ପାରାଦ୍ୱୀପ ଉକକୂଳରେ ବାତ୍ୟା ଅମ୍ଫାନ୍ ମୁକାବିଲା ପାଇଁ ପ୍ରଶାସନ ତୟାର
ପାରାଦ୍ୱୀପ, (ଓଏନ୍ଏସ୍) (ଆଇଏନ୍ଏସ୍): ସଂପ୍ରତି ସମଗ୍ର ଦେଶରେ କରୋନା ମୁକାବିଲା ସ୍ଥିତିରେ ଚାଲିଥିବା ବେଳେ ସମ୍ଭାବ୍ୟ ବାତ୍ୟା ଅମ୍ଫାନ୍ ପୁଣି ପ୍ରଶାସନର ନିଦ ହଜେଇ ଦେଇଛି । ପାରାଦ୍ୱୀପ ଉପକୂଳ ଠାରୁ ୯୦୦ କିମି ଦୂରରେ ଆଣ୍ଡାମାନ ସାଗରରେ ସଙ୍ଗଠିତ ଲଘୁଚାପ ମଇ୧୬ ତାରିଖ ସୁଦ୍ଧା ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ଓଡିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ସହିତ ୭୦ରୁ ୮୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି । ପ୍ରାପ୍ତ ଖବର ଅନୁଯାୟୀ ଏହାର ଲ୍ୟାଣ୍ଡ ଫଲ ପଶ୍ଚିମବଙ୍ଗ ଉପକୂଳରେ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ଅନୁମାନ କରାଯାଉଛି । ତେବେ ଏହା ୧୮ତାରିଖ ସୁଦ୍ଧା ସ୍ପଷ୍ଟ ହେବ ବୋଲି କୁହାଯାଇଛି । ସାମ୍ଭାବ୍ୟ ବାତ୍ୟା ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି । ୪୨ ବାତ୍ୟା ଆଶ୍ରୟସ୍ଥଳୀ ସହ ୫୬୨ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ପ୍ରସ୍ତୁତ କରିବାକୁ ନିର୍ଦେଶ ଦିଆଯାଇଛି । ଓଡ୍ରାଫ ଟିମ୍ ପ୍ରସ୍ତୁତ ସହିତ ଯଥେଷ୍ଟ ଗଛ କଟା ଯନ୍ତ୍ର ଯୋଗଇ ଦିଆଯାଇଛି । ସେହିପରି ଯଥେଷ୍ଟ ପରିମାଣରେ ଶୁଖିଲା ଖାଦ୍ୟ ଓ ପାନୀୟଜଳ ଯୋଗଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଯେଉଁସବୁ ବାତ୍ୟା ଆଶ୍ରୟସ୍ଥଳୀରେ ସଙ୍ଗରୋଧ କେନ୍ଦ୍ର କରାଯାଇଛି, ସେ ସବୁ କେନ୍ଦ୍ରର ସମସ୍ତ ସଦସ୍ୟଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଛି । ଖୁବ୍ଶ୍ରୀଘ୍ର ସେମାନଙ୍କୁ ଘରକୁ ପଠାଇ ଦିଆଯିବ ଏବଂ ଏସବୁ କେନ୍ଦ୍ରକୁ ଖାଲି କରାଯିବ । ତେବେ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତା ଗ୍ରହଣ କରାଯାଇଛି । ଜିଲ୍ଲାବାସୀ ଆତଙ୍କିତ ନହେବା ପାଇଁ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷ୍ୟରେ ସାମ୍ଭାବ୍ୟ ବାତ୍ୟା ଦୃଷ୍ଟିରୁ ପାରାଦ୍ୱୀପ ବନ୍ଦର ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମଇ ୧୭ ତାରିଖ ରବିବାର ସଂନ୍ଧ୍ୟା ଠାରୁ ବନ୍ଦର ପୋତାଶ୍ରୟ ମଧ୍ୟକୁ କୌଣସି ଜାହାଜ ପ୍ରବେଶ କରିବ ନାହିଁ ବୋଲି ଜଣାପଡ଼ିଛି ।୧୮ ତାରିଖ ସକାଳ ସୁଦ୍ଧା ପୋତାଶ୍ରୟ ମଧ୍ୟରେ ଥିବା ଜାହାଜ ଗୁଡିକ ପୋତାଶ୍ରୟ ଅଂଚଳ ଛାଡିବାକୁ ମେରାଇନ୍ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି ।