ବନ୍ଦର କର୍ତୃପକ୍ଷଙ୍କ ତ୍ୱରିତ ପଦକ୍ଷେପ: ସ୍ୱାଭାବିକ ହେଲା ବନ୍ଦର କାରବାର
ପାରାଦ୍ୱୀପ, (ଆଇଏନ୍ଏସ୍): ୨୦୨୦ ମସିହାର ମହାବାତ୍ୟା ଗତିବିଧିର ପୂର୍ବ ସୂଚନା ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ଜଣା ପଡ଼ିବା ପରେ ପାରାଦ୍ୱୀପ ବନ୍ଦର କର୍ତୃପକ୍ଷ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିବାରୁ ୪୮ ଘଂଟା ପରେ ସ୍ୱାଭାବିକ ହୋଇଛି ପାରାଦ୍ୱୀପ ବନ୍ଦର । ବନ୍ଦର ପ୍ରଶାସନର ଏହି ପ୍ରସ୍ତୁତି ଯୋଗୁଁ ବାତ୍ୟା ବନ୍ଦରର ସେଭଳି ଗୁରୁତର କ୍ଷତି ଘଟାଇ ପାରିନାହିଁ । ବାତ୍ୟା ସମୟରେ ବନ୍ଦରର ବିଦୁ୍ୟତ ଓ ପାନୀୟ ଜଳ ଯୋଗାଣ ସେବା ସ୍ୱାଭାବିକ ରହିଥିଲା । ତେବେ ବନ୍ଦର ସହରରେ ବାତ୍ୟା ଯୋଗୁଁ ରାସ୍ତା ମାନଙ୍କରେ ଉପୁଡିଥିବା ଗଛ ମାନଙ୍କୁ ବନ୍ଦର ସିଆଇଏସଏଫ୍ ର ଅଗ୍ନିଶମ ବିଭାଗ ଦ୍ୱାରା ସେଗୁଡିକୁ ରାସ୍ତାରୁ ଉଠାଇ ପରିସ୍କାର କରାଯାଇଥିଲା । ଯାହାଦ୍ୱାରା ସାଧାରଣ ଲୋକଙ୍କ ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇନଥିଲା । ଏତଦବ୍ୟତୀତ ବିଭିନ୍ନ ବାତ୍ୟା ଆଶ୍ରୟ ସ୍ଥଳରେ ଥିବା ପ୍ରାୟ୨ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ, ପାନୀୟ ପାଣି ବୋତଲ ଓ ନୋଜ ମାସ୍କ ବଂଟନ କରାଯାଇଥିଲା । ଏହି ବାତ୍ୟାରେ ହାରାହାରି୨୫୨ ମିଲିମିଟର ବର୍ଷା ହୋଇଥିବା ସ୍ଥଳେ ନୂତନ ଡ୍ରେନ ନିର୍ମାଣ ଓ ମରାମତି ଯୋଗୁଁ ବନ୍ଦରାଂଚଳରେ କୌଣସି ଠାରେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇନଥିଲା । ଏବେ ବନ୍ଦରରେ ଜାହାଜ ଚଳାଚଳ, ପଣ୍ୟ କରାବାର ଓ ପରିବହନ ବ୍ୟବସ୍ଥା ସ୍ୱାଭାବିକ ରହିଛି ।