ମିଟର୍ ରିଡରଙ୍କ ଦାବି ପୂରଣ ହେଉ
ପାରାଦୀପ ଗଡ, (ଆଇଏନ୍ଏସ୍): ପାରାଦୀପ ବିଦୁ୍ୟତ୍ ବିଭାଗ ଅଧିନରେ ଥିବା ୬୪ ଜଣ ମିଟର ରିଡର ଆଜି ମିଳିତ ହୋଇ ବିଭାଗୀୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଓଡିଶା ବିଦୁ୍ୟତ୍ କର୍ମଚାରୀ ମହାସଂଘ ପାରାଦୀପ ଶାଖାର ସଂପାଦକ ଆଦିତ୍ୟ ପ୍ରଶାଦ ମହାନ୍ତିଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଦରଖାସ୍ତରେ ଦର୍ଶା ଯାଇଛି ଯେ, ପାରାଦୀପ ବିଦୁ୍ୟତ୍ ବିଭାଗ ଅଧିନରେ ଦୀର୍ଘ ଦଶ ବର୍ଷ ହେବ ମିଟର ରିଡର ମାନେ କାର୍ଯ୍ୟ କରି ଆସୁଛନ୍ତି । ବିଦ୍ଧି ମୁତାବକ ନିୟମିତ ମିଟର ରିଡିଂ ତଥା ବିଲ୍ ସଂଗ୍ରହ କରି ଆସୁଛନ୍ତି ଏହି କର୍ମଚାରୀ ମାନେ । ସ୍ୱଳ୍ପ ପ୍ରୋତ୍ସାହନ ଅର୍ଥରେ ନିଜ ପରିବାରର ଗୁଜୁରାଣ ମେଣ୍ଟୁ ନଥିଲେ ବି ଏହାକୁ ପାଥେୟ କରି ନିଜର ପରିବାରକୁ ଦୁଃଖ କଷ୍ଟରେ ପ୍ରତି ପୋଷଣ କରି ଆସୁଛନ୍ତି । କୋଭିଡ-୧୯ ମହାମାରୀ କରୋନାରେ ମଧ୍ୟ ସେମାନେ ନିଜ ଦାଇତ୍ୱ ସଫଳତରେ ସହ ସଂପାଦନ କରି ଆସୁଛନ୍ତି । ହେଲେ ଏହି କାର୍ଯ୍ୟକୁ ଏସ.ଏଚ.ଜି. ଗ୍ରୁପ ମାନେ ସଂପାଦନ କରିବେ ବୋଲି କୁହାଯାଉଛି । ଯଦି ଏହା ସତ୍ୟ ହୋଇଥାଏ, ତେବେ କାର୍ଯ୍ୟରତ ମିଟର ରିଡରମାନେ ନିଜ କାମରୁ ବାଦ ପଡିବେ । ଏଥିଯୋଗୁ ସଂପୃକ୍ତ ମିଟର ରିଡରମାନେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ସେମାନଙ୍କ ମନରେ ଭୀଷଣ ହତାଶା ଭାବ ଦେଖା ଦେଇଛି । ମାନସିକ ଯନ୍ତ୍ରଣା ଜର୍ଜରିତ ଏହି କର୍ମଚାରୀ ମାନେ ନିଜ ପରିବାର କିପରି ପ୍ରତିପୋଷଣ କରିବେ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ମିଟର ରିଡିଂ ଏବଂ ବିଲ୍ ଆଦାୟ ପୂର୍ବଭଳି ଏମାନଙ୍କୁ ପ୍ରଦାନ କରିବାକୁ ଦାବି ହୋଇଛି । ଏଥିସହିତ ସେମାନଙ୍କୁ ସେସୁ କାର୍ଯ୍ୟରେ ନିୟୋଜିତ କରାଇବା ପାଇଁ ମଧ୍ୟ ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଯଦି ସେମାନଙ୍କ ନିବେଦନକୁ ଗ୍ରହଣ କରା ନଯାଏ, ତେବେ ଆଗାମି ଦିନରେ ବିଭାଗୀୟ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯାଳୟ ଆଗରେ ସେମାନେ ଧାରଣା ଦେବେ ବୋଲି ଚେତାବନି ଦେଇଛନ୍ତି ।