ସରକାରଙ୍କ କରୋନା ନିୟମ ପାଳନ ଆବଶ୍ୟକ!
ଶରତ କୁମାର ରାଉତ
କିଛି ଲୋକଙ୍କ ଅସାବଧାନତା ଯୋଗୁ ଆମ ଦେଶରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଏହି ମହାମାରୀ ଜୀବାଣୁ ସଂକ୍ରମଣ ରୋକିବା ପାଇଁ ସବୁ ଚେଷ୍ଟା ପରେ ମଧ୍ୟ ବୃଦ୍ଧି ମୃତୁ୍ୟ ସଂଖ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇଛି । କିଛି ଦିନ ତଳୁ ସଂକ୍ରମଣ ତୀବ୍ର ଗତିରେ ବଢି ଏବେ ପ୍ରତିଦିନ ପ୍ରାୟ ୨୫ ହଜାର ଟପିଲାଣି । ଯଦି ତୁରନ୍ତ ଏହି ଗତିକୁ ନିୟନ୍ତ୍ରଣ କରାନଯାଏ, ତେବେ ଭାରତ ମୃତୁ୍ୟ ସଂଖ୍ୟା ଦୃଷ୍ଟିରୁ ଆମେରିକା ଓ ବ୍ରାଜିଲ୍ ପଛକୁ ନରହିବ, କିଏ କହିବ? ଅବଶ୍ୟ ଏହି ଦୁଇ ଦେଶର ମୁକାବିଲାରେ ଭାରତର ଜନସଂଖ୍ୟା ବହୁ ଅଧିକ ଓ କରୋନା ମୃତୁ୍ୟ ସଂଖ୍ୟା ମୋଟ ଜନସଂଖ୍ୟାର ଅନୁପାତ ବହୁ କମ୍ । ତଥାପି କରୋନା ମୃତୁ୍ୟ ସଂଖ୍ୟାର ବୃଦ୍ଧି କଦାପି ଶୁଭ ସଙ୍କେତ ହୋଇନପାରେ ।
ତେବେ କେନ୍ଦ୍ର ଓ ରାଜ୍ୟ ସରକାର ମାନଙ୍କ ସହିତ ଏମାନଙ୍କର ବିଭିନ୍ନ ଏଜେନ୍ସୀ କୁ କରୋନା ସଂକ୍ରମଣ ରୋକିବା ପାଇଁ ଆହୁରି ଅଧିକ ସକି୍ରୟତା ଆବଶ୍ୟକ । ମୁଖ୍ୟତଃ ରୋଗ ପରିକ୍ଷା କ୍ଷମତା ବଢାଇବା ଉଚିତ । ବାସ୍ତବତା ହେଲା, ସାଧାରଣ ଲୋକେ ଆବଶ୍ୟକ କରୋନା ନିୟମ ପାଳନ କଲେ ରୋଗକୁ ନିୟନ୍ତ୍ରଣ କରାଯିବା ସମ୍ଭବ ହୋଇପାରେ । ସବୁଠୁ ଦୁଃଖର କଥା ଯେ, ନିଜ ଆଖି ଆଗରେ କରୋନା ଭଳି ବିପଦ ଦେଖି ମଧ୍ୟ ସତର୍କତା ଅବଲମ୍ବନ କରିବାରେ ଆମ ଲୋକେ ପଛାଉଛନ୍ତି ।
ସର୍ବସାଧାରଣ ସ୍ଥାନରେ ଲୋକେ ଏତେ ଭିଡ଼ କରୁଛନ୍ତି ଯେ, କେହି ବି ସାମାଜିକ ଦୂରତ୍ୱ ମାନୁ ନଥିବା ଦେଖା ଯାଉଛି । ଆହୁରି ଚିନ୍ତାର ବିଷୟ ହେଲା, ବହୁ ସଂଖ୍ୟାରେ ଲୋକେ ଭିଡ଼ ଭିତରେ ବି ମାକ୍ସ ପିନ୍ଧୁ ନାହାନ୍ତି ବା କେବଳ ଦେଖାଇବାକୁ ବେକ କିମ୍ବା ଥୋଡ଼ିରେ ଝୁଲାଉଛନ୍ତି । ଏହା ଦ୍ୱାରା ସେମାନେ ନିଜକୁ ଓ ଅନ୍ୟ ଲୋକମାନଙ୍କୁ ବିପଦ ଘେରରେ ରଖୁଛନ୍ତି । ଅନ୍ୟପକ୍ଷରେ ସରକାରଙ୍କ ଦ୍ୱାରା ଲକ୍ ଡ଼ାଉନ୍ କିମ୍ବା ସର୍ଟ ଡ଼ାଉନ୍ ବ୍ୟବସ୍ଥା ଜାରି ଥିବାବେଳେ ଲୋକମାନେ ମନମୁଖି ବାହାରେ ବୁଲିବା ପ୍ରଶାସନ ପାଇଁ ମୁଣ୍ଡ ବ୍ୟଥାର କାରଣ ହେଉଛି । ସରକାରଙ୍କ କୋଭିଡ଼୍-୧୯ ଆଇନ ଅନୁଯାୟୀ ଏଭଳି ଅମାନିଆ ଲୋକମାନଙ୍କ ଠାରୁ ଫାଇନ୍ ଆଦାୟ ହେଲେ ମଧ୍ୟ କେହି ଚେତୁ ନାହାନ୍ତି । ଏହା ଦ୍ୱାରା ଲକ୍ ଡ଼ାଉନ୍ କିମ୍ବା ସର୍ଟ ଡ଼ାଉନ୍ ର ସଂପୂର୍ଣ୍ଣ ଲାଭ ମିଳୁନାହିଁ । ଦେଶର କିଛି ଅଂଚଳରେ ବାରମ୍ବାର ଲକ୍ ଡ଼ାଉନ୍ କିମ୍ବା ସର୍ଟ ଡ଼ାଉନ୍ ବଢାଇବାର ମୁଖ୍ୟ କାରଣ ଅମାନିଆ ଲୋକଙ୍କ ଅସାବଧାନତା । ଆମେ ବୁଝିବା ଉଚିତ ଯେ, ଆମ ଦେଶରେ ପ୍ରଥମେ ୧୦ ହଜାର ସଂକ୍ରମିତ ପ୍ରତିଦିନ ବାହାରୁ ଥିବାବେଳେ ଏବେ ୨୫ ହଜାରରୁ ଅଧିକ ସଂକ୍ରମିତ ବାହାରୁଛନ୍ତି । ଏଥିପ୍ରତି ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି ।
ଆହୁରି ଚିନ୍ତାର ବିଷୟ ହେଲା, ଦେଶର ବିଭିନ୍ନ ସ୍ଥାନରେ ଲୁଚି ଛପି ବିଭିନ୍ନ ସଭା, ବିବାହ ଉତ୍ସବ, ବ୍ରତୋପନୟନ ଆଦି ଆୟୋଜନ କରାଯାଉଥିବାରୁ ଗୋଟିଏ ସ୍ଥାନରେ ଅସମ୍ଭବ ଭିଡ଼ ଜମୁଛି, ଯାହା ଏକ ପ୍ରକାର ଅପରାଧିକ ଅସାବଧାନତା ବୋଲି କୁହାଯାଇ ପାରେ । ଏଭଳି ଅସାବଧାନତା ଦେଶ ପାଇଁ ମହଙ୍ଗା ସାବ୍ୟସ୍ଥ ହେଉଛି । ଆଉ ଏଥିଯୋଗୁ କରୋନା ସଂକ୍ରମଣ ତୀବ୍ର ଗତିରେ ବଢୁଛି ଓ ଏହା ଫଳରେ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟ ପ୍ରଭାବିତ ହେଉଛି । ଅବଶ୍ୟ କରୋନା ସଂକ୍ରମିତଙ୍କ ଆରୋଗ୍ୟ ହାର ବଢୁଥିବାବେଳେ କେତେକ ରାଜ୍ୟରେ ଏହି ହାର ଜାତୀୟ ହାର ଠାରୁ ଅଧିକ ରହିଛି । ଯଦି ତୁନ୍ତ ସଂକ୍ରମଣର ତୀବ୍ରତା ଅଟକା ନଯାଏ, ତେବେ ଅବସ୍ଥା ସ୍ୱାଭାବିକ ହେବା ପାଇଁ ବହୁ ସମୟ ଲାଗିଯିବ! ବର୍ତମାନ ସୁଦ୍ଧା ଭାରତରେ ୮,୪୯,୫୫୩ ଜଣ କରୋନା ରୋଗୀଙ୍କ ମଧ୍ୟରୁ ୨,୯୨,୨୫୮ ଜଣ ସକି୍ରୟ ରୋଗୀ ଥିବାବେଳେ ୨୨,୧୨୩ ଜଣ ମୃତୁ୍ୟ ବରଣ କରିଛନ୍ତି ।
ସେହିପରି ଓଡ଼ିଶାରେ ମଧ୍ୟ କରୋନାର ତାଣ୍ଡବ ଜାରି ରହିଛି । ସମସ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ପ୍ରଶାସନ ଉଦ୍ୟମ ଜାରି ରଖିଛି । ତଥାପି ଧୀରେ ଧୀରେ ରୋଗୀ ସଂଖ୍ୟା ବଢୁଛି । ବର୍ତମାନ ସୁଦ୍ଧା ଓଡ଼ିଶାରେ ୧୨,୫୨୬ କରୋନା ରୋଗୀଙ୍କ ମଧ୍ୟରୁ ୮,୨୩୧ ଜଣ ସୁସ୍ଥ ହୋଇଥିବାବେଳେ ୬୧ ଜଣ ମୃତୁ୍ୟ ବରଣ କରିଛନ୍ତି ଓ ୪୨୩୪ ଜଣ ଚିକିତ୍ସାଧୀନ ଅଛନ୍ତି । ଗଞ୍ଜାମ ଜିଲ୍ଲାରେ ଦ୍ରୂତ ଗତିରେ ବଢି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଏଠାରେ ସର୍ବାଧିକ ୩୬୩୪ କରୋନା ରୋଗୀଙ୍କ ମଧ୍ୟରୁ ୧୮୯୨ ଜଣ ସୁସ୍ଥ ହୋଇଥିବା ବେଳେ ୧୭୦୬ ଜଣ ଚିକିତ୍ସାଧୀନ ଅଛନ୍ତି ଓ ୩୭ ଜଣଙ୍କର ମୃତୁ୍ୟ ହୋଇଛି । ସେହିପରି ଖୋର୍ଦ୍ଦାଜିଲ୍ଲାରେ ୧୨୩୧ କରୋନା ରୋଗୀଙ୍କ ମଧ୍ୟରୁ ୮୩୧ ଜଣ ସୁସ୍ଥ ହୋଇଥିବାବେଳେ ୯ ଜଣଙ୍କର ମୃତୁ୍ୟ ଘଟିଛି । ଏହା ନିଶ୍ଚୟ ଆମ ପାଇଁ ସତର୍କର ଘଂଟି! ଏହି ଅବସ୍ଥାରେ ଆମକୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ଆମେ ସମସ୍ତେ ପ୍ରଶାସନର କରୋନା ସତର୍କତା ମାନି ଚଳିଲେ, ଆମେ ନିଜ ସହିତ ସମାଜକୁ ସମାଜକୁ ମଧ୍ୟ ରକ୍ଷା କରି ପାରିବା ।
ଓଡ଼ିଶା ନୁ୍ୟଜ୍ ସର୍ଭିସ୍, ଭୁବନେଶ୍ୱର, ମୋ: ୯୩୩୭୩୬୯୪୪୮