ବହିରାଗତ ଶ୍ରମିକଙ୍କୁ ନେଇ ଆତଙ୍କିତ ପାରାଦ୍ୱୀପ ଅଂଚଳବାସୀ!

ଝାଡଖଣ୍ଡ ଶ୍ରମିକଙ୍କୁ ବିରୋଧକଲା ଯୁବକ ସଂଘ

ପାରାଦ୍ୱୀପ, (ଆଇଏନ୍ଏସ୍): ସମଗ୍ର ଦେଶରେ କୋରୋନା ଯେତେବେଳେ ତାର କାୟା ବିସ୍ତାର କରି ଚାଲିଛି ଏହାକୁ ନେଇ ସମଗ୍ର ଦେଶବାସୀ ଭୟଭିତ ଅବସ୍ଥା ଦେଇ ଗତି କରୁଛନ୍ତି । ସରକାର ଆନ୍ତଃରାଜ୍ୟ ପରିବହନ ଉପରେ ଅଙ୍କୁଶ ଲଗାଇଥିବା ବେଳେ ଏହାକୁ ଖେଲା ଉଲ୍ଲଘନ୍ନ କରିଚାଲିଛି ପାରାଦ୍ୱୀପ ରିଫାଇନାରୀ ଅଧିନରେ ଠିକା କାମ ନେଇଥିବା ଏଲଆଣ୍ଡଟି କମ୍ପାନୀ । ଶ୍ରମିକ ମାନଙ୍କୁ ବାହାର ରାଜ୍ୟରୁ ଆଣି ନିକଟସ୍ଥ ଗାଁରେ ରଖିବାକୁ ବିରୋଧ କରିଛନ୍ତି ଗ୍ରାମର ମହିଳା ଓ ଯୁବକମାନେ । ଘଟଣାରୁ ପ୍ରକାଶ ଯେ କୋରୋନା ମହାମାରୀର ଭୟାବହତାକୁ ନେଇ ସରକାର ଆନ୍ତଃରାଜ୍ୟ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି । ବହାର ରାଜ୍ୟରୁ ଆସୁଥିବା ଶ୍ରମିକମାନେ ଆଗେ ୧୪ଦିନିଆ କ୍ୱାରେନଟାଇନ୍ ରହିବେ ଏହା ପରେ କାମରେ ଯୋଗ ଦେବେ । ହେଲେ ଏହି ନିୟମକୁ ଖୋଲା ଉଲ୍ଲଘନ କରି ପାରାଦ୍ୱୀପ ରିଫାଇନାରୀର ଠିକା କାମ ନେଇଥିବା ଏଲଆଣ୍ଡଟି କମ୍ପନୀ ୪୧ଜଣ ଶ୍ରମିକଙ୍କୁ ଝାଡଖଣ୍ଡରୁ ଆଣି ବିବାଦ ମଧ୍ୟକୁ ଚାଲିଆସିଛି । ଏହି ଶ୍ରମିକ ମାନେ କ୍ୱାରେନଟାଇନରେ ନ ରହି ସିଧା ସଳଖ କାମରେ ଲାଗିଛନ୍ତି । ଏହି ଶ୍ରମିକ ମାନଙ୍କୁ ଏଲ୍ଆଣ୍ଡଟି କମ୍ପାନୀ ସ୍ଥାନୀୟ ବଗଦିଆ ଗାଁ ନିକଟରେ ରଖିଛି । ଏହାକୁ ତିବ୍ର ବିରୋଧ କରିଛନ୍ତି ବଗଦିଆ ନୂଆସାହୀ ଗ୍ରାମର ମହିଳାମାନେ । ଗାଁର ଅନେକ ଲୋକ ସେଠାରେ କାମ କରୁଥିବାରୁ ସଙ୍କ୍ରମଣର ଆଶଙ୍କା ଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ସେମାନେ ବିନା ପରିକ୍ଷାରେ କିଭଳି କାମ କରୁଛନ୍ତି ପ୍ରଶାସନ ତୁରନ୍ତ କଡା ପଦକ୍ଷେପ ନେବାକୁ ମହିଳାମାନେ ଦାବି କରିଛନ୍ତି । ସେହିଭଳି ଏହି ଶ୍ରମିକ ମାନଙ୍କୁ ଶୁକ୍ରବାର ଦିନ ଅଠରବାଙ୍କୀ ମେଡିକାଲକୁ ରକ୍ତ ପରିକ୍ଷା ପାଇଁ ନିଆଯିବା ବେଳେ ସେମାନଙ୍କୁ ବିରୋଧ କରିଥିଲେ ପାରାଦ୍ୱୀପ ଯୁବକ ସଂଘ । ପ୍ରବାସୀ ଓଡିଆ ଓ ସ୍ଥାନୀୟ ବେକାର ମାନଙ୍କୁ ନିଯୁକ୍ତି ନଦେଇ କମ୍ପାନୀ କାହିଁକି କୋରୋନା କଟକଣା ସମୟରେ ବାହାର ରାଜ୍ୟରୁ ଶ୍ରମିକଙ୍କୁ ଆଣି ନିଯୁକ୍ତି ଦେଉଛନ୍ତି, ତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛି ପାରାଦ୍ୱୀପ ଯୁବକ ସଂଘ । ଏହାଦ୍ୱାରା ପାରାଦ୍ୱୀପ ଅଂଚଳରେ କୋରୋନା ଅଧିକ ସଂକ୍ରମିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ପ୍ରଶାସନ ଯଦି ଏ ଦିଗରେ ପଦକ୍ଷେପ ନ ନିଅନ୍ତି ତେବେ କୋରୋନା ପରିସ୍ଥିତି ଭୟାବହ ହୋଇପାରେ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି । କେବଳ ଏଲଆଣ୍ଡଟି ନୁହେଁ ପାରାଦ୍ୱୀପ ବନ୍ଦରାଂଚଳରେ କାମ କରୁଥିବା ବିଭିନ୍ନ ସଂସ୍ଥାମାନେ ମଧ୍ୟ ବାହାର ରାଜ୍ୟରୁ ଶ୍ରମିକମାନଙ୍କୁ ଆଣି କାମରେ ଲଗାଉଛନ୍ତି । ପ୍ରଶାସନ ଏହା ଉପରେ ଏବେ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

Leave a Reply

Your email address will not be published.