ମହିଳା ହାତେଇଥିବା ବେଆଇନ ଭୂମିହୀନ ପଟ୍ଟା ଖାରଜ ପାଇଁ ଦାବି
ପାରାଦୀପ ଗଡ, (ଆଇଏନ୍ଏସ୍): କୁଜଙ୍ଗ ତହସିଲ ଅଧିନରେ ବେଆଇନ ଭାବେ ଭୂମିହୀନ ପଟ୍ଟା ବଂଟନ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାପଡ଼ିଛି ଯେ, କେନ୍ଦ୍ରାପଡା ଅଂଚଳର ଜଣେ ମହିଳା ଚଂଚକତା କରି ନିଜକୁ ଭୂମିହୀନ ଦର୍ଶାଇ ୪ ଡେସିମିଲ ସରକାରୀ ଜାଗା ହାତେଇଛନ୍ତି । ତାଙ୍କ ବାପ ଘର ଏବଂ ଶାଶୁଘରର ଅନେକ ସମ୍ପତି ଥିବା ବେଳେ ସେ ଭୂମିହୀନ ହେଲେ କିପରି ବୋଲି ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି । ସଂପୃକ୍ତ ମହିଳାଙ୍କ ସଂପର୍କରେ କିଭଳି ତଦନ୍ତ କରି ତହସିଲଦାର ତାଙ୍କୁ ଭୂମିହୀନ ପଟ୍ଟା ଯୋଗାଇ ଦେଲେ, ସେଥିନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଏସଂପର୍କରେ ଉପଯୁକ୍ତ ତଦନ୍ତ କରାଯାଇ ଉକ୍ତ ଜମିପଟ୍ଟା ଖାରଜ କରିବାକୁ ଦାବି କରିଛନ୍ତି ସମାଜସେବୀ ବାବୁଲି ନାୟକ । ଉକ୍ତ ମହିଳାଙ୍କ ବାପଘର କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ପାଟଳିପଙ୍ଗ ଗ୍ରାମରେ । ଶାଶୁ ଘର ଉକ୍ତ ଜିଲ୍ଲା ଯଦୁପୁର ଖସାଡି ଗ୍ରାମରେ । ଏ ବାବଦରେ ଭିଜିଲାନ୍ସ କଟକ, ଭିଜିଲାନସ ଜଗତ୍ସିଂହପୁର ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି । ତେବେ ଏବାବଦରେ ମାନ୍ୟବର ଉଚ୍ଚ ଅଦାଲତରେ ମଧ୍ୟ ମାମଲା ଦାୟର କରା ଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେ୍ର୍ଦଶନାମା ମିଳିଥିବା ଦର୍ଶାଯାଇଛି । ତତ୍ ସହିତ ଉକ୍ତ ମହିଳାଙ୍କ ସମ୍ପତି ତାଲିକା ନକଲ ମଧ୍ୟ ଦର୍ଶାଇଛନ୍ତି ଅଭିଯୋଗକାରୀ । ସୂଚନାଯୋଗ୍ୟ ଯେ, ପାରାଦୀପ ଗଡ ନିହାରୁଣି କନ୍ଧାର ଖାତା ନଂ.୮୭,ପ୍ଲଟ ନଂ.୮୧ ରୁ ବସୁନ୍ଧରା ଯୋଜନାରେ ୪ ଡିସିମିଲ ଯାଗାପଟ୍ଟା ଉକ୍ତ ମହିଳାଙ୍କୁ ପ୍ରଦାନ କରାଯାଇଛି । ତେବେ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ଉକ୍ତ ବେଆଇନ ପଟ୍ଟା ଖାରଜ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରାଯାଇଛି ।