଲେ ହୁଏତ ରାଜ୍ୟ ତଥା ରାଜ୍ୟବାସୀଙ୍କ ଉପରୁ ଏହି ବିପଦ ଟଳିଯାଇ ପାରନ୍ତା ।

Leave a Reply

Your email address will not be published.