କଳାହାଣ୍ଡିରେ ୧୧ କରୋନା ପଜିଟିଭ ଚିହ୍ନଟ: କୋଭିଡ ହସପିଟାଲ ସ୍ଥାନାନ୍ତରିତ
କଳାହାଣ୍ଡି, (ଆଇଏନ୍ଏସ୍): ସମଗ୍ର ଦେଶ କୋଭିଡ-୧୯ ପାଇଁ ଲକଡାଉନ ସ୍ଥିତିରେ ରହିଥିବା ବେଳେ ପ୍ରବାସୀ ଓଡିଆ ଶ୍ରମିକ ମାନେ ଘରମୁହାଁ ହୋଇ ଯାଇଛନ୍ତି । ସରକାରୀ ପୋର୍ଟାଲରେ ପଂଜୀକରଣ କରିବା ପରେ ବିଭିନ୍ନ ରାଜ୍ୟରୁ ସଡକ ପଥ କିମ୍ବା ରେଲପଥରେ ପ୍ରବାସୀ ନିଜ ଅଂଚଳକୁ ଆସିବାକୁ ଲାଗିଲେଣି । ଇତି ମଧ୍ୟରେ କଳାହାଣ୍ଡିର ହଜାର ହଜାର ପ୍ରବାସୀ ପଂଜୀକରଣ କରିଥିବା ବେଳେ ଅନେକ ଘରମୁହାଁ ପ୍ରବାସୀ ପ୍ରାୟତଃ କଳାହାଣ୍ଡି ପହଂଚି ଗଲେଣି । ଅନ୍ୟ ପକ୍ଷରେ ଅନ୍ୟ ରାଜ୍ୟର ଏବଂ ଅନ୍ୟ ଜିଲ୍ଲାର ପ୍ରବାସୀ ମାନଙ୍କୁ ମଧ୍ୟ କଳାହାଣ୍ଡିର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଜିଲ୍ଲା ପ୍ରଶାସନ ଦ୍ୱାରା ରଖାଯାଇଥିବା ଜଣାପଡିଛି । କ୍ୱାରେନଟାଇନରେ ରଖାଯାଇଥିବା ପ୍ରବାସୀ ମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ତଥା ସ୍ୱାବ ପରୀକ୍ଷା ପାଇଁ ସେମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ର, ଗୁଜରାଟ ଓ ଛତିଶଗଡ ରାଜ୍ୟରୁ ଆସିଥିବା ଓ କଳାହାଣ୍ଡି ଜିଲ୍ଲାର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ପ୍ରବାସୀ ମାନଙ୍କ ମଧ୍ୟରୁ ଆଜି ୨୦.୦୫.୨୦୨୦ ବୁଧବାର ଦିନ ୧୦ ଜଣଙ୍କର ଏବଂ ଜଣେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କ ପଜିଟିଭ ବାହାରିଥିବା କଳାହାଣ୍ଡି ସିିଡିଏମଓ ଙ୍କ ସୂତ୍ରରୁ ପ୍ରକାଶ । ସମସ୍ତ ୧୧ ଜଣଙ୍କୁ କଳାହାଣ୍ଡି ଇଂଜିନିୟରିଂ କଲେଜର ଥିବା କୋଭିଡ ହସପିଟାଲକୁ ପଠାଇଦିଆଯାଇଥିବା ଜଣାପଡିଛି ।